ପ୍ରଜ୍ଞାପୁରୁଷ ଜାନକୀବଲ୍ଲଭ

ପ୍ରଫେସର ଗୋପାଳକୃଷ୍ଣ ଦାଶ

ପଦରୁ ବିମାନ, ପ୍ରଥମ ତଳରୁ ତିନି ତଳ, ବିଧାନସଭାରୁ ସ˚ସଦ, ମନ୍ତ୍ରଣାଳୟରୁ ମୁଖ୍ୟମନ୍ତ୍ରୀ ଭବନ, ସାଧାରଣ ଗୃହରୁ ରାଜଭବନ ଓ ଭୂମିରୁ ଭୂମା ପର୍ଯ୍ୟନ୍ତ ଗତି କରିଥିବା ପ୍ରଜ୍ଞାପୁରୁଷ ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ ଶ୍ରଦ୍ଧା ସୁମନ ସମର୍ପଣ କଲାବେଳେ ଅନେକ ସ୍ମୃତି ତରଙ୍ଗାୟିତ ହୁଏ। ଗୋକୁଳାନନ୍ଦ ପଟ୍ଟନାୟକଙ୍କର କୁଳନନ୍ଦନ ଜାନକୀବଲ୍ଲଭ ଖୋର୍ଦ୍ଧା, ରେଭେନ୍‌ସା କଲେଜ ଓ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରେ ଅଧୢୟନର ପରିକ୍ରମା କରିଛନ୍ତି। ସ˚ସ୍କୃତ, ଓଡ଼ିଆ, ଇ˚ରେଜୀ ଓ ଅନ୍ୟ ଭାଷାର ମୌଳିକ ଗ୍ରନ୍ଥ ଅଧୢୟନ କରି ସେ ବ୍ୟୁତ୍ପତ୍ତି ଲାଭ କରିଥିଲେ। ରାଜନୀତି ବିଜ୍ଞାନର ଅଧୢୟନ ତାଙ୍କୁ ରାଷ୍ଟ୍ରନୀତିଜ୍ଞ ହେବାର ଭିତ୍ତିଭୂମି ଯୋଗାଇଥିଲା। ସାମ୍ବାଦିକତା ବୃତ୍ତିରେ ତାଙ୍କର ଜୀବିକା ଓ ଜୀବନର ପଥ ଆରମ୍ଭ ହୋଇଥିଲା। ବିଭିନ୍ନ ପଦପଦବି ମଣ୍ତନ କରିଥିଲେ ମଧୢ ତାଙ୍କର ସରଳ ପରିପାଟୀ, ଅମାୟିକ, ମିତ ଓ ମିଷ୍ଟ ବ୍ୟବହାରରେ କୌଣସି ପରିବର୍ତ୍ତନ ହୋଇନଥିଲା। ତାଙ୍କ ସହ ମିଶିବାରେ ଜନସାଧାରଣଙ୍କର କୌଣସି ପ୍ରତିବନ୍ଧ ନ ଥିଲା।

କେନ୍ଦ୍ରରେ ମନ୍ତ୍ରୀ, ପନ୍ଦରବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଆସାମର ରାଜ୍ୟପାଳ ଭାବେ ବହୁ ନିର୍ଣ୍ଣାୟକ ଭୂମିକାର ସେ ସାର୍ଥକ ପଟ୍ଟନାୟକ ଥିଲେ। ଯାହାକୁ ସ୍ନେହ ଓ ଶ୍ରଦ୍ଧା କରୁଥିଲେ ତା’ ପ୍ରତି ସେ ଉଦାର ଥିଲେ। ଜୀବନର ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ସେ ଏଥିରୁ ବିଚ୍ୟୁତ ହୋଇନଥିଲେ। ରାଜନୀତିର କଷଟି ପଥରରେ ବହୁ ସ˚ଘର୍ଷର ସମ୍ମୁଖୀନ ହୋଇ ସେ ନିଜକୁ ପ୍ରତିଷ୍ଠା କରିଥିଲେ। ‘ମଦାୟତ୍ତ˚ ତୁ ପୌରୁଷମ୍‌’ ଏହି ପ୍ରତିଜ୍ଞାରୁ ‘ପୌରୁଷ’ ପତ୍ରିକା ସୃଷ୍ଟି ହୋଇ ତାଙ୍କର କୃତିତ୍ବର ନିଦର୍ଶନ ହୋଇଛି। ସେ ଏକାଧାରରେ ମେଧାବୀ, ଯଶସ୍ବୀ, ଗ୍ରନ୍ଥକାର, ସ୍ତମ୍ଭକାର, ସମ୍ପାଦକ, ଲେଖକ ଓ ରାଷ୍ଟ୍ରନୀତିଜ୍ଞ ଥିଲେ।

