ଯଦି କେବେ ଯୁଦ୍ଧ କିଂବା ଜଳବାୟୁ ପରିବର୍ତ୍ତନ ଭଳି ମହାସଂକଟର ସମ୍ମୁଖୀନ ହୋଇ ମାନବ ପ୍ରଜାତି ଲୋପ ପାଇଯାଏ, ତେବେ ପୃଥିବୀରେ ଅକ୍ଟୋପସ୍‌ମାନେ ରାଜୁତି କରିବେ ବୋଲି କେତେକ ଅଗ୍ରଣୀ ବୈଜ୍ଞାନିକ କହୁଛନ୍ତି। ସେମାନଙ୍କର ଧୀଶକ୍ତି, ଦକ୍ଷତା ଓ ନୂତନ ପରିବେଶରେ ଖାପ ଖାଇ ଚଳିବା ଭଳି ଗୁଣ ହିଁ ସେମାନଙ୍କୁ ଉନ୍ନତ ସଭ୍ୟତା ବିକାଶକାରୀ ପ୍ରାଣୀରେ ପରିଣତ କରିଥାଏ। ଅକ୍ସ୍‌ଫୋର୍ଡ ବିଶ୍ବବିଦ୍ୟାଳୟର ଜୀବବିଜ୍ଞାନୀ ପ୍ରଫେସର୍‌ ଟିମ୍‌ କୋଲ୍‌ଜନ୍‌ଙ୍କ ମତରେ, ଉପଯୁକ୍ତ ପାରିବେଶିକ ପରିସ୍ଥିତି ଅାସିଲେ ମାନବ ଭଳି ଅକ୍ଟୋପସ୍‌ମାନେ ବି ଯନ୍ତ୍ରପାତି ଓ ପ୍ରଯୁକ୍ତିର ବିକାଶ କରି ଜଳତଳ ନଗରୀ ନିର୍ମାଣ କରିପାରିବେ।
‘ଡେଲି ମେଲ୍‌’ ସମ୍ବାଦପତ୍ରରେ ପ୍ରକାଶିତ ରିପୋର୍ଟ ଅନୁସାରେ, କେତେକ ବିଶେଷ ଗୁଣ ଯୋଗୁଁ ଅକ୍ଟୋପସ୍‌ମାନେ ଅନ୍ୟ ଜୀବଙ୍କଠାରୁ ନିଆରା।

Advertisment

ମାନବ ଅନୁପସ୍ଥିତିରେ ଉନ୍ନତ ସଭ୍ୟତା ବିକଶିତ କରିବା ନିମନ୍ତେ ଅକ୍ଟୋପସ୍‌ମାନଙ୍କର ଯଥେଷ୍ଟ ଦକ୍ଷତା ଅଛି। ସମସ୍ୟା ସମାଧାନ ସାମର୍ଥ୍ୟ, ବିକେନ୍ଦ୍ରିତ ସ୍ନାୟୁଚକ୍ର ଓ କୌଣସି ଜିନିଷକୁ ଆଂଶିକ ପରିବର୍ତ୍ତନ କରିବାର ଦକ୍ଷତା ଯୋଗୁଁ ସେମାନେ ଅପ୍ରୀତିକର ପରିବେଶରେ ତିଷ୍ଠି ରହିପାରିବେ।

ସମସ୍ୟା ସମାଧାନ ସାମର୍ଥ୍ୟ, ବିକେନ୍ଦ୍ରିତ ସ୍ନାୟୁଚକ୍ର ଓ କୌଣସି ଜିନିଷକୁ ଆଂଶିକ ପରିବର୍ତ୍ତନ କରିପାରୁଥିବାର ଦକ୍ଷତା ସୂଚାଉଛି ଯେ, ସେମାନେ ଅପ୍ରୀତିକର ପରିବେଶରେ ତିଷ୍ଠି ରହିପାରିବେ। କଙ୍କାଳ ନ ଥିବାରୁ ସେମ‌ାନେ ଭୂଇଁରେ ଯାଇ ବସବାସ କରିପାରିବେ ନାହିଁ ସତ, କିନ୍ତୁ କିଛି ସମୟ ପାଣିରୁ ବାହାରି ଚଳପ୍ରଚଳ କରିପାରିବେ। ଏଥିପାଇଁ ସେମାନେ ଅବଶ୍ୟ ଉନ୍ନତଧରଣର ଶ୍ବାସକ୍ରିୟା ସମ୍ପାଦନ ଉପକରଣ ବିକଶିତ କରିବାର ଉପାୟ ବାହାର କରିବେ। କାରଣ, ସମୁଦ୍ର ଭିତରେ ଏବେ ମଧ୍ୟ ସେମାନେ ବିଭିନ୍ନ ଉପକରଣ ବ୍ୟବହାର କରିପାରୁଛନ୍ତି। ଏହାଛଡ଼ା, ପ୍ରତିକୂଳ ଓ ଜଟିଳ ପରିସ୍ଥିତିରେ ବି ସେମାନେ ଗଭୀର ସମୁଦ୍ରଠାରୁ ଆରମ୍ଭ କରି ଉପକୂଳବର୍ତ୍ତୀ ଜଳରାଶିରେ ତିଷ୍ଠି ରହିପାରୁଛନ୍ତି।

