ଚର୍ଚ୍ଚାରେ ପୃଥିବୀର ଦ୍ୱିତୀୟ ସର୍ବବୃହତ ସିଟିଂ ଷ୍ଟାଚ୍ୟୁ, ନିର୍ମାଣରେ ଖର୍ଚ୍ଚ ହୋଇଛି ୧୦୦କୋଟି

ନୂଆଦିଲ୍ଲୀ: ଚର୍ଚ୍ଚାରେ ପୃଥିବୀର ଦ୍ୱିତୀୟ ସର୍ବବୃହତ ସିଟିଂ ଷ୍ଟାଚ୍ୟୁ । ୨୧୬ ଫୁଟ ଉଚ୍ଚତାର ଏହି ଷ୍ଟାଚ୍ୟୁଟି ହେଉଛି ରାମାନୁଜଙ୍କ ପ୍ରତିମୂର୍ତ୍ତି । ହଜାରେ କି ଲକ୍ଷେ ନୁହେଁ କେବଳ ଏହି ମୂର୍ତ୍ତି ନିର୍ମାଣରେ ଖର୍ଚ୍ଚ ହୋଇଛି ଶହେ କୋଟି ଟଙ୍କା । ମୂର୍ତ୍ତିକୁ  ଯୋଡ଼ିବାକୁ ଲାଗିଛି ୯ ମାସ ସମୟ । ଏହି ମୂର୍ତ୍ତିର ୧୬ ଶହ ଅଂଶ ଚୀନରୁ ଅଣାଯାଇଥିବା ଜଣାପଡ଼ିଛି। ପୃଥିବୀର ସବୁଠୁ ବଡ ସିଟିଂ ଷ୍ଟାଚ୍ୟୁ ଥାଇଲ୍ୟାଣ୍ଡରେ ଥିବା ବେଳେ ଏହି ଦ୍ୱିତୀୟ ସବୁଠୁ ବଡ ସିଟିଂ ଷ୍ଟାଚ୍ୟୁଟି ହାଇଦ୍ରାବାଦରେ ତିଆରି ହୋଇଛି । ଥାଇଲ୍ୟାଣ୍ଡରେ ଥିବା ସିଟିଂ ଷ୍ଟାଚ୍ୟୁଟି ଗ୍ରେଟ୍ ବୁଦ୍ଧଙ୍କର ପ୍ରତିମୂର୍ତ୍ତି ହୋଇଥିବା ବେଳେ ତାର ଉଚ୍ଚତା ୩୦୨ ଫୁଟ ରହିଛି। ଏହାପଛକୁ ରହିଛି ହାଇଦ୍ରାବାଦରେ ତିଆରି ହୋଇଥିବା ୨୧୬ ଫୁଟର ରାମାନୁଜାଚାର୍ଯ୍ୟଙ୍କର ଏହି ପ୍ରତିମୂର୍ତ୍ତି ।

