ଦୁଗ୍ଧ...! ମା’ ଶରୀରରୁ ନିସୃତ ଏହି ଅମୃତକୁ ପାନ କରି ଶିଶୁଟିଏ ଆକାର ନିଏ। ଟିକେ ବଡ଼ ହେଉ ହେଉ ଗୋମାତାଙ୍କ ଅମୃତଧାରା ତାକୁ ବଳ ଦେଇ ବିକଶିତ କରେ। ‘ଦୁଗ୍ଧ’ ମଣିଷ ଜୀବନର ଆଦ୍ୟ ତଥା ପ୍ରଥମ ଖାଦ୍ୟ। ଆୟୁର୍ବେଦ ପ୍ରବର୍ତ୍ତକଙ୍କ ମତରେ ଦୁଗ୍ଧ ହେଉଛି ଏକମାତ୍ର ଏମିତି ଖାଦ୍ୟ, ଯେଉଁଥିରେ ସମସ୍ତ ପ୍ରକାରର ପୁଷ୍ଟିତତ୍ତ୍ବ ଏକାସାଥେ ମିଳିପାରେ। ଶରୀରର ସାମଗ୍ରିକ ବିକାଶ ପାଇଁ ଯାହାକିଛି ପୋଷକତତ୍ତ୍ବ ଆବଶ୍ୟକ ଯଥା, କ୍ୟାଲ୍ସିୟମ୍, ମାଗ୍ନେସିୟମ୍, ରାଇବୋଫ୍ଲାବିନ୍, ଫସ୍ଫରସ୍, ସୋଡିୟମ୍, ପଟାସିୟମ୍, ପୃଷ୍ଟିସାର, ସ୍ନେହସାର ଓ ଭିଟାମିନ୍ ଆଦି ସମସ୍ତ ତତ୍ତ୍ବ କ୍ଷୀର ଦ୍ବାରା ହିଁ ଶରୀରକୁ ମିଳିଯାଇଥାଏ। କେବଳ ଶିଶୁ ନୁହେଁ, ବୟସର ସବୁ ପାହାଚରେ ମଣିଷ ଦୁଗ୍ଧ ଆବଶ୍ୟକ କରେ। କିନ୍ତୁ ଏହା କ’ଣ ପ୍ରତ୍ୟେକଙ୍କୁ ପର୍ଯ୍ୟାପ୍ତ ପରିମାଣରେ ମିଳିପାରୁଛି?
ସୂଚନା ମୁତାବକ, ୨୦୧୫-୧୬ରେ ଗାଈଗୋରୁମାନଙ୍କ ଟିକାକରଣ ସମୟର ତଥ୍ୟକୁ ବିେଶ୍ଳଷଣ କଲେ ଜଣାପଡ଼ୁଛି, ରାଜ୍ୟରେ ସମୁଦାୟ ୩୧ ଲକ୍ଷ ଗାଈ ଓ ମଇଁଷି ରହିଛନ୍ତି। ନିକଟରେ କୌଣସି ଗଣନା ହୋଇ ନଥିଲେ ମଧ୍ୟ ପାଖାପାଖି ୩୦ ଲକ୍ଷ ଗାଈ ଓଡ଼ିଶାରେ ଥିବା ଅନୁମାନ କରାଯାଉଛି। ତେବେ ସେ ସମୟରେ ଦେଶୀ ଗାଈଙ୍କ ସଂଖ୍ୟା ୧୦ ଲକ୍ଷ ଥିବା ବେଳେ ଏବେ ତାହା ୫ରୁ ୬ ଲକ୍ଷକୁ ଖସିଥିବା ଦୁଗ୍ଧଚାଷୀ ମହାସଂଘ ପକ୍ଷରୁ କୁହାଯାଉଛି। ଜଣେ ସୁସ୍ଥସବଳ ମଣିଷ ପାଇଁ ଦିନକୁ ୩୦୦ ଗ୍ରାମ୍ ଦୁଗ୍ଧର ଆବଶ୍ୟକତା ପଡୁଥିବା ବେଳେ ଓଡ଼ିଶାରେ ମୁଣ୍ଡପିଛା ମାତ୍ର ୧୪୪ ଗ୍ରାମ୍ ଦୁଗ୍ଧ ବ୍ୟୟ ହେଉଛି। ଅର୍ଥାତ୍ ଓଡ଼ିଶାର ଅଧା ଲୋକ ଦୁଗ୍ଧ ସେବନରୁ ବଞ୍ଚିତ। ଓଡ଼ିଶାରେ ଦୁଗ୍ଧର ନିଅଣ୍ଟିଆ ସ୍ଥିତି ରହିଥିବା ବେଳେ ଦେଶୀ ଦୁଗ୍ଧ କଥା ଆଲୋଚନା ନକରିବା ଭଲ। ଓଡ଼ିଶାରେ ସମୁଦାୟ ୧୫ ଲକ୍ଷ ଦୁଗ୍ଧଚାଷୀ ଥିବା ବେଳେ ଦିନକୁ ହାରାହାରି ୬୫ ଲକ୍ଷ ଲିଟର୍ ଦୁଗ୍ଧ ଉତ୍ପାଦିତ ହେଉଛି। ତେବେ ଏହାର ଦୁଇଗୁଣରୁ ଅଧିକ ଦୁଗ୍ଧ ରାଜ୍ୟରେ ଆବଶ୍ୟକ ହେଉଥିବା ମହାସଂଘ ପକ୍ଷରୁ ତଥ୍ୟ ଦିଆଯାଉଛି।
ବିଭିନ୍ନ ରାଜ୍ୟରେ ମିଳୁଥିବା ସରକାରୀ ସଂସ୍ଥାର ଦୁଗ୍ଧ
ଓଡ଼ିଶା- ଓମ୍ଫେଡ୍
କର୍ଣ୍ଣାଟକ- ନନ୍ଦିନୀ
ରାଜସ୍ଥାନ- ସରସ
ଉତ୍ତରପ୍ରଦେଶ- ଜ୍ଞାନ
ପଞ୍ଜାବ-ଭର୍କା
ଗୁଜୁରାଟ- ଅମୂଲ
ମଧ୍ୟପ୍ରଦେଶ- ସାଞ୍ଚି
ଦିଲ୍ଲୀ- ମଦର ଡେରି
ବିହାର- ସୁଧା
ଝାରଖଣ୍ଡ- ମେଧା
କେରଳ- ମିଲ୍ମା
ତାମିଲନାଡ଼ୁ- ଆଭିନ୍
ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ- ବିଜୟା
ମହାରାଷ୍ଟ୍ର- ଆରେ, ମହାନନ୍ଦା, ଗୋଗୁଳ
ଦେଶୀ ନା ବିଦେଶୀ! କେଉଁ ଗାଈ ଦୁଗ୍ଧ ପିଇବା?
ଓଡ଼ିଶାରେ କେବଳ ଦୁଗ୍ଧର ନିଅଣ୍ଟିଆ ସ୍ଥିତି ନୁହେଁ, ଦୁଗ୍ଧକୁ ନେଇ ବହୁ ଦ୍ବନ୍ଦ୍ବ ମଧ୍ୟ ରହିଛି। ଏେବ ଦୁଗ୍ଧର ବହୁମାତ୍ରାରେ ବ୍ୟବସାୟୀକରଣ ହେଉଛି। କେଉଁ ଦୁଗ୍ଧ ଭଲ ଓ କେଉଁଟା ଖରାପ, ଏପରିକି ଦୁଗ୍ଧ ଶରୀର ପ୍ରତି ହିତକର କି ନୁହେଁ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏବେ ବଜାରରେ ଏ-୧ ଓ ଏ-୨ ଆଦି ଦୁଇପ୍ରକାର ଦୁଗ୍ଧର ପ୍ରବଳ ବ୍ୟବସାୟ କରାଯାଉଥିବା ଦେଖିବାକୁ ମିଳୁଛି। ଏ-୨ ଦୁଗ୍ଧ ସ୍ବାସ୍ଥ୍ୟ ପାଇଁ ଅଧିକ ହିତକାରୀ ବୋଲି କୁହାଯାଉଥିବା ବେଳେ ଏହା ଦେଶୀ ଗାଈର ହଁି ଦୁଗ୍ଧ ହୋଇଥାଏ। ତେବେ ଏହି ଏ-୧ ଓ ଏ-୨ ଦୁଗ୍ଧ କ’ଣ? ଏ-୨ ଦୁଗ୍ଧ କାହିଁକି ସ୍ବାସ୍ଥ୍ୟକର ଏହାକୁ ଆସନ୍ତୁ ଅନୁଶୀଳନ କରିବା।
