ବିଶ୍ୱର ଉଚ୍ଚତମ ନଦୀପୋଲ

ପୃଥିବୀର ସବୁଠୁ ଉଚ୍ଚ ନଦୀପୋଲ ଏବେ ଆମ ଭାରତରେ ନିର୍ମାଣ ଚାଲିଛି। ଜାମ୍ମୁକାଶ୍ମୀରର ରିଆସି ଜିଲ୍ଲା ଅନ୍ତର୍ଗତ ବକ୍କାଲ ଓ କାଉରି ମଧ୍ୟରେ ଚେନାବ୍‌ ନଦୀ ଉପରେ ନିର୍ମାଣାଧୀନ ଏହି ନଦୀପୋଲ ଆସନ୍ତା ବର୍ଷ ଡିସେମ୍ବର ବେଳକୁ ଲୋକାର୍ପିତ ହେବ ବୋଲି ଆଶା କରାଯାଉଛି। ନଦୀଶଯ୍ୟା ଠାରୁ ୩୫୯ ମିଟର ବା ୧,୧୭୮ ଫୁଟ ଉଚ୍ଚ ତଥା ନଦୀର ଜଳସ୍ତର ଠାରୁ ୩୨୨ ମିଟର ବା ୧.୦୫୬ ଫୁଟ ଉଚ୍ଚରେ ଯାଇଥିବା ଏହି ପୋଲର ନିର୍ମାଣକାର୍ଯ୍ୟ ୨୦୧୭ ନଭେମ୍ବରରୁ ଆରମ୍ଭ ହୋଇଥିବା ବେଳେ ଗତ ଏପ୍ରିଲ ମାସରେ ଏହାର ଚାପ ନିର୍ମାଣ ସରିଛି।

ଜାମ୍ମୁ ନିକଟ ଉଦ୍ଧାମପୁର ଓ କାଶ୍ମୀରର ବାରମୂଳାକୁ ସଂଯୋଗ କରୁଥିବା ଏହି ପୋଲର ମୋଟ ଦୈର୍ଘ୍ୟ ୧,୩୧୫ ମିଟର ଥିବା ବେଳେ ଚାପର ଦୈର୍ଘ୍ୟ ୪୮୦ ମିଟର ରହିଛି। ତେବେ ପାର୍ବତ୍ୟାଞ୍ଚଳରେ ମୂଳ ପୋଲ ନିର୍ମାଣ କରିବାର କଠିନତା ସାଙ୍ଗକୁ ଏହାର ସଂଯୋଗ ପାଇଁ ମୋଟ ୬୩ କିମିର ସଂଖ୍ୟାଧିକ ସୁଡ଼ଙ୍ଗ ଓ ସାଢ଼େ ୭ କିମି ଦୈର୍ଘ୍ୟର ଏକାଧିକ ଛୋଟ ଛୋଟ ପୋଲ ନିର୍ମାଣ ପରି କଷ୍ଟସାଧ୍ୟ କାର୍ଯ୍ୟ ମଧ୍ୟ ରହିଛି। ଭାରତୀୟ ରେଳବାଇ ଦ୍ବାରା ନିର୍ମାଣ ଚାଲିଥିବା ଏହି ପୋଲର ବ୍ୟୟ ଅଟକଳ ୫୧୨ କୋଟି ଟଙ୍କା ରହିଛି।

ସମ୍ବନ୍ଧିତ ଖବର