ଜାନକୀବଲ୍ଲଭଙ୍କ ରଚିତ ଓ ଅନୂଦିତ ଗ୍ରନ୍ଥ ଦୃଷ୍ଟାନ୍ତ ରୂପେ ପ୍ରତିଭାତ। ରାମାୟଣ, ମହାଭାରତ, ଭାଗବତ, ଭର୍ତ୍ତୃହରିଙ୍କ ଶତକତ୍ରୟ ଓ ଅନ୍ୟ ବହୁ ପୁସ୍ତକ ତାଙ୍କ ଲେଖାର ପାରଦର୍ଶିତା ପ୍ରମାଣିତ କରିଛି। ସ˚ସ୍କୃତ ପ୍ରତି ତାଙ୍କର ଆକର୍ଷଣ ଅତି ସ୍ବାଭାବିକ। ସ˚ସ୍କୃତ ସଭାରେ ତାଙ୍କର ସରଳ ସ˚ସ୍କୃତ ଭାଷଣ ବିଦଗ୍‌ଧ ଶ୍ରୋତୃମଣ୍ତଳୀକୁ ରସାୟନ ପ୍ରଦାନ କରୁଥିଲା। ପୁରୀରେ ଶ୍ରୀଜଗନ୍ନାଥ ସ˚ସ୍କୃତ ବିଶ୍ବବିଦ୍ୟାଳୟ ସ୍ଥାପନା କରି ଏହାକୁ ବିଶ୍ବସ୍ତରର ପ୍ରତିଷ୍ଠାନ କରିବା ପାଇଁ ସେ ଆଶା ପୋଷଣ କରିଥିଲେ। ଅନ୍ୟ ସ˚ସ୍କୃତ ମହାବିଦ୍ୟାଳୟ ଠାରୁ ଭିନ୍ନ ହେବା ସହ ଏହା ଦକ୍ଷିଣପୂର୍ବ ଏସିଆର ଏକ ସ୍ବନାମଧନ୍ୟ ଗବେଷଣା ପ୍ରତିଷ୍ଠାନ ହେବାର ସେ ସ୍ବପ୍ନ ଦେଖିଥିଲେ।

