ଭାରତରେ ଇଭିଏମ୍ ଦ୍ୱାରା ମତଦାନର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇ ପୁଣି ଥରେ ବାଲଟ୍ କାଗଜ ଦ୍ୱାରା ମତଦାନ କରାଯିବାକୁ କିଛି ଲୋକ ଦାବି କରୁଛନ୍ତି। ତେବେ ‘ଇଭିଏମ୍ ବନାମ ବାଲଟ୍ ପେପର’ ବିତର୍କର ଏକ ଭିନ୍ନ ଦିଗ ହେଉଛି କେଉଁ ବ୍ୟବସ୍ଥାଟି ଅଧିକ ପରିବେଶ ଅନୁକୂଳ? ଏହି ପରିପ୍ରେକ୍ଷୀରେ ବାଲଟ୍ ବ୍ୟବସ୍ଥାକୁ ଫେରିବାର ପାରିବେଶିକ ମୂଲ୍ୟ ସଂପର୍କରେ ବିଚାର କରାଯିବା ଅପରିହାର୍ଯ୍ୟ।
ଭାରତରେ ୧୯୯୯ ଲୋକସଭା ନିର୍ବାଚନ ବେଳେ ଇଲେକ୍ଟ୍ରୋନିକ୍ ଭୋଟିଂ ବ୍ୟବସ୍ଥାକୁ ସୀମିତ ଭାବେ ବ୍ୟବହାର କରାଯାଇଥିଲା। ତେବେ ୨୦୦୪ରୁ ସମଗ୍ର ଦେଶରେ ଇଭିଏମ୍ ମତଦାନର ପ୍ରମୁଖ ସାଧନ ହୋଇଆସିଛି। ପରିବେଶବିତ୍ ତପନ ପାଢ଼ୀ କହନ୍ତି, “ବାଲଟ୍ କାଗଜ ମୁଖ୍ୟତଃ ଗଛକୁ ବ୍ୟବହାର କରି ପ୍ରସ୍ତୁତ କରାଯାଇଥାଏ। ରାସାୟନିକ ପଦ୍ଧତିରେ ଏକ ଟନ୍ କାଗଜ ପ୍ରସ୍ତୁତି ପାଇଁ ୧୫ରୁ ୨୦ ସେଣ୍ଟିମିଟର ବ୍ୟାସ ଏବଂ ୨୦ ମିଟର ଦୀର୍ଘ ପ୍ରାୟ ୨୪ଟି ପରିପକ୍ୱ ଗଛ ଦରକାର ପଡ଼ିଥାଏ। ତେଣୁ ନିର୍ବାଚନ ସକାଶେ ବିପୁଳ ପରିମାଣର ବାଲଟ୍ କାଗଜ ଦରକାର ହୋଇଥାଏ। ଉଲ୍ଲେଖଯୋଗ୍ୟ, ପ୍ରତ୍ୟେକ ଥର ନିର୍ବାଚନରେ ପୂର୍ବ ଅପେକ୍ଷା ପ୍ରାୟ ୬ଗୁଣରୁ ଅଧିକ ବାଲଟ୍ କାଗଜ ଆବଶ୍ୟକ ପଡ଼ିବ। ତେଣୁ ନିର୍ବାଚନ ଲାଗି ଅଧିକରୁ ଅଧିକ ଗଛ କଟାଯିବା ଅପରିହାର୍ଯ୍ୟ ହୋଇପଡ଼ିବ। ଏହାର ପାରିବେଶିକ କୁପ୍ରଭାବ କିଛି କମ୍ ନୁହେଁ।”
