ନବରାତ୍ରି ଏକ ଏଭଳି ପର୍ବ ଯେଉଁଥିରେ କେବଳ ପୂଜା ନୁହେଁ ବରଂ ଉପବାସ ମଧ୍ୟ କରାଯାଏ। ଏହି ସମୟରେ ଲୋକମାନେ ହାଲୁକା, ପୁଷ୍ଟିକର ଏବଂ ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି। ଯଦି ଆପଣ ସଠିକ୍ ଖାଦ୍ୟ ଖାଆନ୍ତି, ତେବେ ଏହା ଆପଣଙ୍କ ଉପବାସ ଦିନଗୁଡ଼ିକୁ ଉପଭୋଗ୍ୟ କରିପାରିବ ଏବଂ ଆପଣଙ୍କୁ ସାରା ଦିନ ଶକ୍ତି ଯୋଗାଇପାରିବ। ନବରାତ୍ରିର ନଅ ଦିନକୁ ଧ୍ୟାନ, ଶୁଦ୍ଧିକରଣ ଏବଂ ଆତ୍ମନିୟନ୍ତ୍ରଣର ପର୍ବ ଭାବରେ ବିବେଚନା କରାଯାଏ। ଏହି ସମୟରେ ଦେବୀ ଦୁର୍ଗାଙ୍କ ପୂଜା କେବଳ ମନ୍ତ୍ର ଜପ କିମ୍ବା ଉପବାସ ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ଏହା ସିଧାସଳଖ ବ୍ୟକ୍ତିର ଆଚରଣ ଏବଂ ଖାଦ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଏହି କାରଣରୁ ଶାସ୍ତ୍ରରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ନବରାତ୍ରି ସମୟରେ ମାଂସାହାରୀ ଖାଦ୍ୟ ଏବଂ ମଦ୍ୟପାନ ନିଷେଧ। କିନ୍ତୁ ପ୍ରଶ୍ନ ଉଠେ: କାହିଁକି? ଏହା କେବଳ ଏକ ଧାର୍ମିକ ବିଶ୍ୱାସ, ନା ଏହା ପଛରେ କୌଣସି ଗଭୀର ଯୁକ୍ତି ଅଛି?
ଛାନ୍ଦୋଗ୍ୟ ଉପନିଷଦ କହେ ଯେ, ଆହାରଶୁଦ୍ଧୌ ସତ୍ତ୍ୱଶୁଦ୍ଧୌ ଧ୍ରୁବ ସ୍ମୃତିଃ। ଅର୍ଥାତ୍, ଯେପରି ଖାଦ୍ୟ ଖାଇବେ, ମନ ସେହିପରି ହେବ। ନବରାତ୍ରି ହେଉଛି ଧ୍ୟାନର ସମୟ, ଯେତେବେଳେ ମନକୁ ସାତ୍ତ୍ୱିକ, ସ୍ଥିର ଏବଂ ପବିତ୍ର କରିବା ଆବଶ୍ୟକ। ମାଂସାହାରୀ ଖାଦ୍ୟ ଏବଂ ମଦ୍ୟପାନକୁ ତାମସିକ ଖାଦ୍ୟ ଭାବରେ ବିବେଚନା କରାଯାଏ, ଯାହା କ୍ରୋଧ, ଆଳସ୍ୟ ଏବଂ ଆତ୍ମନିୟନ୍ତ୍ରଣର ଅଭାବକୁ ଜନ୍ମ ଦିଏ। ତେଣୁ, ଦେବୀ ଭାଗବତ ଏବଂ ଗରୁଡ଼ ପୁରାଣରେ ଦେବୀ ମାତାଙ୍କ ପୂଜା ସମୟରେ ଏଗୁଡ଼ିକୁ ପରିତ୍ୟାଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଦେବୀ ଭାଗବତରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ, ‘ମାଦ୍ୟଂ ମାସଂ ଚ ମାତୃବୃତ୍ତେଷୁ ନ ସେବଣମ୍।’ ଏହାର ଅର୍ଥ ହେଉଛି ଦେବୀ ଦୁର୍ଗାଙ୍କ ଉପବାସ ଏବଂ ପର୍ବପର୍ବାଣୀ ସମୟରେ ମାଂସ ଏବଂ ମଦ୍ୟପାନ ପାପଫଳକୁ ଆମନ୍ତ୍ରଣ କରେ। ଏହା କେବଳ ଦେବୀଙ୍କ ପ୍ରତି ଅପମାନ ନୁହେଁ, ବରଂ ଏଭଳି କଲେ ପୂର୍ବପୁରୁଷ ଏବଂ ଦେବତାଙ୍କ ଆଶୀର୍ବାଦ ମିଳେନାହିଁ। ତେବେ କେବଳ ମାଂସ ବା ମଦ ନୁହେଁ; ପିଆଜ, ରସୁଣ, ଶସ୍ୟ, ଛଣାଯାଇଥିବା ଖାଦ୍ୟ, ଅଟା ତିଆରି ଖାଦ୍ୟ, ବାହାରେ ପ୍ୟାକ୍ ହୋଇ ମିଳୁଥିବା ଖାଦ୍ୟ ଇତ୍ୟାଦି ବର୍ଜନ କରିବାକୁ କୁହାଯାଇଛି।
