ମଘ ଦେଶରେ ଥିଲା ଅଜାମିଳ ନାମରେ ଏକ ଦ୍ୱିଜ। ତାର ସ୍ତ୍ରୀର ନାମ ତୁଳସୀ ଓ ପୁତ୍ରର ନାମ ନାରାୟଣ। ସେ ଅତ୍ୟନ୍ତ କୃପଣ। ସେ ବାରବ୍ରତ କରେ ନାହିଁ କି କେବେ ସତ୍ୟ କହେ ନାହିଁ। ଲୋକଙ୍କୁ କପଟ କରି ଠକେ। ସବୁବେଳେ ଅଧର୍ମରେ ବୁଡ଼ି ରହିଥାଏ।

Advertisment

ପୁରାଣବର୍ଣ୍ଣିତ ଚାରି ପୁଣ୍ୟମାସ ମଧ୍ୟରୁ ମାଘମାସ ଅନ୍ୟତମ। ଅନ୍ୟ ତିନି ମାସ ହେଉଛି- ଆଷାଢ଼, କାର୍ତ୍ତିକ ଓ ବୈଶାଖ। ଏହାକୁ ନେଇ ‘ଆ-କା-ମା-ବୈ’ ଉକ୍ତି ପ୍ରଚଳିତ ଅଛି।
ଦୀନ କୃଷ୍ଣଦାସ ବିରଚିତ ‘ମାଘ ମାହାତ୍ମ୍ୟ’ରେ ମାଘ ମାସର ମାହାତ୍ମ୍ୟ ବର୍ଣ୍ଣିତ ହୋଇଛି। ଉଦ୍ଧବଙ୍କ ପ୍ରଶ୍ନରେ ଶ୍ରୀକୃଷ୍ଣ ୩୦ଟି ଅଧ୍ୟାୟରେ, ବିଭିନ୍ନ ଗଳ୍ପ ଛଳରେ ଏହି ମାସର ମାହାତ୍ମ୍ୟ କହିଛନ୍ତି। ମାଘ କୃଷ୍ଣ ପ୍ରତିପଦଠାରୁ ମାଘ ପୂର୍ଣ୍ଣମୀ ପର୍ଯ୍ୟନ୍ତ, ପ୍ରତିଦିନ ଗୋଟିଏ ଲେଖାଏଁ ଅଧ୍ୟାୟ ପାଠ କରିବା ହେଉଛି ଏହାର ପାରାୟଣ ବିଧି। ‘ମାଘ ମାହାତ୍ମ୍ୟ’ର ଏକାଦଶ ଅଧ୍ୟାୟରେ ବର୍ଣ୍ଣିତ ହୋଇଛି ‘ଅଜାମିଳ-ନାରାୟଣ’ ଉପାଖ୍ୟାନ।
ମଘ ଦେଶରେ ଥିଲା ଅଜାମିଳ ନାମରେ ଏକ ଦ୍ୱିଜ। ତାର ସ୍ତ୍ରୀର ନାମ ତୁଳସୀ ଓ ପୁତ୍ରର ନାମ ନାରାୟଣ। ସେ ଅତ୍ୟନ୍ତ କୃପଣ। ସେ ବାରବ୍ରତ କରେ ନାହିଁ କି କେବେ ସତ୍ୟ କହେ ନାହିଁ। ଲୋକଙ୍କୁ କପଟ କରି ଠକେ। ସବୁବେଳେ ଅଧର୍ମରେ ବୁଡ଼ି ରହିଥାଏ।
