ଭାରତର ଜଣେ ବିଶିଷ୍ଟ ଶିକ୍ଷାବିତ୍ ଭାବେ ସୁପରିଚିତ ପ୍ରଫେସର୍‌ ଡକ୍ଟର୍‌ ଶାନ୍ତନୁ କୁମାର ସ୍ବାଇଁଙ୍କର ଶିକ୍ଷା‌ କ୍ଷେତ୍ରରେ ରହିଛି ଦୀର୍ଘ ୪୫ ବର୍ଷର ଅଭିଜ୍ଞତା। ୨୦୦୬ ମସିହାରୁ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ‌େର ଶିକ୍ଷା ବିଭାଗର ପ୍ରଫେସର୍‌ ଭାବେ ଦାୟିତ୍ବ ନିର୍ବାହ କରୁଥିବା ପ୍ରଫେସର ସ୍ବାଇଁଙ୍କୁ ଚଳିତବର୍ଷ ଅଗଷ୍ଟ ମାସରେ ଭାରତର ରାଷ୍ଟ୍ରପତି ସିକିମ୍‌ ବିଶ୍ବବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ କରିଛନ୍ତି। ଏହି ଗୁରୁଦାୟିତ୍ବ ଗ୍ରହଣ କରିବାପରେ ପ୍ରଫେସର୍‌ ସ୍ବାଇଁ ଆମର ବରିଷ୍ଠ ପ୍ରତିନିଧି ବିଭୂତି ପତିଙ୍କୁ ସାକ୍ଷାତ୍‌କାର ଦେଇ ନୂତନ ଜାତୀୟ ଶିକ୍ଷାନୀତି, ବିଶ୍ବସ୍ତରରେ ଭାରତୀୟ ବିଶ୍ବବିଦ୍ୟାଳୟର ଗୁଣାତ୍ମକ ମାନ, ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ ଓ ଉତ୍କଳ ବିଶ୍ବବିଦ୍ୟାଳୟ ସମ୍ବନ୍ଧରେ ବିଭିନ୍ନ ପ୍ରସଙ୍ଗ ତଥା ସିକିମ୍‌ରେ ତାଙ୍କ ସୁଖଦ ଅନୁଭୂତି କଥା ବର୍ଣ୍ଣନା କରିଛନ୍ତି।

Advertisment

ସଂକ୍ଷେପରେ ଶାନ୍ତନୁ

ପ୍ରଫେସର ଶାନ୍ତନୁ କୁମାର ସ୍ବାଇଁ ପୁରୀ ନିକଟସ୍ଥ ଋଷିପଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ହରିଶ୍ଚନ୍ଦ୍ର ମେମୋରିଆଲ୍‌ ହାଇସ୍କୁଲ୍‌ରୁ ମାଟ୍ରିକ୍‌ରେ ଉତ୍ତୀର୍ଣ୍ଣ ହୋଇ ସେ ବିଜ୍ଞାନ ଅଧ୍ୟୟନ କରିଥିଲେ। ପରେ ଅଧ୍ୟାପକ ମଧୁସୂଦନ ଦାଶଙ୍କ ପ୍ରେରଣାରେ ସେ ବିଜ୍ଞାନ ଛାଡ଼ି ସ୍ନାତକରେ ଶିକ୍ଷା ବିଷୟ ନେଇ ଅଧ୍ୟୟନ କଲେ। ଏହାପରେ ସେ କୁରୁକ୍ଷେତ୍ର ବିଶ୍ବବିଦ୍ୟାଳୟରୁ ସ୍ନାତକୋତ୍ତର ଓ ଏମ୍‌ଫିଲ୍ ଡିଗ୍ରି ହାସଲ କରିଥିଲେ। କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟରୁ ସେ ସ୍ବର୍ଣ୍ଣପଦକ ମଧ୍ୟ ଲାଭ କରିଛନ୍ତି। ପରବର୍ତ୍ତୀ ସମୟରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ପିଏଚ୍‌ଡି ଓ ଡିଲିଟ୍ ଡିଗ୍ରି ହାସଲ କରିଥିବା ଡ.ସ୍ବାଇଁ ଇଂଲଣ୍ଡ୍‌ର ଲିଡ୍‌ସ୍‌ ବିଶ୍ବବିଦ୍ୟାଳୟରେ ଏଜୁକେସନ୍‌ ପ୍ଲାନିଂ ଆଣ୍ଡ୍ ମ୍ୟାନେଜ୍‌ମେଣ୍ଟ୍‌ରେ ଉଚ୍ଚତର ଅଧ୍ୟୟନ ଓ ଗବେଷଣା କରିଛନ୍ତି। 

୧୯୮୧ ମସିହାରେ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗ ଅଧୀନରେ ସେ ଆସିଷ୍ଟାଣ୍ଟ୍‌ ପ୍ରଫେସର୍‌ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ। ରେଭେନ୍‌ସା କଲେଜ୍‌ରେ ୨୫ ବର୍ଷ ଅଧ୍ୟାପକ ଦାୟିତ୍ବ ତୁଲାଇବା ସହିତ କଟକସ୍ଥିତ ରାଧାନାଥ ଟ୍ରେନିଂ କଲେଜ୍‌ରେ ମଧ୍ୟ ସେ ଅଧ୍ୟାପକ ଭାବେ କାର୍ଯ୍ୟକରି ବେଶ୍‌ ସୁନାମ ଅର୍ଜନ କରିଛନ୍ତି। ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରେ ପ୍ରଫେସର୍ ଓ ଡିନ୍ ଭାବେ କାର୍ଯ୍ୟ ସମ୍ପାଦନକରି ସେ ଦକ୍ଷତାର ପ୍ରମାଣ ଦେଇଛନ୍ତି। ପ୍ରଫେସର ସ୍ବାଇଁ ଜବାହରଲାଲ୍‌ ନେହେରୁ ମେମୋରିଆଲ୍‌ ଫଣ୍ଡ୍‌ ପକ୍ଷରୁ ସମ୍ମାନିତ ହେବା ସହିତ ଓଡ଼ିଶାର ‘ଓଷ୍ଟା’ ତରଫରୁ ବି ପୁରସ୍କୃତ ହୋଇଛନ୍ତି। ଏନ୍‌.ସି.ଇ.ଆର୍‌.ଟି. ଅଧ୍ୟକ୍ଷ ପ୍ରଫେସର୍‌ ପଙ୍କଜ ଅରୋରା ଓ ନିର୍ଦ୍ଦେଶକ ପ୍ରଫେସର୍‌ ଦୀନେଶପ୍ରସାଦ ସାକ୍‌ଲାନି ଏବଂ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଫେସର୍‌ ଉମା କାଞ୍ଜିଲାଲ୍‌ ପ୍ରଫେସର୍‌ ସ୍ବାଇଁଙ୍କୁ ତାଙ୍କ ଅବଦାନ ପାଇଁ ସମ୍ମାନିତ କରିଛନ୍ତି। ଏନ୍‌.ସି.ଇ.ଆର୍‌.ଟି. ତରଫରୁ ଜାତୀୟ ଶିକ୍ଷାନୀତି ଉପରେ ଆୟୋଜିତ ‘ଓପନ୍‌ ହାଉସ୍‌ ଡିସ୍‌କସନ୍‌’ରେ ନିଜର ମତ ରଖି ପ୍ରଶଂସିତ ହୋଇଥିଲେ। ସେ ଭାରତୀୟ ଉଚ୍ଚ ଅଧ୍ୟୟନ ସଂସ୍ଥାନ ସମ୍ମିଳନୀରେ ଅଧ୍ୟକ୍ଷତା କରିବାର ସୌଭାଗ୍ୟଲାଭ କରିଛନ୍ତି। ସେ ଏକାଧିକ ବିଶ୍ୱବିଦ୍ୟାଳୟର ମାନ ନିର୍ଦ୍ଧାରଣ ଓ ମୂଲ୍ୟାଙ୍କନ କମିଟିର ଅଧ୍ୟକ୍ଷ ମଧ୍ୟ ରହିଛନ୍ତି।

ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରେ ଆପଣ ଦୀର୍ଘଦିନ ଧରି କାର୍ଯ୍ୟ କରିଛନ୍ତି। ସେଠାକାର ଶୈକ୍ଷିକ ପରିବେଶ ଓ ଶିକ୍ଷାର ମାନ ସଂପର୍କରେ କ’ଣ କହିବେ? କିଭଳି ଥିଲା କାର୍ଯ୍ୟାନୁଭୂତି?
ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ ଦକ୍ଷିଣ ଏସିଆର ସର୍ବବୃହତ୍ ବିଶ୍ବବିଦ୍ୟାଳୟ। ସମଗ୍ର ଏସିଆ ମହାଦେଶରେ ମଧ୍ୟ ଏହା ଅନ୍ୟତମ ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଛି। ଏଠାରେ ୧୪୦ଟି ବିଷୟରେ ଅଧ୍ୟୟନ ସୁବିଧା ରହିଛି। ଏଠାରେ ପ୍ରାୟ ୨୫୦୦ରୁ ଅଧିକ ଅଧ୍ୟାପକ/ଅଧ୍ୟାପିକା ରହିଛନ୍ତି। ଏହାସହିତ ୬୦୦୦ ଅନ୍ୟାନ୍ୟ ପଦାଧିକାରୀ ବି ରହିଛନ୍ତି। ୧୧୦ଟି ଛାତ୍ରାବାସ ରହିଛି ଏବଂ ସେଥିରେ ୪୫ ହଜାର ଛାତ୍ରଛାତ୍ରୀ ରହି ଅଧ୍ୟୟନ କରନ୍ତି। ୧୯୧୬ ସ୍ଥାପିତ ଏହି ବିଶ୍ବବିଦ୍ୟାଳୟର ତିନିଟି କ୍ୟାମ୍ପସ୍ ରହିଛି। ୧୦୦ ବର୍ଷ ପୂରଣ କରିସାରିଥିବା ଏହି ଶିକ୍ଷାନୁଷ୍ଠାନ ଏକ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ।   ସେଠାରେ ମୁଁ ୫୦ ହଜାର ଗଛ ଲଗାଇ ସେସବୁ ସଯତ୍ନେ ବଢ଼ାଇଛି। ଏହା ମୋର ଅଭୁଲା ଅନୁଭୂତି। ସେଠାରେ କାର୍ଯ୍ୟ କରି ମୁଁ ଆତ୍ମସନ୍ତୋଷ ଲାଭ କରିଛି।

ଦେଶର ଜଣେ ବିଶିଷ୍ଟ ଶିକ୍ଷାବିତ୍ ଭାବେ ନୂତନ ଜାତୀୟ ଶିକ୍ଷାନୀତି ସଂପର୍କରେ ଆପଣଙ୍କ ମତ କ’ଣ?
