୨୦୨୪ ମସିହାର ଫୋର୍ବସ୍ ବିଲିଅନେର୍ ତାଲିକା ଅନୁସାରେ ବ୍ରାଜିଲ୍‌ର ୧୯ ବର୍ଷୀୟ ଅଧ୍ୟୟନରତ ଛାତ୍ରୀ ଲିଭିଆ ଭୋଇଗ୍‌ଟ ହେଉଛନ୍ତି ପୃଥିବୀର ସର୍ବକନିଷ୍ଠ ବିଲିଅନେର୍‌। ଉତ୍ତରାଧିକାର ସୂତ୍ରରେ ଲିଭିଆଙ୍କ ନାମରେ ଡବ୍ଲ୍ୟୁଇଜି କମ୍ପାନିର ସିଂହଭାଗ ଅଂଶଧନ ରହିଛି। ଲିଭିଆଙ୍କ ଜେଜେବାପା ଏହି କମ୍ପାନିର ସହ-ପ୍ରତିଷ୍ଠାତା ଥିଲେ। ଏହି କମ୍ପାନି ହେଉଛି ଲାଟିନ୍‌ ଆମେରିକାର ସର୍ବବୃହତ୍‌ ବୈଦ୍ୟୁତିକ ମୋଟର୍‌ ନିର୍ମାତା। ୧୦ଟି ଦେଶରେ ଏହାର ଫ୍ୟାକ୍ଟ୍ରି ରହିଛି। ୨୦୨୨ରେ ଏହି କମ୍ପାନିର ଆୟର ପରିମାଣ ଥିଲା ୬ ବିଲିଅନ୍ ଡଲାର୍‌। ଲିଭିଆଙ୍କ ସମୁଦାୟ ସମ୍ପତ୍ତିର ପରିମାଣ ୧.୧ ବିଲିଅନ୍‌ ଡଲାର୍‌ ବା ୧୧୦ କୋଟି ଡଲାର୍‌। ଏତେ ସମ୍ପତ୍ତିର ଅଧିକାରିଣୀ ହୋଇଥିବା ସତ୍ତ୍ବେ ସେ ନିଜ ପାଠପଢ଼ା ପ୍ରତି ଉତ୍ସର୍ଗୀକୃତ ଅଛନ୍ତି। ଏବେ ସେ ବ୍ରାଜିଲ୍ ବିଶ୍ବବିଦ୍ୟାଳୟରେ ମନୋବିଜ୍ଞାନ ପଢୁଛନ୍ତି। ଲିଭିଆ ସର୍ବକନିଷ୍ଠ ବିଲିଅନେର୍‌ ହେବା ପୂର୍ବରୁ ଇଟାଲିର କ୍ଲିମେଣ୍ଟ ଡେଲ୍ ଭେଚିଓ ଏହି ରେକର୍ଡର ଅଧିକାରୀ ଥିଲେ, ଯିଏ ତାଙ୍କଠାରୁ ଦୁଇମାସ ବଡ଼। ୨୦୨୪ର ସର୍ବକନିଷ୍ଠ ବିଲିଅନେର୍‌ ତାଲିକାରେ ଲିଭିଆଙ୍କ ବଡ଼ ଭଉଣୀ ଡୋରା (୨୬) ମଧ୍ୟ ଅଛନ୍ତି। ଏବର୍ଷ ୩୩ ବର୍ଷରୁ କମ୍ ବୟସର ୨୫ ଜଣ ବିଲିଅନେର୍‌ ଫୋର୍ବସ୍‌ ତାଲିକାରେ ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ ସାତଜଣ ପ୍ରଥମ ଥର ଏହି ତାଲିକରେ ସ୍ଥାନ ପାଇଛନ୍ତି। ନୂଆ ନୂଆ ବିଲିଅନେର୍‌ମାନଙ୍କ ଅଭ୍ୟୁଦୟ ଯୋଗୁଁ ବିଶ୍ବ ସ୍ତରରେ ସମ୍ପତ୍ତିର ଆବଣ୍ଟନରେ ପରିବର୍ତ୍ତନ ପରିଲକ୍ଷିତ ହେଉଛି। ସମଗ୍ର ପୃଥିବୀରେ ଉଦ୍ୟମିତାର ଭବିଷ୍ୟତକୁ ଯୁବକମାନେ ଆକାର ଦେବାର କ୍ଷମତା ରଖନ୍ତି ବୋଲି ଏହି ତାଲିକା ହେଉଛି ଏକ ଜ୍ବଳନ୍ତ ପ୍ରମାଣ।