ଯୁଦ୍ଧ କେବେ ସରେନାହିଁ। ପୃଥିବୀର କେଉଁ ବିନ୍ଦୁରେ ଯୁଦ୍ଧ ସରେ ତ ପୁଣି କେଉଁ ବିନ୍ଦୁରେ ଆରମ୍ଭ ହୋଇଯାଏ। ହଜାରେ ଦିନରେ ପହଞ୍ଚିଗଲାଣି ରୁଷ୍- ୟୁକ୍ରେନ୍ର ଯୁଦ୍ଧ। ଥମିବାର ନାଁ ଧରୁନାହିଁ। ଏମିତି ଆଉ ଏକ ଦୀର୍ଘକାଳୀନ ଯୁଦ୍ଧ ହେଉଛି ଇସ୍ରାଏଲ୍ ବିରୋଧରେ ହମାସ୍, ହେଜବୁଲ୍ଲା ଓ ଇରାନ୍ର ଯୁଦ୍ଧ। ଏହା ସହ ପୁଣି ଅଛି ଆମେରିକାର ଆତଙ୍କବାଦ ବିରୋଧୀ ଯୁଦ୍ଧ। ପ୍ରଥମ ବିଶ୍ବଯୁଦ୍ଧ, ଦ୍ବିତୀୟ ବିଶ୍ବଯୁଦ୍ଧ, କୋରୀୟ ଯୁଦ୍ଧ, ଉପସାଗରୀୟ ଯୁଦ୍ଧ ପରି ଯୁଦ୍ଧ ପରେ ଯୁଦ୍ଧକୁ ସାମ୍ନା କରୁଛି ପୃଥିବୀ। କେବେ ମିଳିବ ମୁକ୍ତି, କେବେ ଫେରିବ ଶାନ୍ତି! ଯୁଦ୍ଧର ବିଭୀଷିକାକୁ ନେଇ ଏଥରର ପ୍ରମୁଖ ପ୍ରସଙ୍ଗ...
ସମ୍ପ୍ରତି ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଲାଗିଥିବା ଯୁଦ୍ଧ ୧୦୦୦ ଦିନରେ ପହଞ୍ଚିଥିବା ବେଳେ ଉଭୟ ପକ୍ଷ କହିଛନ୍ତି ଯେ ବିଜୟଲାଭ ପର୍ଯ୍ୟନ୍ତ ସେମାନେ ଲଢ଼େଇ ଜାରି ରଖିବେ। ୨୦୨୨ ଫେବ୍ରୁଆରି ୨୪ ତାରିଖ ଦିନ ରୁଷ୍ ୟୁକ୍ରେନ୍ ଉପରେ ଆକ୍ରମଣ କରିବା ପରଠାରୁ ଏହି ଯୁଦ୍ଧ ଅବ୍ୟାହତ ରହିଛି। ଲଢ଼େଇର ପ୍ରଥମ କେତେ ଦିନ ଧରି ରୁଷୀୟ ସେନା ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଥିଲା। କିନ୍ତୁ, ସେମାନେ କିବ୍ ଓ ଅନ୍ୟାନ୍ୟ ପ୍ରମୁଖ ନଗରୀ ଦଖଲ କରିବା ଆଗରୁ ୟୁକ୍ରେନ୍ ସେନା ପ୍ରବଳ ପ୍ରତିଆକ୍ରମଣ କରି ବାଧାଦେଲା। ରୁଷ୍ ରାଷ୍ଟ୍ରପତି ପୁଟିନ୍ ଆଶା କରିଥିଲେ ୟୁକ୍ରେନ୍ ବିଜୟ ମାତ୍ର ଦିନ କେତେଟାର କଥା, କିନ୍ତୁ ଦୁଇବର୍ଷ ବିତି ଯାଇଥିଲେ ବି ତାହା ସମ୍ଭବ ହୋଇନାହିଁ। ଏବେ ପୁଣି ଯୁଦ୍ଧ ଭୟାବହ ସ୍ତରକୁ ଗତି କରିଛି। ରୁଷ ପ୍ରଥମଥର ଲାଗି ୟୁକ୍ରେନ୍ ଉପରେ ଅର୍ନ୍ତମହାଦେଶୀୟ ବାଲିଷ୍ଟିକ୍ ମିସାଇଲ୍ ପ୍ରୟୋଗ କରିଛି।
ରୁଷ୍-ୟୁକ୍ରେନ୍ ଯୁଦ୍ଧର ଇତିବୃତ୍ତ
ରୁଷ୍-ୟୁକ୍ରେନ୍ ଯୁଦ୍ଧର ସୂତ୍ରପାତ ହୋଇଥିଲା ଅନେକ ପୂର୍ବରୁ। ଗଣଆନ୍ଦୋଳନ ହେତୁ ୟୁକ୍ରେନ୍ର ରୁଷ୍ ସପକ୍ଷବାଦୀ ରାଷ୍ଟ୍ରପତି ଭିକ୍ଟୋର୍ ୟାନୁକୋଭିଚ୍ ୨୦୧୪ ଫେବ୍ରୁଆରିରେ କ୍ଷମତାଚ୍ୟୁତ ହେଲେ। ସେ ରୁଷ୍ ପଳାୟନ କରିବାର କିଛି ଦିନ ପରେ ଛଦ୍ମବେଶୀ ୟୁକ୍ରେନ୍ ସେନା(ୟୁକ୍ରେନ୍ ପୋଷାକ ପରିହିତ ରୁଷୀୟ ସୈନିକ) ସ୍ବଂୟଶାସିତ ୟୁକ୍ରେନୀୟ ସାଧାରଣତନ୍ତ୍ର କ୍ରିମିଆ ଆକ୍ରମଣ କଲେ। ମାର୍ଚ ମାସରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ବେଆଇନ ଭାବେ କ୍ରିମିଆ ଅଧିକାର ଘୋଷଣା କଲେ। ପୁଣି ଏହାର କିଛି ସପ୍ତାହ ପରେ ଛଦ୍ମବେଶୀ ୟୁକ୍ରେନୀୟ ସୈନିକମାନେ ୟୁକ୍ରେନ୍ର ଦୋନେତ୍ସ୍କ ଓ ଲୁହାନ୍ସ୍କ ଆକ୍ରମଣ କଲେ। ୨୦୧୪ ମଧ୍ୟଭାଗରେ ସେଠାକାର ବହୁ ଅଞ୍ଚଳ ରୁଷ୍ ସେନା ଅକ୍ତିଆରକୁ ଆସିଗଲା। ଏହାଛଡ଼ା, ସେହି ବର୍ଷ ଜୁଲାଇ ମାସରେ ବିଦ୍ରୋହୀମାନଙ୍କ ନିୟନ୍ତ୍ରଣରେ ଥିବା ଅଞ୍ଚଳ ଉପର ଦେଇ ଯାଉଥିବା ମାଲେସିୟା ଏୟାର୍ଲାଇନ୍ସ୍ ବିମାନ ଏମ୍ଏଚ୍୧୭କୁ ରୁଷ୍ ଯୋଗାଇ ଦେଇଥିବା ଭୂପୃଷ୍ଠରୁ ଆକାଶଗାମୀ କ୍ଷେପଣାସ୍ତ୍ର ଦ୍ବାରା ବିଦ୍ଧ କରି ଖସାଇ ଦିଆଗଲା। ପ୍ରାୟ ୩୦୦ ଯାତ୍ରୀ ଓ ବିମାନ କର୍ମଚାରୀଙ୍କର ମୃତ୍ୟୁ ଘଟିଲା। ୨୦୧୫ ଫେବ୍ରୁଆରିରେ ଅସ୍ତ୍ରବିରତି ସ୍ବାକ୍ଷରିତ ହେଲା। ଏହା ଆକ୍ରମଣ ପ୍ରତିଆକ୍ରମଣ ବେଗ ମନ୍ଥର କରିଦେଲା ସତ, ହେଲେ ରକ୍ତପାତ ବନ୍ଦ କରିପାରିଲା ନାହିଁ। ପରବର୍ତ୍ତୀ ୭ ବର୍ଷ ପର୍ଯ୍ୟନ୍ତ ଦୋନ୍ବାସ୍ରେ ଯୁଦ୍ଧାବସ୍ଥା ଲାଗିରହିଲା।
