ଜଣିଛନ୍ତି କି? ଭାରତରେ ପ୍ରାୟ ୧୦ଟି ଭିନ୍ନ ଭିନ୍ନ ପ୍ରକାରର ଗୁପଚୁପ ମିଳେ

ଭାରତରେ କ୍ଷେତ୍ର ଆଧାରରେ ଖାଦ୍ୟର ବିଭିନ୍ନ ନାମ ଅଛି। ସେଥିମଧ୍ୟରେ ଅତି ପରିଚିତ ଗୁପ୍‌ଚୁପ୍‌ ହେଉଛି ଅନ୍ୟତମ। ଭାରତରେ ପ୍ରାୟ ୧୦ଟି ଭିନ୍ନ ଭିନ୍ନ ପ୍ରକାରର ଗୁପଚୁପ ମିଳେ। ଭାରତର ଏହି ଲୋକପ୍ରିୟ ଷ୍ଟ୍ରିଟ ଫୁଡକୁ ଦେଶର ବିଭିନ୍ନ ଅଞ୍ଚଳରେ ଅଲଗା ଅଲଗା ନାମରେ ଜଣାଯାଏ। ପ୍ରାୟତଃ ଅଧିକାଂଶ ସମୟରେ ଗୁପଚୁପର ରେସିପି ସମାନ ଥାଏ, ହେଲେ ତାର ସ୍ୱାଦରେ ବହୁତ ପାର୍ଥକ୍ୟ ଥାଏ। ଗୁପଚୁପ ଓ ପୁଚକା ଖାଉଥିବା ଲୋକ ଗୋଲଗପ୍ପା ଓ ପାନିପୁରିର ସ୍ୱାଦ ସହିତ ଆଡଜଷ୍ଟ କରିପାରନ୍ତିନି କାହିଁକି ? ଆସନ୍ତୁ ଜାଣିବା ସବୁଠୁ ଲୋକପ୍ରିୟ ଗୁପଚୁପର ପ୍ରକାର ବିଷୟରେ।

ପାନିପୁରି : ଏହା ଛଣାହୋଇଥିବା ଗୋଲ ଆକୃତିର ଫମ୍ପା ପୁରି ଯେଉଁଥିରେ ଆଳୁ, ବୁଟ ଓ ଚାଟ ମସଲାର ମିଶ୍ରଣ ଥାଏ। ଏହାକୁ ମିଠା, ମସଲା ଯୁକ୍ତ ପାଣି ଓ ତେନ୍ତୁଳି ଚଟଣିରେ ଖିଆ ହୁଏ । ଏହା ଏକ ପ୍ରସିଦ୍ଧ ଷ୍ଟ୍ରିଟ ସ୍ନାକ ଯାହାର ସ୍ୱାଦ ବିଭିନ୍ନ ଅଂଚଳ ଅନୁଯାୟୀ ଭିନ୍ନ ଭିନ୍ନ।

ଗୁପଚୁପ : ଗୁପଚୁପ ଏକ ମଜାଳିଆ ନାଁ। କାରଣ ଏହା ମୁହଁ ଭିତରେ ଭର୍ତ୍ତି ହୋଇଯାଏ ଓ ଖଟା ପାଣିର ସ୍ୱାଦ ଆପଣଙ୍କୁ କିଛି ସମୟ କହିବାକୁ ଦିଏନି। ଓଡିଶା, ଝାରଖଣ୍ଡ, ଛତିଶଗଡ, ବିହାରର କିଛି ଅଂଚଳ, ହାଇଦ୍ରାବାଦ ଓ ତେଲେଙ୍ଗାନାରେ ଏହାକୁ ଗୁପଚୁପ କୁହାଯାଏ। ଆଳୁ, ଧଳା ମଟର ଓ ବୁଟ ଭର୍ତ୍ତି ଗୁପଚୁପକୁ ଖଟା-ମିଠା ପାଣିରେ ଖାଆନ୍ତି।

ପୁଚକା : ଭାରତର ପୂର୍ବାଞ୍ଚଳରେ ଅର୍ଥାତ ବିହାର, ଝାରଖଣ୍ଡ ଓ ପଶ୍ଚିମବଙ୍ଗରେ ଏହା ପୁଚକା ନାମରେ ଜଣା। ସିଝା ଚଣା ଓ ଆଳୁରେ ଭର୍ତ୍ତି ଏହି ପୁଚକାକୁ ଖଟା ଚଟଣି ଓ ମସଲା ଯୁକ୍ତ ପାଣି ସହିତ ଖାଆନ୍ତି। ଏହା ସାଧାରଣ ପୁରୀ ଅପେକ୍ଷା ଟିକେ ବଡ ଥାଏ। ଏହା ଗହମ ଅଟାରେ ତିଆରି।

ପକୋଡି : ଏହି ପକୋଡିରମାନେ ବେସନ ତିଆରି ପକୁଡି ନୁହେଁ। ଏହା ଏକ ପ୍ରକାରର ଗୁପଚୁପ ଯାହାକୁ ଅଭ୍ୟନ୍ତର ଗୁଜରାଟ ଓ ମଧ୍ୟ ପ୍ରଦେଶରେ ପକୋଡି କୁହାଯାଏ। କଞ୍ଚା ଲଙ୍କା ଓ ପୁଦିନା ପତ୍ରରେ ତିଆରି ପାଣି ଓ ଛଣା ସେଓ ଏହାର ସ୍ୱାଦକୁ ଦ୍ୱିଗୁଣିତ କରି ଦିଏ।

ପଡାକା : ଗୁପଚୁପକୁ ଉତ୍ତର ପ୍ରଦେଶର ଅଲିଗଡରେ ପଡାକା କୁହାଯାଏ। ଏହାର ରେସିପି ପାଖାପାଖି ସମାନ ଥିଲେ ବି ସ୍ୱାଦରେ ସମାନ୍ୟ ଅଲଗା।

ଗୋଲ ଗପ୍ପେ : ମସଲା ଯୁକ୍ତ ପାଣିରେ ଭର୍ତ୍ତି ସ୍ୱାଦ ପୂର୍ଣ୍ଣ ପୁରିକୁ ନୁଆ ଦିଲ୍ଲୀ, ପଂଜାବ, କମ୍ମୁ ଓ କାଶ୍ମୀର, ହରିୟାଣା, ମଧ୍ୟ ପ୍ରଦେଶ ଓ ହିମାଚଳ ପ୍ରଦେଶରେ ଗୋଲ ଗପ୍ପେ ଭାବେ ଜଣାଯାଏ। ଆଳୁ, ବୁଟ, ଚଟଣିର ମିଶ୍ରଣରେ ତିଆରି ଏହି ଗୋଲ ଗପ୍ପେକୁ ଖଟା ପାଣିରେ ଖିଆ ଯାଏ। ଏହା କଡମଡିଆ ହୋଇଥିବାରୁ ଖାଇବାକୁ ଅଧିକ ଇଚ୍ଛା ହୁଏ।

ପାନି କେ ପତାଶେ : ଉତ୍ତର ପ୍ରଦେଶରେ ଏହି ନାମରେ ପ୍ରସିଦ୍ଧ । ଏହାର ମୁଖ୍ୟ ଉପାଦାନ ସାଧାରଣ ଗୁପଚୁପ ସହ ସମାନ କିନ୍ତୁ ଏହାର ପାଣିରେ ଭିନ୍ନ ପ୍ରକାରର ମସଲା ପଡିଥାଏ । ଯାହା ପାଣିକୁ ଆହୁରି ମସଲାଯୁକ୍ତ କରି ଦିଏ।

ପାନି କେ ବତାଶେ : ମଧ୍ୟ ଭାରତରେ, ଉତ୍ତର ପ୍ରଦେଶ ଓ ରାଜସ୍ଥାନର କେତେକ ଅଂଚଳରେ ଏହା ପାନି କେ ବତାଶେ ନାମରେ ପରିଚିତ। ଏହା ଏକ ସାଧାରଣ ଗୁପଚୁପ ।

ଟିକ୍କି : ଟିକେ ଅବିଶ୍ୱସନୀୟ, କିନ୍ତୁ ମଧ୍ୟ ପ୍ରଦେଶର ହୋଶଙ୍ଗାବାଦରେ ଏହାକୁ ଟିକ୍କି କୁହାଯାଏ। ଏହା ଆକୃତିରେ ଛୋଟ ଥାଏ।

ଫୁଲକି : ଉତ୍ତର ପ୍ରଦେଶ, ଗୁଜରାଟ ଓ ନେପାଳରେ ଏହାକୁ ଫୁଲକି କୁହାଯାଏ। ଏହାର ପ୍ରସ୍ତୁତି ପ୍ରଣାଳୀରେ କିଛି ପାର୍ଥକ୍ୟ ନାହିଁ। କେବଳ ନାଁଟି ଭିନ୍ନ।

ସମ୍ବନ୍ଧିତ ଖବର