ମାନବ ପ୍ରଜାତି ବିଲୁପ୍ତ ହୋଇଗଲେ ବାନର ତାଙ୍କ ସ୍ଥାନ ଦଖଲ କରିବ ବୋଲି ପୂର୍ବରୁ ବୈଜ୍ଞାନିକମାନେ ଯାହା ଆକଳନ କରିଥିଲେ ତାହା ସମ୍ଭବ ନୁହେଁ ବୋଲି ଗବେଷକମାନେ ଯୁକ୍ତି ବାଢୁଛନ୍ତି। ସେମାନେ କହୁଛନ୍ତି କି, ସେଭଳି ପରିସ୍ଥିତିରେ ମାନବ ପରି ବାନର ମଧ୍ୟ ବିଲୁପ୍ତ ହୋଇଯିବାର ଆଶଙ୍କା ଅଛି। ବଞ୍ଚି ରହିଲେ ବି ବାନରମାନଙ୍କର ପ୍ରଜନନ ହାର ହ୍ରାସ ପାଇବ, ଅନ୍ୟ ଜନ୍ତୁମାନେ ସେମାନଙ୍କୁ ଶିକାର କରିବେ ଏବଂ ସର୍ବୋପରି ପରିବର୍ତ୍ତିତ ପରିବେଶରେ ସେମାନଙ୍କର ତିଷ୍ଠି ରହିବା ଆଶା ମଧ୍ୟ କ୍ଷୀଣ। ତିଷ୍ଠି ରହିବା କ୍ଷମତା ଥିବା କିଛି ପକ୍ଷୀ ଓ କୀଟପତଙ୍ଗ ଅଛନ୍ତି। କିନ୍ତୁ, ଉପକରଣ ନିର୍ମାଣ ଅଥବା ହାତ ସାହାଯ୍ୟରେ ମଣିଷ ଯେଉଁଭଳି ତା’ର ପାରିପାର୍ଶ୍ବିକ ଅବସ୍ଥା ପୁନର୍ବିନ୍ୟାସ କରେ, ସେଭଳି ଦକ୍ଷତା ସେମାନଙ୍କର ନାହିଁ।

ପ୍ରଫେସର୍‌ କୋଲ୍‌ଜନ୍‌ କହିଛନ୍ତି, ପ୍ରାଧାନ୍ୟ ବିସ୍ତାରକାରୀ ପ୍ରଜାତି ଭାବେ ଅକ୍ଟୋପସ୍‌ର ଉତ୍‌ଥାନ ହୋଇପାରେ ବୋଲି ଯାହା କୁହାଯାଇଛି, ତାହା କଳ୍ପନା ମାତ୍ର। ଅଗଣିତ ଛୋଟବଡ଼ ପରିବର୍ତ୍ତନ, ଆକସ୍ମିକ ଗୁଣସୂତ୍ର ରୂପାନ୍ତରଣ ଓ ବିଲୁପ୍ତୀକରଣ କାରଣରୁ ବିବର୍ତ୍ତନ ସବୁବେଳେ ଅନିଶ୍ଚିତ। କିନ୍ତୁ, ମାନବ ପ୍ରଭାବ ଅନୁପସ୍ଥିତିରେ ଉନ୍ନତ ସଭ୍ୟତା ବିକଶିତ କରିବା ନିମନ୍ତେ ଅକ୍ଟୋପସ୍‌ମାନଙ୍କର ଯଥେଷ୍ଟ ଦକ୍ଷତା ଅଛି।