ଏସବୁ ଘଟିବା ବହୁ ଆଗରୁ ଅର୍ଥାତ୍ ୧୯୯୦ ଦଶକରେ ସୋଭିଏତ୍ ସଂଘ ପତନ ପରେ ୧୯୯୧ଠାରୁ ୟୁକ୍ରେନ୍ ସ୍ବାଧୀନ ରାଷ୍ଟ୍ର ହୋଇଥିଲା। ସେହି ବର୍ଷଠାରୁ ୨୦୦୦ ମସିହା ପର୍ଯ୍ୟନ୍ତ ନାଟୋ ସହିତ ତା’ର ସମ୍ପର୍କ ସୁଦୃଢ଼ କଲା। ନାଟୋକୁ ସମର୍ଥନ କରୁଥିଲେ ବି ୟୁକ୍ରେନ୍ ନିରପେକ୍ଷ ଦେଶ ଭାବେ ଚଳିଲା। ୨୦୧୪ରେ ରୁଷ୍ ଆକ୍ରମଣ କରିବାରୁ ଅନେନ୍ୟାପାୟ ହୋଇ ୟୁକ୍ରେନ୍ ନାଟୋ ସଦସ୍ୟ ହେବାକୁ ଚାହିଲା। ମାତ୍ର ୟୁକ୍ରେନ୍ର ସୋସିଆଲିଷ୍ଟ୍ ଓ କମ୍ୟୁନିଷ୍ଟ ପାର୍ଟି ତୀବ୍ର ବିରୋଧ କରିବାରୁ ତାହା ସମ୍ଭବପର ହେଲାନାହିଁ। ୨୦୧୯ରେ ବୋଲ୍ଡିମିର୍ ଜେଲ୍ନସ୍କି ୟୁକ୍ରେନ୍ର ରାଷ୍ଟ୍ରପତି ନିର୍ବାଚିତ ହେଲେ ଏବଂ ୨୦୨୦ରେ ୟୁକ୍ରେନ୍ର ନୂତନ ଜାତୀୟ ନିରାପତ୍ତା ବ୍ୟବସ୍ଥାପତ୍ରରେ ସ୍ବାକ୍ଷର କଲେ। ଏହା ନାଟୋ ସଦସ୍ୟତା ଲାଗି ୟୁକ୍ରେନ୍ର ପଥ ପରିଷ୍କାର କଲା। ଏହା ୟୁକ୍ରେନ୍ ସୁରକ୍ଷା ଓ ପ୍ରତିରକ୍ଷା ପାଇଁ ଅତ୍ୟାବଶ୍ୟକ ବୋଲି ଜେଲେନ୍ସ୍କି ଦୃଢ଼ ଭାବେ ଘୋଷଣା କଲେ।
ୟୁକ୍ରେନ୍ ନାଟୋ ସଦସ୍ୟ ହୋଇ ନାଟୋ ସେନା ମେଣ୍ଟରେ ଯୋଗ ଦେଲେ ରୁଷ୍ ନିରପତ୍ତା ପ୍ରତି ବିପଦ ସୃଷ୍ଟି ହେବ ବୋଲି ଯୁକ୍ତି ଦର୍ଶାଇ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ ବିରୋଧ କଲେ। ମାତ୍ର ଭୋଲ୍ଦିମିର୍ ଏହାକୁ ଗ୍ରହଣ କଲେ ନାହିଁ। ସେ ନିଷ୍ପତ୍ତିରେ ଅଟଳ ରହିଲେ। ୨୦୨୧ ଶେଷ ଆଡ଼କୁ ରୁଷ୍ ୟୁକ୍ରେନ୍ ସୀମାନ୍ତରେ ସୈନ୍ୟ ଠୁଳ କଲା। ଏହା କିନ୍ତୁ ୟୁକ୍ରେନ୍ ଆକ୍ରମଣ ପାଇଁ ନୁହେଁ ବୋଲି ବାରମ୍ବାର କହି ହଠାତ୍ ୨୦୨୨ ଫେବ୍ରୁଆରି ୧୪ରେ ରୁଷ୍ ୟୁକ୍ରେନ୍ ବିପକ୍ଷରେ ବିଧିବଦ୍ଧ ଯୁଦ୍ଧ ଘୋଷଣା କଲା। ୟୁକ୍ରେନ୍ ଆତ୍ମରକ୍ଷା ଲାଗି ସାମରିକ ପଦକ୍ଷେପ ନେଲା। ଏହାପରେ ଯାହା ଘଟିଛି, ତାହା ବିଶ୍ବବାସୀ ଦେଖୁଛନ୍ତି। ଏ ଯୁଦ୍ଧରେ ୟୁକ୍ରେନ୍ର ବିଭିନ୍ନ ନଗରୀ ଉପରେ ରୁଷ୍ ନିର୍ବିଚାର ଭାବେ ଗୋଳା ଓ ମିସାଇଲ୍ ବର୍ଷଣ ଓ ବିମାନ ଆକ୍ରମଣ ଜାରି ରଖିବାରୁ ଦେଶ ଜନସଂଖ୍ୟାର ଏକତୃତୀୟାଂଶରୁ ଅଧିକ ବାସଚ୍ୟୁତ ହୋଇଛନ୍ତି। ଯୁଦ୍ଧରେ ଅନ୍ୟୂନ ୪୦,୦୦୦ ୟୁକ୍ରେନ୍ବାସୀ ଓ ୨୦୦,୦୦୦ ୟୁକ୍ରେନୀୟ ସୈନିକଙ୍କର ମୃତ୍ୟୁ ଘଟିଛି। ସେହିପରି, ୧.