୧୩୦ ବର୍ଷରେ ଓଡ଼ିଶାରେ ୯୬ ବାତ୍ୟା

ବ‌ାଦଲ ଉପରେ ଗବେଷଣା ଓ ବ୍ଲକସ୍ତରରେ ବହୁସ୍ତରୀୟ ବିପର୍ଯ୍ୟୟ ମ୍ୟାପିଂ ପାଇଁ ଗବେଷକଙ୍କ ମତ

ରୁଦ୍ରପ୍ରସାଦ ଜେନା
ଜଳବାୟୁ ପରିବର୍ତ୍ତନର ପ୍ରଭାବ ଓଡ଼ିଶାରେ ଦିନକୁ ଦିନ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି। ପୂର୍ବାପେକ୍ଷା ରାଜ୍ୟ ବାୟୁମଣ୍ଡଳର ତାପମାତ୍ରା ଅଧିକ ରହୁଛି, ମୌସୁମୀ ବର୍ଷାରେ ଭୟଙ୍କର ଅନିୟମିତତା ଦେଖାଦେଇଛି, କମ୍ ସମୟ ବ୍ୟବଧାନରେ ସାମୁଦ୍ରିକ ଝଡ଼ ଓଡ଼ିଶା ଉପକୂଳରେ ସଂଘଟିତ ହେଉଛି। ଏହାବ୍ୟତୀତ ମରୁଡ଼ି, ବନ୍ୟା ସାଙ୍ଗକୁ ଏବେ ବଜ୍ରପାତ ସଂଖ୍ୟା ବଢ଼ିଯାଇଛି। ସମୁଦ୍ର କୂଳ ଲଂଘିବା କାରଣରୁ ଅନେକ ସ୍ଥାନରେ ଉପକୂଳ କ୍ଷୟ ହେଉଛି। ଏପରିକି ଗୋଟିଏ ଗୋଟିଏ ଗାଁ ମଧ୍ୟ ସମୁଦ୍ର ଗର୍ଭରେ ଲୀନ ହୋଇଯାଉଛି। ଫଳରେ କେବଳ ଲୋକଙ୍କ ଜୀବନ ହାନି ହେଉନାହିଁ, ଜୀବିକା ମଧ୍ୟ ଅତି ମାତ୍ରାରେ କ୍ଷତିଗ୍ରସ୍ତ ହେଉଛି।

କିଛି ବର୍ଷ ହେଲା ଏସବୁ ପ୍ରାକୃତିକ ବିପର୍ଯ୍ୟୟର ଆକଳନ ମଧ୍ୟ ଠିକ୍ ଭାବରେ କରାଯାଇପାରୁ ନଥିବାରୁ ଚିନ୍ତା ଅଧିକ ବଢ଼ିଯାଇଛି। ରାଜ୍ୟରେ ମୌସୁମୀ ବର୍ଷା ସ୍ବାଭାବିକ ହେବ ବୋଲି କୁହାଯାଉଥିଲେ ମଧ୍ୟ ଏହା ଅନେକ ସମୟରେ ଠିକ୍ ରହୁନାହିଁ। କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇ ଜଳପ୍ରଳୟ ସୃଷ୍ଟି କରୁଥିବା ବେଳେ ଅନ୍ୟ କେତେକ ସ୍ଥାନରେ ବିନ୍ଦୁଏ ବର୍ଷା ମଧ୍ୟ ହେଉନାହିଁ। ତେଣୁ ଚାଷ ପାଇଁ ମୁଖ୍ୟତଃ ମୌସୁମୀ ବର୍ଷା ଉପରେ ନିର୍ଭର କରୁଥିବା ଚାଷୀମାନେ ଉକ୍ତ ଅନିୟମିତତା ପାଇଁ ମୁଣ୍ଡରେ ହାତ ଦେଇ ବସୁଛନ୍ତି।

ପ୍ରାକୃତିକ ବିପର୍ଯ୍ୟୟରେ ମଧ୍ୟ କେତେକ ବିଲକ୍ଷଣ ଆମ ରାଜ୍ୟରେ ଦେଖାଦେଉଛି। ପୂର୍ବରୁ ରାଜ୍ୟରେ ଅକ୍ଟୋବରରେ ମୌସୁମୀ ପ୍ରତ୍ୟାବର୍ତ୍ତନ ସମୟରେ ବାତ୍ୟା ହେଉଥିଲା। ଏବେ କିନ୍ତୁ ପ୍ରାକ୍ ମୌସୁମୀ ସମୟରେ ହେଉଛି। ଚଳିତବର୍ଷର ୟାସ୍ ଠାରୁ ଆରମ୍ଭ କରି ଫନି ଏସବୁର ଜ୍ବଳନ୍ତ ଉଦାହରଣ। ଗତ ୧୩୦ ବର୍ଷରେ ଓଡ଼ିଶାକୁ ବର୍ତ୍ତମାନ ସୁଦ୍ଧା ୯୬ଟି ବାତ୍ୟା ମାଡ଼ ହୋଇଛି। ଏଥିରୁ ୨୭ଟି ବାତ୍ୟା ବାଲେଶ୍ବର ଜିଲ୍ଲାର ଉପକୂଳରେ ଲ୍ୟାଣ୍ଡଫଲ୍ କରିଛି ବୋଲି ଏକ ତଥ୍ୟରୁ ଜଣାଯାଇଛି।

ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟର ସଂଖ୍ୟା, ମାତ୍ରା ଆଦି ବୃଦ୍ଧିର କେତୋଟି ନିର୍ଦ୍ଦିଷ୍ଟ କାରଣ ରହିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଆଇଆଇଟି ଭୁବନେଶ୍ବରର ଆସିଷ୍ଟାଣ୍ଟ ପ୍ରଫେସର ଡ. ସନ୍ଦୀପ ପଟ୍ଟନାୟକ କୁହନ୍ତି, ତାପମାତ୍ରା ବୃଦ୍ଧି ଏହାର ଏକ ପ୍ରମୁଖ କାରଣ। ଓଡ଼ିଶାରେ ଦିନ, ରାତି ଏବଂ ଗ୍ରୀଷ୍ଣ, ଶୀତ, ବର୍ଷା ଦିନଗୁଡ଼ିକରେ ହାରାହାରି ତାପମାତ୍ରା ପୂର୍ବାପେକ୍ଷା ଅଧିକ ରହୁଛି। ତାପମାତ୍ରା ଅଧିକ ରହିବା ଦ୍ବାରା ବାଷ୍ପୀକରଣ ପ୍ରକ୍ରିୟାରେ ବାୟୁମଣ୍ଡଳରେ ଆର୍ଦ୍ରତା ଏବଂ ବାଦଲରେ ଜଳଧାରଣ କ୍ଷମତା ବଢ଼ିଯାଉଛି। ଫଳରେ ସମୁଦ୍ରରେ ତାପମାତ୍ରା ବଢ଼ିବା ପରେ ଯେଉଁ ବାତ୍ୟା ସୃଷ୍ଟି ହେଉଛି, ତାହାର ପ୍ରଭାବରେ କମ୍ ସମୟ ମଧ୍ୟରେ ଅଧିକ ବର୍ଷା ହେଉଛି। ଡ. ପଟ୍ଟନାୟକଙ୍କ ମତରେ ୫ଟି କାରଣ ପାଇଁ ପାଣିପାଗ ବିଜ୍ଞାନରେ ବର୍ତ୍ତମାନ ସୁଦ୍ଧା ଠିକ୍ ଭାବେ ବାତ୍ୟାର ପ୍ରଭାବ ସଂପର୍କରେ ଆକଳନ କରାଯାଇ ପାରୁନାହିଁ।

