ଭାରତୀୟ ପ୍ରାଶାସନିକ ସେବାରୁ ନେଇ ରାଜନୀତି ପର୍ଯ୍ୟନ୍ତ, ସବୁଠି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଅପରାଜିତା ଷଡ଼ଙ୍ଗୀ। ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ବିଜେପିରେ ଯୋଗଦେବା ପରେ ସେ କ୍ରମାଗତ ଦୁଇଥର ସାଂସଦ ନିର୍ବାଚିତ ହୋଇଛନ୍ତି। ସେ ଲୋକସଭାରେ ସଂସଦୀୟ ଦଳର ମୁଖ୍ୟ ସଚେତକ ଭାବେ କାର୍ଯ୍ୟକରିବା ସହ ବୈଦେଶିକ ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ୱାକଫ୍ ବ୍ୟାପାର ଭଳି ଗୁରୁତ୍ୱପୂର୍ଣ୍ଣ ସଂସଦୀୟ କମିଟିର ସଦସ୍ୟ ରହିଛନ୍ତି। ସଂପ୍ରତି ଅପରାଜିତାଙ୍କୁ ସଂସଦରେ ଆଗତ ହେବାକୁ ଥିବା ୧୩୦ତମ ସଂବିଧାନ ସଂଶୋଧନ ଅଧିନିୟମ-୨୦୨୫, ଜମ୍ମୁକାଶ୍ମୀର ପୁନର୍ଗଠନ ସଂଶୋଧନ ଅଧିନିୟମ-୨୦୨୫ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ସଂଶୋଧନ ଅଧିନିୟମ-୨୦୨୫ ପ୍ରସଙ୍ଗର ଅନୁଧ୍ୟାନ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟି (ଜେପିସି)ର ଅଧ୍ୟକ୍ଷା ନିଯୁକ୍ତ କରାଯାଇଛି। ଜେପିସିର ଅଧ୍ୟକ୍ଷା ଭାବେ ମନୋନୀତ ହେବାପରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହ ତାଙ୍କ ରାଜନୈତିକ ଯାତ୍ରା, ପ୍ରଶାସନିକ ଅଭିଜ୍ଞତା ଏବଂ ଦିଲ୍ଲୀ ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶା ଲିଙ୍କ୍ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ବରିଷ୍ଠ ପ୍ରତିନିଧି ବିଭୂତି ପତି
ଅଳ୍ପରେ ଅପରାଜିତା
୧୯୬୯ ଅକ୍ଟୋବର ୮ ତାରିଖରେ ଅପରାଜିତା ମିଶ୍ର (ଷଡ଼ଙ୍ଗୀ) ବିହାରସ୍ଥିତ ମୁଜାଫର୍ପୁରର ଏକ ଶିକ୍ଷାବିତ୍ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ବାପା ଅଜିତ ମିଶ୍ର ଇଂରାଜୀ ସାହିତ୍ୟରେ ବରିଷ୍ଠ ଅଧ୍ୟାପକ ହୋଇଥିବା ବେଳେ ମା’ କୁସୁମ ମିଶ୍ର ଥିଲେ ଇଂରାଜୀ ଶିକ୍ଷୟିତ୍ରୀ। ଅପରାଜିତା ଭାଗଲ୍ପୁର