ଦଳେ ଚୀନୀ ସଫ୍‌ଟୱେର ଇଞ୍ଜିନିଅର ବିଶ୍ବର ପ୍ରଥମ ସଂପୂର୍ଣ୍ଣ ସ୍ବୟଂଚାଳିତ ଏଆଇ (କୃତ୍ରିମ ବୁଦ୍ଧିମତ୍ତା) ଏଜେଣ୍ଟ୍‌ ବିକଶିତ କରିଛନ୍ତି। ‘ମାନୁଷ’ ନାମକ ଏହି ଏଜେଣ୍ଟ କୌଣସି ମାନବୀୟ ପରାମର୍ଶ ବିନା ସ୍ବାଧୀନ ଭାବରେ ବିଭିନ୍ନ ପ୍ରକାର ଜଟିଳ କାର୍ଯ୍ୟ ସଂପାଦନ କରିବାକୁ ସକ୍ଷମ ବୋଲି ସେମାନେ ଦାବି କରିଛନ୍ତି। ଚାଟ୍‌ଜିପିଟି ହେଉ କି ଗୁଗଲ୍‌ର ଜେମିନି ହେଉ କି ଗ୍ରକ୍‌ ହେଉ, ଏ ସବୁ ଏଆଇ କୌଣସି କାର୍ଯ୍ୟ କରିବା ପାଇଁ ମନୁଷ୍ୟର ହସ୍ତକ୍ଷେପ ବା ମାର୍ଗଦର୍ଶନ ଲୋଡ଼ିଥା’ନ୍ତି। ମାତ୍ର ‘ମାନୁଷ’ ମନକୁ ମନ ବିଭିନ୍ନ ପ୍ରକାର ନିଷ୍ପତ୍ତି ନେଇଥାଏ ଏବଂ ସୁଚାରୁରୂପେ ସ୍ବାଧୀନ ଭାବେ କାର୍ଯ୍ୟ ସଂପନ୍ନ କରିଥାଏ। ତା’ ପାଇଁ କାହାଠାରୁ କୌଣସି ନିର୍ଦ୍ଦେଶ କି ସୂଚନାର ଆବଶ୍ୟକତା ପଡ଼େ ନାହିଁ। ଉଦାହରଣ ସ୍ବରୂପ, ତା’କୁ ଯଦି ‘ମୋ ପାଇଁ ଭଲ ଘରଟିଏ ଖୋଜିଦିଅ’ ବୋଲି ନିର୍ଦ୍ଦେଶ ଦିଆଯାଏ, ତେବେ ସେ ନିଜେ ଅନ୍ବେଷଣ ଚଳାଇ ଏବଂ ଘର ଉପଲବ୍‌ଧ ଥିବା ବିଭିନ୍ନ ଅଞ୍ଚଳର ଅପରାଧ ହାର, ପାଣିପାଗ ଓ ବଜାର ଦୂରତା ପରି ବହୁବିଧ ପ୍ରସଙ୍ଗକୁ ବିଚାରକୁ ନେଇ ସର୍ବୋତ୍କୃଷ୍ଟ ଘରଟିଏ ବାଛିପାରିବ। କେବଳ ଗୋଟିଏ ଏଆଇ ମଡେଲ ଭାବେ କାମ କରିବା ପରିବର୍ତ୍ତେ ‘ମାନୁଷ’ ଏକାଧିକ ବିଶେଷଜ୍ଞ ଏଜେଣ୍ଟଙ୍କ ମ୍ୟାନେଜର୍‌ ପରି କାର୍ଯ୍ୟ କରିଥାଏ। ତାହାର ଏହି ବୈଶିଷ୍ଟ୍ୟ ଯୋଗୁଁ ସେ ଏକାଧିକ ଜଟିଳ କାର୍ଯ୍ୟକୁ ସହଜରେ ତୁଲାଇପାରେ। ଅଧିକନ୍ତୁ ଏହା ପ୍ରଚ୍ଛଦରେ କାର୍ଯ୍ୟଗୁଡ଼ିକୁ ସମାପ୍ତ କରେ ଏବଂ ନିରନ୍ତର ମାନବୀୟ ତଦାରଖ ବିନା କେବଳ ଫଳାଫଳ ପ୍ରସ୍ତୁତ ହେଲେ ହିଁ ବ୍ୟବହାରକାରୀଙ୍କୁ ସୂଚିତ କରିଥାଏ। 

Advertisment

ଚୀନରେ ନିର୍ମିତ ସଂପୂର୍ଣ୍ଣ ସ୍ବୟଂଚାଳିତ ଏଆଇ ‘ମାନୁଷ’ ଅନେକ ସମ୍ଭାବନା ଲାଗି ବାଟ ଫିଟାଇଥିବା ବେଳେ ନିଯୁକ୍ତି କ୍ଷେତ୍ରରେ ଛଟେଇର ବିପଦ ନେଇଆସିଛି

ଅଧିକାଂଶ ଏଆଇ କୌଣସି କାର୍ଯ୍ୟ ଆରମ୍ଭ କରିବା ପାଇଁ ମଣିଷ ଉପରେ ମାତ୍ରାଧିକ ନିର୍ଭର କରୁଥିବା ବେଳେ ସେ ଦିଗରେ ‘ମାନୁଷ’ ଏକ ଗୁରୁତ୍ବପୂର୍ଣ୍ଣ ଅଗ୍ରଗତି ହାସଲ କରିଛି। ସ୍ବୟଂସଂପୂର୍ଣ୍ଣ ଏଆଇ ବାସ୍ତବତାରେ ପରିଣତ ହେବା ପରେ ଏହା ଅନେକ ରୋମାଞ୍ଚକର ସମ୍ଭାବନା ଲାଗି ବାଟ ଫିଟାଇଥିବା ବେଳେ ନିଯୁକ୍ତି କ୍ଷେତ୍ରରେ ଛଟେଇର ବିପଦ ନେଇଆସିଛି। ଗୁରୁତ୍ବପୂର୍ଣ୍ଣ କଥାଟି ହେଲା, ୨୦୨୩ରେ ଚୀନ୍‌ ‘ଡିପ୍‌ସିକ୍‌’ ପରି ଏଆଇ ବିକଶିତ ହେବାର ମାତ୍ର ବର୍ଷକ ପରେ ‘ମାନୁଷ’ର ଉନ୍ମୋଚନ ‘ଏଆଇ’ ବିକାଶରେ ଅପ୍ରତିଦ୍ବନ୍ଦ୍ବୀ ନେତା ଭାବେ ବିବେଚିତ ଆମେରିକା ଲାଗି ଆହ୍ବାନ ଛିଡ଼ା କରିଛି। ତେବେ ଏହି ଅଭିନବ ଏଆଇ ଏଜେଣ୍ଟ କର୍ମଜୀବୀମାନଙ୍କ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି। ଏହା ସେମାନଙ୍କର କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବା ପରିବର୍ତ୍ତେ ସେମାନଙ୍କ ସ୍ଥାନ ନେବାରେ ସକ୍ଷମ ହୋଇପାରେ। ସୁତରାଂ ଏହାର ବ୍ୟବହାର ନେଇ କେତେକ ନୈତିକ ତଥା ନିୟାମକ ପ୍ରଶ୍ନ ସୃଷ୍ଟି ହେବା ସ୍ବାଭାବିକ।