ଫ୍ରାନ୍ସର କାଡାରାଚେ ଠାରେ ନିର୍ମାଣାଧୀନ ଆନ୍ତର୍ଜାତିକ ତାପ-ଆଣବିକ ପରୀକ୍ଷଣାତ୍ମକ ରିଆକ୍ଟର (ଆଇଟିଇଆର୍‌) ବିଶ୍ବର ବୃହତ୍ତମ ମାନବ ନିର୍ମିତ ପ୍ରକଳ୍ପର ଆଖ୍ୟା ପାଇଛି। ଏବେ ନିର୍ମାଣର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଏହି ରିଆକ୍ଟର ସୂର୍ଯ୍ୟ ସମେତ ବିଭିନ୍ନ ନକ୍ଷତ୍ରମାନଙ୍କଠାରେ ଶକ୍ତି ଉତ୍ପନ୍ନ କରୁଥିବା ଫ୍ୟୁଜନ୍‌ ପ୍ରକ୍ରିୟାକୁ ଭୂପୃଷ୍ଠରେ କାର୍ଯ୍ୟକାରୀ କରିବ।  ୟୁରୋପୀୟ ସଂଘ, ଚୀନ୍, ଭାରତ, ଜାପାନ, କୋରିଆ, ରୁଷ ଓ ଯୁକ୍ତରାଷ୍ଟ୍ର ଆମେରିକା ଆଦି ସାତଟି ଦେଶର ବୈଜ୍ଞାନିକ ଓ ନିବେଶ ମାଧ୍ୟମରେ  ଆଇଟିଇଆର୍‌ ପ୍ରକଳ୍ପ ନିର୍ମିତ ହେଉଛି। ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ର ଏଥିପାଇଁ ବିଭିନ୍ନ ଯନ୍ତ୍ରାଂଶ ଓ ପ୍ରଯୁକ୍ତି ପ୍ରଣାଳୀ ଯୋଗାଉଛନ୍ତି। ତେବେ ଏହି ପ୍ରକଳ୍ପର ନିର୍ମାଣ ବ୍ୟୟର ସିଂହଭାଗ(ପ୍ରାୟ ୪୫.୬%) ୟୁରୋପୀୟ ସଂଘ ବହନ କରୁଥିବାବେଳେ ଅବଶିଷ୍ଟ ସଦସ୍ୟ ଦେଶଙ୍କର ଯୋଗଦାନ ଦେଶ ପିଛା ପ୍ରାୟ ୯.୧% ରହିଛି। ୧୯୮୦ ଦଶକର ମଧ୍ୟଭାଗରେ ପ୍ରତିଷ୍ଠା ଆରମ୍ଭ ଠାରୁ ଆଇଟିଇଆର୍‌ ଏକ ବିଶାଳ ଇଞ୍ଜିନିୟରିଂ ଉଦ୍ୟୋଗ ଭାବେ ବିକଶିତ ହୋଇଛି।

Advertisment

ଭାରତ ସମେତ ସାତଟି ଦେଶର ମିଳିତ ପ୍ରୟାସରେ ନିର୍ମିତ ହେଉଛି ‘ଆଇଟିଇଆର୍‌’ ଫ୍ୟୁଜନ୍‌ ରିଆକ୍ଟର। ଏହା ସଫଳ ହେଲେ ପ୍ରଚୁର ମାତ୍ରାରେ ସ୍ବଚ୍ଛ ବିଜୁଳି ଶକ୍ତି ମିଳିପାରିବ