ବିଶ୍ୱବିଦ୍ୟାଳୟର ସୁନ୍ଦରବତୀ ମହିଳା ମହାବିଦ୍ୟାଳୟରୁ ଇଂରାଜୀ ସାହିତ୍ୟରେ ସ୍ନାତକ କରିଥିଲେ। ବିଦ୍ୟାର୍ଥୀ ଜୀବନରେ ସେ ସବୁବେଳେ ପ୍ରଥମ ଶ୍ରେଣୀରେ ହିଁ ଉତ୍ତୀର୍ଣ୍ଣ ହେଉଥିଲେ। ମାତ୍ର ୨୪ ବର୍ଷ ବୟସରେ ୧୯୯୪ରେ ସେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସଫଳ ହୋଇ ୧୯୯୬ରେ ସେ ଓଡ଼ିଶାରେ ଚାକିରି ଜୀବନ ଆରମ୍ଭ କରିଥିଲେ। ୧୯୯୮ରୁ ୨୦୦୬ ପର୍ଯନ୍ତ ସେ କୋରାପୁଟ, ନୂଆପଡ଼ା ଓ ବରଗଡ଼ରେ ଜିଲ୍ଲାପାଳ କାର୍ଯ୍ୟ କରିଥିଲେ। ୨୦୦୯ରେ ସେ ଭୁବନେଶ୍ୱର ମହାନଗର ନିଗମ କମିସନର୍ ଭାବେ କାର୍ଯ୍ୟ କରିବା ସମୟରେ ନିଜର ଦକ୍ଷତାକୁ ନେଇ ସମସ୍ତଙ୍କର ପ୍ରିୟପାତ୍ରୀ ହୋଇଥିଲେ ଏବଂ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାଜିତାଙ୍କୁ ଉଚ୍ଚପ୍ରଶଂସା କରିଥିଲେ। ଏହାପରେ ସେ ଗଣଶିକ୍ଷା, ପଞ୍ଚାୟତିରାଜ ଓ ବୟନଶିଳ୍ପ ବିଭାଗରେ ଓଡ଼ିଶା ସରକାରଙ୍କ ସଚିବ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ୨୦୧୩ରେ ସେ କେନ୍ଦ୍ର ସରକାରରେ ଯୁଗ୍ମସଚିବ ପଦବିରେ ରହିଥିଲେ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟର ଦାୟିତ୍ୱରେ ଥିବା ସମୟରେ ଅନେକ ଗ୍ରାମ ବିକାଶ ଯୋଜନା ସଫଳତାର ସହ ପରିଚାଳନା କରିଥିଲେ। ତାଙ୍କର ପ୍ରାଶାସନିକ ଦକ୍ଷତା ଓ ସେବା ପାଇଁ ସେ ୨୦୧୨ରେ ପ୍ରସିଦ୍ଧ ଶକ୍ତି ସମ୍ମାନରେ ସମ୍ମାନିତା ହୋଇଥିଲେ। ୨୦୧୮ ନଭେମ୍ବର ୨୭ରେ ସେ ଆଇଏଏସ୍ ଚାକରିରୁ ଇସ୍ତଫା ଦେଇ ବିଜେପିରେ ଯୋଗଦେଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରତିଦ୍ବନ୍ଦ୍ବିତାକରି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।
ଆପଣ ଏକ ଗୁରୁତ୍ବପୂର୍ଣ୍ଣ ଯୁଗ୍ମ ସଂସଦୀୟ କମିଟିର ଅଧ୍ୟକ୍ଷା ଭାବେ ଅବସ୍ଥାପିତ ହୋଇଛନ୍ତି। ଏହି ଦାୟିତ୍ବକୁ ସଂପାଦନ କରିବା ଲାଗି ଆପଣ କିଭଳି କାର୍ଯ୍ୟଧାରା ଆପଣାଇବେ?