୨୦୨୦ରେ ନୂତନ ଜାତୀୟ ଶିକ୍ଷାନୀତି (ଏନ୍‌ଇପି) ପ୍ରଣୟନ କରାଯାଇଥିଲା। ପୁରାତନ ଶିକ୍ଷାନୀତି ଚାଲିବାର ୩୪ବର୍ଷ ପରେ ନୂତନ ଏନ୍‌ଇପିର ଯଥେଷ୍ଟ ଆବଶ୍ୟକତା ଥିଲା। ଜଗତୀକରଣ ସମୟରୁ ବିଶ୍ବ ଶିକ୍ଷା ବ୍ୟବସ୍ଥାରେ ପ୍ରତିଦିନ ପରିବର୍ତ୍ତନ ହୋଇ ଅଗ୍ରଗତି ଘଟୁଥିବା ବେଳେ ଆମେ ୧୯୮୬ ମସିହାର ଶିକ୍ଷାନୀତିକୁ ଧରିବସି ଆଧୁନିକ ଶିକ୍ଷା ବ୍ୟବସ୍ଥାରେ ଅଗ୍ରଗତି କରିପାରି ନଥାନ୍ତେ। ଆଧୁନିକ ସମୟର ଅନେକ ଦିଗ ପ୍ରତି ଧ୍ୟାନ ରଖି ଶିକ୍ଷାର ମାନ ବୃଦ୍ଧି ପାଇଁ ନୂତନ ଏନ୍‌ଇପି ପ୍ରଣୟନ କରାଯାଇଛି। ଏହି ଶିକ୍ଷାନୀତି ସଂରଚନାତ୍ମକ ହୋଇଥିବାରୁ ଏଥିରେ ଅଧ୍ୟୟନ ଓ ଅଧ୍ୟାପନା ଶୈଳୀରେ ବ୍ୟାପକ ସୁଧାର ଆଣିବାର ଆଭିମୁଖ୍ୟ ରହିଛି। ବିଶ୍ବସ୍ତରରେ ଭାରତ ତା’ର ମୌଳିକ ଶ୍ରେଷ୍ଠତ୍ବ ପ୍ରତିପାଦନ କରିଥିବା ପାରମ୍ପରିକ ଜ୍ଞାନ ଉପରେ ପ୍ରାଧାନ୍ୟ ଦିଆଯାଇଥିବା ଏହି ଶିକ୍ଷାନୀତିରେ ଶିକ୍ଷାର୍ଥୀମାନଙ୍କ ଅଧ୍ୟୟନ ସୁବିଧା ପାଇଁ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ଦ୍ବାରା ଆର୍ଥିକ ପ୍ରୋତ୍ସାହନ ସୁଯୋଗ ବି ରହିଛି। ନୂତନ ଏନ୍‌ଇପିରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସ୍ଥିରୀକୃତ ହେବା ସହିତ ଶିକ୍ଷାର୍ଥୀମାନଙ୍କର ସର୍ବାଙ୍ଗୀନ ଉନ୍ନତି ପ୍ରତି ଧ୍ୟାନ ଦିଆଯାଇଛି। ବିଷୟଗୁଡ଼ିକୁ ମୁକ୍ତ ତଥା ସରଳୀକରଣ କରାଯାଇଛି। ପାଠରେ ବିଦ୍ୟାର୍ଥୀମାନେ କିପରି ପାରଦର୍ଶୀ ହୋଇ ପାରିବେ ସେଥିପ୍ରତି ଧ୍ୟାନ ଦିଆଯାଇଛି।

ଖୁବ୍‌ ସ୍ବଳ୍ପ ସମୟରେ ନୂତନ ଶିକ୍ଷାନୀତି ପରିଚାଳନା କରାଯାଉଥିବାରୁ ଏଥିରେ ଅନେକ ଆହ୍ବାନ ଥିବା ପ୍ରତୀୟମାନ ହେଉଛି। ତେଣୁ ଏହାର ସଫଳତାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠୁଛି। ଏହାର କାର୍ଯ୍ୟକାରୀତାକୁ ନେଇ କ’ଣ କହିବେ?
ଆରମ୍ଭ ସମୟରେ ପ୍ରତ୍ୟେକ କାର୍ଯ୍ୟରେ ନିଶ୍ଚିତ କିଛି ଆହ୍ବାନ ଓ ସମସ୍ୟା ଥାଏ। କିନ୍ତୁ ମୁଁ ଭାବୁଛି ନିଷ୍ଠାର ସହ ପରିଚାଳନା କଲେ ସବୁ ସମସ୍ୟା ସମାଧାନ ହେବ ଏବଂ ସଫଳତାର ସହ ସବୁ ଆହ୍ବାନର ମୁକାବିଲା କରାଯାଇ ପାରିବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜନୈତିକ ସ୍ତରରେ କାର୍ଯ୍ୟକରି ପ୍ରତ୍ୟେକ ଯୋଜନା ସଫଳ କରିବାର ଅଭିଜ୍ଞତା ହାସଲ କଲେଣି। ସଫଳତାର ସହ କିପରି ନୂତନ ଶିକ୍ଷାନୀତି ପରିଚାଳନା କରାଯାଇ କାର୍ଯ୍ୟକ୍ଷମ କରାଯିବ ସେଥିପ୍ରତି ସେ ବିଶେଷ ଗୁରୁତ୍ବ ଦେଉଛନ୍ତି। ଏଥିରେ ଥିବା ବିଭିନ୍ନ ସମସ୍ୟା ସମାଧାନ ପାଇଁ ସେ ବିଶିଷ୍ଟ ଶିକ୍ଷାବିତ୍‌ମାନଙ୍କ ସହିତ ସର୍ବଦା ବୈଠକ କରୁଛନ୍ତି। ତେଣୁ ନୂତନ ଶିକ୍ଷାନୀତି ସଫଳତାର ସହ କାର୍ଯ୍ୟକାରୀ ହେବ।

ବିଶ୍ବସ୍ତରରେ ଭାରତୀୟ ବିଶ୍ବବିଦ୍ୟାଳୟଗୁଡ଼ିକର ମାନ୍ୟତା ବହୁ ପଛରେ ପଡ଼ିଯାଇଛି। ଅନେକ ଭାରତୀୟ ଛାତ୍ରଛାତ୍ରୀ ବିଦେଶରେ ପାଠ ପଢ଼ିବା ଓ ଗବେଷଣା କରିବାକୁ ଯାଉଛନ୍ତି। ଏହା ଉପରେ ଆପଣଙ୍କ ମତ କ’ଣ?
ଆପଣଙ୍କ ପ୍ରଶ୍ନର ଯଥେଷ୍ଟ ପ୍ରାସଙ୍ଗିକତା ରହିଛି, କିନ୍ତୁ ଏହା ସଂପୂର୍ଣ୍ଣ ଗ୍ରହଣଯୋଗ୍ୟ ନୁହେଁ। ଆମର ବିଶ୍ବବିଦ୍ୟାଳୟଗୁଡ଼ିକର ମାନ୍ୟତାରେ ଅବନତି ଘଟିଛି ବୋଲି କୁହାଯାଇ ପାରିବନାହିଁ। ଆଜି ବି ଦିଲ୍ଲୀ ବିଶ୍ବବିଦ୍ୟାଳୟ, ବନାରସ ହିନ୍ଦୁ ବିଶ୍ବବିିଦ୍ୟାଳୟ, ଜବାହରଲାଲ୍‌ ନେହରୁ ବିଶ୍ବବିଦ୍ୟାଳୟ, ହାଇଦ୍ରାବାଦ ବିଶ୍ବବିଦ୍ୟାଳୟ ଓ ଆଲିଗଡ଼ ମୁସ୍‌ଲିମ୍‌ ବିଶ୍ବବିଦ୍ୟାଳୟ ସେମାନଙ୍କ ସୁନାମ ଅକ୍ଷୁଣ୍ଣ ରଖିଛନ୍ତି। ବିଶ୍ବସ୍ତରୀୟ ମାନ୍ୟତା ଲାଗି ପାଞ୍ଚଟି ପାରାମିଟର୍‌ ଉପରେ ଧ୍ୟାନ ଦିଆଯାଏ। ଅବଶ୍ୟ ଭାରତୀୟ ବିଶ୍ବବିଦ୍ୟାଳୟ ସବୁ ଏହି ପାଞ୍ଚଟି ପାରାମିଟର୍‌ରୁ ସବୁଥିରେ ଯୋଗ୍ୟତା ହାସଲ କରିପାରୁ ନାହାନ୍ତି। ଏହି ପାଞ୍ଚଟି ପାରାମିଟର୍‌ରେ ପାରଦର୍ଶିତା ଆଣିବା ପାଇଁ ନୂତନ ଜାତୀୟ ଶିକ୍ଷାନୀତି ବିଶେଷ ସହାୟକ ହେବ। କିନ୍ତୁ, ଏହା ନିଶ୍ଚିତ ଯେ ଭାରତୀୟ ଶିକ୍ଷା ବଜେଟ୍‌ରେ ଆହୁରି ଅଧିକ ଅର୍ଥ ଓ ସମ୍ବଳ ରହିବା ଆବଶ୍ୟକ। ଏଥିସହ ଗବେଷଣା ପାଇଁ ଅାର୍ଥିକ ସହାୟତା (ରିସର୍ଚ୍ଚ ଗ୍ରାଣ୍ଟ୍‌) ଆହୁରି ଅଧିକ ବୃଦ୍ଧି କରିବା ଆବଶ୍ୟକ। ପୁଣି ଆମ ବିଶ୍ବବିଦ୍ୟାଳୟସ୍ତରୀୟ ଗବେଷଣା ଦକ୍ଷତା ବି ଅଧିକ ବୃଦ୍ଧି କରିବା ଦରକାର।

ସିକିମ ବିଶ୍ବବିଦ୍ୟାଳୟରେ କୁଳପତି ଭାବେ ଯୋଗଦେବା ପରେ ଆପଣଙ୍କର ସବୁଠୁ ସୁଖଦ ଅନୁଭୂତି କ’ଣ ଥିଲା?
ସିକିମ୍ ହେଉଛି ଅତି ଉନ୍ନତମାନର ପରିବେଶ ଥିବା ଏକ ପ୍ରଦୂଷଣ ମୁକ୍ତ ରାଜ୍ୟ। ଏଠାକାର ଜଳବାୟୁ ସ୍ବାସ୍ଥ୍ୟପ୍ରଦ। ପୁଣି ଏଠାରେ ପନିପରିବା ସଂପୂର୍ଣ୍ଣ ଜୈବିକ କୃଷି ପଦ୍ଧତିରେ ଉତ୍ପାଦନ ହୁଏ। ରାସାୟନିକ ସାରର ବ୍ୟବହାର ସେଠାରେ ପ୍ରାୟତଃ ନାହିଁ କହିଲେ ଚଳେ। ସିକିମ୍ ବିଶ୍ବବିଦ୍ୟାଳୟରେ ଯୋଗଦେବା ପରେ ଏସବୁ କଥା ମୋତେ ଖୁସି ଦେଇଥିଲା। କିନ୍ତୁ, ମୁଁ ମନେ ମନେ ଜଗନ୍ନାଥ ମନ୍ଦିର ଖୋଜୁଥିଲି। ଜାଣିଲି ନାମ୍‌ସୀ ସହର ଦେଇ ପ୍ରବାହିତ ତିସ୍ତା ନଦୀ ନିକଟରେ ଚାରିଧାମ ଦର୍ଶନସ୍ଥଳୀ ନିର୍ମାଣ କରାଯାଇଛି ଏବଂ ସେଠ‌ାରେ ଜଗନ୍ନାଥ ମନ୍ଦିର ଅଛି। ମୁଁ ନାମ୍‌ସୀ ଜଗନ୍ନାଥ ମନ୍ଦିର ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନକଲି। ତାହା ହିଁ ଥିଲା ମୋର ସବୁଠୁ ଅାନନ୍ଦର ମୁହୂର୍ତ୍ତ।