ରାଜ୍ୟ ରାଜନୀତିର ଅଭିଜ୍ଞ ତଥା ଅନୁଭବୀ ନେତା ମନମୋହନ ସାମଲଙ୍କ ହାତରେ ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନେତୃତ୍ୱ ଚତୁର୍ଥ ଥର ପାଇଁ  ରାଜ୍ୟ ସଭାପତି ଦାୟିତ୍ୱ ଅର୍ପଣ କରିଛନ୍ତି। ପୂର୍ବତନ ମନ୍ତ୍ରୀ, ସାଂସଦ ଓ ବିଧାୟକ ଶ୍ରୀଯୁକ୍ତ ସାମଲ ରାଜ୍ୟ ବିଜେପି ପାଇଁ ସର୍ବଦା ଭାଗ୍ୟଶାଳୀ (ବ୍ଲେସ୍‌ଡ କଭର୍‌) ସାବ୍ୟସ୍ତ ହୋଇଛନ୍ତି। ତାଙ୍କ ନେତୃତ୍ବରେ ଦଳ ପ୍ରଥମଥର ଲାଗି ରାଜ୍ୟରେ ସରକାର ଗଠନକରି ଇତିହାସ ରଚିଛି। ରାଜନୀତିର ପଶାପାଲିରେ ଗୋଟି ଚଳାଇବାରେ ପ୍ରବୀଣ ମନମୋହନ ବିଜେପି ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ‘ଫେବରିଟ୍‌ ମ୍ୟାନ୍‌’ ଭାବେ ଜଣାଶୁଣା। ବିଜେପିର ରାଜ୍ୟ ସଭାପତି ଭାବେ ଚତୁର୍ଥ ଇନିଂସ୍‌ ଆରମ୍ଭ କରିଥିବା ମନମୋହନ ସାମଲଙ୍କ ସହିତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା କରିଛନ୍ତି ଆମ ବରିଷ୍ଠ ପ୍ରତିନିଧି ବିଭୂତି ପତି

Advertisment

ଆପଣ ଚତୁର୍ଥଥର ଲାଗି ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ଏହି ସଫଳତାର ଶ୍ରେୟ କାହାକୁ ଦେବେ?
ମୋ ଦଳର କେନ୍ଦ୍ରୀୟ ଓ ରାଜ୍ୟ ନେତୃବୃନ୍ଦଙ୍କ ସମେତ ଶହ ଶହ କର୍ମୀ ପୁଣିଥରେ ମୋ ଉପରେ ଆସ୍ଥା ପ୍ରକଟକରି ଏ ଗୁରୁଦାୟିତ୍ବ ମୁଣ୍ଡାଇବା ଭାର ଅର୍ପଣ କରିଛନ୍ତି। ଦଳ ଯେତେବେଳେ ଯେଉଁ ଦାୟିତ୍ବ ଦେଇଛି ମୁଁ ତାକୁ ଗ୍ରହଣକରି ସଫଳତା ହାସଲକରିଛି। ଏହି ସଫଳତାର ଶ୍ରେୟ ଓଡ଼ିଶାବାସୀ ଓ ଦଳର ପ୍ରତିଟି କର୍ମୀଙ୍କର। ସେମାନଙ୍କ ସହଯୋଗ, ଆସ୍ଥା, ବିଶ୍ବାସ ଓ ଆଶୀର୍ବାଦରୁ ଏହା ସମ୍ଭବ ହୋଇଛି। ତେଣୁ ମୁଁ କହିବାକୁ ଚାହେ, ମୋ ଦଳ ଉପରେ ଓ ଆମ ସରକାରଙ୍କ ଉପରେ ପ୍ରତିଟି ଓଡ଼ିଆ ତଥା ଆମର ସମସ୍ତ କର୍ମୀ ଭରସାକରି ଓଡ଼ିଶାର ପ୍ରଗତି ପାଇଁ ଆଗେଇ ଆସନ୍ତୁ।