ସମ୍ମାନୀୟ ଲୋକସଭା ବାଚସ୍ପତି ଓମ୍ ବିର୍ଲା ମୋ ଉପରେ ଗଭୀର ଆସ୍ଥା ପ୍ରକଟକରି ଏଭଳି ଗୁରୁଦାୟିତ୍ବ ତୁଲାଇବାକୁ ମନୋନୀତ କରିଥିବାରୁ ମୁଁ କୃତଜ୍ଞ। ଏହା ଗୋଟିଏ ବିରାଟ ଆହ୍ବାନ। ମୁଁ ଶତପ୍ରତିଶତ ନିଷ୍ଠା ଓ ଆସ୍ଥାର ସହିତ ଏହି କାର୍ଯ୍ୟ ସମସ୍ତଙ୍କୁ ସଙ୍ଗରେ ନେଇ ସଂପାଦନ କରିବି। ତିନିଟି ମହତ୍ତ୍ବପୂର୍ଣ୍ଣ ବିଲ୍ ଉପରେ ଆମେ ୩୧ଜଣ (୨୧ ଲୋକସଭା ଓ ୧୦ ରାଜ୍ୟସଭା ସାଂସଦ) ସଦସ୍ୟ ପ୍ରତ୍ୟେକ ପ୍ରସଙ୍ଗକୁ ତନ୍ନତନ୍ନ କରି ଅନୁଧ୍ୟାନ କରିବୁ। ଏଥିରେ ସମସ୍ତଙ୍କର ମତାମତ ନେବା ପରେ ଯେଉଁ ନିର୍ଯ୍ୟାସ ବାହାରିବ ସେହି ରିପୋର୍ଟ ମୁଁ ମାନନୀୟ ବାଚସ୍ପତି ଓମ୍ ବିର୍ଲାଙ୍କ ନିକଟରେ ଉପସ୍ଥାପନ କରିବି। କିନ୍ତୁ, ବର୍ତ୍ତମାନଠାରୁ ଏହାର ସମୟସୀମା ଏବଂ ଏହାକୁ ନେଇ ଅଧିକ କିଛି ଆକଳନ କରିବା ସମ୍ଭବ ନୁହେଁ।
ଆପଣଙ୍କର ଦୀର୍ଘ ୨୪ ବର୍ଷର ପ୍ରାଶାସନିକ (୧୯ ବର୍ଷ ରାଜ୍ୟରେ ଓ ୫ ବର୍ଷ କେନ୍ଦ୍ରରେ) ଅଭିଜ୍ଞତା ରହିଛି। ଦିଲ୍ଲୀ ଆତଙ୍କବାଦୀଙ୍କ ଆକ୍ରମଣରେ ଓଡ଼ିଶା ଲିଙ୍କ୍ ଆସିବା ପରେ ରାଜ୍ୟର ପୁଲିସ ପ୍ରଶାସନ ଓ ପ୍ରାଶାସନିକ କଳ କିଭଳି କାର୍ଯ୍ୟ କରିବା ଉଚିତ?
କୌଣସି ପରିସ୍ଥିତିରେ କୌଣସି ପ୍ରକାରର ଆତଙ୍କବାଦୀ କାର୍ଯ୍ୟକଳାପ ଗ୍ରହଣଯୋଗ୍ୟ ନୁହେଁ। ଯୁଦ୍ଧ ଭାରତର ପ୍ରାଥମିକତା କିମ୍ବା ପସନ୍ଦ ନୁହେଁ। ମାତ୍ର ଆତଙ୍କବାଦ ମାଧ୍ୟମରେ ଆମ ଉପରେ ଏହା ଲଦିଦେଲେ ଏହାକୁ ବରଦାସ୍ତ କରାଯିବ ନାହିଁ। ଏହା ହେଉଛି ଆମ ସରକାର ଓ ପ୍ରିୟ ପ୍ରଧାନମନ୍ତ୍ରୀଙ୍କର ଖୋଲା ଆହ୍ବାନ। ଦ୍ବିତୀୟରେ, ଓଡ଼ିଶା ଲିଙ୍କ୍ କଥା ସାମ୍ନାକୁ ଆସିବାପରେ ଆମ ପୁଲିସବାହିନୀ ଓ ପ୍ରାଶାସନିକ ଅଧିକାରୀଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ସତର୍କ ରହିବାକୁ ପଡ଼ିବ। ଆଇନଶୃଙ୍ଖଳା ସହିତ କୌଣସି ପ୍ରକାରର ସାଲିସ ଗ୍ରହଣୀୟ ନୁହେଁ। ବର୍ତ୍ତମାନ ଆମକୁ ‘ପ୍ରିଭେଣ୍ଟିଭ୍ ଆକ୍ସନ୍’ ପାଇଁ ଦୃଢ଼ ଆଭିମୁଖ୍ୟ ଆପଣାଇ ଗୁଇନ୍ଦା ବିଭାଗକୁ ଶକ୍ତିଶାଳୀ କରିବା ଦରକାର। ସେହିପରି ‘ପିୟୁନିଟିଭ୍ ଆକ୍ସନ୍’ ମାଧ୍ୟମରେ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଭାବେ ଦଣ୍ଡିତ କରିବା ଦରକାର। ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ରାଜ୍ୟ ସରକାରଙ୍କ ଦାୟିତ୍ବ। ତେଣୁ ବର୍ତ୍ତମାନଠାରୁ ସଜାଗ ହୋଇ ଓଡ଼ିଶାରେ ଆତଙ୍କବାଦୀଙ୍କ ଷଡ଼୍ଯନ୍ତ୍ରକୁ ଆମେ ସମସ୍ତେ ମିଳିମିଶି ପଣ୍ଡ କରିବାର ସମୟ ଉପନୀତ।
ଆପଣ ନବୀନ ପଟ୍ଟନାୟକଙ୍କ ସରକାରରେ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ ଏବଂ ରାଜନୀତିକୁ ଆସି ତାଙ୍କ ପ୍ରତିପକ୍ଷ ଦଳରେ ସାମିଲ ହେଲେ। ତାଙ୍କ ବ୍ୟକ୍ତିତ୍ବର ଭଲ ଓ ଭେଲ ଦିଗକୁ ନେଇ କ’ଣ ମତ ଦେବେ?