ଗାଈ ଦୁଗ୍ଧରେ ସିଂହଭାଗ ଅର୍ଥାତ ୮୦% କ୍ୟାସିନ୍ ପ୍ରୋଟିନ୍ ରହିଥାଏ। ଏହି କ୍ୟାସିନ୍ ପ୍ରୋଟିନ୍ ମଧ୍ୟ ୪ ପ୍ରକାରର ଯଥା, ଆଲ୍ଫା କ୍ୟାସିନ୍, ବିଟା କ୍ୟାସିନ୍, ଗାମା କ୍ୟାସିନ୍ ଓ କାପ୍ପା କ୍ୟାସିନ୍। ପୁଣି ବିଟା କ୍ୟାସିନ୍ ବି ଦୁଇ ପ୍ରକାରର; ତାହା ହେଉଛି ଏ-୧ ବିଟା କ୍ୟାସିନ୍ ଓ ଏ-୨ ବିଟା କ୍ୟାସିନ୍। ଏହି ଏ-୧ ବିଟା କ୍ୟାସିନ୍ ଫରେନ୍ କାଓ ବ୍ରିଡ୍ ଯେମିତିକି ହଲ୍ଷ୍ଟାଇନ୍, ଆୟର୍ସିର୍ ଓ ଫାଏର୍ସାଇନ୍ ଓ ଜର୍ସି ଗାଈ କ୍ଷୀରରେ ମିଳିଥାଏ। ସେହିଭଳି ଏ-୨ ବିଟା କ୍ୟାସିନ୍ ଆମର ଦେଶୀ ଗାଈ ଯଥା ଗିର୍, ସାହିୱାଲ୍, ଥାର୍ପାର୍କର ଓ ରେଡ୍ ସିନ୍ଧି ଆଦି ଗାଈଙ୍କ ଦୁଗ୍ଧରେ ଦେଖିବାକୁ ମିଳିଥାଏ।
ଏହି ବିଦେଶୀ ଗାଈଙ୍କ ଦୁଗ୍ଧ ଆମେ ପିଇବା ଫଳରେ ହଜମକ୍ରିୟା ସମୟରେ ଏଥିରେ ଥିବା ଏ-୧ ବିଟା କ୍ୟାସିନ୍ ଭାଙ୍ଗି ବିସିଏମ୍-୭ରେ ପରିଣତ ହୋଇଯାଇଥାଏ। ଏହି ବିସିଏମ୍-୭ ହଜମ କ୍ରିୟାରେ ସମସ୍ୟା ସୃଷ୍ଟି କରିବା ସହ ପେଟ ଫୁଲାଇଥାଏ। ଏଥିସହ ଟାଇପ୍-୧ ମଧୁମେହ, ହୃଦ୍ରୋଗ ଓ ଅଟିଜିମ୍ ବି ଏହି ବିସିଏମ୍-୭ ଯୋଗୁଁ ଦେଖାଯାଉଛି ବୋଲି ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଏବଂ ଏହା ଉପରେ ଅଧିକ ଗବେଷଣା ଜାରି ରହିଛି। କିନ୍ତୁ ଏ-୨ ବିଟା କ୍ୟାସିନ୍ ହଜମକ୍ରିୟା ସମୟରେ ବିସିଏମ୍-୭ରେ ପରିଣତ ହୋଇ ନଥାଏ। ଅର୍ଥାତ୍ ଦେଶୀ ଗାଈର ଦୁଗ୍ଧକୁ ଶରୀର ଓ ପେଟ ପାଇଁ ଅତ୍ୟନ୍ତ ସ୍ବାସ୍ଥ୍ୟକର ବୋଲି ବୈଜ୍ଞାନିକ ତଥା ବିଶେଷଜ୍ଞମାନେ ମତ ଦେଇଥା’ନ୍ତି। ଦେଶୀ ଗାଈ କମ୍ ଦୁଗ୍ଧ ଦେଉଥିବାରୁ ବଜାରରେ ମିଳୁଥିବା ଦୁଗ୍ଧଠାରୁ ଟିକେ ଅଧିକ ଦାମୀ ହୋଇଥାଏ।