୧୯୮୩ରେ ପୁରୀରେ ନିଖିଳ ଉତ୍କଳ ବୈଦିକ ସମ୍ମେଳନ ଉଦ୍‌ଘାଟନ କରି ତା’ର ସମ୍ପାଦକ ଏହି ଲେଖକକୁ ପରିଚୟ ପାଇବାର ସୁଯୋଗ ଦେଇଥିଲେ। ୧୯୮୫ରେ ପୁରୀରେ ଅଖିଳ ଭାରତୀୟ ବୈଦିକ ସମ୍ମେଳନର ପୃଷ୍ଠପୋଷକତା କରିଥିଲେ। ଅନେକ ବିଲୋପ ହେବାକୁ ଥିବା ବୈଦିକଶାଖାର ପାଠାଧୢାୟୀମାନଙ୍କୁ ସମ୍ମାନିତ କରି ପାରମ୍ପରିକ ବେଦଶିକ୍ଷା ପାଇଁ ସେ ପ୍ରେରଣା ଯୋଗାଇଥିଲେ। ୧୯୮୪ରେ ଶୈଳବାଳା ମହିଳା ମହାବିଦ୍ୟାଳୟରେ ନିଖିଳ ଉତ୍କଳ ସ˚ସ୍କୃତ ଅଧୢାପକ ସ˚ଘର ସମ୍ମେଳନକୁ ଉଦ୍‌ଘାଟିତ କରି ସ˚ସ୍କୃତ ଅଧୢାପକଙ୍କୁ ପ୍ରୋତ୍ସାହିତ କରିଥିଲେ। ୧୯୮୬ରେ ଉତ୍କଳ ବିଶ୍ବବିଦ୍ୟାଳୟ ସ˚ସ୍କୃତ ବିଭାଗ ପକ୍ଷରୁ ଅୟୋଜିତ ଆନ୍ତର୍ଜାତିକ କାବ୍ୟତତ୍ତ୍ବ ସମ୍ମେଳନର ସେ ପୃଷ୍ଠପୋଷକ ଓ ଉଦ୍‌ଘାଟକ ହୋଇଥିଲେ। ଅଖିଳ ଭାରତୀୟ ପ୍ରାଚ୍ୟ ବିଦ୍ୟା ସମ୍ମେଳନର ପଞ୍ଚଚତ୍ବାରି˚ଶ ଅଧିବେଶନ (୨୦୧୦, ତିରୁପତି)ର ସେ ମୁଖ୍ୟ ଅତିଥି ହୋଇ ତିନିଦିନ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ଉକ୍ତ ପ୍ରାଚ୍ୟବିଦ୍ୟା ସମ୍ମେଳନରେ ଷଟ୍‌ଚତ୍ବାରି˚ଶ ଅଧିବେଶନ (୨୦୧୨, ଶ୍ରୀନଗର)ର ସାଧାରଣ ସଭାପତି ଭାବେ ସେ ସଭାକୁ ଗୌରବାନ୍ବିତ କରିଥିଲେ। ଓଡ଼ିଶା ସ˚ସ୍କୃତ ଅକାଦମିର ଅଧିବେଶନମାନଙ୍କରେ ଯୋଗ ଦେଇ ତାଙ୍କର ବ୍ୟୁତ୍ପତ୍ତି ପ୍ରଦର୍ଶନ କରିଛନ୍ତି। ଆସାମର ରାଜ୍ୟପାଳ ତଥା ତିରୁପତି କେନ୍ଦ୍ରୀୟ ସ˚ସ୍କୃତ ବିଶ୍ବବିଦ୍ୟାଳୟର କୁଳାଧିପତି ଭାବେ ତାଙ୍କର ଜୀବନର ଉତ୍ତରଣ ସୋପାନର ପାଣ୍ତିତ୍ୟ ଓ ବିଚକ୍ଷଣତାର ପରିଚୟ ଦେଇଥିଲେ। ତିରୁପତି ବିଶ୍ବବିଦ୍ୟାଳୟର କୁଳାଧିପତି ଭାବେ ଭେଙ୍କଟେଶ୍ବରଙ୍କ କ୍ଷେତ୍ରରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।

ଜାନକୀବଲ୍ଲଭ ବ୍ୟକ୍ତି ବିଶେଷରୁ ଏକ ସ୍ମରଣୀୟ ଯାତ୍ରାପଥର ମାଇଲଖୁଣ୍ଟ ହୋଇଥିଲେ। ଜୀବନ ଓ ଜୀବିକା ପଥର ଊର୍ଦ୍ଧ୍ବକୁ ଯାଇ ବିଭିନ୍ନ କ୍ଷେତ୍ରରେ ଗତି ତଥା ଆରୋହଣ କରୁଥିବା ବ୍ୟକ୍ତିମାନଙ୍କର ସେ ଧେୢୟ ହୋଇଛନ୍ତି। ରାଜନୀତି ତାଙ୍କୁ ପରିଚୟ, ପ୍ରଭାବ ଓ ପ୍ରତିଷ୍ଠା ଆଣି ଦେଇଛି। ତାଙ୍କର କୃତି ଓ କୀର୍ତ୍ତି ଅମ୍ଳାନ ରହିବା ସହ ତାଙ୍କୁ ଅମର କରି ରଖିପାରିଛି।
ପୂର୍ବତନ ସ˚ସ୍କୃତ ବିଭାଗାଧୢକ୍ଷ
ଉତ୍କଳ ବିଶ୍ବବିଦ୍ୟାଳୟ, ଭୁବନେଶ୍ବର

ସମ୍ବନ୍ଧିତ ଖବର