ବିନୋଦ କୁମାର ଶୁକ୍ଳ ଆଧୁନିକ ହିନ୍ଦୀ ସାହିତ୍ୟେର ବେଶ୍ ପରିଚିତ ନାମ। ପାଞ୍ଚ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ସୃଜନମଗ୍ନ ଶ୍ରୀ ଶୁକ୍ଳ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ଲାଭ କରିଛନ୍ତି। କବିତାଠୁ ଆରମ୍ଭ କରି ଗଳ୍ପ, ଉପନ୍ୟାସ, ଶିଶୁସାହିତ୍ୟ ପରି ବିବିଧ କ୍ଷେତ୍ରକୁ ତାଙ୍କର ଲେଖନୀ ସମୃଦ୍ଧ କରିଛି। ୨୦୨୪ ମସିହା ପାଇଁ ଶ୍ରୀ ଶୁକ୍ଳ ଭାରତୀୟ ସାହିତ୍ୟର ସର୍ବଶ୍ରେଷ୍ଠ ସମ୍ମାନ ଜ୍ଞାନପୀଠ ପୁରସ୍କାର ନିମନ୍ତେ ମନୋନୀତ ହୋଇଛନ୍ତି। ଛତିଶଗଡ଼ ରାଜ୍ୟର ପ୍ରଥମ ସାହିତ୍ୟିକ ଭାବେ ୮୮ ବର୍ଷ ବୟସରେ ୫୯ତମ ଜ୍ଞାନପୀଠ ପୁରସ୍କାର ଲାଭ କରିବାକୁ ଯାଉଥିବା ଶ୍ରୀ ଶୁକ୍ଳଙ୍କ ସହ ଏହି ଅବସରରେ ଏକ ସାକ୍ଷାତକାର।
ଉପସ୍ଥାପନା: ‘ସମ୍ବାଦ ରବିବାର’
‘‘ଜୀବନରେ ଅନେକ କିଛି ଦେଖିଛି, ଅନେକ କଥା ଶୁଣିଛି ଏବଂ ଅନେକ ଜିନିଷ ଅନୁଭବ କରିଛି; କିନ୍ତୁ ସବୁ କଥା ଲେଖିବାକୁ ସକ୍ଷମ ହୋଇନାହିଁ। ଯେତେବେଳେ ମନକୁ ମୁଁ ପ୍ରଶ୍ନ କରେ, ମୁଁ କେତେ ଲେଖିବାର ଆବଶ୍ୟକତା ଥିଲା? ସେତେବେଳେ ମନ ଉତ୍ତର ଦିଏ, ବହୁତ କିଛି ଲେଖିବାକୁ ଅଛି। ଏବେ ବି ଲେଖିଚାଲିଛି।’’ ଭାରତୀୟ ସାହିତ୍ୟ ଜଗତର ଶ୍ରେଷ୍ଠ ସମ୍ମାନ ଜ୍ଞାନପୀଠ ପୁରସ୍କାର ଲାଗି ମନୋନୀତ ଜଣାଶୁଣା ହିନ୍ଦୀ ସାହିତ୍ୟ ସ୍ରଷ୍ଟା ବିନୋଦ କୁମାର ଶୁଳ୍କଙ୍କର ଏହି ଅଭିବ୍ୟକ୍ତି ସ୍ପଷ୍ଟ କରେ କି ସାରା ଜୀବନ ସାହିତ୍ୟ ସୃଷ୍ଟିରେ ଅତିବାହିତ କରିବା ପରେ ବି ତାଙ୍କ ସ୍ରଷ୍ଟା ମାନସ ଅତୃପ୍ତ। କୈଶୋରରୁ କଲମ ଧରିଥିବା ବିନୋଦ କୁମାର ଏବେ ବି ଅଙ୍ଗେନିଭାଇଥିବା କଥା ସବୁ ଲେଖି ପକାଇବାକୁ ବ୍ୟାକୁଳ। ସେ ପୁଣି କହନ୍ତି, ‘‘ଯାହା ସବୁ ଲେଖିବାକୁ ବାକି ଅଛି, ସେସବୁ ସହସା ସାରିଦେବାକୁ ଚାହେ। କିନ୍ତୁ କ’ଣ କରିବି ? ସମୟ ହୁଏତ ଅନୁମତି ଦେବନାହିଁ। ମୁଁ ବି କ’ଣ ସେପରି ବେଗରେ ଲେଖିପାରିବି?’’
