ବିଜ୍ଞାନର ଅଗ୍ରଗତି ସାଙ୍ଗକୁ ଦିନକୁ ଦିନ ଆମେ ଛୋଟବଡ଼ ପ୍ରତ୍ୟେକ କାମ ପାଇଁ ଯନ୍ତ୍ର ଉପରେ ନିର୍ଭରଶୀଳ ହୋଇପଡୁଛନ୍ତି। ପରିବାରୁ ଚୋପା ଛଡ଼ାଇବାରୁ ଆରମ୍ଭ କରି ମହାକାଶ ଯାତ୍ରା ଯାଏ ପ୍ରାୟ ପ୍ରତ୍ୟେକ କାର୍ଯ୍ୟ ଯନ୍ତ୍ରପାତି ଦ୍ବାରା ସାଧିତ ହେଉଛି। କାର୍ଯ୍ୟର ସ୍ଥୂଳତାକୁ ଭିତ୍ତି କରି ତାହାକୁ ସାଧନ କରୁଥିବା ଯନ୍ତ୍ରାଂଶର ବିଶାଳତା ନିର୍ଭର କରିଥାଏ। ତଦନୁଯାୟୀ, ମାଇକ୍ରୋଚିପ୍ ପରି ଅତି ସୂକ୍ଷ୍ମ ଯନ୍ତ୍ରାଂଶଠୁ ଆରମ୍ଭ କରି ଜାହାଜ, ବିମାନ ଓ ରେଳଗାଡ଼ି ପରି ବିଶାଳକାୟ ଯନ୍ତ୍ରାଂଶ ଆମ ଦୈନନ୍ଦିନ କାମରେ ବିନିଯୋଗ ହୋଇଥା’ନ୍ତି। ତେବେ ସମ୍ପ୍ରତି ବିଶ୍ବର ବୃହତ୍ତମ ଯନ୍ତ୍ରାଂଶର ମାନ୍ୟତା ରଖିଛି ବ୍ୟାଗର-୨୮୮ ନାମକ ମାଟିଖୋଳା ଯନ୍ତ୍ର। ପଶ୍ଚିମ ଜର୍ମାନୀର ଏକ କୋଇଲା ଖଣିରେ ନିୟୋଜିତ ଏହି ଚଳନ୍ତି ଯନ୍ତ୍ରଟିର ଉଚ୍ଚତା ହେଉଛି ୩୧୫ ଫୁଟ, ଓସାର ୧୫୧ ଫୁଟ ଓ ଲମ୍ବ ୭୦୫ ଫୁଟ। ତାହାର ଓଜନ ୪୫,୫୦୦ ଟନ୍। ଜର୍ମାନ୍ କମ୍ପାନି ଥିସେନ୍କ୍ରୁପ୍ପ ଦ୍ବାରା ନିର୍ମିତ ଏହି ଭୀମକାୟ ଯନ୍ତ୍ରାଟି ୧୬.୫୬ ମେଗାଵାଟ୍ର ବାହ୍ୟ ବିଦ୍ୟୁତ୍ ଶକ୍ତି ଦ୍ବାରା ପରିଚାଳିତ ଏବଂ ଏହା ଦୈନିକ ୨.୪ ଲକ୍ଷ ଟନ୍ ଓଜନର କୋଇଲା ଖୋଳିପାରୁଛି। ଘଣ୍ଟାକୁ ମାତ୍ର ୧୦୦ ମିଟରରୁ ୬୦୦ ମିଟର ଯାଏ ଗତି କରିପାରୁଥିବା ଏହି ବିଶାଳ ଯନ୍ତ୍ରଟି ଦିନକୁ ୮୫ ଲକ୍ଷ ଘନଫୁଟ ମାଟି ସ୍ଥାନାନ୍ତର କରିପାରିବାର କ୍ଷମତା ରଖିଛି। ମୋଟ ୧୦ କୋଟି ଡଲାର ବ୍ୟୟରେ ନିର୍ମିତ ବ୍ୟାଗର-୨୮୮ର ବିଭିନ୍ନ ଅଂଶର ପରିକଳ୍ପନା ଓ ନିର୍ମାଣ ପାଇଁ ଦୀର୍ଘ ପାଞ୍ଚ ବର୍ଷ ଲାଗିଥିବା ବେଳେ ତାହାକୁ ଯୋଡ଼ାଯୋଡ଼ି କରିବାରେ ମଧ୍ୟ ଆଉ ପାଞ୍ଚ ବର୍ଷ ସମୟ ଲାଗିଥିଲା।
ବିଶ୍ବର ବୃହତ୍ତମ ଚଳନ୍ତି ଯନ୍ତ୍ର
/sambad/media/post_attachments/wp-content/uploads/2022/07/fh4f65s4hs65f4sfh654hf65hf4s.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)