୬ଷ୍ଠ ପିଢ଼ି ବା ୬ଜି ୱେୟାର୍‌ଲେସ୍‌ ପ୍ରଯୁକ୍ତିବିଦ୍ୟା‌ରେ ଗୋଟିଏ ପାଦ ଆଗକୁ ଯାଇ ଚୀନର ବୈଜ୍ଞାନିକମାନେ ବିଶ୍ବର ପ୍ରଥମ ‘ଅଲ୍‌-ଫ୍ରିକ୍ୱେନ୍‌ସି’ ୬ଜି ଚିପ୍‌ ବିକଶିତ କରିଛନ୍ତି। ଏହି ମୋବାଇଲ୍‌ ଚିପ୍‌ ସେକେଣ୍ଡକୁ ୧୦୦ ଗିଗାବିଟ୍‌ (ଜିବିପିଏସ୍‌)ରୁ ଅଧିକ ଇଣ୍ଟରନେଟ୍‌ ସ୍ପିଡ୍‌ ପ୍ରଦାନ କରିପାରିବ। ପେକିଂ ବିଶ୍ୱବିଦ୍ୟାଳୟ ଓ ହଂକଂ ସିଟି ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନଙ୍କ ଏକ ଟିମ୍‌ ଦ୍ବାରା ଏହି ଚିପ୍‌ ବିକଶିତ ହୋଇଛି। 
୬ଜି ହେଉଛି ୫ଜି ପ୍ରଯୁକ୍ତିବିଦ୍ୟାର ପରବର୍ତ୍ତୀ ପିଢ଼ି ଏବଂ ଏହା ଯୋଗାଯୋଗ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିବ। ଏହା ଅଲ୍‌ଟ୍ରା-ହାଇସ୍ପିଡ୍‌ କନେକ୍ଟିଭିଟି, ଅଲ୍‌ଟ୍ରା-ଲୋ ଲାଟେନ୍‌ସି ଓ ଏଆଇ ଇଣ୍ଟିଗ୍ରେସନ୍‌ ଭଳି ସୁବିଧା ଯୋଗାଇବ।

Advertisment

ଏହି ଚିପ୍‌ର ଆକାର ୧୧x୧.୭ ମିଲିମିଟର। ଏହା ୦.୫ ଗିଗାହର୍ଜରୁ ୧୫ ଗିଗାହର୍ଜ ଫ୍ରିକ୍ୱେନ୍‌ସି ପରିସର ମଧ୍ୟରେ କାର୍ଯ୍ୟ କରେ। ଯଦିଓ ସିଙ୍ଗଲ୍‌ ଅଲ୍‌-ଫ୍ରିକ୍ୱେନ୍‌ସି ଚିପ୍‌ର ବିକାଶ ଏକ ବିରାଟ ସଫଳତା, ତେବେ ଏହା ବର୍ତ୍ତମାନ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି। ୨୦୩୦ ସୁଦ୍ଧା କମର୍ସିଆଲ୍‌ ୬ଜି ନେଟ୍‌ୱର୍କ ସେବା ଆରମ୍ଭ ହେବ ବୋଲି ଅନେକ ବିଶେଷଜ୍ଞ ଆଶା ରଖିଛନ୍ତି। ତା’ ପୂର୍ବରୁ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ଓ ଡିଭାଇସ୍‌ ବିକଶିତ କରିବା ପାଇଁ ଅନେକ କାମ କରିବାକୁ ପଡ଼ିବ। ତଥାପି, ୬ଜି  ଯେବେ ଆସିବ, ତାହା ସେବା ଓ ଉଦ୍ଭାବନର ଏକ ନୂତନ ବିପ୍ଳବ ଆଣି ଆମ ଜୀବନର ପାଖାପାଖି ସବୁ ଦିଗକୁ ସ୍ପର୍ଶ କରିବା ସୁନିଶ୍ଚିତ।