ସୁପ୍ରିମ୍ କୋର୍ଟ ୩୫୬ଟି ଗଛ କଟାଯିବା ବିରୋଧରେ ଆଗତ ଏକ ମାମଲାରେ ଗୋଟିଏ ଗଛର ମୂଲ୍ୟ ୧୦ କୋଟି ଟଙ୍କା ବୋଲି ଆକଳନ କରି ଏକ ଦୃଷ୍ଟାନ୍ତ ସ୍ଥାପନ କରିଛନ୍ତି। ହିସାବ ଅନୁଯାୟୀ, ଗୋଟିଏ ନିର୍ବାଚନରେ ପେପର୍ ବାଲଟ୍ ଲାଗି ପ୍ରାୟ ୫୨,୦୦୦ ଗଛ କଟାଯିବା ଆବଶ୍ୟକ ହୋଇପାରେ। ମାନ୍ୟବର ସୁପ୍ରିମ୍ କୋର୍ଟଙ୍କ ଦୃଷ୍ଟାନ୍ତ ମୁତାବକ ଏଥିରେ ମୋଟ ୫,୨୦,୦୦୦ କୋଟି ଟଙ୍କା ନଷ୍ଟ ହେବ।’’ ସେହିପରି ପରିବେଶବିତ୍ ଅଭିଜିତ ପଟ୍ଟନାୟକଙ୍କ ମତରେ, “ଗୋଟିଏ ପରିପକ୍ୱ ବୃକ୍ଷର ମୂଲ୍ୟ ନିର୍ଦ୍ଧାରଣ କରିବା ସକାଶେ ସେପରି କୌଣସି ନିର୍ଦ୍ଦିଷ୍ଟ ସୂତ୍ର ନାହିଁ। ତେବେ ଗୋଟିଏ ୫୦ ବର୍ଷ ବୟସର ପରିପକ୍ୱ ଗଛର ଅମ୍ଳଜାନ ଉତ୍ପାଦନ ପାଇଁ ଅବଦାନ, ମୃତ୍ତିକା କ୍ଷୟ ରୋକିବା, ପ୍ରଦୂଷଣର ପ୍ରତିକାର କରିବା ଓ ପଶୁପକ୍ଷୀମାନଙ୍କ ସକାଶେ ନିରାପଦ ଆବାସସ୍ଥଳୀ ଯୋଗାଇବା ପରି କାର୍ଯ୍ୟକୁ ବିବେଚନା କଲେ ଏହାର ମୂଲ୍ୟ ୧,୯୩,୨୫୦ ଡଲାର ହେବ। ଏହି ଅବଦାନଗୁଡ଼ିକର ମୂଲ୍ୟକୁ ବିବେଚନା କଲେ ବାଲଟ୍ କାଗଜ ସକାଶେ କଟାଯାଉଥିବା ଗଛଗୁଡ଼ିକର ପାରିବେଶିକ ମୂଲ୍ୟ ମୋଟ ୨.୫ ଟ୍ରିଲିଅନ ଟଙ୍କା ହୋଇପାରେ।’’
ବାଲଟ୍ କାଗଜ ଉତ୍ପାଦନ ପ୍ରକ୍ରିୟା ଜଳ, ଶକ୍ତି ଓ ରସାୟନ ସମେତ ବିପୁଳ ପରିମାଣର ସମ୍ବଳ ଲୋଡ଼ିଥାଏ। ନିର୍ବାଚନ ପରେ ବାଲଟ୍ କାଗଜ ନଷ୍ଟ କରାଯିବା ପ୍ରକ୍ରିୟାରେ ମଧ୍ୟ ପାରିବେଶିକ ମୂଲ୍ୟ ଦେବାକୁ ପଡ଼ିଥାଏ। ଫଳରେ ନିର୍ବାଚନ ପ୍ରକ୍ରିୟାର ପାରିବେଶିକ ମୂଲ୍ୟ ଆମ ଦେଶର ଜି.ଡି.ପି.ର ୧୦% ହୋଇପାରେ। ତେଣୁ ଏହା ନିଃସନ୍ଦେହ ଯେ ବାଲଟ୍ କାଗଜରେ ମତଦାନ ବ୍ୟବସ୍ଥା ପରିବେଶ ପାଇଁ ଆଦୌ ଶୁଭଙ୍କର ନୁହେଁ।
- ବିଭୁତି ପତି