ଛତିଶଗଡ଼ର ରାଜଧାନୀ ସହର ରାୟପୁରର ଶୈଳେନ୍ଦ୍ର ନଗରସ୍ଥିତ ବାସଭବନରେ ଆମେ ଯେତେବେଳେ ବିନୋଦ କୁମାରଙ୍କୁ ଭେଟି ତାଙ୍କ ସହ ସାକ୍ଷାତ-ଆଲୋଚନା କରୁଥିଲୁ, ସେତେବେଳେ ତାଙ୍କର କଥାଗୁଡ଼ିକ ଆମକୁ ଖୁବ୍ ଭାବପ୍ରବଣ କରିଥିଲା। ମନର ବେଗ ସହିତ ଶରୀର ତାଳ ଦେଇ ପାରୁ ନଥିବାରୁ ବହୁ ମୂଲ୍ୟବାନ୍ ଅନୁଭୂତିକୁ ସେ ଶବ୍ଦରେ ବାନ୍ଧି ପାରୁନଥିବାରୁ ମ୍ରିୟମାଣ ହୋଇପଡ଼ୁଥିଲେ।
ଜୀବନର ଅନୁଭୂତିକୁ ଅକପଟ ଭାବେ ପରିପ୍ରକାଶ କରି ସାହିତ୍ୟରେ ଯେଉଁ ଧାରା ସେ ଗଢ଼ିଛନ୍ତି ତାହାର ଅନ୍ତଃସ୍ବର ‘ସରଳତା’ ଓ ‘ସ୍ପର୍ଶକାତରତା’ କହିଲେ ଅତ୍ୟୁକ୍ତି ହେବନାହିଁ। ନିଜ ଚଉହଦିରେ ସେ ମଣିଷକୁ ଯେମିତି ପରଖିଛନ୍ତି, ଠିକ୍ ସେମିତି ସେମାନଙ୍କୁ ଶବ୍ଦରେ ରୂପାୟିତ କରିଛନ୍ତି। ୮୮ ବର୍ଷୀୟ ବିନୋଦ କୁମାରଙ୍କ ବହୁଚର୍ଚ୍ଚିତ ଉପନ୍ୟାସ ‘ନୌକରକା କମିଜ୍’ ଜଣେ ସରକାରୀ କିରାଣୀର ସଂଘର୍ଷ କାହାଣୀ ହୋଇଥିବା ବେଳେ ‘ଖିଲେଗା ତୋ ଦେଖେଙ୍ଗେ’ ଗାଁ ସ୍କୁଲ୍ର ଜଣେ ରୋକଠୋକ୍ ଶିକ୍ଷକର କାହାଣୀ। କେବଳ ଉପନ୍ୟାସ ନୁହେଁ, କବିତା ଓ ଗଳ୍ପ ରଚନାରେ ମଧ୍ୟ ସେ ସିଦ୍ଧହସ୍ତ। କବିତାରୁ ସ୍ରଷ୍ଟା ଜୀବନ ଆରମ୍ଭ କରିଥିବା ଶ୍ରୀ ଶୁକ୍ଳ ପରେ କ୍ଷୁଦ୍ରଗଳ୍ପ, ଉପନ୍ୟାସ ଓ କିଶୋର ସାହିତ୍ୟ ରଚନା କରି ହିନ୍ଦୀ ସାହିତ୍ୟ ଭଣ୍ଡାରକୁ ସମୃଦ୍ଧ କରିଛନ୍ତି।
