ନୁଡଲ୍‌ରେ ଲେଖାଯାଇଛି ବୌଦ୍ଧ ଧର୍ମର ପବିତ୍ର ମନ୍ତ୍ର

ପ୍ରତ୍ୟେକ ଧର୍ମର ବିଭିନ୍ନ ଗ୍ରନ୍ଥ ଅଛି ଯେଉଁଥିରେ ଧର୍ମ, ଭଗବାନ ଓ ମାନବିକତା ସହ ସମ୍ପର୍କିତ ତାତ୍ତ୍ବିକ କଥାର ଉଲ୍ଲେଖ ଦେଖିବାକୁ ମିଳେ। ସ୍ବାଭାବିକ ଭାବେ ଧର୍ମଗ୍ରନ୍ଥକୁ ସବୁଠାରୁ ପବିତ୍ର ପୁସ୍ତକ ରୂପେ ବିବେଚନା କରାଯାଇଥାଏ। କେହି ଧର୍ମ ଗ୍ରନ୍ଥକୁ କ୍ଷୁଦ୍ରତମ କାଗଜରେ ଲେଖି ରେକର୍ଡ କରିଛନ୍ତି ତ ଆଉ କିଏ ସର୍ବବୃହତ୍ ଆକାରରେ ଧର୍ମ ଗ୍ରନ୍ଥର ସ୍ବରୂପକୁ ପ୍ରକାଶ କରିଛନ୍ତି। ଜାପାନର ଏକ ରେସ୍ତୋରାଁ ଧର୍ମ ଗ୍ରନ୍ଥକୁ ନେଇ ଏକ ଅଭିନବ ପ୍ରୟାସ କରି ଏବେ ଚର୍ଚ୍ଚିତ ହୋଇଛି। ଏହି ରେସ୍ତୋରାଁରେ ଏକପ୍ରକାର ନୁଡଲ୍ ମିଳୁଛି ଯେଉଁଥିରେ ବୌଦ୍ଧ ଧର୍ମର ପବିତ୍ର ମନ୍ତ୍ର ଲେଖାଯାଇଛି। ‘ନିତ୍ତାନୋସୋ କାଞ୍ଜାନ୍‌ଟି’ ନାମକ ଉକ୍ତ ରେସ୍ତୋରାଁଟି ଜାପାନର ଓଟା ସହରରେ ଅଛି। ସେଠାରେ କିନ୍ତୁ ଏହି ନୁଡଲ୍‌କୁ ଖାଇବା ଲାଗି ପରଷାଯାଏ ନାହିଁ। ଏହାକୁ ଜଣେ କିଣିନେଇ ଘରେ ପ୍ରସ୍ତୁତ କରି ଖାଇପାରିବ। ଆୟତାକାରରେ କଟା ନୁଡଲ୍‌ ଉପରେ ଜାପାନିଜ୍ ଭାଷାରେ ‘ହୃଦୟ ସୂତ୍ର’ର ମନ୍ତ୍ରକୁ ଛାପି ଏହି ସ୍ବତନ୍ତ୍ର ନୁଡଲ୍‌ ପ୍ରସ୍ତୁତ କରାଯାଇଛି।

ଉଲ୍ଲେଯୋଗ୍ୟ ଯେ ‘ହୃଦୟ ସୂତ୍ର’ ବୌଦ୍ଧ ଧର୍ମର ସବୁଠାରୁ ପବିତ୍ର ଗ୍ରନ୍ଥ ଭାବେ ପରିଗଣିତ। ଅନେକ ବୌଦ୍ଧ ମନ୍ଦିରରେ ‘ହୃଦୟ ସୂତ୍ର’କୁ ମୁଦ୍ରିତ ପୁସ୍ତିକା ରୂପରେ ପ୍ରଦାନ କରାଯାଇଥାଏ। ଉକ୍ତ ରେସ୍ତୋରାଁ ଏହାକୁ ନୁଡଲ୍‌ ଉପରେ ମୁଦ୍ରିତ କରିବା ଲାଗି ପୋଡ଼ା ବାଉଁଶ ଓ ସିରା ବ୍ୟବହାର କରିଥାଏ। ଏହି ନୁଡଲ୍‌ର ବିଶେଷତ୍ବ ହେଲା ଏହାକୁ ରାନ୍ଧିବା ପରେ ମଧ୍ୟ ମୁଦ୍ରିତ ମନ୍ତ୍ରଗୁଡ଼ିକୁ ସ୍ପଷ୍ଟ ପଢ଼ିହୋଇଥାଏ। ତିନି ଜଣ ଖାଇବା ପାଇଁ ଉଦ୍ଦିଷ୍ଟ ଗୋଟିଏ ନୁଡଲ୍‌ ପ୍ୟାକେଟ୍‌ର ମୂଲ୍ୟ ୧୨ ଡଲାର୍‌ ବା ପ୍ରାୟ ୧୦୦୦ ଟଙ୍କା।

ସମ୍ବନ୍ଧିତ ଖବର