ଆଦରଣୀୟ ନବୀନ ପଟ୍ଟନାୟକ ଜଣେ ଅଭିଜ୍ଞତାସଂପନ୍ନ ରାଜନେତା। ସେ ଶାସନ କ୍ଷମତାରେ ଥିବାବେଳେ ସବୁବେଳେ ମୋତେ ସହଯୋଗ କରିଛନ୍ତି ଏବଂ କେବେ ହସ୍ତକ୍ଷେପ କରିନାହାନ୍ତି। ମୁଁ ବିଏମ୍ସି କମିସନର୍ ଥିବାବେଳେ ସୁନ୍ଦର ଭୁବନେଶ୍ବର ଗଢ଼ିବା ପରିକଳ୍ପନାକୁ କାର୍ଯ୍ୟକାରୀ କରିବାରେ ସେ ମୋତେ ପୂର୍ଣ୍ଣ ସମର୍ଥନ ଓ ସହଯୋଗ ଦେଇଥିଲେ। ତାଙ୍କ ପ୍ରତି ମୋର ଅଗାଧ ଶ୍ରଦ୍ଧା ଓ ସମ୍ମାନ ରହିଛି। କିନ୍ତୁ ପରବର୍ତ୍ତୀ ସମୟରେ ଜଣେ ରାଜନେତା ଭାବେ ସେ ତାଙ୍କ ଦାୟିତ୍ବକୁ ଯେଉଁଭଳି ଭାବେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ହସ୍ତାନ୍ତର କରିଦେଲେ ତାହା ଗ୍ରହଣୀୟ ନୁହେଁ।
ଦୀର୍ଘ ୧୯ ବର୍ଷଧରି ଜିଲ୍ଲାପାଳରୁ ନେଇ ସଚିବ ପର୍ଯ୍ୟନ୍ତ ବିଭିନ୍ନ ପଦପଦବିରେ ଆପଣ କାର୍ଯ୍ୟ କରିଛନ୍ତି। ପ୍ରଶାସକ ଜୀବନରେ ଆପଣ ସାମ୍ନା କରିଥିବା ସବୁଠାରୁ କଠିନ ପରିସ୍ଥିତିକୁ କିପରି ମୁକାବିଲା କରିଥିଲେ?
