ଚଳିତ ଜୁଲାଇ ୨୬ ତାରିଖରୁ ଆରମ୍ଭ ହେଉଥିବା ୨୦୨୪ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍‌ସ ପାଇଁ ପ୍ରତିଯୋଗୀ ବା ଦର୍ଶକମାନେ କେବଳ ପ୍ରସ୍ତୁତି ଚଳାଇନାହାନ୍ତି, ଉକ୍ତ ବିଶ୍ବସ୍ତରୀୟ କ୍ରୀଡ଼ାର ଆୟୋଜକମାନେ ମଧ୍ୟ ଏଥିରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ସୁବିନିଯୋଗ କରିବା ପାଇଁ ଉତ୍ସାହିତ ଅଛନ୍ତି। ଅବଶ୍ୟ ପୂର୍ବରୁ ୨୦୧୮ରେ ଦକ୍ଷିଣ କୋରିଆର ପ୍ୟୋଙ୍ଗ୍‌ଚ୍ୟାଙ୍ଗ୍‌ଠାରେ ଅନୁଷ୍ଠିତ ଶୀତକାଳୀନ ଅଲିମ୍ପିକ୍‌ କ୍ରୀଡ଼ାରେ ଖେଳ ପରିଚାଳନା ଓ ଫଳାଫଳ ନିର୍ଣ୍ଣୟରେ ପାଦଦର୍ଶିତା ଆଣିବା, ଦର୍ଶକମାନଙ୍କ ପାଇଁ ଭାଷା ପ୍ରତିବନ୍ଧକୁ ଦୂର କରିବା ଓ ସୁରକ୍ଷା ବ୍ୟବସ୍ଥାକୁ ଶାଣିତ କରିବା ଲାଗି ଏଆଇର ଉପଯୋଗ କରାଯାଇଥିଲା। ତେବେ ୨୦୨୪ ଅଲିମ୍ପିକ୍‌ସରେ ପ୍ରଥମ ଥର ପାଇଁ ଏଆଇ ପ୍ରଯୁକ୍ତିବିଦ୍ୟାକୁ ବ୍ୟାପକ ସ୍ତରରେ ବିନିଯୋଗ କରି କ୍ରୀଡ଼ାର ଅନେକ ଦିଗରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ଇଣ୍ଟେଲ୍‌ କମ୍ପାନିର ସହଭାଗିତା ମାଧ୍ୟମରେ ଆନ୍ତର୍ଜାତିକ ଅଲିମ୍ପିକ୍‌ସ କମିଟି (ଆଇଓସି)ର ମାଷ୍ଟରପ୍ଲାନ୍‌ରେ କ୍ରୀଡ଼ାବିତ୍‌ମାନଙ୍କ ପାଇଁ ଖେଳକୁ ଅଧିକ ନ୍ୟାୟସଂଗତ କରିବା ଓ ଦର୍ଶକୀୟ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ନିମ୍ନୋକ୍ତ କ୍ଷେତ୍ରମାନଙ୍କରେ ଏଆଇର ସୁବିନିଯୋଗକୁ ସନ୍ନିହିତ କରାଯାଇଛି।

Advertisment

ଆସନ୍ତା ୨୬ ତାରିଖରେ ଆରମ୍ଭ ହେବାକୁ ଥିବା ଅଲିମ୍ପିକ୍‌ କ୍ରୀଡ଼ାରେ ନିରପେକ୍ଷ ଫଳାଫଳ ନିର୍ଣ୍ଣୟ ତଥା ସୁରକ୍ଷା ବ୍ୟବସ୍ଥାରେ ପ୍ରଥମ ଥର ପାଇଁ ‘ଏଆଇ’ର ବ୍ୟାପକ ବ୍ୟବହାର ହେବାକୁ ଯାଉଛି।

ପ୍ରଥମତଃ ଏଆଇର ବର୍ଦ୍ଧିତ ତଥ୍ୟ ବିଶ୍ଳେଷଣ କ୍ଷମତା ପ୍ରତ୍ୟେକ କ୍ରୀଡ଼ା ପାଇଁ ନିର୍ଭୁଲ ତଥା ନିରପେକ୍ଷ ନିଷ୍ପତ୍ତି ପ୍ରଦାନ କରି କୌଣସି ପ୍ରକାର ବିବାଦୀୟ ସ୍ଥିତିକୁ ଦୂର କରିଦେବ। ୨୦୨୪ ଅଲିମ୍ପିକ୍‌ସର ଅନ୍ୟତମ ବଡ଼ ବିଭାବ ହେଉଛି ଏନ୍‌ବିସିର ଏଆଇ-ଚାଳିତ ଦୈନିକ ବିବରଣୀ। ଏଥିରେ ୫୦ ବର୍ଷରୁ ଅଧିକ କ୍ରୀଡ଼ା ପ୍ରସାରଣ ଅଭିଜ୍ଞତା ଥିବା ମହାନ୍‌ ଉଦ୍‌ଘୋଷକ ଅଲ୍‌ ମାଇକେଲ୍‌ସଙ୍କ ସ୍ବର ବ୍ୟବହାର କରାଯିବ। ଷ୍ଟ୍ରିମିଂ ପ୍ଳାଟ୍‌ଫର୍ମ ‘ପିକକ୍‌’ ମାଧ୍ୟମରେ ‘ୟୋର ଡେଲି ଅଲିମ୍ପିକ୍‌ ରିକ୍ୟାପ୍‌’ ନାମକ ୧୦ ମିନିଟ୍‌ର ଦୈନିକ ହାଇଲାଇଟ୍‌ ପ୍ୟାକେଜ୍‌ରେ ତାହା ଉପଲବ୍‌ଧ ହେବ। ଅଧିକ ଖେଳ ଚ୍ୟାନେଲ୍‌ରେ ଏପରି ଏଆଇ ଆଧାରିତ ‘ଅଲିମ୍ପିକ୍‌ସ ରିକ୍ୟାପ୍‌’ ଦେଖିବାକୁ ମିଳିବ। ସେହିପରି ଅଲିମ୍ପିକ୍‌ସରେ ଏଆଇ-ପରିଚାଳିତ କ୍ୟାମେରା ଦ୍ବାରା ସିସିଟିଭି ପ୍ରଣାଳୀରେ ସମ୍ଭାବ୍ୟ ସୁରକ୍ଷା ବିପଦକୁ ଚିହ୍ନଟ ସହ ପ୍ରତିକାର ମଧ୍ୟ କରାଯାଇପାରିବ। ଦର୍ଶକମାନେ ସ୍ପଷ୍ଟ ଚିତ୍ର ଓ ଉନ୍ନତ ଲାଇଭ୍‌ ଷ୍ଟ୍ରିମ୍‌ ଉପଭୋଗ କରିବା ସହ ଖେଳଗୁଡ଼ିକର ପ୍ରସାରଣ କ୍ଲାଉଡ୍‌ରେ ଅପ୍‌ଲୋଡ୍‌ ହେବାକୁ ଥିବାରୁ ପ୍ରସାରଣକାରୀ ଓ ପ୍ରଶଂସକମାନଙ୍କ ପାଇଁ ଫୁଟେଜ୍‌ ଡାଉନ୍‌ଲୋଡ୍‌ ଓ ଆକ୍ସେସ୍‌ କରିବା ସହଜ ହୋଇପାରିବ। ସେହିପରି ଅଲିମ୍ପିକ୍‌ କ୍ରୀଡ଼ାବିତ୍‌ମାନଙ୍କ ଉପରେ ଅନୁପଯୁକ୍ତ ବା ବିବାଦୀୟ ମନ୍ତବ୍ୟଗୁଡ଼ିକୁ ହଟାଇବା ସହ ସମଗ୍ର ଭାବରେ ସାଇବର ନିରାପତ୍ତା ବଢ଼ାଇବା ପାଇଁ ସାମାଜିକ ଗଣମାଧ୍ୟମ ଉପରେ ମଧ୍ୟ ଏଆଇ ନିଘା ରଖିବ।