୧୯୩୭ ଜାନୁଆରି ପହିଲାରେ ଛତିଶଗଡ଼ର ରାଜନନ୍ଦଗାଓଁରେ ବିନୋଦ କୁମାର ଶୁକ୍ଳଙ୍କର ଜନ୍ମ। ମା’ ବଙ୍ଗଳା ଭାଷା ଜାଣିଥିଲେ ଏବଂ ଘରେ ସେ ବଙ୍ଗଳା ବହି ପଢ଼ାଶୁଣା କରୁଥିଲେ। ଏହା କେତେକାଂଶରେ ବାଳକ ବିନୋଦ କୁମାରଙ୍କୁ ପ୍ରଭାବିତ କରିଥିଲା। ଯଦିଓ ସେ ମେଧାବୀ ଛାତ୍ର ଥିଲେ, କିନ୍ତୁ ସାହିତ୍ୟରେ ଥିଲେ ଦୁର୍ବଳ। ଦ୍ବାଦଶ ପରୀକ୍ଷାରେ ସେ ମାତୃଭାଷା ହିନ୍ଦୀରେ ଫେଲ୍ ହୋଇଗଲେ। ଆଦ୍ୟ ସର୍ଜନାର ସ୍ମୃତିଚାରଣ କରି ଶ୍ରୀ ଶୁକ୍ଳା କହନ୍ତି, ‘‘ଡାକ୍ତର କିମ୍ବା ଇଂଜିନିୟର ହେବାର ସ୍ବପ୍ନ ଭାଙ୍ଗିଗଲା। ହିନ୍ଦୀକୁ ବଶକୁ ଆଣିବାକୁ ମୁଁ ଲାଗିପଡ଼ିଲି। ଏହା ମୋ ଜୀବନକୁ ନୂଆ ମୋଡ଼ ଦେଲା। ଲେଖାପଢ଼ା ପ୍ରତି ମନ ଟାଣି ହୋଇଗଲା। ଏଇ ସମୟରେ ରାଜନନ୍ଦଗାଓଁସ୍ଥିତ ଦିଗ୍ବିଜୟ ମହାବିଦ୍ୟାଳୟରେ ହିନ୍ଦୀ ଅଧ୍ୟାପକ ଭାବେ ଯୋଗଦେଲେ ବିଶିଷ୍ଟ ସାହିତ୍ୟିକ ଗଜାନନ ମାଧବ ମୁକ୍ତିବୋଧ। ମୁଁ ତାଙ୍କ ସଂସ୍ପର୍ଶରେ ଆସିଲି। ସେତେବେଳକୁ ମୁଁ କବିତା ଲେଖିବା ଆରମ୍ଭ କରିଥାଏ। ଥରେ ମୁକ୍ତିବୋଧ ସାର୍ଙ୍କୁ ସେଗୁଡ଼ିକ ଦେଖାଇଲି। ସେ ବହୁତ ଖୁସି ହୋଇ ମୋତେ ଲେଖିବାକୁ ପ୍ରୋତ୍ସାହିତ କଲେ। ମୋ କବିତାକୁ ଏକ ହିନ୍ଦୀ ପତ୍ରିକାକୁ ପଠାଇଦେଲେ। ତାହା ପ୍ରକାଶିତ ହେବା ପରେ ମୋର ଉତ୍ସାହ ବଢ଼ିଗଲା ଓ ମୁଁ ଲେଖିଚାଲିଲି।’’
ଜବଲପୁରସ୍ଥିତ ଜବାହର୍ଲାଲ୍ ନେହେରୁ କୃଷି ବିଶ୍ବବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରି ହାସଲ କରି ରାୟପୁର କୃଷି ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ଭାବରେ ଯୋଗଦେଲେ ବିନୋଦ କୁମାର। ଅଧ୍ୟାପନା ସହ ସାହିତ୍ୟ ସାଧନା ବି ଚାଲିଥାଏ। ୧୯୭୧ରେ ତାଙ୍କର ପ୍ରଥମ କବିତା ସଙ୍କଳନ ‘ଲଗ୍ଭଗ୍ ଜୟହିନ୍ଦ୍’ ପ୍ରକାଶ ପାଇଲା। ୧୯୮୧ରେ ପ୍ରକାଶିତ ହେଲା ଦ୍ବିତୀୟ କବିତା ସଂକଳନ ‘ୱହ୍ ଆଦ୍ମୀ ଚଲାଗୟା ନୟା ଗରମ୍ କୋଟ୍ ପହନ୍କର୍ ବିଚାର୍ କି ତର୍ହ’। ଇତିମଧ୍ୟରେ କବିତା ସହ କଥାସାହିତ୍ୟକୁ ଆଦରି ନେଇଥିଲେ ସେ। ତାଙ୍କର ପ୍ରଥମ ଉପନ୍ୟାସ ‘ନୌକର୍ କି କମିଜ୍’ ପ୍ରକାଶିତ ହୋଇ ପାଠକୀୟ ଆଦୃତି ହାସଲ କଲା । ୧୯୮୮ରେ ପ୍ରକାଶିତ ହେଲା ତାଙ୍କର କ୍ଷୁଦ୍ରଗଳ୍ପ ସଂକଳନ ‘ପେଡ୍ ପର୍ କମ୍ରା’। ପୁନଶ୍ଚ ୧୯୯୨ରେ ତାଙ୍କର ଆଉ ଏକ କବିତା ସଙ୍କଳନ ‘ସବ୍କୁଛ୍ ହୋନା ବଚା ରହେଗା’ ପ୍ରକାଶ ପାଇଲା। ପ୍ରଚାର ପ୍ରସାରରୁ ଦୂରରେ ଥିିଲେ ବି ହିନ୍ଦୀ ସାହିତ୍ୟ ଜଗତରେ ସେ ଏକ ଭିନ୍ନ ପରିଚିତି ହାସଲ କଲେ। ସାଧାରଣ ମଣିଷର ଜୀବନଯନ୍ତ୍ରଣା, ଆନନ୍ଦଅବସାଦ ଓ ଆଶାନିରାଶା ଥିଲା ତାଙ୍କ ସାହିତ୍ୟର ଉପଜୀବ୍ୟ। ଏହା ହିଁ ତତ୍କାଳୀନ ହିନ୍ଦୀ ସାହିତ୍ୟରେ ନୂଆ ଧାରା ସୃଷ୍ଟିକଲା। ସରଳ ଓ ସାବଲୀଳ ଭାଷା ବିନ୍ୟାସ ତାଙ୍କୁ ବୃହତ୍ତର ପାଠକ ବର୍ଗ ଦ୍ବାରା ଆଦୃତ କରାଇଲା। ୧୯୯୪ରୁ ୧୯୯୬ ପର୍ଯ୍ୟନ୍ତ ସେ ଆଗ୍ରାର ନିରାଲା ସୃଜନପୀଠରେ ଅତିଥି ସାହିତ୍ୟ ଗବେଷକ ଭାବେ ଅବସ୍ଥାପିତ ଥିବା ବେଳେ ‘ଖିଲେଗା ତୋ ଦେଖେଙ୍ଗେ’ ଓ ‘ଦିୱାର୍ ମେଁ ଏକ୍ ଖିଡ୍କୀ ରହତି ଥି’ ନାମରେ ଦୁଇଟି ଉପନ୍ୟାସ ରଚନା କରିଥିଲେ। କୈଶୋରରେ ସାହିତ୍ୟ ରଚନା ଆରମ୍ଭ କରିଥିବା ଶ୍ରୀ ଶୁକ୍ଳ ‘ଏକ ଚୁପ୍ସି ଜଗହ୍’ ଶୀର୍ଷକରେ ଏକ କିଶୋର ଉପନ୍ୟାସ ମଧ୍ୟ ରଚନା କରିଥିଲେ। ତେବେ ତାଙ୍କ କବିତାଗୁଡ଼ିକ ଇଂରାଜୀ ଓ ବିଭିନ୍ନ ଭାରତୀୟ ଭାଷାକୁ ଅନୂଦିତ ହୋଇ ପାଠକାଦୃତି ଲାଭ କରିଛି।
ଜଣେ ନିରବ ସାଧକ ରୂପେ ପରିଚିିତ ବିନୋଦ କୁମାର ସ୍ବକୀୟ କୃତି ଲାଗି ବହୁ ଭାବେ ପୁରସ୍କୃତ ଓ ସମ୍ମାନିତ ହୋଇଛନ୍ତି। ସେ ମଧ୍ୟରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ଅଟ୍ଟାଗଲାଟ୍ଟା-ବାଙ୍ଗାଲୋର ଉତ୍ସବ ପୁସ୍ତକ ପୁରସ୍କାର ଏବଂ ପ୍ରଥମ ମାତୃଭୂମି ବୁକ୍ ଅଫ୍ ଦି ଇୟର୍ ପୁରସ୍କାର ଅନ୍ୟତମ। ଆନ୍ତର୍ଜାତିକ ସାହିତ୍ୟକୁ ଅବଦାନ ନିମନ୍ତେ ୨୦୨୩ରେ ତାଙ୍କୁ ପେନ୍ ନାବୋକୋଭ୍ ପୁରସ୍କାରରେ ସମ୍ମାନିତ କରାଯାଇଛି। ବୟସର ସାୟାହ୍ନରେ ପାଦ ଥାପିଥିଲେ ବି ଆହୁରି ଅନେକ କିଛି ଲେଖିଯିବାର ଉଦ୍ଦାମ ଆକାଂକ୍ଷା ରହିଛି ତାଙ୍କ ଭିତରେ। ବେଗ ସ୍ତିମିତ ହୋଇଥିଲେ ବି ସଚଳ ଓ ସକ୍ରିୟ ଅଛି ଲେଖନୀ।
ମୋ କବିତାର ଶୀର୍ଷକ ନଥାଏ!
ଆପଣଙ୍କ କବିତାଗୁଡ଼ିକର ଶୀର୍ଷକ ଟିକେ ଭିନ୍ନ। ଏଇ ଯେମିତି ‘ସେ ଲୋକଟି ପଶମ କୋଟ୍ ପିନ୍ଧିଲା ଓ ବିଚାର ପରି ଚାଲିଗଲା’ ଏବଂ ‘କାନ୍ଥରେ ଗୋଟିଏ ଝରକା ରହୁଥିଲା’। ଏପରି କାହିଁକି? କବିତା ଲେଖିବା ବେଳେ ମନକୁ ପ୍ରଥମେ କିଏ ଆସେ- ଶୀର୍ଷକ ନା କାହାଣୀ; ଚରିତ୍ର ନା ଦୃଶ୍ୟ?