୬ ନିୟୁତ ୟୁକ୍ରେନ୍ ନାଗରିକଙ୍କୁ ରୁଷ୍ ବଳପୂର୍ବକ ନିଜ ଅଞ୍ଚଳକୁ ନେଇଯାଇଛି। ଏଥିରେ ୩୪୦,୦୦୦ ରୁଷୀୟ ସୈନିକ ମୃତାହତ ହୋଇଛନ୍ତି ଏବଂ ରୁଷ୍ର ସାମରିକ ସାମର୍ଥ୍ୟ ମଧ୍ୟ ନ୍ୟୂନ ହୋଇଯାଇଛି।
ଇସ୍ରାଏଲ୍ ବିରୋଧରେ ହମାସ୍, ହେଜବୁଲ୍ଲା ଓ ଇରାନ୍ର ଯୁଦ୍ଧ
ସାମ୍ପ୍ରତିକ ସମୟରେ ଚାଲିଥିବା ଆଉ ଏକ ଦୀର୍ଘକାଳୀନ ଯୁଦ୍ଧ ହେଉଛି ଇସ୍ରାଏଲ୍ ବିରୋଧରେ ହମାସ୍, ହେଜବୁଲ୍ଲା ଓ ଇରାନ୍ର ଯୁଦ୍ଧ। ୨୦୨୩ ଅକ୍ଟୋବର ୭ ତାରିଖରେ ହଜାର ହଜାର ସଂଖ୍ୟାରେ ହମାସ୍ ଆତଙ୍କବାଦୀ ଇସ୍ରାଏଲ୍ ସୀମାକୁ ପଶି ନାଗରିକଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲେ। ୧୧୯୫ ଇସ୍ରାଏଲୀ ନାଗରିକଙ୍କୁ ସେମାନେ ହତ୍ୟା କରିବା ସହ ୨୫୧ ଜଣଙ୍କୁ ପଣବନ୍ଦୀ କରି ଗାଜା ନେଇଯାଇଥିଲେ। ଇସ୍ରାଏଲ୍ର ବିଭିନ୍ନ ଜେଲ୍ରେ ବନ୍ଦୀ ଥିବା ପାଲେଷ୍ଟେନୀୟଙ୍କୁ ମୁକ୍ତ କରିବା ଏବଂ ଗାଜାସୀମାରୁ ଅବରୋଧ ହଟାଇବା ଲାଗି ଚାପ ପକାଇବାକୁ ହମାସ୍ କରିଥିବା ଏହି ଆକ୍ରମଣ ଯୁଦ୍ଧରେ ପରିଣତ ହୋଇଥିଲା। ଗାଜାରେ ପ୍ରଚଣ୍ଡ ବୋମାମାଡ଼ କରି ହମାସ୍ ଘାଟି ଧ୍ବଂସ କରିବା ଆରମ୍ଭ କରିଥିଲା ଇସ୍ରାଏଲ୍। ଏହାପରେ ହମାସ୍ ସପକ୍ଷରେ ହେଜବୁଲ୍ଲା ଓ ପରେ ଇରାନ୍ ବାହାରି ଯୁଦ୍ଧରେ ସାମିଲ୍ ହୋଇଥିଲେ। ବର୍ତ୍ତମାନ ଏହି ଯୁଦ୍ଧ ଜାରି ରହିଛି।