ଦେଖନ୍ତୁ, ମୁଁ ମୋର ପ୍ରଶାସନିକ ଜୀବନରେ ଦୁଇଟି କଠିନ ପରିସ୍ଥିତିର ମୁକାବିଲା କରିଥିଲି, ଯାହା ଆଜି ବି ମନେପଡ଼ିଲେ ମୋତେ ଖୁସି ଲାଗେ। ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ମହାବାତ୍ୟା ସମୟରେ ବାଲିଅନ୍ତା ଓ ବାଲିପାଟଣା ବ୍ଲକ୍ର ଧ୍ବସ୍ତବିଧ୍ବସ୍ତ ପରିସ୍ଥିତି ଦେଖି ମୁଁ ଦୁଃଖରେ ମ୍ରିୟମାଣ େହାଇପଡ଼ିଥିଲି। କିନ୍ତୁ ସ୍ଥାନୀୟ ଜନସାଧାରଣ ମୋ ସହିତ ରାତିଦିନ ଅକ୍ଳାନ୍ତ ପରିଶ୍ରମ କରି ମହାବାତ୍ୟାର ସେହି ଉଜୁଡ଼ା ଜୀବନକୁ ସଜାଡ଼ି ଦେଇଥିଲେ। ଆଜି ବି ସେକଥା ମନେପଡ଼ିଲେ ମୋତେ ଖୁସି ଲାଗିଥାଏ ଏବଂ କାମ କରିବାକୁ ଶକ୍ତି ଦେଇଥାଏ। ମୁଁ ବରଗଡ଼ସ୍ଥିତ ଚିନିକଳର ପରିଚାଳନା ନିର୍ଦ୍ଦେଶିକା ଥିବା ବେଳର କଥା। ଅଭାବୀ ଧାନ ବିକ୍ରିକୁ ନେଇ ଚାଷୀମାନେ ଆନ୍ଦୋଳନ ଆରମ୍ଭ କରିବା ସହ ବରଗଡ଼-ସମ୍ବଲପୁର ଜାତୀୟ ରାଜପଥ ଅବରୋଧ କରିଥିଲେ। ମୋତେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଦେବୀପ୍ରସାଦ ବାଗ୍ଚୀ ଏକ ଘଣ୍ଟା ମଧ୍ୟରେ ବରଗଡ଼ ଜିଲ୍ଲାପାଳ ଭାବେ ଦାୟିତ୍ବ ନେବାକୁ କହିଥିଲେ ଏବଂ ୨୪ ଘଣ୍ଟା ଭିତରେ ଚାଷୀମାନଙ୍କ ସମସ୍ୟା ସମାଧାନକରି ଜୀବନଯାତ୍ରା ସ୍ବାଭାବିକ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମୁଁ ଏଥିପାଇଁ ଦୁଇଦିନ ସମୟ ମାଗିଥିଲି। କିନ୍ତୁ ଶ୍ରୀ ବାଗ୍ଚୀ ମୋତେ େରାକ୍ଠୋକ୍ ମନା କରିଦେଇଥିଲେ। ମାତ୍ର ୧୬ ଘଣ୍ଟା ମଧ୍ୟରେ ମୁଁ ସେହି ସମସ୍ୟା ସମାଧାନ କରିଦେଇଥିଲି। ଚାଷୀମାନେ ମୋ ଉପରେ ବିଶ୍ବାସ ରଖି ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ। ସେଥିପାଇଁ ଆଜି ବି ବରଗଡ଼ ଜନସାଧାରଣଙ୍କ ନିକଟରେ ମୁଁ କୃତଜ୍ଞ। ଏହା ମୋତେ ମୋର ଅବଶିଷ୍ଟ ପ୍ରଶାସନିକ ଜୀବନରେ କଠିନ ପରିସ୍ଥିତି ମୁକାବିଲା କରିବାକୁ ଶକ୍ତି ଯୋଗାଇଥିଲା।
ଆପଣଙ୍କ ଛାତ୍ରାବସ୍ଥାରେ ଘଟିଥିବା ଏଭଳି ଗୋଟିଏ ଘଟଣା କହନ୍ତୁ, ଯାହା ଆପଣଙ୍କ ଜୀବନକୁ ପ୍ରତିଟି ସମୟରେ ମାର୍ଗ ଦେଖାଇଛି?