ଏ ବିଷୟରେ ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା କୁହନ୍ତି, ସମାଜରେ ଯାହା ପ୍ରଚଳିତ ତା’ ଭିତରେ ପାର୍ଥକ୍ୟ ଥାଇପାରେ। ଯଜ୍ଞରେ ପଶୁବଳି ଦେବା ହେଉ ବା ଦେବୀପୂଜାରେ ବଳିଦେବା ଉପରେ ଦୁଇ ପ୍ରକାର ମତ ରହିଛି। ମାଂସାହାରର ସମର୍ଥନରେ ବଳି ଶବ୍ଦର ଭୁଲ ବ୍ୟାଖ୍ୟା କରି ପଶୁବଳିର ପ୍ରବର୍ତ୍ତନ ହୋଇଛି। ମାଆ କେବେ ସନ୍ତାନର ରକ୍ତରେ ଖୁସି ହୋଇପାରେ? ସେ ସନ୍ତାନବତ୍ସଳା, ପ୍ରେମମୟୀ, କରୁଣାମୟୀ, ଜଗଜ୍ଜନନୀ। ସେ କେବଳ ଆମର ମାଆ ନୁହନ୍ତି, ପଶୁପକ୍ଷୀ, କୀଟପତଙ୍ଗ ସମସ୍ତଙ୍କର ମାଆ। ତେଣୁ ସେ କେବେହେଲେ ସନ୍ତାନର ବଳି ଚାହିଁ ନ ପାରନ୍ତି। ଆଉ ଆମିଷ (ଅମ୍ ଧାତୁ- ରୁଗ୍ଣ ହେବା+କରଣେ ଇଷ) ଶବ୍ଦଟି ଅମ୍ ଧାତୁରୁ ଆସିଛି, ଯାହାର ଅର୍ଥ ରୋଗ। ଆମୟ (ରୋଗ) ଓ ନିରାମୟ (ନିରୋଗ) ଶବ୍ଦ ବି ଅମ୍ ଧାତୁରୁ ଆସିଛି। ନବରାତ୍ରର ଦେବୀପୂଜାରେ ଆମିଷାହାରର କୌଣସି ବାଧ୍ୟତାମୂଳକ ନିୟମ ନାହିଁ, କିନ୍ତୁ ଏକଭକ୍ତ, ନକ୍ତବ୍ରତ, ଅଯାଚିତ, ନିରମ୍ବୁ ଉପବାସ ଆଦି ଦିନମାନଙ୍କରେ ଆମିଷ ନ ଖାଇବାର ବାଧ୍ୟତାମୂଳକ ନିୟମ ରହିଛି। ନଅ ଦିନର ବ୍ରତ ମଧ୍ୟରୁ କେଉଁଦିନ ଏକଭକ୍ତ (ଅପରାହ୍ଣରେ ସୀମିତ ପରିମାଣର ଗୋଟିଏ ବକ୍ତ ଖାଇବା), ଅଯାଚିତ (କାହାକୁ ମାଗିବନି, ଯଦି କିଏ ଖାଦ୍ୟ ଉପଯୋଗୀ କିଛି ଦେଲା ତେବେ ତାକୁ ଖାଇବ) ବା ନିରମ୍ବୁ (ପାଣି ମଧ୍ୟ ନ ପିଇ ନିଜଳା ଉପବାସ କରିବା) ବ୍ରତ କରିବ ତାହାର ନିୟମ ରହିଛି। ଏହିସବୁ ଦିନମାନଙ୍କରେ ଆମିଷାହାର ବର୍ଜନୀୟ। ତେବେ ବିଭିନ୍ନ ଦେବୀପୀଠରେ ମହାଷ୍ଟମୀ ବା ମହାନବମୀ ଦିନ ବା ଅଷ୍ଟମୀ-ନବମୀର ସନ୍ଧି ସମୟରେ ପାଣିକଖାରୁ ଆଦି ବଳି ଦେବାର ନିୟମ ଅଛି। କେତେକ ସ୍ଥାନରେ ମଧ୍ୟରାତ୍ରରେ ପଶୁବଳି ଦିଆଯାଏ। ଅଷ୍ଟମୀ ବା ନବମୀ ପାର୍ବଣ ଦିନ ଗାଁମାନଙ୍କରେ ଠାକୁରାଣୀ ମନ୍ଦିରରେ ଆମିଷ ଭୋଗ ଲାଗେ ଓ ଗାଁ ଲୋକମାନେ ଆମିଷ ଭୋଜି ଖାଇଥାନ୍ତି। ଯେଉଁଠି ଯାହା ପରମ୍ପରା ଅଛି, ତାହା ଆମେ ବନ୍ଦ କରିବା ସହଜ ନୁହେଁ। କିନ୍ତୁ ଯେଉଁମାନେ ଆଦୌ ଆମିଷ ଖାଆନ୍ତି ନାହିଁ, ସେମାନେ ନବରାତ୍ରରେ କୌଣସି ଗୋଟିଏ ବି ଦିନ ଆମିଷ ଖାଇବାକୁ ବାଧ୍ୟ ନୁହନ୍ତି।
-
Maa Durga
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/09/28/new-project-6-2025-09-28-13-06-31.jpg)