‘ଜୋମ୍ବି’ ଜିନ୍‌ ଥିବାରୁ ହାତୀକୁ କ୍ୟାନ୍‌ସର୍‌ ହୁଏ ନାହିଁ; ମଣିଷ ପାଇଁ ସେ ଭଳି ଔଷଧ ତିଆରି କରିବେ ବୈଜ୍ଞାନିକ

ହାତୀକୁ କର୍କଟ ରୋଗରୁ ସୁରକ୍ଷା ଦେଉଥିବା ‘ଜୋମ୍ବି’ ନାମକ ଗୁଣସୂତ୍ର ବା ଜିନ୍‌କୁ ଗବେଷକମାନେ ଚିହ୍ନଟ କରିଛନ୍ତି। ଏହି ଆବିଷ୍କାର ମଣିଷଙ୍କ କର୍କଟ ରୋଗର ନୂତନ ଚିକିତ୍ସା ପାଇଁ ବାଟ ଫିଟାଇବ। ବିଶ୍ୱରେ ପ୍ରତି ୬ ଜଣରେ ଜଣେ କର୍କଟ ରୋଗ କାରଣରୁ ମୃତ୍ୟୁ ମୁଖରେ ପଡୁଛି। କିନ୍ତୁ, ମଣିଷ ଅକ୍ତିଆରରେ ଥିବା ହାତୀମାନଙ୍କ ମଧ୍ୟରୁ ୫% କର୍କଟ ରୋଗାକ୍ରାନ୍ତ ହେଉଛନ୍ତି।

ମାନବ ଓ ହାତୀମାନଙ୍କ ଦେହରେ ଥିବା ମାଷ୍ଟର୍‌ ଟ୍ୟୁମର୍‌ ସପ୍ରେସର୍‌ ଜିନ୍‌ ଥାଏ। ତାହା ହେଉଛି ପି୫୩। ଏହି ଜିନ୍‌ ମରାମତି ହୋଇ ନ ପାରି ଥିବା ଡିଏନ୍‌ଏକୁ ଚିହ୍ନଟ କରିଥାଏ। ଚିକାଗୋ ବିଶ୍ୱବିଦ୍ୟାଳୟର ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ହାତୀ ଦେହରେ ୨୦ କପି ପି୫୩ ଜିନ୍‌ ଥାଏ। ଏଥି ହାତୀ ଶରୀରରେ ନଷ୍ଟ ହୋଇ କର୍କଟ ରୋଗର କାରଣ ହେଉଥିବା ଡିଏନ୍‌ଏଗୁଡ଼ିକୁ ତୁରନ୍ତ ଠାବ କରିଥାଏ।

ଏହାଛଡ଼ା ହାତୀ ଦେହରେ ଲ୍ୟିକିମିଆ ଇନ୍‌ହିବିଟୋରି ଫ୍ୟାକ୍ଟର୍‌ ୬ (ଏଲ୍‌ଆଇଏଫ୍‌୬) ନାମକ କର୍କଟ ରୋଗ ନିରୋଧୀ ଜିନ୍‌ ଥାଏ। ପି୫୩ ଦ୍ୱାରା ସକ୍ରିୟ ହେବା ପରେ ଏଲ୍‌ଆଇଏଫ୍‌୬ ନଷ୍ଟ ହୋଇଥିବା ଡିଏନ୍‌ଏ କୋଷକୁ ହତ୍ୟା କରିଥାଏ। ସବୁ ସମୟରେ ଜିନ୍‌ ନକଲ କରି ଚାଲନ୍ତି। କିନ୍ତୁ ବେଳେ ବେଳେ ସେମାନେ ଭୁଲ୍‌ କରି ପକାନ୍ତି। ତାହା ହେଲା ମୃତ ଜିନ୍‌ ବା ଗୁଣସୂତ୍ର।

ଏଲ୍‌ଆଇଏଫ୍‌୬ ଜିନ୍‌ ତିଆରି କରୁଥିବା ପୁଷ୍ଟିସାର ତୁରନ୍ତ ଜୀବକୋଷର ମୁଖ୍ୟ ଶକ୍ତି ଉତ୍ସ ମାଇଟୋକୋଣ୍ଡିଆକୁ ଚାଲିଯାଏ। ସେ ପୁଷ୍ଟିସାର ମାଇଟୋକୋଣ୍ଡିଆକୁ ଫୁଟାଇ ଜୀବକୋଷକୁ ମାରିଥାଏ। ପରେ ଏହି ମୃତ ଜୀବକୋଷ କର୍କଟ ରୋଗର କାରଣ ହୋଇଥାଏ। କିନ୍ତୁ, ହାତୀ ଦେହରେ ଥିବା ଜୋମ୍ବି ଜିନ୍‌ ଡିଏନ୍‌ଏ ନଷ୍ଟ ହୋଇ ନିଷ୍କ୍ରିୟ ହୋଇ ପଡ଼ିଥିବା ଜୀବକୋଷଗୁଡ଼ିକୁ ମାରି କର୍କଟ ରୋଗ ହେବାର ଆଶଂକା ଦୂରେଇ ଦେଇଥାଏ।

ଜୋମ୍ବି ଜିନ୍‌ର ଏଭଳି କାର୍ଯ୍ୟ ପ୍ରଣାଳୀକୁ ଅନୁଧ୍ୟାନ କରି ମଣିଷ ଶରୀରରେ ସେହି ପରି କର୍କଟ ରୋଗର ଚିକିତ୍ସା ପାଇଁ ନୂତନ ଔଷଧ ଉଦ୍ଭାବନ ପାଇଁ ଉଦ୍ୟମ କରିହେବ ବୋଲି ଗବେଷକ କହୁଛନ୍ତି।

ସମ୍ବନ୍ଧିତ ଖବର