ଏ ଯୁଦ୍ଧ ପାଇଁ ମଧ୍ୟ ଅତୀତର ଅନେକ କାରଣ ଦାୟୀ। ଇତିହାସ ଦେଖିଲେ ଜଣାପଡ଼େ ଯେ, ବିଂଶ ଶତାବ୍ଦୀର ମଧ୍ୟଭାଗରୁ ମଧ୍ୟପ୍ରାଚ୍ୟ ବିଶ୍ବର ସବୁଠୁ ଅଶାନ୍ତ ଅଞ୍ଚଳ ହୋଇଆସିଛି। ସେଥିରୁ କେତେକ ସଂଘର୍ଷ ଅଭ୍ୟନ୍ତରୀଣ ବିବାଦ କାରଣରୁ ଏବଂ ଆଉ କେତେକ ସାମ୍ରାଜ୍ୟଗତ ପ୍ରତିଦ୍ବନ୍ଦ୍ବିତା କାରଣରୁ ସଂଗଠିତ ହୋଇଛି। ୨୦୨୪ ସୁଦ୍ଧା ଏ ଅଞ୍ଚଳରେ ୧୦ଟି ଯୁଦ୍ଧ ସଂଗଠିତ ହୋଇଛି। କିନ୍ତୁ, ୧୯୪୮ରୁ ୧୯୭୩ ମଧ୍ୟରେ ଇଜିପ୍ଟ, ସିରିୟା ଓ ଜୋର୍ଡାନ୍ ସମେତ ଆରବୀୟ ପଡ଼ୋଶୀମାନଙ୍କ ସହିତ ୪ଟି ଗୁରୁତ୍ବପୂର୍ଣ୍ଣ ଯୁଦ୍ଧ ଲଢ଼ିଛି ଇସ୍ରାଏଲ୍। ୧୯୬୦ ଦଶକ ମଧ୍ୟ ଭାଗରେ ‘ପାଲେଷ୍ଟାଇନ୍ ଲିବରେସନ୍ ଅର୍ଗାନାଇଜେସନ୍’ ଗଠନ ହେବା ପରଠାରୁ ପାଲେଷ୍ଟାଇନ୍ ଉପରେ ଉଗ୍ରବାଦୀ ଆକ୍ରମଣ ବୃଦ୍ଧି ପାଇଥିଲା। ସେମାନଙ୍କ ସହିତ ମିଶିଲେ ଲେବାନନ୍ର ହେଜ୍ବୋଲ୍ଲା, ପାଲେଷ୍ଟାଇନ୍ ସୀମାରେଖା ମଧ୍ୟରେ ଥିବା ହାମାସ୍ ଓ ୟେମେନ୍ର ହାଉତି ସଂଗଠନ। ୧୯୮୦ ଦଶକରେ ସନ୍ତ୍ରାସବାଦୀମାନେ ପ୍ରମୁଖ ସେନା ପରିଚାଳନାକାରୀ ହୋଇଗଲେ। ତା’ପରେ ୧୯୯୦ ଦଶକ ଓ ୨୦୦୦ରେ ସେମାନେ ହୋଇଗଲେ ପ୍ରଭାବଶାଳୀ ରାଜନୈତିକ ଦଳ। ଏକବିଂଶ ଶତାବ୍ଦୀରେ ସେମାନେ ହେଲେ ଇସ୍ରାଏଲ୍ ପ୍ରତି ପ୍ରମୁଖ ବିପଦର କାରଣ। ସମ୍ପ୍ରତି ଇସ୍ରାଏଲ୍ ଦକ୍ଷିଣ ସୀମାନ୍ତରେ ହମାସ୍ ଓ ଉତ୍ତର ସୀମାନ୍ତରେ ହେଜବୋଲ୍ଲାର ଆକ୍ରମଣର ସମ୍ମୁଖୀନ ହେଉଛି।
ଇସ୍ରାଏଲ୍ ଓ ହମାସ୍: ୧୯୮୨ରେ ଇସ୍ରାଏଲ୍ ଲେବାନନ୍ ଆକ୍ରମଣ କରିବା ପରେ ‘ପାଲେଷ୍ଟାଇନ୍ ଲିବରେସନ୍ ଅର୍ଗାନାଇଜେସନ୍’ (ପିଏଲ୍ଓ) ନିଷ୍ପ୍ରଭ ହୋଇଗଲା। ଅଧିକୃତ ଗାଜା ଓ ୱେଷ୍ଟ୍ ବ୍ୟାଙ୍କ୍ ଅଞ୍ଚଳରେ ପାଲେଷ୍ଟିନୀୟ ଏବଂ ଇସ୍ରାଏଲ୍ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଲା। ୧୯୮୭ରେ ଇସ୍ରାଏଲ୍ର ଏକ ସେନା ଟ୍ରକ୍ ଗାଜାରେ ୪ଜଣ ପାଲେଷ୍ଟିନୀୟଙ୍କୁ ମାରିଦେବାରୁ ପ୍ରଥମ ପାଲେଷ୍ଟିନୀୟ ଆନ୍ଦୋଳନ ଆରମ୍ଭ ହୋଇ ୧୯୯୩ ପର୍ଯ୍ୟନ୍ତ ଚାଲିଲା। ଏହି ପ୍ରତିବାଦ ସମୟରେ ହମାସ୍ର ଉତ୍ଥାନ ଘଟିଲା। ହମାସ୍ ଜିହାଦ୍ ବିନା ପାଲେଷ୍ଟିନୀୟ ସମସ୍ୟାର ସମାଧାନ ନାହିଁ ବୋଲି ଡାକରା ଦେଲା। କିନ୍ତୁ, ଇସ୍ରାଏଲ୍ ଓ ‘ପିଏଲ୍ଓ’ ମଧ୍ୟରେ ଶାନ୍ତି ରାଜିନାମା ହେବାରୁ ଆନ୍ଦୋଳନ ଥମିଲା। କ୍ୟାମ୍ପ୍ ଡେଭିଡ୍ରେ ଆମେରିକା ପରିଚାଳିତ ଇସ୍ରାଏଲ୍-‘ପିଏଲ୍ଓ’ ଆଲୋଚନା ବିଫଳ ହେବାରୁ ୨୦୦୦ ମସିହାରେ ଆରମ୍ଭ ହେଲା ଦ୍ବିତୀୟ ଆନ୍ଦୋଳନ। ୨୦୦୫ ପର୍ଯ୍ୟନ୍ତ ଭୀଷଣ ପ୍ରତିବାଦ ଚାଲିବାରୁ ଇସ୍ରାଏଲ୍ ଏକତରଫା ଭାବେ ଗାଜାରୁ ଅପସରି ଗଲା। ୨୦୦୬ ପାଲେଷ୍ଟାଇନ୍ ନିର୍ବାଚନରେ ହମାସ୍ ସଂସଦରେ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ଗାଜା ନିୟନ୍ତ୍ରଣ କଲା। ଫଳରେ ଇସ୍ରାଏଲ୍ ଓ ହମାସ୍ ମଧ୍ୟରେ ଶତ୍ରୁତା ବୃଦ୍ଧି ପାଇ ୨୦୦୮, ୨୦୧୨, ୧୦୧୪, ୨୦୧୮, ୨୦୨୧, ୨୦୨୨ ଓ ୨୦୨୩ରେ ଯୁଦ୍ଧର କାରଣ ହୋଇଥିଲା। ୨୦୨୩ ଅକ୍ଟୋବର ୭ ତାରିଖରେ ହମାସ୍ ଇହୁଦୀମାନଙ୍କ ଉପରେ ମାରାତ୍ମକ ସୀମାପାରି ଆକ୍ରମଣ କରିବାରୁ ପ୍ରତିଶୋଧ ପରାୟଣ ଇସ୍ରାଏଲ୍ ହମାସ୍କୁ ନିପାତ କରିବାକୁ ଯୁଦ୍ଧ କରିଥିଲା।
ଇସ୍ରାଏଲ୍ ଓ େହଜ୍ବୋଲ୍ଲା: ୧୯୮୨ରେ ଇସ୍ରାଏଲ୍ ଲେବାନନ୍ ଆକ୍ରମଣ କରିବା ବେଳେ ଅସଂଖ୍ୟ ‘ପିଏଲ୍ଓ’ ସଂଗ୍ରାମୀ ଅନ୍ୟ ଦେଶକୁ ପଳାୟନ କରିଥିଲେ। ଇରାନ୍ ସହାୟତାରେ ବଳଶାଳୀ ହୋଇ ଏକ ଦଶନ୍ଧି ଧରି ସଂଗୁପ୍ତ ଥିବା ସନ୍ତ୍ରାସବାଦୀ ସଙ୍ଗଠନ େହଜ୍ବୋଲ୍ଲା ୧୯୯୨ରେ ଲେବାନନ୍ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି କ୍ଷମତାସୀନ ହେଲା। ୧୮ ବର୍ଷ ଧରି କ୍ଷମତାରେ ରହି େହଜ୍ବୋଲ୍ଲା ଇସ୍ରାଏଲ୍ ସେନା ଉପରେ ଅବିରାମ ଆକ୍ରମଣ କଲା। ପରିଶେଷରେ ୨୦୦୦ ମସିହାରେ ବିନା ଶାନ୍ତି ରାଜିନାମାରେ ଇସ୍ରାଏଲ୍ ଲେବାନନ୍ରୁ ଅପସରି ଯିବାକୁ ବାଧ୍ୟ ହେଲା। କିନ୍ତୁ, ୨୦୦୬ରେ େହଜ୍ବୋଲ୍ଲା ଯେଉଁ ସୀମାପାରି ଆକ୍ରମଣ କଲା ସେଥିଯୋଗୁଁ ତା’ର ଇସ୍ରାଏଲ୍ ସହିତ ୩୪ ଦିନ ଯୁଦ୍ଧ ହେଲା। ସେଥିରେ େହଜ୍ବୋଲ୍ଲାକୁ ଅକଳନୀୟ କ୍ଷୟକ୍ଷତି ସହ୍ୟ କରିବାକୁ ପଡ଼ିଲା। ୨୦୨୪ ସୁଦ୍ଧା େହଜ୍ବୋଲ୍ଲା ଇସ୍ରାଏଲ୍ ମୁହାଁ କରି ପ୍ରାୟ ୧୫୦,୦୦୦ ରକେଟ୍ ଓ ମିସାଇଲ୍ ରଖିଥିଲା। ୨୦୨୩ରେ ହମାସ୍ ଇସ୍ରାଏଲ୍ ଉପରେ ଆକ୍ରମଣ କରିବା ସମୟରେ ପ୍ରଥମ ୩ ମାସ ଧରି େହଜ୍ବୋଲ୍ଲା ଉତ୍ତର ଇସ୍ରାଏଲ୍ ଅଞ୍ଚଳକୁ ୭୦୦ରୁ ଅଧିକ ରକେଟ୍ ମାଡ଼ କରିଥିଲା।
ଇସ୍ରାଏଲ୍ ଓ ଇରାନ୍: ୧୯୭୯ ବିପ୍ଳବରେ ରାଜତନ୍ତ୍ରର ଅବସାନ ଘଟିବା ଆଗରୁ ଇସ୍ରାଏଲ୍ ଓ ଇରାନ୍ ମଧ୍ୟରେ କୂଟନୈତିକ ଓ ଅର୍ଥନୈତିକ ସମ୍ପର୍କ ଥିଲା। ଇରାକ୍ ସହିତ ୮ ବର୍ଷ ଧରି ଯୁଦ୍ଧ କରୁଥିବା ବେଳେ ଇରାନ୍ ଇସ୍ରାଏଲ୍ ସହିତ ଗୁପ୍ତରେ ଅସ୍ତ୍ରଶସ୍ତ୍ର ରାଜିନାମା କରିଥିଲେ ବି ବିପ୍ଳବୀ ନେତା ଆୟୋତୋଲ୍ଲା ରୁହୋଲ୍ଲା ଖୋମିନି ଇସ୍ରାଏଲ୍କୁ ଇସ୍ଲାମ୍ର ଶତ୍ରୁ ଓ କ୍ଷୁଦ୍ର ସଇତାନ କହି ନିନ୍ଦା କେଲ। ଧୀରେ ଧୀରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବଢ଼ିଲା। ମାନଚିତ୍ରରୁ ଇସ୍ରାଏଲ୍କୁ ଉଡ଼ାଇ ଦେବା ଉଚିତ ବୋଲି ୨୦୦୫ରେ ଇରାନ୍ ରାଷ୍ଟ୍ରପତି ମହମ୍ମଦ୍ ଅହମଦିନିଜାଦ୍ କହିବାରୁ ଇସ୍ରାଏଲ୍ର ଉପରାଷ୍ଟ୍ରପତି ସିମନ୍ ୨୦୦୬ରେ ଅନୁରୂପ ଧମକ ଦେଲେ। ଏମିତି କିଛି ବର୍ଷ ଅନ୍ତରରେ ପରସ୍ପରର କୁତ୍ସା ରଟନା କରିବାରୁ ପରିସ୍ଥିତି ଉତ୍ତେଜନା ପ୍ରବଣ ରହିଲା। ଉତ୍ତେଜନା ଚରମ ସୀମାରେ ପହଞ୍ଚିଲା ଯେତେବେଳେ ଇରାନ୍ ଆଣବିକ କାର୍ଯ୍ୟକ୍ରମ ଆରମ୍ଭ କଲା। ଇସ୍ରାଏଲୀୟ ନେତାମାନେ ତାହା ବନ୍ଦ କରାଇବାକୁ ଅଥବା ନଷ୍ଟ କରିବାକୁ ପଣ କଲେ। ୨୦୧୦ରୁ ୨୦୧୨ ମଧ୍ୟରେ ୪ଜଣ ଆଣବିକ ପଦାର୍ଥ ବିଜ୍ଞାନୀଙ୍କର ମୃତ୍ୟୁହେଲା। ୨୦୨୦ରେ ଇରାନ୍ ଆଣବିକ କାର୍ଯ୍ୟକ୍ରମର ଜନକଙ୍କୁ ହତ୍ୟା କରାଗଲା। ଇରାନ୍ ଦାବି କଲା କି, ଏ ସବୁର ମୂଳ ହେଉଛନ୍ତି ଇସ୍ରାଏଲ୍। ୨୦୨୩ରେ ଜାତିସଂଘରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଲେ, ଯେ ପର୍ଯ୍ୟନ୍ତ ମୁଁ ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ଥିବି ଇରାନ୍ର ଆଣବିକ ଅସ୍ତ୍ରପ୍ରାପ୍ତିରେ ବାଧା ଦେବାକୁ ପାରୁପର୍ଯ୍ୟନ୍ତ ଉଦ୍ୟମ କରିବି।
ବର୍ତ୍ତମାନ ଉପରୋକ୍ତ ଦୁଇଟି ଯୁଦ୍ଧ ବିଶ୍ବ ସମୁଦାୟକୁ ଚିନ୍ତିତ କରିଛି। ଏହାପୂର୍ବରୁ ଆମେରିକା ଆଫଗାନିସ୍ତାନ ଓ ଇରାକ ବିରୋଧରେ ଆତଙ୍କବାଦ ବିରୋଧୀ ଯୁଦ୍ଧ ଲଢ଼ିଛି। ତା’ ପୂର୍ବରୁ ପ୍ରଥମ ବିଶ୍ବଯୁଦ୍ଧ, ଦ୍ବିତୀୟ ବିଶ୍ବଯୁଦ୍ଧ, କୋରୀୟ ଯୁଦ୍ଧ, ଉପସାଗରୀୟ ଯୁଦ୍ଧ ପରି ବିଂଶ ଶତାବ୍ଦୀରେ ଅନେକ ଭୟଙ୍କର ଯୁଦ୍ଧ ସଂଘଟିତ ହୋଇଛି। ମାନବ ଇତିହାସରେ ସବୁଠୁ ଭୟାବହ ଯୁଦ୍ଧ ଭାବେ ବିବେଚିତ ଦ୍ବିତୀୟ ବିଶ୍ବଯୁଦ୍ଧରେ ବିଶ୍ବର ପ୍ରାୟ ସବୁ ଦେଶର ସେନା ସମ୍ପୃକ୍ତ ଥିଲେ। ଏ ଯୁଦ୍ଧରେ ବ୍ୟାପକ ନରସଂହାର ଓ ପରମାଣୁ ଅସ୍ତ୍ର ପ୍ରୟୋଗ ଥିଲା ଗୁରୁତ୍ବପୂର୍ଣ୍ଣ ଘଟଣା। କେନ୍ଦ୍ରଶକ୍ତି ଓ ମିତ୍ରଶକ୍ତିର ଲଢ଼େଇରେ ଶେଷରେ ମିତ୍ରଶକ୍ତିର ବିଜୟ ହୋଇଥିଲା ଓ ୭୦ରୁ ୮୫ ନିୟୁତ ସାମରିକ ଓ ଅଣସାମରିକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଆତଙ୍କବାଦ ଦମନ ହେଉ ବା ନିଜର ପ୍ରତିପତ୍ତି ଜାହିର କରିବା ପାଇଁ ହେଉ ‘ଯୁଦ୍ଧଂଦେହି’ର ଡାକରା ଅନେକ ସମୟରେ ଶୁଣିବାକୁ ମିଳୁଛି। ବର୍ତ୍ତମାନର ପରିସ୍ଥିତି ତୃତୀୟ ବିଶ୍ବଯୁଦ୍ଧ ଆଡ଼କୁ ମୁହାଁଉଛି ବୋଲି ସାମରିକ ବିଶେଷଜ୍ଞ ମତ ଦେଇଛନ୍ତି।