ରାଜ୍ୟ ବିଜେପିର ସାଙ୍ଗଠନିକ ନିର୍ବାଚନରେ ଅହେତୁକ ବିଳମ୍ବ ଏବଂ ବିଜେପି ସଭାପତି ଚୟନ ପ୍ରକ୍ରିୟାରେ କାଳକ୍ଷେପଣ ନୀତି ଅବଲମ୍ବନ କରାଯାଇଥିବା ଚର୍ଚ୍ଚା ହେଉଛି। ଏହା ପଛରେ ନିର୍ଦ୍ଦିଷ୍ଟ ଗୋଷ୍ଠୀର ହାତ ଥିବା କଥା ବି କୁହାଯାଉଛି। ଏହି ଚର୍ଚ୍ଚାର ପ୍ରାସଙ୍ଗିକତା କେତେ? 
ଏହା ସତ୍ୟ ଉପରେ ପର୍ଯ୍ୟବସିତ ନୁହେଁ। ଏସବୁ କେବଳ କାଳ୍ପନିକ ଆକଳନ ଓ ଅନୁମାନ ସମୀକ୍ଷା ଉପରେ ଆଧାରିତ। ଯେଉଁମାନେ ଏଭଳି କପୋଳକଳ୍ପିତ କଥାକୁ ବିଭିନ୍ନ ପ୍ଲାଟ୍‌ଫର୍ମରେ ଆଲୋଚନା କରୁଛନ୍ତି, ମୁଁ ନିର୍ଦ୍ଦିଷ୍ଟ ଭାବେ ସେମାନଙ୍କୁ ପଚାରିବାକୁ ଚାହେ, କେଉଁ ତଥ୍ୟ ପ୍ରମାଣ ଆଧାରରେ ଏହା ହେଉଛି? ଏପରିକି ଯେଉଁମାନେ ବିଜେପିରେ ମତାନ୍ତର, ମନୋମାଳିନ୍ୟ ଏବଂ ମୋତେ ବିରୋଧର ପ୍ରସଙ୍ଗ ଉଠାଉଛନ୍ତି, ‌ମୁଁ ସେମାନଙ୍କୁ ସ୍ପଷ୍ଟକରୁଛି ଯେ ଏବେ ଆମ ଦଳରେ ସାମାନ୍ୟତମ ଅସନ୍ତୋଷ ନାହିଁ କିମ୍ବା ଆଗରୁ ନ ଥିଲା। ସମସ୍ତଙ୍କ ସହଯୋଗ ଓ ସମର୍ଥନରେ ତଥା ସର୍ବସମ୍ମତିକ୍ରମେ ମୁଁ ସଭାପତି ହୋଇଛି। ଏହି ସମୟରେ ଆମର ସଭାପତି ଚୟନ ‌ପ୍ରକ୍ରିୟା ହୋଇଥାଏ, ଏଥିରେ କିଛି ବିଳମ୍ବ ହୋଇନାହିଁ। ତେଣୁ ଦୟାକରି ଏଭଳି ମନଗଢ଼ା କାହାଣୀ ପ୍ରଚାର ନ କରିବା ଭଲ। ବିଜେପି ଏକ ହୋଇ କାର୍ଯ୍ୟ କରୁଛି, ଏଥିରେ କୌଣସି ସନ୍ଦେହ ନାହିଁ।

ଆପଣଙ୍କ ସମ୍ବର୍ଦ୍ଧନା ସମାରୋହରେ ଓଡ଼ିଶାର ଜଣେ ପ୍ରଭାବଶାଳୀ ନେତା ତଥା କେନ୍ଦ୍ରମନ୍ତ୍ରୀ ଯୋଗଦେଇ ପାରିଲେ ନାହିଁ। ଏହାକୁ ନେଇ କେତେକ ମହଲରେ ମଧ୍ୟ ଭ୍ରୂକୁଞ୍ଚନ ସୃଷ୍ଟି ହେଉଛି। ଏହାର ଯଥାର୍ଥତା ଅଛି କି?
ଦଳର ଜଣେ ବରିଷ୍ଠ ନେତା ଏବଂ କେନ୍ଦ୍ରରେ ସେ ମନ୍ତ୍ରୀ, ତେବେ ତାଙ୍କର କର୍ମଧାରା ଓ ଦାୟିତ୍ବ ବିଷୟରେ ଚିନ୍ତା କରିବା ଦରକାର। ସେ ପ୍ରଶାସନିକ କାର୍ଯ୍ୟ ସହ ସାଂଗଠନିକ ଦାୟିତ୍ବ ମଧ୍ୟ ନିର୍ବାହ କରୁଥିବେ। ଦେଶ ସମେତ ବିଭିନ୍ନ ରାଜ୍ୟର କାର୍ଯ୍ୟଭାର ତାଙ୍କ ଉପରେ ନ୍ୟସ୍ତ ଥିବ। ଏଥିସହ କେନ୍ଦ୍ରୀୟ ନେତୃତ୍ବର ସାଙ୍ଗଠନିକ କାର୍ଯ୍ୟ ମଧ୍ୟ ସେ ତୁଲାଉଥିବେ। ତାଙ୍କର କାର୍ଯ୍ୟବ୍ୟସ୍ତତା ପ୍ରତି ଧ୍ୟାନ ନ ଦେଇ ଅଯଥା କଥା ଆଲୋଚନା କରି ଲାଭ କ’ଣ? ଏଭଳି ପ୍ରଚାରର କୌଣସି ଭିତ୍ତି ନାହିଁ।