ଏହାର ଉଦ୍ଦେଶ୍ୟ କେବଳ ବିଦ୍ୟୁତ୍ ଉତ୍ପାଦନରେ ସୀମିତ ନୁହେଁ। ଏକ ସମ୍ଭାବ୍ୟ ଫ୍ୟୁଜନ୍ ରିଆକ୍ଟର ଡିଭାଇସ୍‌ର ବୈଜ୍ଞାନିକ, ପ୍ରଯୁକ୍ତିବିଦ୍ୟା ଓ ଇଞ୍ଜିନିୟରିଂ ପରୀକ୍ଷଣ ଆଦି ମଧ୍ୟ ଏହା ଜରିଆରେ ସମ୍ପାଦନ କରାଯିବ। ଏଥିପାଇଁ  ପ୍ଲାଜ୍‌ମାକୁ ନିରନ୍ତର ଜଳନ୍ତା ଅବସ୍ଥାରେ ରଖିବା ସମେତ ସୁପରକଣ୍ଡକ୍ଟିଂ ଚୁମ୍ବକ, ଉତ୍ତାପ, ଟ୍ରିଟିୟମ୍ ପ୍ରଜନନ ଓ ଦୂରବର୍ତ୍ତୀ ସାମଗ୍ରୀର ରକ୍ଷଣାବେକ୍ଷଣ ଭଳି ପ୍ରଣାଳୀଗୁଡ଼ିକୁ ସକ୍ରିୟ କରି ରଖିବା ଅତ୍ୟାବଶ୍ୟକ। ଚଳିତ ବର୍ଷ ପ୍ରାରମ୍ଭରେ ଗୃହୀତ ସଂଶୋଧିତ କାର୍ଯ୍ୟସୂଚୀ ଅନୁସାରେ, ୨୦୩୦ ସୁଦ୍ଧା ଏହା ହାଇଡ୍ରୋଜେନ୍ ଏବଂ ଡ୍ୟୁଟେରିୟମ୍ ପ୍ଲାଜ୍‌ମା ସହିତ ସକ୍ରିୟ ରହି ୨୦୩୬ ସୁଦ୍ଧା ପୂର୍ଣ୍ଣ ଚୁମ୍ବକୀୟ କ୍ଷମତା ହାସଲ କରିବ। ଶେଷରେ ୨୦୩୯ରେ ଡ୍ୟୁଟେରିୟମ୍-ଟ୍ରିଟିୟମ୍‌ର ଏକ ପରୀକ୍ଷାମୂଳକ ପର୍ଯ୍ୟାୟ ଆରମ୍ଭ ହେବ। ଅଧୁନା ଆଇଟିଇଆର୍‌ର ଇଞ୍ଜିନିୟରମାନେ ରିଆକ୍ଟର କୋର୍‌କୁ ଏକତ୍ର କରିବା ଆରମ୍ଭ କରିଛନ୍ତି। ଏହା ହେଉଛି କେନ୍ଦ୍ରୀୟ ଟୋକାମାକ୍ ଗଠନ ଯାହା ପ୍ଲାଜ୍‌ମାକୁ ଧରି ରଖିବାର କାର୍ଯ୍ୟ କରିବ। ଏହି କୋର୍ ଯୋଡ଼େଇ ପର୍ଯ୍ୟାୟରେ ସୁପରକଣ୍ଡକ୍ଟିଭ୍ ସାମଗ୍ରୀ, ଭାକ୍ୟୁମ୍ କଣ୍ଟେନର, ସପୋର୍ଟ ଷ୍ଟ୍ରକଚର୍, କେନ୍ଦ୍ରୀୟ ସୋଲେନୋଏଡ୍‌ସ ଏବଂ ଆଭ୍ୟନ୍ତରୀଣ ଚୁମ୍ବକୀୟ କଏଲଗୁଡ଼ିକୁ ସଂଯୁକ୍ତ କରିବା କାର୍ଯ୍ୟ ଅନ୍ତର୍ଭୁକ୍ତ। କୋର୍ ରିଆକ୍ଟରର ‘ବିଟିଂ ହାର୍ଟ’ ଭାବେ ବିବେଚିତ ‘କେନ୍ଦ୍ରୀୟ ସୋଲେନୋଏଡ୍ ଚୁମ୍ବକ’ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହି ଜଟିଳ ଉପାଦାନର ଯୋଡ଼େଇ ସମ୍ପ୍ରତି ସଂପୂର୍ଣ୍ଣ ହୋଇଛି।