ଚିନ୍ତା ବଢ଼ାଉଛି ବାହାର ରାଜ୍ୟ ମୃତକଙ୍କ ମୃତ୍ୟୁ ପଞ୍ଜୀକରଣ, ଠିକ୍ ସମୟରେ ମିଳିପାରୁନି ଓଟିପି

ମୃତକଙ୍କ ସଂପୂର୍ଣ୍ଣ ତଥ୍ୟ ପ୍ରଦାନ ପାଇଁ ଜିଆରପିକୁ ଫେରିଲା ୪୯ ଆବେଦନ, ଜାରି ହେଲାଣି ୪୨ଟି ମୃତ୍ୟୁ ସାର୍ଟିଫିକେଟ୍‌

ଭୁବନେଶ୍ବର : ବାଲେଶ୍ବର ଜିଲ୍ଲା ବାହାନଗାଠାରେ ହୋଇଥିବା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କାର୍ଯ୍ୟ ଆରମ୍ଭ ହୋଇଛି। ବର୍ତ୍ତମାନସୁଦ୍ଧା ୪୨ଜଣଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ତହିଁରୁ ଅଧିକାଂଶ ଓଡ଼ିଶାର ମୃତକ ରହିଛନ୍ତି। ତେବେ ବାହାର ରାଜ୍ୟର ପ୍ରାଣ ହରାଇଥିବା ମୃତକଙ୍କୁ ମୃତ୍ୟୁ ପ୍ରମାଣପତ୍ରର ପଞ୍ଜୀକରଣକୁ ନେଇ ସମସ୍ୟା ଉପୁଜୁଛି। ଏହାସହ ଅନେକ ଆବେଦନର ତଥ୍ୟଗତ ତ୍ରୁଟି ରହୁଥିବାରୁ ପଞ୍ଜୀକରଣ ବିଳମ୍ବ ହେଉଥିବା ସୂଚନା ମିଳିଛି।

ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ବାହାନଗା ଟ୍ରେନ୍‌ ଦୁର୍ଘଟଣାର ମୃତ୍ୟୁ ପ୍ରମାଣପତ୍ର ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର(ସିଏଚ୍‌ସି) ଜରିଆରେ ପ୍ରଦାନ କରିବା ଲାଗି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହି ଭିତ୍ତିରେ ୧୫୧ଜଣ ମୃତକଙ୍କ ସଂପର୍କୀୟଙ୍କ ପକ୍ଷରୁ ପ୍ରମାଣପତ୍ର ପାଇଁ ଆବେଦନ ହୋଇଛି। ଏଥିରେ ଓଡ଼ିଶା ବାହାରର ବର୍ଦ୍ଧମାନ, ମେଦିନିପୁର, ଝାଡ଼ଖଣ୍ଡ, ବିହାର ଆଦି ଅଞ୍ଚଳରୁ ଅନେକ ମୃତକଙ୍କ ଆବେଦନ ଆସିଛି। ମୃତ୍ୟୁ ପ୍ରମାଣପତ୍ର ପାଇଁ ମୃତକଙ୍କ ପରିଚୟପତ୍ର(ଆଧାର କିମ୍ବା ପାନ୍ କାର୍ଡ)ର ଆବଶ୍ୟକତା ରହିଥାଏ। ପରିଚୟପତ୍ର ଦାଖଲ ପରେ ଏକ ଓଟିପି ସଂପୃକ୍ତ ମୃତକଙ୍କ ସଂପର୍କୀୟ-ଆବେଦନକାରୀଙ୍କ ନିକଟକୁ ଯାଇଥାଏ। ତେବେ ରେଳ ଦୁର୍ଘଟଣା ପାଇଁ ଅନେକ ଆବେଦନକାରୀଙ୍କଠାରୁ ଠିକ୍‌ ସମୟରେ ଓଟିପି ମିଳିପାରୁନାହିଁ। ଯାହାଫଳରେ ସେମାନଙ୍କ ପଞ୍ଜୀକରଣ ବିଳମ୍ବ ହେଉଛି।