ମୁଁ ସ୍କୁଲ୍ରେ ପାଠ ପଢୁଥିବା ସମୟରେ ସବୁବେଳେ ମୋ ମନରେ ଗୋଟିଏ ସଂଗଠନ ଓ ଅନୁଷ୍ଠାନର ନେତୃତ୍ବ ନେବାର ଇଚ୍ଛା ଥିଲା। ପ୍ରଥମ ଶ୍ରେଣୀରୁ ହିଁ ମୁଁ ଶ୍ରେଣୀର ମନିଟର୍ ରହି ଆସୁଥିଲି। ଦଶମ ଶ୍ରେଣୀରେ ଆମ ବିଦ୍ୟାଳୟର ‘ସ୍କୁଲ୍ କ୍ୟାବିନେଟ୍ର ପ୍ରଧାନମନ୍ତ୍ରୀ’ ନିର୍ବାଚନ ଅନୁଷ୍ଠିତ ହେଉଥିଲା। ସେହି ପଦବି ପାଇଁ ଅନ୍ୟ ଦୁଇଜଣଙ୍କ ସହ ମୁଁ ପ୍ରତିଦ୍ବନ୍ଦ୍ବିତା କରିଥିଲି। ୧୯୮୫ ମସିହାରେ ବିଦ୍ୟାଳୟର ସେହି ନିର୍ବାଚନରେ ମୁଁ ରେକର୍ଡ ସଂଖ୍ୟକ ଭୋଟ୍ ପାଇ ବିଜୟୀ ହେଲି। ଆଜି ବି ସେ ରେକର୍ଡ କେହି ଭାଙ୍ଗିପାରି ନାହାନ୍ତି। ଏହି ଘଟଣା ମୋତେ ଗୋଟିଏ କଥା ଶିକ୍ଷା ଦେଇଥିଲା ଯେ ଜୀବନରେ କେବେ କୌଣସି ସମସ୍ୟା ନାହିଁ, କେବଳ ଆହ୍ବାନ ରହିଛି। ମୁଁ ଯେତେବେଳେ ବି କୌଣସି କାର୍ଯ୍ୟରେ ସାହସ ଜୁଟାଇ ପାରି ନ ଥାଏ ସ୍କୁଲ୍ର ଏହି ଘଟଣା ମୋତେ ସାହସ ଯୋଗାଇ ଦେଇଥାଏ।
ପ୍ରତ୍ୟେକ ଝିଅର ଜୀବନରେ ଜନ୍ମଦାତ୍ରୀ ମା’ ଓ ଶାଶୂଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଆପଣଙ୍କ ଜୀବନକୁ ଏ ଦୁଇଜଣ କିପରି ପ୍ରଭାବିତ କରିଛନ୍ତି?
ମାତ୍ର ୫୭ ବର୍ଷ ବୟସରେ ମୋ ମା’ ପରପାରିକୁ ଚାଲିଗଲେ। ଏହା ମୋତେ ଅନେକ କଷ୍ଟ ଦେଇଥିଲା। କିନ୍ତୁ ମୋ ଶାଶୂ ଏହି ଅଭାବ ପୂରଣ କରିଦେଇଥିଲେ। ମୋ ମା’ ସମାଜରେ ନାରୀକୁ କିପରି ଚଳିବାକୁ ହୁଏ, ସେ ସଂସ୍କାର ଶିକ୍ଷା ଦେବା ସହିତ ପରିବାରରେ ସହନଶୀଳତା ବଜାୟ ରଖିବାକୁ ପ୍ରେରଣା ଦେଇଥିଲେ। ମୋ ମା’ ମୋ ବ୍ୟକ୍ତିତ୍ବର ମେରୁଦଣ୍ଡ। ମୋ ଶାଶୂ ଅତ୍ୟନ୍ତ ଭଲ ହିନ୍ଦୀ କହିପାରୁଥିଲେ। କିନ୍ତୁ ମୋତେ ସେ ପ୍ରତ୍ୟେକ ଦିନ ଏକ ଘଣ୍ଟାଧରି ଓଡ଼ିଆ କହିବା, ଲେଖିବା ଓ ପଢ଼ିବା ଶିଖାଇଥିଲେ, ଠିକ୍ ମୋ ମା’ ପରି। ସେ ଭୁଲ୍କୁ ସୁଧାରି ନେଇ ଓଡ଼ିଆ ଘରର ବୋହୂ ପରି ମୋତେ ଗଢ଼ି ତୋଳିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/16/aparajita-sarangi-2025-11-16-01-11-03.jpg)