ହାର୍‌ ମାନି ନାହାନ୍ତି ଏମାନେ

ବଦଳିଛି ସମୟ। ଏକବିଂଶ ଶତାବ୍ଦୀରେ ନାରୀ ଆଉ ନିଜକୁ ଅବଳା କି ଦୁର୍ବଳା ଭାବେ ପରିଚୟ ଦେଉନି। ଅତ୍ୟାଚାର କି ଅସୁରକ୍ଷାର ଭୟରେ ଘର କୋଣରେ ବି ପଡ଼ି ରହୁନି। କେତେବେଳେ ନାରୀ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟୁଛି ତ ଆଉ କେତେବେଳେ ସଚେତନତାର ବାର୍ତ୍ତା ବାଣ୍ଟୁଛି। ଅନ୍ୟମାନଙ୍କୁ ସମ୍ମାନର ସହ ନିର୍ଭୟରେ ବଞ୍ଚିବାର ରାହା ଦେଖାଉଛି। ସାଧାରଣ ପ୍ରଶାସନ, ପୁଲିସ, ମେଡିକାଲ, ସୈନ୍ୟବାହିନୀ, ଓକିଲାତି, ସେବା କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରୁଛନ୍ତି ନାରୀ। ପୁରୁଷ ପ୍ରଧାନ ସମାଜରେ ଜାଗ୍ରତ ହୋଇଛି ନାରୀଶକ୍ତି। ନିଜ ଲଢ଼େଇ ନିଜେ ଲଢ଼ୁଛି। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜଧାନୀର କିଛି ମହିଳାଙ୍କ ସଂଘର୍ଷ ଓ କୃତିତ୍ୱକୁ ନେଇ ପ୍ରଗତି ସାହୁଙ୍କ ସ୍ୱତନ୍ତ୍ର ଉପସ୍ଥାପନା।

ସାହସିନୀ ଝୁମୁରୀ ବିଶ୍ୱାଳ

ପିଲାବେଳୁ ଦୃଷ୍ଟି ଶକ୍ତି ହରାଇଛନ୍ତି। କିନ୍ତୁ କେବେ ବି ହାର ମାନି ନାହାନ୍ତି ସେ। ଦୃଢ଼ ମାନସିକ ଓ ଶାରୀରିକ ଶକ୍ତିି ତାଙ୍କୁ ସବୁ କ୍ଷେତ୍ରରେ ଜିତାଇଛି। ନିଜ ପାଇଁ ନିଜେ ସୃଷ୍ଟି କରିଛନ୍ତି ସ୍ୱତନ୍ତ୍ର ପରିଚୟ। ଏଭଳି ଜଣେ ନାରୀ ହେଲେ ଝୁମୁରୀ ବିଶ୍ୱାଳ। ୫ ବର୍ଷ ବୟସରେ ଏକ ଦୁର୍ଘଟଣାରେ ଦୃଷ୍ଟିଶକ୍ତି ହରାଇଥିଲେ ସେ। ସେବେଠାରୁ ତାଙ୍କୁ ମିଳିଛି ନାନା ଯାତନା। ବିଦ୍ୟାଳୟଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସବୁଠି ହଇରାଣ ହେବାକୁ ପଡ଼ିଛି। ଯୁକ୍ତ ୨ ପରୀକ୍ଷାରେ ସର୍କୁଲାର ପାଇଁ ତାଙ୍କୁ ବାରମ୍ବାର ହଇରାଣ ହେବାକୁ ପଡ଼ିଛି। ମୁହଁ ଖୋଲି ଏହାର ମୁକାବିଲା ମଧ୍ୟ କରିଛନ୍ତି। ଦୃଷ୍ଟିଶକ୍ତି ହରାଇଥିଲେ ମଧ୍ୟ ଏହା ଆଗରେ ମୁଣ୍ଡ ନୁଆଇଁନାହାନ୍ତି ଝୁମୁରୀ। ପାଠପଢ଼ା ସହିତ ବିଭିନ୍ନ ପ୍ରତିଯୋଗିତାରେ ଦକ୍ଷତା ଦେଖାଇଛନ୍ତି। ରେଭେନ୍ସାରେ ସ୍ନାତକ ପଢ଼ୁଥିବା ବେଳେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ମିସ୍‌ ପ୍ରିନ୍ସେସ୍‌ ଏବଂ ମିସ୍‌ ଇଣ୍ଡିଆରେ ଭାଗ ନେଇଛନ୍ତି। ତାଙ୍କ ସଂଘର୍ଷମୟ ଜୀବନ ସଂପର୍କରେ ସେ କହନ୍ତି, ଦୃଷ୍ଟିହୀନ ଯୋଗୁ ଅନେକ ସ୍ଥାନରେ ହଇରାଣ ହେଉଥିିଲି। ଚୁପଚାପ ବି ରହୁଥିଲି। କିନ୍ତୁ ଯେତେବେଳେ ଦେଖିିଲି ମୋ ସହ ଅନ୍ୟାୟ ହେଉଛି ସେତେବେଳେ ଆଉ ଚୁପ ରହିଲିନି। ସମସ୍ୟାର ସମାଧାନ ପାଇଁ ମୁହଁ ଖୋଲିବାକୁ ପଡ଼ିଲା। ତେଣୁ ନିଜକୁ ନାରୀ ବୋଲି ଭାବି କେହି ଚୁପ୍‌ ରହିବା ଉଚିତ ନୁହେଁ।