ସୂଚନା ମୁତାବକ, ରାମାନୁଜଙ୍କର ଏହି ବିଶାଳକାୟ ପ୍ରତିମୂର୍ତ୍ତି ସହିତ ଏହା ନିକଟରେ ୧୦୮ଟି ମନ୍ଦିର ମଧ୍ୟ ତିଆରି କରାଯାଇଛି । ମୂର୍ତ୍ତି ଏବଂ ମନ୍ଦିରର କଳାକୃତି ଆଖି ଲାଖିଲା ଭଳି ହୋଇଛି। ସବୁଠାରୁ ବଡ଼କଥା ହେଉଛି ଏହି ବିଶାଳକାୟ ମୂର୍ତ୍ତି ନିକଟରେ ପୂଜା କରିବା ପାଇଁ ରାମାନୁଜଙ୍କର ୧୨୦ କେଜି ସୁନାରେ ମଧ୍ୟ ଏକ ଛୋଟ ମୂର୍ତ୍ତି ତିଆରି କରାଯାଇଛି । ବଡ ପ୍ରତିମୂର୍ତ୍ତି ତଳେ ଏହି ସୁନାର ମୂର୍ତ୍ତି ସ୍ଥାପନ କରାଯାଇଛି । ଏହି ସ୍ଥାନକୁ ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି ନାଁ ଦିଆଯାଇଛି । ଷ୍ଟାଚ୍ୟୁ ଅଫ୍ ଇଳ୍ୱାଲିଟିର ମୋଟ୍ ଉଚ୍ଚତା ୨୧୬ ଫୁଟ୍ ରହିଥିବା ବେଳେ ରାମାନୁଜଙ୍କର ଉଚ୍ଚତା ରହିଛି ୧୦୮ ଫୁଟ୍ । ୫୪ଟି ପଦ୍ମ ପାଖୁଡା ଉପରେ ରାମାନୁଜ ନମସ୍କାର ମୁଦ୍ରାରେ ବସିଛନ୍ତି । ୫୪ ପଦ୍ମ ପାଖୁଡା ତଳେ ରହିଛି ୩୬ଟି ହାତୀ ରହିଥିବା ବେଳେ ରାମାନୁଜ ଧରିଥିବା ତ୍ରିଦଣ୍ଡର ଉଚ୍ଚତା ରହିଛି ୧୩୫ ଫୁଟ । ଏହି ମୂର୍ତ୍ତି ନିକଟକୁ ପର୍ଯ୍ୟଟକ ଯିବା ପାଇଁ ତିଆରି ହୋଇଛି ୧୦୮ଟି ପାହାଚ ।

ତେବେ ପ୍ରତିମୂର୍ତ୍ତିର ଆକୃତି କିପରି ହେବ, ତାହା ନିର୍ଣ୍ଣୟ କରିବା ପାଇଁ ମାଟିରେ ୧୪ଟି ମୂର୍ତ୍ତି ତିଆରି କରାଯାଇଥିଲା । ଏହା ମଧ୍ୟରୁ ସର୍ବାଧିକ ପସନ୍ଦ ହୋଇଥିବା ମୂର୍ତ୍ତି ଅନୁସାରେ ଏହି ବିଶାଳ ପ୍ରତିମୂର୍ତ୍ତି ତିଆରି କରାଯାଇଥିଲା । ଏହି ପ୍ରତିମୂର୍ତ୍ତିର ୧୬ ଶହ ଅଂଶ ଚୀନରେ ତିଆରି କରାଯାଇଥିବା ବେଳେ ଏଥିପାଇଁ ତିନି ଜଣିଆ ଏକ୍ସପର୍ଟ ଟିମ୍ ଚୀନ ଗସ୍ତ କରିଥିଲେ । ସର୍ଦ୍ଦାର ପଟେଲଙ୍କ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କରିଥିବା କମ୍ପାନି ସହିତ ପ୍ରଥମେ ଆଲୋଚନା ହୋଇଥିଲା, କିନ୍ତୁ ତାହା ସଫଳ ହୋଇନଥିଲା । ପରେ ଏରୋସନ କର୍ପୋରେସନ ନାମକ କମ୍ପାନି ସହିତ ଅଗଷ୍ଟ ୧୪, ୨୦୧୫ରେ ଚୁକ୍ତି ହୋଇଥିଲା । ୨୦୧୬ରେ କମ୍ପାନି ମୂର୍ତ୍ତି ନିର୍ମାଣ କାମ ଆରମ୍ଭ କରିଥିଲା । ମୂର୍ତ୍ତିର କାନ୍ଧ ପର୍ଯ୍ୟନ୍ତ କାମ ଦୃତଗତିରେ ଆଗେଇ ଚାଲିଥିବା ବେଳେ ପରେ କାମ ଧୀମେଇ ଯାଇଥିଲା । ରାମାନୁଜଙ୍କର କରୁଣାମୟ ଚେହେରା ଦେଖାଇବା ପାଇଁ ୧୮ ଶହ ଥର ମୂର୍ତ୍ତିର ମୁହଁକୁ ଠିକ କରିବାକୁ ପଡିଥିଲା । ୬୫୦ ଟନର ଏହି ମୂର୍ତ୍ତି ତିଆରି କରିବା ପାଇଁ ଚୀନ୍ କମ୍ପାନିକୁ ୧୮ ମାସ ଲାଗିଥିଲା । ମୂର୍ତ୍ତିର ଯେଉଁ ଭାଗର ନିର୍ମାଣ ଶେଷ ହେଉଥିଲା ତାକୁ ଭାରତ ଅଣାଯାଇ ଯୋଡ଼ା ଯାଉଥିଲା । ମୂର୍ତ୍ତିଟି ୮୨ ପ୍ରତିଶତ କପରରେ ତିଆରି ହୋଇଥିବା ବେଳେ ବାକି ଅଂଶ ଜିଙ୍କ୍‌, ଟିନ୍‌, ସୁନା ଏବଂ ରୂପାରେ ତିଆରି ହୋଇଛି ।