ଏକଥା ମଧ୍ୟ ଚର୍ଚ୍ଚା ହେଉଛି ଯେ ରାଜ୍ୟରେ ଦଳୀୟ ସଂଗଠନ ଓ ପ୍ରଶାସନିକ ବ୍ୟାପାରରେ ପ୍ରଧାନମନ୍ତ୍ରୀ ଦପ୍ତରର ଅଧିକାରୀଙ୍କ ହସ୍ତକ୍ଷେପ ରହୁଛି। ଏହାର ସତ୍ୟାସତ୍ୟକୁ ନେଇ କ’ଣ କହିବେ?
ଏ ବିଷୟରେ ମୋ ପାଖରେ କୌଣସି ଖବର ନାହିଁ କିମ୍ବା ସେ ବିଷୟରେ ମୁଁ ଅବଗତ ନୁହେଁ। ‌ଏଥିରେ ତିଳେମାତ୍ର ଭିତ୍ତି ଥିବା ପରି ମୁଁ ଅନୁଭବ କରିପାରୁନାହିଁ। ଆପଣ କେବଳ ଆନୁମାନିକ ପ୍ରସଙ୍ଗକୁ ନେଇ ଏସବୁ ପଚାରୁଛନ୍ତି ଓ ଆଲୋଚନା କରୁଛନ୍ତି। 

ଓଡ଼ିଶାରେ ବିଜେପିର ବିପୁଳ ବିଜୟ ସତ୍ତ୍ବେ ଆପଣଙ୍କ ପରାଜୟର କାରଣ କ’ଣ? ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିଧାୟକ ଏବେ ବିଜେଡିର ଏବଂ ଦୀର୍ଘବର୍ଷ ଧରି ଏହା ବିଜେଡି ଗଡ଼ ପାଲଟିଛି। ଆପଣଙ୍କ ସରକାରରେ ସେଠାରେ ବିକାଶ କାର୍ଯ୍ୟକ୍ରମ କିପରି ଚାଲିଛି?
କେବଳ ଚାନ୍ଦବାଲି ନୁହେଁ, ମୁଁ ସମଗ୍ର ଓଡ଼ିଶାର ବିକାଶ ଚାହେ। ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ବିଜେଡି କବ୍‌ଜାରେ ରହି ସ୍ବାସ୍ଥ୍ୟସେବାରୁ ନେଇ ଗମନାଗମନ, ଶିକ୍ଷା, କୃଷି ତଥା ଜଳସେଚନ ଓ ଜୀବନଜୀବିକା ବ୍ୟବସ୍ଥା ସଂପୂର୍ଣ୍ଣ ଅବହେଳିତ ହୋଇଯାଇଛି। ବିଜେଡିର ଲମ୍ବା ସମୟ ଅବଧିରେ ଚାନ୍ଦବାଲିର ବିକାଶ ଦେଖନ୍ତୁ ଏବଂ ଏକ ବର୍ଷ ଭିତରେ ଆମେ ଯେଉଁ ଉନ୍ନୟନ କାର୍ଯ୍ୟ ହାତକୁ ନେଇ ତ୍ବରାନ୍ବିତ କରିଛୁ ତାହା ମଧ୍ୟ ସମୀକ୍ଷା କରନ୍ତୁ। ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ନେତାର ବିଜୟ-ପରାଜୟ ଜନତା ଜନାର୍ଦ୍ଦନଙ୍କ ଉପରେ ନିର୍ଭରକରେ। ମୁଁ ବୁଝିପାରିଛି ଯେ ନିର୍ବାଚନ ସମୟରେ ରାଜ୍ୟ ଭାର ମୋ ଉପରେ ନ୍ୟସ୍ତ ଥିଲା ଏବଂ ଏହି ଦାୟିତ୍ବପୂର୍ଣ୍ଣ କାର୍ଯ୍ୟ ପରିଚାଳନା ସମୟରେ ମୁଁ ମୋ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ନିକଟରେ ଯଥେଷ୍ଟ ସମୟ ଦେବାକୁ ଓ ପହଞ୍ଚିବାକୁ ସକ୍ଷମ ହୋଇପାରି ନ ଥିଲି। ଏହାକୁ ନେଇ ସେମାନଙ୍କ ମନରେ ନିଶ୍ଚିତ ଟିକିଏ ଅଭିମାନ ହୋଇଥିବ। ଏଥିପାଇଁ ମୁଁ ସେମାନଙ୍କ ନିକଟରେ ଦୁଃଖିତ। କିନ୍ତୁ ଚାନ୍ଦବାଲିର ବିକାଶ ମୋର ଲକ୍ଷ୍ୟ।