ପ୍ରଥମଟି ହେଲା ତାପମାତ୍ରା ବୃଦ୍ଧି ଦ୍ବାରା ବାୟୁମଣ୍ଡଳରେ ବାଦଲର ଜଳଧାରଣ କ୍ଷମତା ବଢ଼ିଯାଇଛି। ଦ୍ବିତୀୟତଃ କମ୍ ସମୟ ମଧ୍ୟରେ ବାତ୍ୟାର ରୂପ ପରିବର୍ତ୍ତନ ହେଉଛି ଯାହାକୁ ବୈଜ୍ଞାନିକମାନେ ରାପିଡ ଇନ୍ଟେନ୍ସିଫିକେସନ କହୁଛନ୍ତି। ପୂର୍ବରୁ ବାତ୍ୟା ସଂଘଟିତ ହେଲେ, ତାହା ଅବପାତରୁ ଗଭୀର ଅବପାତ, ଝଡ଼ ଏବଂ ମହାବାତ୍ୟା ଆଦି ରୂପ ନେବାକୁ ଯେତିକି ସମୟ ଲାଗୁଥିଲା। ଏବେ ଖୁବ୍ କମ ସମୟ ମଧ୍ୟରେ ସେହି ରୂପଗୁଡ଼ିକ ନେଇଯାଉଛି। ତୃତୀୟତଃ ସମୁଦ୍ର ଭିତରେ ବାତ୍ୟାର ଅଗ୍ରଗତି ପୂର୍ବାପେକ୍ଷା ମନ୍ଥର ରହୁଛି। ଏଥିଯୋଗୁଁ ବାତ୍ୟା ଅଧିକ ଶକ୍ତିଶାଳୀ ହୋଇପାରୁଛି। ବୈଜ୍ଞାନିକମାନେ ଏହାକୁ ବାତ୍ୟାର ସ୍ଲୋ ଟ୍ରାନ୍ସନ୍ୟାସନାଲ ସ୍ପିଡ୍ କହୁଛନ୍ତି। ଚତୁର୍ଥତଃ ପ୍ରାକ୍ ମୌସୁମୀ ଋତୁରେ ବଙ୍ଗୋପସାଗର ଏବଂ ଆରବସାଗରରେ ଯେଉଁ ବାତ୍ୟା ହେଉଥିଲା ତାହା ଯଥାକ୍ରମେ ବାଂଲାଦେଶ ଏବଂ ଓମାନ ଆଦି ଦେଶରେ ମାଡ଼ ହେଉଥିଲା। କିନ୍ତୁ କିଛି ବର୍ଷ ହେଲା ଏହା ଯଥାକ୍ରମେ ଭାରତର ପୂର୍ବ ଏବଂ ପଶ୍ଚିମ ଉପକୂଳକୁ ପ୍ରଭାବିତ କରୁଛି। ସମ୍ଭବତଃ ସାଇକ୍ଲୋନ ଟ୍ରାକରେ ପରିବର୍ତ୍ତନ ପାଇଁ ଏଭଳି ସ୍ଥିତି ଦେଖିବାକୁ ମିଳୁଛି।

ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ରାଜ୍ୟ ହୋଇଥିବାରୁ ଏଠାରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି। ପ୍ରଥମତଃ ବ୍ଲକ୍‌ସ୍ତରରେ ପ୍ରାକୃତିକ ବିପର୍ଯ୍ୟୟଗୁଡ଼ିକର ମ୍ୟାପିଂ କରାଯାଇ ପାରିଲେ, ତାହାର ଭୟାବହତାକୁ ଦୃଷ୍ଟିରେ ରଖି ପ୍ରତିକାରାତ୍ମକ ପଦକ୍ଷେପ ନିଆଯାଇପାରିବ। ବାତ୍ୟାରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଯେଭଳି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରାଯାଇଛି, ସେହିଭଳି ବଜ୍ରପାତରୁ ଲୋକଙ୍କୁ, ବିଶେଷକରି ଚାଷୀଙ୍କୁ ସୁରକ୍ଷା ଦେବା ପାଇଁ ହେଲେ ବିଲଗୁଡ଼ିକରେ ସେଡ୍ ତିଆରି କରିବାର ଆବଶ୍ୟକତା ରହିଛି। ଏଥିସହିତ ପାଣିପାଗ ବିଜ୍ଞାନ ବିଭାଗର ଆକଳନ ମଧ୍ୟ ଅତ୍ୟନ୍ତ ଶାଣିତ ହେବା ଆବଶ୍ୟକ। କେଉଁ ସ୍ଥାନରେ ଏବଂ କେଉଁ ସମୟରେ ବଜ୍ରପାତ ହେବ, ତାହାର ପୂର୍ବାନୁମାନ ଲୋକଙ୍କ ନିକଟରେ ପହଞ୍ଚି ପାରିଲେ ମୂଲ୍ୟବାନ ଜୀବନକୁ ସୁରକ୍ଷିତ ରଖାଯାଇ ପାରିବ। ବିକଶିତ ଦେଶଗୁଡ଼ିକରେ ବର୍ଷା, ବାତ୍ୟା ଏବଂ ବଜ୍ରପାତ ସଂପର୍କରେ ପୂର୍ବାନୁମାନ ପାଇଁ ଏକାଧିକ ରାଡାର୍‌ ଲଗାଯାଇଛି। ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଭିତ୍ତିଭୂମି ମଧ୍ୟ ରହିଛି। କିନ୍ତୁ ଓଡ଼ିଶାରେ ତାହା ହୋଇପାରିନାହିଁ। ପ୍ରଶାସନ ଏହା ଉପରେ ଦୃଷ୍ଟି ହେବା ଆବଶ୍ୟକ।

ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ବର୍ଷା, ବାତ୍ୟା, ମରୁଡ଼ି ଏବଂ ବନ୍ୟା ସଂପର୍କରେ ଅଧିକ ଜାଣିବାକୁ ହେଲେ ପ୍ରଥମେ ଆମ ସରକାରଙ୍କୁ ବାଦଲ ବା କ୍ଲାଉଡ୍ ଉପରେ ଗବେଷଣା କରିବାକୁ ହେବ। ବାଦଲରେ ଜଳୀୟ ବାଷ୍ପର ମାତ୍ରା, ପବନର ବେଗ, ବଜ୍ରପାତ ହେବାର ଆଶଙ୍କା ଆଦିର ଅନୁଧ୍ୟାନ ଠିକ୍ ଭାବେ କରାଯାଇ ପାରିଲେ ଓଡ଼ିଶାରେ ପାଣିପାଗ ଜନିତ ବିପର୍ଯ୍ୟୟକୁ ଅନେକ ମାତ୍ରାରେ ରୋକାଯାଇ ପାରନ୍ତା ବୋଲି ମତ ପ୍ରକାଶ ପାଉଛି। କେବଳ ସେତିକି ନୁହେଁ, ବିପର୍ଯ୍ୟୟର ମାତ୍ରାକୁ ସର୍ବନିମ୍ନ କରିବା ପାଇଁ ହେଲେ ବ୍ଲକ ଏବଂ ପଞ୍ଚାୟତସ୍ତରରେ ମଲ୍ଟିଲେଭେଲ୍ ହାଜାର୍ଡ ମ୍ୟାପିଂ ଏବଂ ବିପର୍ଯୟ ସହନଶୀଳ ଭିତ୍ତିଭୂମି ସ୍ଥାପନ କରିବାର ତୁରନ୍ତ ଆବଶ୍ୟକତା ରହିଛି। ଏହାହେଲେ ବିଶ୍ବରେ ହେଉଥିବା ପାଣିପାଗ ପ୍ରଭାବ ଜନିତ ଏକାଧିକ ବିପର୍ଯ୍ୟୟ ପ୍ରଭାବରୁ ଓଡ଼ିଶାକୁ ଅନେକ ମାତ୍ରାରେ ସୁରକ୍ଷିତ ରଖାଯାଇ ପାରିବ। ଏଥିପାଇଁ ଗବେଷକ, ସରକାର ଏବଂ ଜନସାଧାରଣ ମିଳିତ ଭାବେ ଆଗେଇ ଆସିବା ଆବଶ୍ୟକ।

ସମ୍ବନ୍ଧିତ ଖବର