ଯେଉଁ ବୟସରେ ଅଧିକାଂଶ ପିଲା ବର୍ଣ୍ଣମାଳା ବୁଝିବା ପାଇଁ ସଂଘର୍ଷ କରନ୍ତି, ଜୋସେଫ୍ ହାରିସ୍-ବିର୍ଟିଲ୍ ନାମକ ବ୍ରିଟେନ୍ର ଦୁଇବର୍ଷର ଶିଶୁ ପୂରା ପୁସ୍ତକ ପଢ଼ିପାରୁଛି। ସେ ଏବେ ମୋର୍ସ କୋଡ୍ ଏବଂ ଗ୍ରୀକ୍ ବର୍ଣ୍ଣମାଳା ଶିକ୍ଷାରେ ମନୋନିବେଶ କରିବା ସହ ମୌଳିକ ପଦାର୍ଥର ପର୍ଯ୍ୟାୟ ସାରଣୀ ପ୍ରତି ଆଗ୍ରହ ଦେଖାଉଛି। ଜୋସେଫ୍ର ଏପରି ଅସାଧାରଣ କ୍ଷମତାକୁ ଚିହ୍ନି ପିତାମାତା ତା’ର ଅର୍ନ୍ତନିହିତ ଦକ୍ଷତାର ବିକାଶ ପାଇଁ ପରାମର୍ଶ ନିମନ୍ତେ ବିଶ୍ବର ସବୁଠାରୁ ବଡ଼ ତଥା ଉଚ୍ଚ-ଆଇକ୍ୟୁ ସଂଗଠନ ‘ମେନ୍ସା’ର ବ୍ରିଟିଶ ଶାଖା ସହିତ ଯୋଗାଯୋଗ କରିଥିଲେ। ‘ମେନ୍ସା’ ଏବେ ସଂପୃକ୍ତ ପରିବାରକୁ ସମର୍ଥନ କରିବା ସହ ୨ ବର୍ଷ ୧୮୨ ଦିନର ଜୋସେଫ୍କୁ ସେମାନଙ୍କ ଗୋଷ୍ଠୀକୁ ସ୍ୱାଗତ କରିବା ସହ ଆନୁଷ୍ଠାନିକ ଭାବରେ ତା’କୁ ସବୁଠୁ କମ୍ ବୟସର ଅତ୍ୟୁଚ୍ଚ ବୁଦ୍ଧିମାନର ମାନ୍ୟତା ଦେଇଛନ୍ତି। ଜୋସେଫ୍ର ବୁଦ୍ଧିମତ୍ତା ୯୯ ପ୍ରତିଶତ ଥିବା ଆକଳନ କରାଯାଇଛି।
ଜୋସେଫ୍ ବହୁତ କମ୍ ବୟସରୁ ବିରଳ ଦକ୍ଷତାର ପ୍ରଦର୍ଶନ କରିଥିଲା। ଭାଷାଗତ ବିକାଶ ଦୃଷ୍ଟିରୁ ଦେଖିବାକୁ ଗଲେ ପିଲାମାନେ ପ୍ରାୟ ୧୨ ମାସ ବୟସରେ ସେମାନଙ୍କର ପ୍ରଥମ ଶବ୍ଦ ଉଚ୍ଚାରଣ କରିଥା’ନ୍ତି। ସେହିପରି ଜଣେ ପିଲା ପ୍ରାୟ ପାଞ୍ଚ କିମ୍ବା ଛଅ ବର୍ଷ ବୟସ ପର୍ଯ୍ୟନ୍ତ କୌଣସି ପ୍ରକାରର ଗୋଟିଏ ଭାଷାରେ ପଢ଼ିବା ମଧ୍ୟ ସାଧାରଣତଃ ଆଶା କରାଯାଏ ନାହିଁ। ମାତ୍ର ଜୋସେଫ୍ ସାତ ମାସ ବୟସ ବେଳେ ପ୍ରଥମ ଶବ୍ଦ କହିଥିଲା ଏବଂ ବର୍ଷେ ୯ ମାସ ବେଳେ ପ୍ରଥମ ପୁସ୍ତକକୁ ଆରମ୍ଭରୁ ଶେଷ ଯାଏ ବଡ଼ପାଟିରେ ପଢ଼ିପାରିଥିଲା। ଅଢ଼େଇ ବର୍ଷ ବୟସରେ ସେ ଥରକେ ୧୦ ମିନିଟ୍ ପାଇଁ ଉଚ୍ଚସ୍ୱରରେ ପଢୁଥିଲା, ୫ଟି ଭାଷାରେ ୧୦ ପର୍ଯ୍ୟନ୍ତ ଗଣନା କରିପାରିଥିଲା ଏବଂ ଆଗକୁ-ପଛକୁ ୧୦୦ରୁ ଅଧିକ ଗଣନା କରିପାରିଥିଲା। ବାସ୍ତବରେ ଏଭଳି ଶିଶୁ ପ୍ରତିଭା ବିରଳ, କିଛି ଆକଳନ ଅନୁସାରେ ୫ରୁ ୧୦ ନିୟୁତ ମଧ୍ୟରେ ଗୋଟିଏ ଦୃଷ୍ଟାନ୍ତ ହୋଇପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/04/DXCqp9KiQ9PyZRxMoo7h.jpg)