dfsfsfhhf

ବିଜେଡି ଶାସନର ଦୁର୍ନୀତି ଓ ପାଣ୍ଡିଆନ୍‌ଙ୍କୁ ଟାର୍ଗେଟ୍‌ କରି ସୃଷ୍ଟି କରାଯାଇଥିବା ଓଡ଼ିଆ ଅସ୍ମିତା ପ୍ରସଙ୍ଗ‌େର ଆପଣଙ୍କ ଦଳ ସରକାରକୁ ଆସିଲ‌ା। ଏହାପରେ ମଧ୍ୟ ବିଜେପି ସରକାର ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେଉଛି କାହିଁକି? ଏପରିକି ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ପ୍ରସଙ୍ଗ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଆପଣ ମଧ୍ୟ ଭୁଲି ଯାଇଛନ୍ତି?
ଆମେ କେବେ କୌଣସି ପ୍ରସଙ୍ଗରେ ପଛଘୁଞ୍ଚା ଦେଉନାହୁଁ କିମ୍ବା ଭୁଲି ଯାଇନାହୁଁ। ଆମ ସରକ‌ାର ସେହିସବୁ ଦୁର୍ନୀତି ତଦନ୍ତରେ ଲାଗିଛନ୍ତି। ତଥ୍ୟ ପ୍ରମାଣ ସଂଗ୍ରହ ଚାଲିଛି। ନିଶ୍ଚିତ ଭାବରେ କାର୍ଯ୍ୟାନୁଷ୍ଠାନ ହେବ। ଏସବୁ ସର୍ବସାଧାରଣରେ ପ୍ରକାଶ କରିବା ଠିକ୍ ହେବନାହିଁ। ନିର୍ଦ୍ଦିଷ୍ଟ ସମୟରେ ଆଇନ ଅନୁଯାୟୀ ସମସ୍ତ ଦୁର୍ନୀତିଗ୍ରସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ।

ଦଳର ସଭାପତି ହିସାବରେ ଆପଣ ରାଜନୈତିକ ଦୃଷ୍ଟିକୋଣରୁ ପ୍ରଥମେ କେଉଁ କାମ ହାତକୁ ନେବେ?
ବିଜେପି ରାଜ୍ୟ ସଭାପତି ଭାବେ ମୁଁ ଉପାନ୍ତ ଅଞ୍ଚଳରେ ରହିଥିବା ଓଡ଼ିଆଙ୍କୁ ଏକାଠି କରିବି। ସେମାନଙ୍କ ହାନି-ଲାଭ ବୁଝି ତାଙ୍କୁ କିପରି ସଶକ୍ତ କରାଯିବ, ସେ ଦିଗରେ କାର୍ଯ୍ୟ କରିବି। ତାହା ହେବ ମୋର ପ୍ରଥମ ପଦକ୍ଷେପ।

କେନ୍ଦ୍ରରେ, ଛତିଶଗଡ଼ରେ ଓ ଓଡ଼ିଶାରେ ବର୍ତ୍ତମାନ ଆପଣଙ୍କ ଦଳର ସରକାର, ମାନେ ଟ୍ରିପଲ୍‌ ଇଞ୍ଜିନ୍‌ ସରକାର। ପୁଣି ଆନ୍ଧ୍ରରେ ଚନ୍ଦ୍ରବାବୁ ନାଇଡୁ ଆପଣଙ୍କୁ ସମର୍ଥନ ଦେଉଛନ୍ତି। ଏଭଳି ଅନୁକୂଳ ସ୍ଥିତିରେ ମହାନଦୀ ଓ କୋଟିଆ ବିବାଦ ସମାଧାନ ନିଶ୍ଚୟ ସହଜ ହେବ। ଆପଣ ଏ ଦିଗରେ କ’ଣ କରିପାରିବେ ବୋଲି ଭାବୁଛନ୍ତି?
ଦେଖନ୍ତୁ, ବିଗତ ବିଜେଡି ସରକାର ଏହି ଉଭୟ ପ୍ରସଙ୍ଗକୁ ନେଇ ଟ୍ରିବ୍ୟୁନାଲ୍‌ ଓ କୋର୍ଟକଚେରିରେ ଛିଡ଼ା କରିଦେଇଛି। ପ୍ରଥମରୁ ନବୀନ ପଟ୍ଟନାୟକ ସଠିକ୍ ମାର୍ଗରେ ଓ ଆଲୋଚନା ମାଧ୍ୟମରେ ବିବାଦ ସମାଧାନ କରିବାକୁ ଚାହିଲେ ନାହିଁ। ରାଜ୍ୟ ସ୍ବାର୍ଥ ଭୁଲିଯାଇ ଏହାକୁ ନେଇ ସେ ଭୋଟ୍‌ବ୍ୟାଙ୍କ୍ ରାଜନୀତି କଲେ। ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଓ ତତ୍‌କାଳୀନ ଜଳସଂପଦ ମନ୍ତ୍ରୀ ଉମା ଭାରତୀ ବାରମ୍ବାର ଅନୁରୋଧ କଲେ। ଏହାକୁ ନବୀନବାବୁ ଶୁଣିଲେ ନାହିଁ। ଆମେ ବର୍ତ୍ତମାନ ଯଥାସମ୍ଭବ ଚେଷ୍ଟା କରୁଛୁ ଏହି ସମସ୍ୟା ଓ ବିବାଦର ସମାଧାନ ବୁଝାମଣାଭିତ୍ତିରେ କିପରି ହୋଇପାରିବ।

ଶାସକ ଦଳର ସଭାପତି ଭାବେ ରାଜ୍ୟବାସୀଙ୍କୁ କି ବାର୍ତ୍ତା ଦେବାକୁ ଚାହିବେ?
ଦେଖନ୍ତୁ, ମୁଁ ଜଣେ ସାଧାରଣ ବ୍ୟକ୍ତି। ଓଡ଼ିଶାର ଜନସାଧାରଣଙ୍କୁ ବାର୍ତ୍ତା ଦେବା ପାଇଁ ମୋର କ୍ଷମତା କିମ୍ବା ଜ୍ଞାନ ମଧ୍ୟ ନାହିଁ। କିନ୍ତୁ ବିଜେପିର ଜଣେ କର୍ମୀ ଭାବେ ମୁଁ କେବଳ ଗୋଟିଏ ରାଜନୈତିକ କଥା କହିପାରିବି। ବିଗତ ନବୀନ ସରକାରଙ୍କ ଶାସନକୁ ‌ଲୋକେ ପ୍ରତ୍ୟାଖ୍ୟାନ କରି ଆମକୁ ପୂର୍ଣ୍ଣ ବହୁମତ ଦେଲେ। ରାଜ୍ୟର ବିକାଶ ଓ ଜନସାଧାରଣଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ। ୨୦୩୬ ମସିହା ବେଳକୁ ଏକ ଶକ୍ତିଶାଳୀ ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ନେଇ ଆମେ କାର୍ଯ୍ୟକ୍ରମ ପରିଚାଳନା କରୁଛୁ। ଗତ ଏକ ବର୍ଷ ଧରି ବିଜେପି ଓ ମୋହନ ମାଝୀ ତଥା ଡବଲ୍‌ ଇଞ୍ଜିନ୍‌ ସରକାର ଓଡ଼ିଶାର ପ୍ରଗତି ପାଇଁ କାର୍ଯ୍ୟ କରୁଛି। ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ମୁଁ ପ୍ରତିଟି ଓଡ଼ିଆର ମଙ୍ଗଳ କାମନା କରୁଛି ଏବଂ ଓଡ଼ିଶାକୁ ସମୃଦ୍ଧ କରିବା ପାଇଁ ଆଶୀର୍ବାଦ ଭିକ୍ଷା କରୁଛି। ସମସ୍ତେ ରାଜନୈତିକ ହୀନମନ୍ୟତାରୁ ଦୂରେଇ ଯାଇ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆଗେଇ ଆସନ୍ତୁ।