ନରେନ୍ଦ୍ର ମୋଦୀ ୨୦୧୪ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ। ସେହି ସମୟରେ ଭାରତ ବିଶ୍ବର ଏକାଦଶ ବୃହତ୍ ଅର୍ଥନୀତି ଭାବେ ପରିଗଣିତ ହେଉଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୃଢ଼ ନେତୃତ୍ବ ଏବଂ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ଯୋଗୁ ଗତ ୧୧ ବର୍ଷ ମଧ୍ୟରେ ଭାରତ ବିଶ୍ବର ଚତୁର୍ଥ ବୃହତ୍ ଅର୍ଥନୀତିରେ ପରିଣତ ହୋଇଛି। ଖୁବ୍ଶୀଘ୍ର ଭାରତକୁ ତୃତୀୟ ବୃହତ୍ ଅର୍ଥନୀତିରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀ ନିଷ୍ଠାପର ଉଦ୍ୟମ ଚଳାଇଛନ୍ତି। ମୋଦୀଙ୍କ ନେତୃତ୍ବରେ ବାଣିଜ୍ୟ, ଭିତ୍ତିଭୂମି, ପ୍ରତିରକ୍ଷା ଠାରୁ ଆରମ୍ଭ କରି ପ୍ରଯୁକ୍ତି ଏବଂ ମହାକାଶ ବିଜ୍ଞାନ ଆଦି କ୍ଷେତ୍ରରେ ଭାରତ ଅନେକ ନୂଆ ସଫଳତାର ସ୍ବାଦ ଚାଖିଛି।
ଅପରେସନ୍ ସିନ୍ଦୂର
ଆତଙ୍କବାଦ ବିରୋଧରେ ମୋଦୀ ସରକାରଙ୍କ ନିର୍ଣ୍ଣାୟକ ଲଢ଼େଇର ଏକ ପ୍ରତିଫଳନ ଥିଲା ଅପରେସନ୍ ସିନ୍ଦୂର। ଭାରତୀୟ ସେନାର ଏହି ସାମରିକ ଅଭିଯାନ ପହଲଗାମରେ ପାକିସ୍ତାନ ଆତଙ୍କବାଦୀ ଆକ୍ରମଣର ଜବାବରେ ଆରମ୍ଭ ହୋଇଥିଲା। ମେ ୭ ତାରିଖରେ ମାତ୍ର ୨୫ ମିନିଟର ଏହି ଆକ୍ରମଣରେ ଉଭୟ ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ ଲସ୍କର, ହିଜବୁଲ ମୁଜାହିଦ୍ଦିନ ଆଦିର ଆତଙ୍କବାଦୀ ଆଡ଼ାଗୁଡ଼ିକୁ ଧ୍ବଂସସ୍ତୂପରେ ପରିଣତ କରାଯାଇଥିଲା। ଶତାଧିକ ଆତଙ୍କବାଦୀ ନିପାତ ନେଇଥିଲେ। ପାକିସ୍ତାନ ସେନାର ମୁହଁତୋଡ଼ ଜବାବ ମଧ୍ୟ ଭାରତ ଦେଇଥିଲା। ଭାରତର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ପାକିସ୍ତାନର ସବୁ ଡ୍ରୋନ ଓ ବିମାନ ଆକ୍ରମଣକୁ ପଣ୍ଡ କରିଦେଇଥିଲା। ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଳିଷ୍ଠ ନେତୃତ୍ବ ଏବଂ ରଣନୈତିକ ନିଷ୍ପତ୍ତି ଯୋଗୁ ସମ୍ଭବ ହୋଇ ପାରିଥିଲା। ଦେଶବାସୀଙ୍କୁ ଏହା ଖୁସି ଦେଇଥିଲା।
ରାମ ମନ୍ଦିର ପ୍ରତିଷ୍ଠା
ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କେବଳ ଧାର୍ମିକ ଦୃଷ୍ଟିକୋଣରୁ ନୁହେଁ ରାଜନୈତିକ ଓ ସାଂସ୍କୃତିକ କ୍ଷେତ୍ରରେ ମଧ୍ୟ ମୋଦୀ ସରକାରଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଉପଲବ୍ଧି। ଦୀର୍ଘ ଦଶନ୍ଧି ଚାଲିଥିବା ବିବାଦର ସମାଧାନ କରି ମୋଦୀ ସରକାର ଏହି ମନ୍ଦିର ନିର୍ମାଣକୁ ସମ୍ଭବ କରିଥିବାରୁ ଦେଶର ଅଧିକାଂଶ ଲୋକ ଏହାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ବଡ଼ ସଫଳତା ବୋଲି ବିବେଚନା କରୁଛନ୍ତି। ୨୦୧୯ରେ ସୁପ୍ରିମକୋର୍ଟଙ୍କ ରାୟ ପରେ ମୋଦୀ ସରକାର ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଗଠନ କରି ମନ୍ଦିର ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିଥିଲେ। ୨୦୨୪ ଜାନୁଆରି ୨୨ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା।
ଧାରା ୩୭୦ ଉଚ୍ଛେଦ
୨୦୧୯ ମସିହାରେ ମୋଦୀ ସରକାର ଜମ୍ମୁ କାଶ୍ମୀରରୁ ସମ୍ବିଧାନର ଧାରା ୩୭୦ ଉଚ୍ଛେଦ କରି ଏହାକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରିବାର ଐତିହାସିକ ନିଷ୍ପତ୍ତି ନେଇଥିଲେ। ଏହି ପଦକ୍ଷେପ ମୋଦୀ ସରକାରଙ୍କ ସବୁଠୁ ବଡ଼ ରାଜନୈତିକ ନିଷ୍ପତ୍ତି ବୋଲି ବିବେଚନା କରାଯାଏ। ଜମ୍ମୁ କାଶ୍ମୀରକୁ ଭାରତର ସ୍ରୋତରେ ସାମିଲ କରିବା ଏକ ବଳିଷ୍ଠ ପ୍ରୟାସ ଥିଲା ଏବଂ ତାହା ମୋଦୀଙ୍କ ଅମଳରେ ସାକାର ହୋଇଛି।
ଚନ୍ଦ୍ରର ଦକ୍ଷିଣ ମେରୁରେ ଭାରତ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବରେ ଭାରତ ମହାକାଶ ବିଜ୍ଞାନ କ୍ଷେତ୍ରରେ ଅନେକ ସଫଳତା ହାସଲ କରିଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଭାରତର ଚନ୍ଦ୍ରଯାନ-୩ ଅବତରଣ କରି ଇତିହାସ ରଚିଛି। ୨୦୨୩ ଅଗଷ୍ଟ ୨୩ରେ ବିଶ୍ବର ଏକମାତ୍ର ଦେଶ ଭାବେ ଭାରତକୁ ଏହି ସଫଳତା ମିଳିବା ଦେଶପାଇଁ ଗର୍ବ ଓ ଗୌରବର ବିଷୟ ଥିଲା। ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ପାଇଁ ସେହି ସମୟରେ ଦକ୍ଷିଣ ଆଫ୍ରିକାରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ ଇସ୍ରୋର ବୈଜ୍ଞାନିକମାନଙ୍କୁ ଓ ଦେଶବାସୀଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅଭିନନ୍ଦନ ଜଣାଇଥିଲେ। ଏସବୁକୁ ଦୃଷ୍ଟିରେ ରଖି ଭାରତ ସରକାର ଅଗଷ୍ଟ ୨୩କୁ ଜାତୀୟ ମହାକାଶ ଦିବସ ଭାବେ ପାଳନ ଆରମ୍ଭ କରିଦେଇଛନ୍ତି। ସେହିଭଳି ଚଳିତବର୍ଷ ଜୁଲାଇ ୨୫ରେ ଇସ୍ରୋର ପ୍ରଥମ ମହାକାଶଚାରୀ ଭାବେ ଶୁଭାଂଶୁ ଶୁକ୍ଳା ଆକ୍ସମ ମିସନ-୪ରେ ଅଂଶଗ୍ରହଣ କରି ଭାରତ ପାଇଁ ଗର୍ବ ଆଣିଛନ୍ତି। ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯିବାରେ ସେ ଇସ୍ରୋର ପ୍ରଥମ ମହାକାଶଚାରୀ ହେବାର ଗୌରବ ଲାଭ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅମଳରେ ଦେଶ ପାଇଁ ଏହା ଏକ ବଡ଼ ସଫଳତା।
ଜିଏସ୍ଟି ସଂସ୍କାର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅମଳରେ ଦେଶରେ ବହୁ ପ୍ରତୀକ୍ଷିତ ପରୋକ୍ଷ ଟିକସ ସଂସ୍କାର କାର୍ଯ୍ୟ ସଂପାଦନ ହୋଇଛି। ୨୦୧୭ ଜୁଲାଇ ମଧ୍ୟରାତ୍ରିରେ ସଂସଦରେ ଏକ ଐତିହାସିକ କାର୍ଯ୍ୟକ୍ରମ ମାଧ୍ୟମରେ ଜିଏସ୍ଟି (ସାମଗ୍ରୀ ଓ ସେବା ଟିକସ) କାର୍ଯ୍ୟକାରୀ କରାଯାଇଛି। ଗୋଟିଏ ଦେଶ ଗୋଟିଏ ଟିକସ ଲକ୍ଷ୍ୟରେ କାର୍ଯ୍ୟକାରୀ କରାଯାଇଥିବା ଏହି ଯୋଜନାର ଦ୍ବିତୀୟ ପର୍ଯ୍ୟାୟ ସଂସ୍କାର ଚଳିତମାସରେ ହୋଇଛି। ପ୍ରଥମେ ଜିଏସ୍ଟିକୁ ୫ ଥାକିଆ ଯଥା ୦%, ୫%, ୧୨%, ୧୮% ଏବଂ ୨୮% କରାଯାଇଥିଲା। ଏଥିସହିତ କ୍ଷତିପୂରଣ ସେସ୍ ମଧ୍ୟ ଆଦାୟ କରାଯାଇଥିଲା। କିନ୍ତୁ ଚଳିତମାସ ୨୨ ତାରିଖରୁ ଏହାକୁ ୫%, ୧୮% ଓ ୪୦% ଭଳି ୩ଟି ସ୍ଲାବରେ ସୀମିତ ରଖାଯାଇଛି। ଅଧିକାଂଶ ସାମଗ୍ରୀ ସେବାକୁ ୫ ଓ ୧୮ ପ୍ରତିଶତ ବର୍ଗରେ ରଖାଯାଇ ଥିବାବେଳେ କେବଳ ବିଳାସପୂର୍ଣ୍ଣ ଓ ହାନିକାରକ ସାମଗ୍ରୀ ଉପରେ ୪୦% ଜିଏସ୍ଟି ଆଦାୟ ହେବ। ଦେଶରେ ଜିଏସ୍ଟି ଲାଗୁ ହେବାର ୮ ବର୍ଷ ପରେ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳ ଯୋଗୁ ଜିଏସ୍ଟିରେ ଏହି ବଡ଼ଧରଣର ସଂସ୍କାର ଅଣାଯାଇ ପାରିଛି। ଚଳିତବର୍ଷ ଅଗଷ୍ଟ ୧୫ରେ ଲାଲକିଲ୍ଲାରେ ସ୍ବାଧୀନତା ଦିବସ ପାଳନ ସମୟରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଜିଏସ୍ଟି ସଂସ୍କାରର ଆଭାସ ଦେଶବାସୀଙ୍କୁ ଦେଇଥିଲେ।