ବାଲେଶ୍ବରରେ ଚିହ୍ନଟ ହୋଇଥିବା ୯୪ ମୃତକଙ୍କ ପ୍ରମାଣପତ୍ର ପାଇଁ ପ୍ରକ୍ରିୟା ଜାରି ରହିଛି। ବାଲେଶ୍ବର ବାଦ୍ ଭୁବନେଶ୍ବରର ବିଭିନ୍ନ ହସ୍ପିଟାଲରେ ମୃତକଙ୍କୁ ରଖାଯାଇଥିଲା। ସେଠାରୁ ୧୦୬ଟି ମୃତକଙ୍କ ତଥ୍ୟ ଗୋପାଳପୁର ସିଏଚ୍‌ସିକୁ ପ୍ରଦାନ କରାଯାଇଛି। ତହିଁରୁ ୫୭ଟି ଆବେଦନର ସଫଳତାର ସହ ପଞ୍ଜୀକରଣ ହୋଇଛି। ହେଲେ ୪୯ଟି ଆବେଦନର ତଥ୍ୟ ଅସଂପୂର୍ଣ୍ଣ ରହିଛି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ ମତରେ ରାଜ୍ୟ ସରକାର ମୃତକଙ୍କ ପ୍ରମାଣପତ୍ରକୁ ତ୍ବରାନ୍ବିତ କରିବା ଲାଗି ନିର୍ଦେଶ ଦେଇଛନ୍ତି। ଯେହେତୁ ଏକ ବଡ଼ ଅଘଟଣ ହୋଇଛି ଏଭଳି ପରିସ୍ଥିତିରେ ଅନେକ ମୃତକଙ୍କ ଆବେଦନକାରୀଙ୍କ ମାନସିକ ସ୍ଥିତି ଠିକ୍ ରହୁନାହିଁ। ଅନେକ ମୋବାଇଲ ମଧ୍ୟ ବନ୍ଦ ରହିଛି। ସେମାନଙ୍କଠାରୁ ଠିକ୍ ସମୟରେ ଓଟିପି ମିଳିବା କଷ୍ଟକର ହୋଇପଡ଼ୁଛି। ଧୀରେ ଧୀରେ ଏଥିରେ ସୁଧାର ଆସିବ ବୋଲି ଆଶା କରାଯାଉଛି। ଏହାସହ ଅନେକଙ୍କ ତଥ୍ୟ ସହ ପ୍ରମାଣପତ୍ର ମେଳ ଖାଉନାହିଁ। ଯାହାକୁ ନେଇ ସମସ୍ୟା ଉପୁଜୁଛି। ଏ ଦୃଷ୍ଟିରୁ ୪୯ଟି ଆବେଦନକୁ ଜିଆରପିକୁ ଫେରାଇ ଦିଆଯାଇଛି। ସଂପୂର୍ଣ୍ଣ ତଥ୍ୟ ଆସିବା ପରେ ପଞ୍ଜୀକରଣ କାର୍ଯ୍ୟ ଆରମ୍ଭ। ପ୍ରମାଣପତ୍ରରେ ଦୁର୍ଘଟଣା ଯୋଗୁଁ ମୃତ୍ୟୁ ହୋଇଥିବା ଉଲ୍ଲେଖ କରାଯାଇଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି। ଅପରପକ୍ଷରେ ମୃତ୍ୟୁ ପ୍ରମାଣପତ୍ର ପାଇଁ ନିକଟରେ ବାଲେଶ୍ବର ଜିଲ୍ଲାପାଳଙ୍କ ନିକଟରୁ ଜାରି ହୋଇଥିବା ପତ୍ରକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା। ଜିଲ୍ଲାପାଳଙ୍କ ପକ୍ଷରୁ ଜାରି ହୋଇଥିବା ପତ୍ରରେ ବାଲେଶ୍ବର ମ୍ୟୁନିସିପାଲଟିରେ ପ୍ରମାଣପତ୍ର ପ୍ରଦାନ କରିବାକୁ କୁହାଯାଇଥିଲା। ମାତ୍ର ରାଜ୍ୟ ସରକାରଙ୍କ ଜନ୍ମ-ମୃତ୍ୟୁ ପଞ୍ଜୀକରଣ ଏବେ ସଂପୂର୍ଣ୍ଣଭାବେ ସ୍ବାସ୍ଥ୍ୟ ବିଭାଗ ଅଧୀନରେ ରହିଛି। ସ୍ଥାନୀୟ ହସ୍ପିଟାଲର ରେଜିଷ୍ଟ୍ରାର ହିଁ ପ୍ରମାଣପତ୍ର ପ୍ରଦାନ କରିବାର ନିୟମ ରହିଛି। ତେବେ ଜିଲ୍ଲାପାଳଙ୍କ ପତ୍ରକୁ ନେଇ ଉପୁଜିଥିବା ଦ୍ବନ୍ଦ୍ବର ସମାଧାନ ହେବା ପରେ ପଞ୍ଜୀକରଣ ଆରମ୍ଭ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର