କରିଶ୍ମା କେଵଲରମାନୀ ଜଣେ ଯୁବ ଉଦ୍ୟୋଗୀ ଯିଏ ‘ଫେ (ଏଫ୍ଏଇ) ବ୍ୟୁଟି’ ନାମକ ଅଭିନବ ପ୍ରସାଧନ କମ୍ପାନି ପ୍ରତିଷ୍ଠା କରିଛନ୍ତି। ଏହି କମ୍ପାନିର ପୂରା ନାମ ହେଲା ‘ଫ୍ରି ଆଣ୍ଡ୍ ଇକ୍ବାଲ୍ ବ୍ୟୁଟି ଫର୍ ଅଲ୍’ ବା ସଭିଙ୍କ ଲାଗି ମୁକ୍ତ ଓ ସମାନ ସୌନ୍ଦର୍ଯ୍ୟ। ଏହି କମ୍ପାନି ଲିଙ୍ଗ-ନିରପେକ୍ଷ ମେକ୍ଅପ୍ ପ୍ରସ୍ତୁତ କରିଥାଏ ଏବଂ କମ୍ପାନିର ଉଦ୍ଦେଶ୍ୟ ହେଉଛି ଶ୍ୟାମଳ ତ୍ବଚାର ପ୍ରତିନିଧିତ୍ବ ବୃଦ୍ଧି କରିବା। ନିକଟରେ କରିଶ୍ମା ‘ସାର୍କ ଟ୍ୟାଙ୍କ ଇଣ୍ଡିଆ’ ଟିଭି କାର୍ଯ୍ୟକ୍ରମର ଚତୁର୍ଥ ସିଜନ୍ରେ ଭାଗ ନେଇ ନିଜ କମ୍ପାନି ପାଇଁ ୧ କୋଟି ଟଙ୍କାର ବିନିଯୋଗ ଅଫର ହାସଲ କରିଥିଲେ।
କରିଶ୍ମା କହନ୍ତି ଯେ ଧଳା ତ୍ବଚା ଓ ନୀଳ ଆଖି ଆଦିକୁ ସମାଜ ସୌନ୍ଦର୍ଯ୍ୟର ମାନଦଣ୍ଡ ଭଳି ଦେଖିବା ଦ୍ବାରା ତାହା ସହ ମେଳ ଖାଉନଥିବା ଲୋକମାନେ ନିଜକୁ ଅସୁନ୍ଦର ମନେ କରନ୍ତି। ତେବେ ନିଜ ଭଳି ଦିଶୁଥିବା ଲୋକଙ୍କୁ ସୁନ୍ଦର ବୋଲି କୁହାଯିବା ଦେଖିଲେ ନିଜ ସୌନ୍ଦର୍ଯ୍ୟକୁ ସ୍ବୀକାର କରିବା ସହଜ ହୋଇଥାଏ। କରିଶ୍ମାଙ୍କ ମାଆ ଶ୍ୟାମଳା ହୋଇଥିବାରୁ ସେ ନିଜ ତ୍ବଚା ଉପଯୁକ୍ତ ପ୍ରସାଧନ ସାମଗ୍ରୀ ଖୋଜିବାକୁ କିପରି ସଂଘର୍ଷ କରୁଥିଲେ ତାହା ସେ ଛୋଟବେଳେ ଦେଖିଥିଲେ ଏବଂ ଅନୁଭବ କରିଥିଲେ ଯେ ପ୍ରସାଧନ ଶିଳ୍ପ କିପରି ଅନ୍ୟାୟପୂର୍ଣ୍ଣ ଭାବେ ଗୋଟିଏ ଗୋଷ୍ଠୀ ଆଡ଼କୁ ଢଳି ରହିଛି। ତେଣୁ ସେ ପ୍ରସାଧନକୁ ସମସ୍ତଙ୍କ ପାଇଁ ସମାନ ଭାବେ ଉପଲବ୍ଧ କରାଇ ସଭିଏଁ ଯେମିତି ନିଜକୁ ସୁନ୍ଦର ଓ ଆତ୍ମବିଶ୍ବାସୀ ଅନୁଭବ କରିବେ ସେ ଲକ୍ଷ୍ୟ ନେଇ ‘ଫେ ବ୍ୟୁଟି’ ପ୍ରତିଷ୍ଠା କରିଥିଲେ। ସବୁ ପ୍ରକାର ଭାରତୀୟ ତ୍ବଚା ପାଇଁ ଭାରତର ଉଷ୍ଣ ଜଳବାୟୁକୁ ଦୃଷ୍ଟିରେ ରଖି ଏହି କମ୍ପାନି ପ୍ରସାଧନ ପ୍ରସ୍ତୁତ କରୁଛି। ଏହି କମ୍ପାନି ପ୍ରସାଧନ ସାମଗ୍ରୀଗୁଡ଼ିକର ବିଜ୍ଞାପନ ପ୍ରସ୍ତୁତିରେ ସ୍ବତନ୍ତ୍ର ଆଲୋକସଜ୍ଜା ବା ଫଟୋସପ୍ ପରି ସଫ୍ଟୱେର୍ ବ୍ୟବହାର କରୁ ନଥିବାର ଦାବି କରେ। ତେଣୁ ସୌନ୍ଦର୍ଯ୍ୟର ଅବାସ୍ତବ ମାନଦଣ୍ଡ ସ୍ଥିର କରିବା ପରିବର୍ତ୍ତେ ଚର୍ମର ରଙ୍ଗକୁ ନ ବଦଳାଇ କିପରି ଜଣେ ନିଜ ସୌନ୍ଦର୍ଯ୍ୟକୁ ଗ୍ରହଣ କରିପାରିବ ସେ ବିଚାର ପାଇଁ କରିଶ୍ମାଙ୍କ ଉଦ୍ୟୋଗ ପ୍ରଶଂସାର ହକଦାର।
ତସନୁବା ଅନାନ୍ ଶିଶିର୍
ତସନୁବା ଅନାନ୍ ଶିଶିର୍ ବାଲାଂଦେଶର ପ୍ରଥମ ଟ୍ରାନ୍ସଜେଣ୍ଡର୍ ନ୍ୟୁଜ୍ ଅାଙ୍କର୍। ଦିନ ଥିଲା ସେ ନିଜକୁ ବହୁତ ଘୃଣା କରୁଥିଲେ। ତାଙ୍କର ଏକ ସାକ୍ଷାତ୍କାରରେ ସେ କହିଛନ୍ତି କିଶୋର ଅବସ୍ଥାରେ ସେ ଅନୁଭବ କଲେ ଯେ, ତାଙ୍କ ମଧ୍ୟରେ କିିଛି ଅଜବ ପରିବର୍ତ୍ତନ ହେଉଛି। ପିଲାଦିନେ ସେ ବହୁବର୍ଷ ପର୍ଯ୍ୟନ୍ତ େଯୗନ ହିଂସାର ଶିକାର ହୋଇଥିଲେ ମଧ୍ୟ ତାଙ୍କୁ ପାଟି ନ ଖୋଲିବାକୁ ଧମକ ଦିଆଯାଉଥିଲା। ସେହି ସମୟରେ ସେ ବହୁବାର ଆତ୍ମହତ୍ୟା ଉଦ୍ୟମ କରୁଥିଲେ। ତାଙ୍କ ବାପା ତାଙ୍କ ସହ କଥା ହେଉ ନଥିଲେ। ତେଣୁ ସେ ରାଗିଯାଇ ଘର ଛାଡ଼ି ଢାକା ପଳାଇଥିଲେ। ଏକା ହୋଇ ମନକୁ ଦୃଢ଼ କରି ହର୍ମୋନ୍ ଥେରାପି ଟ୍ରିଟ୍ମେଣ୍ଟ୍ ଆରମ୍ଭ କରିଥିଲେ। ଏକ ଥିଏଟର୍ରେ କାମ କରିବା ସହିତ ପଢ଼ାପଢ଼ି ମଧ୍ୟ ଜାରି ରଖିଥିଲେ। ବାଲାଂଦେଶର ବୋଇଶାଖି ଟିଭି ତାଙ୍କୁ ଅଡିସନ୍ ପାଇଁ ଡାକିବା ପରେ ତାଙ୍କର ଏ କ୍ଷେତ୍ରରେ ଯାତ୍ରା ଆରମ୍ଭ ହୋଇଥିଲା।
ସତ୍ୟାଶ୍ରୀ ଶର୍ମିଳା
ସତ୍ୟାଶ୍ରୀ ହେଉଛନ୍ତି ପ୍ରଥମ ଭାରତୀୟ ସମଲିଙ୍ଗୀ ଓକିଲ। ଟ୍ରାନ୍ସଜେଣ୍ଡରମାନଙ୍କ ପ୍ରତି ସମାଜର ଭିନ୍ନ ଦୃଷ୍ଟିଭଙ୍ଗୀକୁ ବେଖାତିର କରି ସତ୍ୟାଶ୍ରୀ ଏପରି ଉଦାହରଣ ସୃଷ୍ଟି କଲେ ଯାହା ସମାଲୋଚକମାନଙ୍କୁ ଲଜ୍ଜିତ କଲା। ଆଇନ ପାଠପଢ଼ି ସେ ଏଥିରେ କ୍ୟାରିୟର୍ ଗଢ଼ିବାକୁ ନିଷ୍ପତ୍ତି ନେଲେ। ଯଦ୍ଦ୍ବାରା ସେ ନିଜ ଅଧିକାର ଫେରିପାଇବା ସହିତ ଅନ୍ୟ କିନ୍ନରମାନଙ୍କୁ ମଧ୍ୟ ସେମାନଙ୍କ ଅଧିକାର ଫେରି ପାଇବା ଦିଗରେ ସହଯୋଗ କରିପାରିବେ। ତାମିଲନାଡୁରେ ଜନ୍ମଗ୍ରହଣ କରି ମଧ୍ୟ ସତ୍ୟାଶ୍ରୀ ନିଜ ଜେଣ୍ଡର୍ ପାଇଁ ନିର୍ଯାତନାର ଶିକାର ହୋଇ ଆସୁଥିଲେ। ସତ୍ୟାଶ୍ରୀ କହନ୍ତି, ‘‘ଦୃଢ଼ ମନୋବଳ ନେଇ ଆଜି ମଁୁ ସମାଜରେ ନିଜକୁ ପ୍ରତିଷ୍ଠିତ କରିପାରିଛି।’’
ମାନବୀ ବନ୍ଦୋପାଧ୍ୟାୟ
ପ୍ରତ୍ୟେକ କିନ୍ନରଙ୍କୁ ସମାଜରୁ ବିଭିନ୍ନ ପ୍ରକାର ବ୍ୟବହାରର ସାମ୍ନା କରିବାକୁ ପଡ଼ିଥାଏ। ସମ୍ମାନ ଟିକିଏ ପାଇବା ପାଇଁ ସେମାନଙ୍କୁ ଅତିରିକ୍ତ ପରିଶ୍ରମ କରିବାକୁ ପଡ଼ିଥାଏ। ତେବେ ସମୟ ସହ ସବୁକିଛି ବଦଳି ଯାଇଥାଏ। ବଙ୍ଗଳା ସାହିତ୍ୟର ଅଧ୍ୟାପିକା ମାନବୀ ବନ୍ଦୋପାଧ୍ୟାୟ କୃଷ୍ଣନଗର ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପଦ ହାସଲକରି ଯୌନ ସମାନତାର ମାର୍ଗ ପ୍ରଶସ୍ତ କରିଥିଲେ। ସେ ଭେଦଭାବ ଓ ଲିଙ୍ଗଗତ ସମସ୍ୟା ବିରୋଧରେ ସଂଘର୍ଷ କରିଥିଲେ। ତାଙ୍କର ମାନବିକ ଅଧିକାର ସଂଗ୍ରାମର ଏକ ଅଂଶ ହୋଇଥିବାବେଳେ ଏଲ୍ଜିବିଟିକ୍ୟୁ ସମ୍ପ୍ରଦାୟରେ ଶକ୍ତି ଆବଶ୍ୟକତାର ସ୍ୱର ଉତ୍ତୋଳନ କରିବା ପାଇଁ ତାଙ୍କ ପଦକୁ ସେ ବ୍ୟବହାର କରିଥିଲେ। ସେ ଓଣ୍ଟୋହିନ୍ ଓଣ୍ଟୋରିନ୍ ପ୍ରୋସିଟୋଭର୍ତିକା ନାମକ ଏକ ବଙ୍ଗଳା ଉପନ୍ୟାସର ଲେଖିକା, ଯାହା ଜାତୀୟସ୍ତରରେ ସର୍ବାଧିକ ବିକ୍ରି ହେଉଥିବା ଉପନ୍ୟାସରେ ପରିଗଣିତ ହୋଇଥିଲା।
ପୃଥିକା ୟାଶିନି
ଦେଶର ପ୍ରଥମ ଟ୍ରାନ୍ସଜେଣ୍ଡର୍ ପୁଲିସ ଅଫିସର୍ ହେଉଛନ୍ତି ପୃଥିକା। ସବୁ ପ୍ରତିବନ୍ଧକୁ ଟପିଯାଇ ତାମିଲନାଡୁର ପୃଥିକା ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଥିଲେ। ତେବେ ଏହା ତାଙ୍କ ପାଇଁ ଏତେ ସହଜ ନଥିଲା। ସବ୍ଇନ୍ସପେକ୍ଟର ପଦ ଲାଗି ହୋଇଥିବା ଫିଜିକାଲ୍ ପରୀକ୍ଷାରେ ମାତ୍ର ୧ ମାର୍କ ପାଇଁ ଫେଲ୍ କରି ଦିଆଯାଇଥିଲା ପୃଥିକାଙ୍କୁ। କିନ୍ତୁ ପୁନଃ ମୂଲ୍ୟାୟନ ଦାବି କରି ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିଥିଲେ ଏବଂ ଲକ୍ଷ୍ୟ ହାସଲ କରିଥିଲେ।
ଐଶ୍ୱର୍ଯ୍ୟା ଋତୁପର୍ଣ୍ଣା ପ୍ରଧାନ
ଭାରତର ପ୍ରଥମ କିନ୍ନର ଓଏଫ୍ଏସ୍ (ଓଡ଼ିଶା ଫାଇନ୍ସିଆଲ୍ ସର୍ଭିସ୍) ଅଫିସର୍ ଭାବେ ଐଶ୍ୱର୍ଯ୍ୟା ଋତୁପର୍ଣ୍ଣା ପ୍ରଧାନଙ୍କ ଯାତ୍ରା ଅନ୍ୟ ପାଇଁ ପ୍ରେରଣା ପାଲଟିଛି। କିନ୍ନର ହିସାବରେ ସେମାନଙ୍କର ଉଲ୍ଲେଖନୀୟ ସଫଳତା ସାମାଜିକ ନିୟମକୁ ଚ୍ୟାଲେଞ୍ଜ କରିଥାଏ ଏବଂ ସମସ୍ତ ଲିଙ୍ଗର ବ୍ୟକ୍ତିବିଶେଷଙ୍କୁ ଚିହ୍ନିବା ଏବଂ ସେମାନଙ୍କୁ ସଶକ୍ତ କରିବା ଉପରେ ଗୁରୁତ୍ୱାରୋପ କରିଥାଏ। ଓଡ଼ିଶାର କନ୍ଧମାଳ ଜିଲ୍ଲାର ଏକ ଛୋଟିଆ ଗାଁରେ ବଡ଼ ହୋଇଥିବା ଐଶ୍ୱର୍ଯ୍ୟା ଲିଙ୍ଗଗତ ପରିଚୟ ଯୋଗୁଁ ପାଶବିକ ଭେଦଭାବର ଶିକାର ହୋଇଥିଲେ। କିନ୍ତୁ ଜନସାଧାରଣଙ୍କ ସେବା ପାଇଁ ତାଙ୍କର ଅଧ୍ୟବସାୟ ଓ ଆବେଗ ସବୁବେଳେ ତାଙ୍କୁ ଆଗକୁ ବଢ଼ି ନିଜ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥିଲା। ତାଙ୍କ ଜୀବନରେ ଶିକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ସେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ। ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ କରିଥିଲେ। ଶିକ୍ଷା ପ୍ରତି ତାଙ୍କର ଏହି ସମର୍ପଣ ଭାବନା ପ୍ରଶାସନିକ ସେବାରେ ସଫଳତାର ମୂଳଦୁଆ ପକାଇଥିଲା। ବହୁ ବାଧାବିଘ୍ନର ସମ୍ମୁଖୀନ ହୋଇ ସେ ଏଥିରେ ସଫଳ ହୋଇଛନ୍ତି। ତାଙ୍କ କାର୍ଯ୍ୟ ଶକ୍ତିଶାଳୀ ବାର୍ତ୍ତା ଦେବାସହ ବିଭିନ୍ନ ପ୍ରତିବନ୍ଧକକୁ ଭାଙ୍ଗି ନିଜ ସ୍ୱପ୍ନକୁ ସାକାର କରିବା ସତରେ ଖୁବ୍ ପ୍ରେରଣାଦାୟୀ।
ଜୋୟିତା ମଣ୍ଡଳ
ଜୋୟିତା ହେଉଛନ୍ତି ଭାରତର ପ୍ରଥମ ଟ୍ରାନ୍ସଜେଣ୍ଡର୍ ଜଜ୍। ୨୦୧୭ରେ ଜୋୟିତା ୨୯ ବର୍ଷ ବୟସରେ ଉତ୍ତର ପଶ୍ଚିମବଙ୍ଗ ଲୋକ ଅଦାଲତରେ ପ୍ରଥମ ଟ୍ରାନ୍ସଜେଣ୍ଡର୍ ଜଜ୍ ଭାବରେ ନିଯୁକ୍ତି ପାଇଥିଲେ। କିନ୍ନରମାନଙ୍କ ଅଧିକାର ଲାଗି ଗଠିତ ସଂଘରେ କାର୍ଯ୍ୟ କରୁଥିବା ବେଳେ ଜୋୟିତା ଆଇନରେ ଡିଗ୍ରୀ ହାସଲ କରି ଦିନେ ବିଚାରପତି ପଦରେ ଆସନ ଗ୍ରହଣ କରି କିନ୍ନରଙ୍କୁ ନ୍ୟାୟ ଦେବେ ବୋଲି ନିଷ୍ପତ୍ତି ନେଇଥିଲେ।
ବଜାରରେ ଅଧିକ ମୂଲ୍ୟରେ ମିଳୁଥିବା ପିଲାଙ୍କ ପସନ୍ଦର କିଛି ଖାଇବା ସ୍ବାସ୍ଥ୍ୟ ପାଇଁ ହିତକର ନୁହେଁ। ଦାମ୍ ମଧ୍ୟ ଅଧିକ। ତେବେ ଆଧୁନିକା ମାଆଟିଏ ଚାହିଲେ କମ୍ ଖର୍ଚ୍ଚରେ ବିନା କୌଣସି ରାସାୟନିକ ପଦାର୍ଥ ବ୍ୟବହାର କରି ଘରେ ଏସବୁ ତିଆରିକରି ପିଲାଙ୍କୁ ଦେଇପାରିବେ।
ପିନଟ୍ ବଟର୍: ୨୦୦ ଗ୍ରାମ୍ ବାଦାମ ମଞ୍ଜି ନେଇ ହାଲୁକା ଆଞ୍ଚରେ ସୁନେଲୀ ହେବାଯାଏ ଭାଜନ୍ତୁ। ଥଣ୍ଡା କରି ଚୋପା ଛଡ଼େଇ ଦିଅନ୍ତୁ। ଗ୍ରାଇଣ୍ଡର୍ରେ ବାଦାମକୁ ଗୁଣ୍ଡ କରନ୍ତୁ। କ୍ରମଶଃ ବାଦାମ ଟିକେ ଓଦାଳିଆ ହୋଇଆସିବ, ସେତେବେଳେ ସେଥିରେ ସ୍ବାଦଅନୁସାରେ ଲୁଣ, ୧.୧/୨ ଚାମଚ ମହୁ ବା ୫ଟି ଖଜୁରୀ, ନିଜ ରୁଚି ଅନୁସାରେ ୨ ଚାମଚ ବାଦାମ ତେଲ/ଅଲିଭ୍ ତେଲ/ଘିଅ/ବଟର ଦେଇ ଆଉଥରେ ଭଲ କରି ଗ୍ରାଇଣ୍ଡ୍ କରିଦିଅନ୍ତୁ। ଏଥର ଘର ତିଆରି ବିନା କୌଣସି ରାସାୟନିକ ମିଶ୍ରଣରେ ପିନଟ୍ ବଟର୍ ତିଆରି ହୋଇଗଲା।
ପିଜ୍ଜା ସସ୍: ଆଠ/ ଦଶଟି ନାଲି ପାଚିଲା ଟମାଟୋ ନେଇ ତାକୁ ମଝିରୁ ଫାଳ କରି କାଟି ଦିଅନ୍ତୁ। ଚାମଚରେ ମଞ୍ଜି ଅଂଶକୁ ବାହାର କରିଦିଅନ୍ତୁ। ଚୁଲିରେ ଫ୍ରାଇଂ ପ୍ୟାନ୍ ବସେଇ ଦୁଇ ଚାମଚ ଅଲିଭ୍ ତେଲ ଦେଇ ସେଥିରେ ଦୁଇ ବଡ଼ ଚାମଚ ଚୁନିଚୁନି କଟା ରସୁଣ ଦେଇ ଦୁଇ ତିନି ମିନିଟ୍ ଭାଜନ୍ତୁ। ତା’ପରେ ଦୁଇ ଚାମଚ ଚୁନିଚୁନି କଟା ପିଆଜ ଦେଇ ଆଉ ଦୁଇ ମିନିଟ୍ କମ୍ ଆଞ୍ଚରେ ଭାଜନ୍ତୁ। ଏହାପରେ ଟମାଟୋ ଫାଳଗୁଡ଼ିକୁ ଏହି ମସଲା ଉପରେ ରଖି ଘୋଡ଼େଇ ଦିଅନ୍ତୁ। ତିନି ମିନିଟ୍ ପରେ ଢାଙ୍କୁଣୀ ଖୋଲି ନରମ େହାଇଯାଇଥିବା ଟମାଟୋର ଉପର ଚୋପାକୁ ଚିମୁଟାରେ ଟାଣି ବାହାର କରିଦିଅନ୍ତୁ। ଏହାପରେ ସେହି ମିଶ୍ରଣକୁ ଗୋଟିଏ ହାତ ଘୋରଣାରେ ଘାଣ୍ଟି ଭଲକରି ମିଶେଇ ଦିଅନ୍ତୁ। ଏଥରେ ସେଥିରେ ଗୋଟେ ଚାମଚ ଚିନି, ଅଧଚାମଚ ଲୁଣ, ଗୋଟେ ଚାମଚ ଚିଲି ଫ୍ଲେକ୍ସ, ଗୋଟେ ଚାମଚ ଟମାଟୋ କେଚପ୍, କିଛି ଲେଟୁସ୍ ପତ୍ର ପକେଇ ଆଉଥରେ ଭଲ କରି ଘାଣ୍ଟି ଦିଅନ୍ତୁ। ଟମାଟୋର ଜଳୀୟଅଂଶ କମି ପୂରା କିଣା ସସ୍ ପରି ହୋଇଗଲେ ଓହ୍ଲାଇ ଥଣ୍ଡାକରି ସଫା ଶୁଖିଲା କାଚ ବୋତଲରେ ପୂରେଇ ପାଖାପାଖି ଦୁଇମାସ ଯାଏ ଫ୍ରିଜ୍ରେ ରଖି ବ୍ୟବହାର କରିପାରିବେ।
ଏଗ୍ଲେସ୍ ମେଓନିଜ୍: ଗରମ ପାଣିରେ ବତୁରା ହୋଇଥିବା ଗୋଟେ କପ୍ କାଜୁ, ଦୁଇ ଚାମଚ ଆପଲ୍ ସିଡ୍ର ଭିନେଗାର୍ ବା ଲେମ୍ବୁରସ, ଗୋଟେ ଚାମଚ ଚିନି, ଅଧ ଚାମଚ ଲୁଣ, ଗୋଟେ ଚାମଚ ସୋରିଷ ଗୁଣ୍ଡକୁ ଅଳ୍ପ ପାଣି ଦେଇ ଭଲକରି ଗ୍ରାଇଣ୍ଡ କରିଦିଅନ୍ତୁ। ଏଥର ସେହି ମିଶ୍ରଣେର ଚାରି ଟେବଲ୍ ଚାମଚ ଅଲିଭ୍ ତେଲ ମିଶେଇ ଆଉଥରେ ଗ୍ରାଇଣ୍ଡ କରିଦିଅନ୍ତୁ। ବାସ୍ ଏଥର ପ୍ରସ୍ତୁତ ହୋଇଯିବ ମା’ଙ୍କ ହାତ ତିଆରି ଅଣ୍ଡାବିହୀନ ମେଓନିଜ୍, ଯାହା ଦେଖିବାକୁ ଓ ସ୍ବାଦରେ ପୂରା ବଜାରରୁ କିଣା େମଓନିଜ୍ ଭଳି ଲାଗିବ ଏବଂ ଫ୍ରିଜ୍ରେ ୧୫ ଦିନ ରହିପାରିବ।
ମିଲ୍କ ମେଡ୍: ଗୋଟେ କପ୍ ଅମୁଲ୍ ବା ପସନ୍ଦର ମିଲ୍କ ପାଉଡର୍, ଅଧାକପ୍ ଚିନି ପାଉଡର୍, ୫୦ ଗ୍ରାମ୍ ବଟର୍, ଅଧାକପ୍ ଗରମ ପାଣି ଦେଇ ଗ୍ରାଇଣ୍ଡ୍ କରିଦିଅନ୍ତୁ। ବାସ୍ ତିଆରି ହୋଇଯିବ ଘରତିଆରି କଣ୍ଡେନ୍ସ ମିଲ୍କ। ଯାହା ଆପଣ ମିଠେଇ, କ୍ଷୀରି ଇତ୍ୟାଦିରେ ବ୍ୟବହାର କରିପାରିବେ ବା ଖାଲି ଖାଇପାରିବେ।