ଦିନେ ଅଜାମିଳର ସ୍ତ୍ରୀ ତୁଳସୀର ସାନଭାଇ ତାଙ୍କ ଘରକୁ ଆସିଲା। ତାର ନାମ ବିଷ୍ଣୁକର। ସେ ବେଦବିଦ୍ୟାରେ ନିପୁଣ, ଧାର୍ମିକ ବ୍ରାହ୍ମଣ। ତୁଳସୀ ସାନଭାଇକୁ ଦେଖି ବହୁତ ଆଦର କଲା। ଅଜାମିଳ ଓ ତୁଳସୀ ଦେଖିଲେ, ସଂଧ୍ୟାରେ ବିଷ୍ଣୁକର ବୈଶ୍ୱାନର (ଅଗ୍ନି)ଙ୍କୁ ପୂଜା କଲା। ସକାଳେ ଉଠି ସୂର୍ଯ୍ୟଙ୍କୁ ପ୍ରଣାମ ଓ ପୂଜା କରି ବେଦପାଠ ଓ ନାମ ଜପ କଲା। ଏହିପରି କିଛିଦିନ ବିତିବା ପରେ, ଦିନେ ରାତିରେ ଭଉଣୀ, ଭିଣୋଇଙ୍କୁ ବସାଇ ବିଷ୍ଣୁକର କହିଲା- କାଲି ମକର ସଂକ୍ରାନ୍ତି। ଏହି ସଂକ୍ରାନ୍ତିରେ ମାଘସ୍ନାନ କଲେ ସବୁ ପାପ ନାଶ ହୁଏ ଏବଂ କୋଟି ପୁଣ୍ୟ ମିଳେ। କାଲି ପ୍ରତ୍ୟୁଷରେ ଆମେ ପ୍ରାତଃସ୍ନାନ କରିବା।
ମାତ୍ର ପରଦିନ ସକାଳେ ବିଷ୍ଣୁକର ଡାକିବାରେ ତାର ଭିଣୋଇ ଅଜାମିଳ ପ୍ରାତଃସ୍ନାନକୁ ନଯିବା ପାଇଁ ନାନା ବାହାନା କଲା। ଶେଷରେ ବିଷ୍ଣୁକର ବାଧ୍ୟ କରି ତାକୁ ନେଇ ସ୍ନାନ କରାଇଲା। ଏଣିକି ଅଧର୍ମ ଆଚରଣ ନ କରି ଧର୍ମପଥରେ ଯିବାପାଇଁ ତାକୁ ପ୍ରବର୍ତ୍ତାଇଲା। ସେହି ବାଧ୍ୟବାଧକତାରେ, ଅବଶିଷ୍ଟ ଦିନଗୁଡ଼ିକ ଅଜାମିଳ ସେହି ଅନୁସାରେ ବିତାଇଲା।
କିଛିଦିନ ପରେ ଅଜାମିଳର ମୃତ୍ୟୁ ହେଲା। ମାତ୍ର ମୃତ୍ୟୁ ବେଳକୁ ସେ ପୁତ୍ର ନାରାୟଣକୁ ଡାକି ପାଖରେ ବସିବାକୁ କହିଥିଲା। ତେଣୁ ତାକୁ ନେବାକୁ ଆସି ପହଞ୍ଚିଥିବା ଯମଦୂତମାନେ ନାରାୟଣ ଡାକ ଶୁଣି ସେଠାରୁ ପଳାଇଗଲେ। ବିଷ୍ଣୁଗଣ ଆସି ତାକୁ ବୈକୁଣ୍ଠକୁ ଘେନିଗଲେ। ସେ ବିଷ୍ଣୁଙ୍କ ଦର୍ଶନ ପାଇ ନିସ୍ତାର ଲାଭ କଲା। ସେଠାରେ ବିଷ୍ଣୁଙ୍କ ପଦସେବାରେ ନିଜକୁ ନିୟୋଜିତ କଲା।
ଏହି ଉପାଖ୍ୟାନ କହି, ପରିଶେଷରେ ଶ୍ରୀକୃଷ୍ଣ ଉଦ୍ଧବଙ୍କୁ କହିଛନ୍ତି- ଯେ ମାଘସ୍ନାନ କରେ, ସେ ବିଷୟ ବାସନାରୁ ମୁକ୍ତି ପାଏ। ସେ କେବେ ଯମଦଣ୍ଡ ଭୋଗ କରେ ନାହିଁ।