ଶବର ସାଥୀ ଋତୁରାଣୀ ସାସମଲ

ସ୍ୱାମୀ ଓ ସଉତୁଣୀଙ୍କ ନିର୍ଯାତନା ସହି ନ ପାରି ଦିନେ ଆତ୍ମହତ୍ୟା କରିବାକୁ ଟ୍ରେନ ଲାଇନ୍‌କୁ ଯାଇଥିଲେ ଋୁତୁରାଣୀ ସାସମଲ। କିନ୍ତୁ ବିଧିର ବିଧାନ ବିଚିତ୍ର। ତାଙ୍କୁ ମୃତ୍ୟୁ ମୁଖରୁ ଉଦ୍ଧାର କରି ବଞ୍ଚିବାର ଆଶା ଦେଇଥିଲା ପ୍ରଦୀପ ସେବା ଟ୍ରଷ୍ଟ। ସେହି ଦିନଠାରୁ ଏଇ ମହିଳା ଜଣଙ୍କ ନିଜର ଅକୁଣ୍ଠିତ ସେବା ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ ଦିନର ସେହି ଘଟଣା ବଦଳାଇ ଦେଇଛି ତାଙ୍କ ଜୀବନର ଗତିପଥକୁ। ସେବାକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରିଛନ୍ତି ପୁରୁଣା ଭୁବନେଶ୍ୱରରେ ରହୁଥିବା ୩୬ ବର୍ଷିୟା ଋୁତୁରାଣୀ। ତାଙ୍କ କହିବାନୁଯାୟୀ ୧୯୯୭ ମସିହାରେ ସେ ପ୍ରେମ ବିବାହ କରିଥିଲେ। ସ୍ୱାମୀ ଓ ଦୁଇ ଝିଅଙ୍କୁ ନେଇ ଅନେକ ସ୍ୱପ୍ନ ବି ଦେଖିିଥିଲେ। ହେଲେ ସ୍ୱାମୀ ପରକୀୟା ପ୍ରୀତିରେ ପଡ଼ି ତାଙ୍କୁ ନିର୍ଯାତନା ଦେଉଥିଲେ। ମାନସିକ ଓ ଶାରୀରିକ ଅତ୍ୟାଚାର ମଧ୍ୟ କରୁଥିଲେ। ଯନ୍ତ୍ରଣା ଅସହ୍ୟ ହେବାରୁ ଆତ୍ମହତ୍ୟାର ଉଦ୍ୟମ କରିଥିଲି। କିନ୍ତୁ ପ୍ରଦୀପ ସେବା ଟ୍ରଷ୍ଟର ଟ୍ରଷ୍ଟି ପ୍ରଦୀପ କୁମାର ପୃଷ୍ଟି ଉଦ୍ଧାର କରିଥିଲେ। ପରେ ଅନ୍ୟ ଘରେ ବାସନ ମାଜି ଚଳିଲି। କଷ୍ଟରେ ଦୁଇ ଝିଅଙ୍କୁ ପାଠ ପଢ଼ାଇଲି। ଏହାପରେ ଟ୍ରେନ୍‌ ଲାଇନ୍‌ରେ ହେଉ କି ଦୁର୍ଘଟଣାରେ କଟା ଶରୀରକୁ ଓ ଶବକୁ ଉଠାଉଛି। ଶବ ସତ୍କାର କରୁଥିବାରୁ ଯେଉଁମାନଙ୍କ ଘରେ କାମ କରୁଥିଲି ସେମାନେ ବାହାର କରିଦେଲେ। ତଥାପି ମନବଳ ଦୃଢ଼ କରି କାମ କରୁଛି। ନାରୀମାନେ ନିର୍ଯାତନାର ଶିକାର ହୋଇ ନିଜ ଜୀବନଯୁଦ୍ଧରେ ନ ହାରି ସଂଗ୍ରାମ କରିବା ଦରକାର। ଆତ୍ମହତ୍ୟା ନୁହେଁ, ଆତ୍ମନୀର୍ଭରଶୀଳ ହେବା ଉଚିତ ବୋଲି କହନ୍ତି ଋତୁରାଣୀ।