ପ୍ରଥମେ କାହାଣୀ ଆସେ, ତା’ପରେ ଶୀର୍ଷକ। ଶୀର୍ଷକଟିଏ କିପରି କାହାଣୀ ସାର ପ୍ରତିଫଳିତ କରୁଛି ସେହି ଆଧାରରେ ତା’ର ବର୍ଣ୍ଣନା ହୁଏ। ବେଳେ ବେଳେ ଶୀର୍ଷକ ମଧ୍ୟ ଗୁରୁତ୍ବପୂର୍ଣ୍ଣ ନୁହେଁ। ମୋ କବିତାଗୁଡ଼ିକର ଶୀର୍ଷକ ନ ଥାଏ, କବିତା ସଂକଳନ ପାଇଁ ସୂଚୀପତ୍ର ପ୍ରସ୍ତୁତି ବେଳେ କବିତାର ପ୍ରଥମ ଧାଡ଼ିଟିକୁ ଏହାର ଶୀର୍ଷକ ବୋଲି ଧରି ନିଆଯାଏ। କାହାଣୀ ଅନୁଯାୟୀ ଚରିତ୍ରମାନେ ଆସନ୍ତି। ସେମାନଙ୍କ ବ୍ୟକ୍ତିତ୍ବ, ଚେହେରା, ବୈଶିଷ୍ଟ୍ୟ ଓ ବ୍ୟବହାର ପ୍ରତି ଧ୍ୟାନଦେଇ ଲେଖାଯାଏ। ପରବର୍ତ୍ତୀ କାଳରେ ପାଠକଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ଧାରା ସ୍ଥାପନ କରାଯାଏ।
‘ଗୋଟିଏ ପାଞ୍ଚବର୍ଷର ଝିଅ’ କବିତାରେ ଆପଣ ଲେଖିଛନ୍ତି, ‘‘ଏପରିକି ମୋ ଘରେ ମଧ୍ୟ ମୁଁ ମୋ ଘରକୁ ଝୁରେ।’’ ଆପଣଙ୍କ ପାଇଁ ଘରର ସଂଜ୍ଞା କ’ଣ?
ମୋ ପାଇଁ ଘରର ସଂଜ୍ଞା ବେଶ୍ ସରଳ। ଏହା ହେଉଛି ସେହି ସ୍ଥାନ, ଯେଉଁଠାରେ ମୁଁ ବାସକରେ ଏବଂ ତାହା ଛାଡ଼ିଦେଲେ ମୁଁ ବାହାରେ ଥାଏ। ଏହା ହେଉଛି ସେହି ସ୍ଥାନ, ଯେଉଁଠାକୁ ମୁଁ ବାହାରେ ରହିବା ପରେ ଫେରି ଆସିବାର ଆବେଗ ଅନୁଭବ କରିଥାଏ। ତେଣୁ ଘର ହେଉଛି ଫେରି ଆସିବା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍ଥାନ। ଏହା ଏପରି ଏକ ସ୍ଥାନ ଯେଉଁଠାରେ ଥିବା ବ୍ୟବସ୍ଥା ଜୀବନ ଜିଇବାରେ ସହାୟକ ହୋଇଥାଏ। ଘରେ ଥାଇ ମଧ୍ୟ ଘରକୁ ଝୁରିବାର ଭାବ ମନରେ ଉଦ୍ରେକ ହୋଇଥାଏ। କେବଳ ଏକଥା ହୃଦୟଙ୍ଗମ କରିବାକୁ ଯେ ଆମେମାନେ ଗତକାଲିଠାରୁ ଏଠାରେ ରହୁଛୁ। ସେତେବେଳେ ଘରଟି ଏକ ନିର୍ଦ୍ଦିଷ୍ଟ ପ୍ରକାରେ ଥିଲା ଏବଂ ଏବେ ତାହା ଭିନ୍ନ। ଆମ ଭାବନା ଏପରି ଏକ କାରଣ ତିଆରି କରିପାରେ, ଯାହାକି ଆମକୁ ଘରେ ଥାଇ ମଧ୍ୟ ଘରକୁ ଝୁରି ହେବାକୁ ବାଧ୍ୟ କରିଥାଏ। ମୁଁ ଯେଉଁଠି ମୋର ପିଲାଦିନ କଟାଇଛି ତାହା ଏକ ଭିନ୍ନ ସ୍ଥାନ ଥିଲା, ଏକ ଭିନ୍ନ ଗଁା ଥିଲା। ସେ ଘର ଆଉ ନାହିଁ, ହେଲେ ତାହା ଏବେ ମଧ୍ୟ ମୋ ସ୍ମୃତିରେ ରହିଛି।