ନିଯୁକ୍ତି ଓ ଆର୍ଥିକ ସଶକ୍ତୀକରଣ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଯୁବବର୍ଗଙ୍କୁ ଚାକିରି ଏବଂ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ଲାଗି ଅନେକ ପଦକ୍ଷେପ ନେଇଛନ୍ତି। ପିଏମ୍ ବିକଶିତ ଭାରତ ରୋଜଗାର ଯୋଜନାରେ ୩.୫ କୋଟିରୁ ଅଧିକ ଯୁବକଯୁବତୀଙ୍କୁ ଚାକିରି ଦେବା ଅଭିଯାନ ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବରେ ଦକ୍ଷତା ବିକାଶ, ଉଦ୍ୟମିତା, ଷ୍ଟାର୍ଟଅପ୍ ନବସୃଜନ ଏବଂ ବିଶ୍ବସ୍ତରରେ ଭାରତୀୟ କମ୍ପାନିଗୁଡ଼ିକୁ ପ୍ରତିଯୋଗିତାକ୍ଷମ କରିବା ଲାଗି ଅନେକ ପଦକ୍ଷେପ ନିଆଯାଇଛି। ଏସବୁର ସୁଫଳ ମଧ୍ୟ ଦେଶକୁ ମିଳିଛି। ମୁଦ୍ରା ଯୋଜନାରେ ୫୨.୫ କୋଟି କ୍ଷୁଦ୍ର ଉଦ୍ୟୋଗୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଉଜ୍ଜ୍ବଳା ଯୋଜନାରେ ୧୦.୩୩ କୋଟିରୁ ଅଧିକ ମହିଳାଙ୍କୁ ରନ୍ଧନ ଗ୍ୟାସ ଯୋଗାଇ ଦିଆଯାଇଛି।
ଜାତୀୟ ରାଜପଥ ଓ ଭିତ୍ତିଭୂମି ବିକାଶ
ମୋଦୀ ସରକାରଙ୍କ ଗତ ୧୧ ବର୍ଷ ମଧ୍ୟରେ ଭାରତର ଭିତ୍ତିଭୂମି ବିକାଶରେ ଅଭୂତପୂର୍ବ ଅଭିବୃଦ୍ଧି ଘଟିଛି। ୨୦୧୪ ପୂର୍ବରୁ ରାଜପଥ ନିର୍ମାଣ ହାର ପ୍ରତିଦିନ ୧୨ କିମି ଥିବାବେଳେ ୨୦୨୩-୨୪ ସୁଦ୍ଧା ଏହା ପ୍ରତିଦିନ ୩୩.୮ କିମିରେ ପହଞ୍ଚିଛି। ଗତିଶକ୍ତି ଯୋଜନା ଯୋଗୁ ଯାତାୟାତ ସହଜ ହେବା ସହିତ ପରିବହନ ଖର୍ଚ୍ଚ ହ୍ରାସ ପାଇଛି। ଏହା ସହିତ ବନ୍ଦେ ଭାରତ ଏକ୍ସପ୍ରେସ ଭଳି ଆଧୁନିକ ଟ୍ରେନ୍ ଯାତ୍ରୀ ପରବହନ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି। ସେହିଭଳି ଦେଶରେ ବିମାନ ବନ୍ଦରର ଅଭୂତପୂର୍ବ ବିକାଶ ମଧ୍ୟ ମୋଦୀ ସରକାରଙ୍କ ଅମଳରେ ହୋଇଛି। ବିମାନ ବନ୍ଦର ସଂଖ୍ୟା ୨୦୧୪ ବେଳକୁ ୭୪ରେ ସୀମିତ ଥିବାବେଳେ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୧୫୯ରେ ପହଞ୍ଚିଛି।
ଜନଧନ ଯୋଜନା ଓ ଆର୍ଥିକ ଅନ୍ତର୍ଭୁକ୍ତୀକରଣ
ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ହେଉଛି ବିଶ୍ବର ସର୍ବବୃହତ୍ ଆର୍ଥିକ ଅନ୍ତର୍ଭୁକ୍ତୀକରଣ କାର୍ଯ୍ୟକ୍ରମ। ୨୦୧୪ ମସିହାରେ ମୋଦୀ ସରକାର ଏହାକୁ ଆରମ୍ଭ କରିଥିଲେ। ଏହାର ମୁଖ୍ୟ ଲକ୍ଷ୍ୟ ଥିଲା ପ୍ରତ୍ୟେକ ଲୋକଙ୍କୁ ବ୍ୟାଙ୍କିଂ ସେବା ସହିତ ଯୋଡ଼ିବା। ଏହି ଯୋଜନା ମାଧ୍ୟମରେ କୋଟି କୋଟି ଗରିବ ଲୋକଙ୍କ ବ୍ୟାଙ୍କ ଖାତା ଖୋଲାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଏହି ପଦକ୍ଷେପ ଲୋକଙ୍କୁ ସରକାରୀ ସବ୍ସିଡି ଓ ଅନ୍ୟାନ୍ୟ ସହାୟତା ସିଧାସଳଖ ପାଇବାର ସୁଯୋଗ ଦେଇଥିଲା। ବ୍ୟାଙ୍କ ଆକାଉଣ୍ଟକୁ ଆଧାର ଓ ମୋବାଇଲ ନମ୍ବର ଯୋଡ଼ିବା ଦ୍ବାରା ଆର୍ଥିକ କାରବାର ଅଧିକ ସହଜ ଓ ସ୍ବଚ୍ଛ ହୋଇପାରିଛି।
ସ୍ବଚ୍ଛ ଭାରତ ଅଭିଯାନ
୨୦୧୪ ମସିହାରେ ଆରମ୍ଭ ହୋଇଥିବା ସ୍ବଚ୍ଛ ଭାରତ ଅଭିଯାନ ସମଗ୍ର ଦେଶରେ ସ୍ବଚ୍ଛତା ପ୍ରତି ଜନସଚେତନତା ସୃଷ୍ଟି କରିଥିଲା। ଏହି ଅଭିଯାନ ଅଧୀନରେ ୧୨ କୋଟିରୁ ଅଧିକ ଶୌଚାଳୟ ନିର୍ମାଣ ହୋଇଥିଲା, ଯାହାକି ହଜାର ହଜାର ଗ୍ରାମକୁ ଖୋଲା ଶୌଚମୁକ୍ତ କରିପାରିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ପଦକ୍ଷେପ ଲୋକଙ୍କ ଜୀବନଶୈଳୀରେ ଉନ୍ନତି ଆଣିଛି।
ଡିଜିଟାଲ ଇଣ୍ଡିଆ ଓ ୟୁପିଆଇ
ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଦେଶର ଡିଜିଟାଲ ପରିବର୍ତ୍ତନରେ ଏକ ବିପ୍ଳବ ଆଣିଛି। ୟୁପିଆଇ (ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ୍) ଜରିଆରେ ମୋବାଇଲରେ ଟଙ୍କା କାରବାର କରିବା ସହଜ ହୋଇପାରିଛି। ଯାହା ଭାରତକୁ ଡିଜିଟାଲ କାରବାରରେ ବୈଶ୍ବିକ ସ୍ତରରେ ଅପାର ସଫଳତା ଦେଇଛି।
ଏନ୍ଇପି
୨୦୨୦ ମସିହାରେ ମୋଦୀ ସରକାର ନୂତନ ଜାତୀୟ ଶିକ୍ଷା ନୀତି (ଏନ୍ଇପି) ଆଣି ଶିକ୍ଷା କ୍ଷେତ୍ରରେ ଏକ ବିଶାଳ ସଂସ୍କାର କାର୍ଯ୍ୟକାରୀ କରିଛନ୍ତି। ଏହା ଭାରତର ପାରମ୍ପରିକ ଶିକ୍ଷା ବ୍ୟବସ୍ଥାରେ ଆଧୁନିକ ପରିବର୍ତ୍ତନ ଆଣିବା ସହ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ବ ଦେଇଛି।