ସନ୍ଥ ରାମାନୁଜ ଦେଶ ବିଦେଶରେ ୧୦୮ ମନ୍ଦିର ସ୍ଥାପନ କରିଥିବାରୁ ଏହି ପ୍ରତିମୂର୍ତ୍ତି ନିକଟରେ ୧୦୮ଟି ମନ୍ଦିର ତିଆରି କରାଯାଇଛି । ଏଥିପାଇଁ ରାଜସ୍ଥାନରୁ ପିଙ୍କ ଷ୍ଟୋନ ଏବଂ ବ୍ଲାକ୍ ମାର୍ବଲ ଅଣାଯାଇଥିବା ବେଳେ ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରୁ ବ୍ଲାକ ଷ୍ଟୋନ୍ ଅଣାଯାଇଥିଲା । ଏଥିସହ ଏକ ସ୍ୱତନ୍ତ୍ର ଧରଣର କଳା ମାର୍ବଲ ଚୀନରୁ ଆସିଥିଲା । ଭିନ୍ନ ଭିନ୍ନ କାମ ପାଇଁ ଦକ୍ଷ କାରିଗରଙ୍କୁ ଦେଶର ବିଭିନ୍ନ ସ୍ଥାନରୁ ଅଣାଯାଇ ଏହି ମନ୍ଦିର ତିଆରି କରାଯାଇଛି ।

ବୈଷ୍ଣବ ସମ୍ପ୍ରଦାୟ ପକ୍ଷରୁ ପ୍ରତିମୂର୍ତ୍ତି ସହ ୨୦୦ ଏକର ସ୍ଥାନରେ ପୂରା ପ୍ରକଳ୍ପ ନିର୍ମାଣ କରାଯାଇଛି । ହାଇଦ୍ରାବାଦଠାରୁ ମାତ୍ର ୪୦ କିଲୋମିଟର ଦୂର ମୁଚିଂତଲ ରୋଡ୍‌ରେ ଏହି ପ୍ରକଳ୍ପ ହୋଇଛି । ବର୍ତ୍ତମାନ ସୁଦ୍ଧା ଏହି ପ୍ରକଳ୍ପରେ ୧୪ ଶହ କୋଟି ଖର୍ଚ୍ଚ ହୋଇସାରିଲାଣି । ଫେବ୍ରୁଆରି ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବାକୁ ଯାଉଛନ୍ତି । ପ୍ରତିମୂର୍ତ୍ତି ଉନ୍ମୋଚନ ପୂର୍ବରୁ ଏଠାରେ ଦେଢ ଲକ୍ଷ କେଜିର ଦେଶୀ ଘିଅରେ ଯଜ୍ଞ ଅନୁଷ୍ଠିତ ହେବ ।

ସମ୍ବନ୍ଧିତ ଖବର