ବୟସ ହାର୍‌ ମାନିଛି ଶଶିପ୍ରଭା ଦେବୀଙ୍କ ଆଗରେ

କାମକୁ ଭଗବାନ ଭାବିଛନ୍ତି ଶଶିପ୍ରଭା ଦେବୀ। ବୟସ ଆସି ୭୫ ଟପିଲାଣି। ତଥାପି ଲୋକଙ୍କ ସେବା କରି ଚାଲିଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ଆଶୁ ଚିକିତ୍ସା ବିଭାଗରେ ଷ୍ଟାଫ ନର୍ସ ଭାବେ କାର୍ଯ୍ୟ କରୁଥିଲେ। ଆଜକୁ ୧୭ ବର୍ଷ ହେଲାଣି ଅବସର ନେଇଛନ୍ତି ସତ। ହେଲେ ଏବେ ବି ତାଙ୍କ କାମକୁ ସେ ଛାଡ଼ିପରି ନାହାନ୍ତି। ଶରୀରରେ ବଳ ନାହିଁ, ତଥାପି ମନବଳକୁ ଦୃଢ଼ କରି ଗରିବ ଓ ରୋଗୀମାନଙ୍କ ସେବା କରି ଚାଲିଛନ୍ତି। ଯେଉଁ ରୋଗୀ ଚିକିତ୍ସା ପାଇଁ ଆସନ୍ତି, ସେମାନଙ୍କ ପାଇଁ ଖୁସିରେ ଖୁସିରେ ସେବା କରିଚାଲିଛନ୍ତି। ଆଶୁ ଚିକିତ୍ସା, ଇସିଜି ଆଦି ଯାହା ଦରକାର ବିନା ଦ୍ୱିଧାରେ ସେ ସାହାଯ୍ୟ କରିଚାଲିଛନ୍ତି। ଯେଉଁ ବୟସରେ ନିଜେ ଆରାମ କରି ପୁଅ ବୋହୂଙ୍କଠାରୁ ସେବା ପାଇବା କଥା, ସେହି ବୟସରେ ସେ ଏପର୍ଯ୍ୟନ୍ତ ରୋଗୀ ଓ ଗରିବଙ୍କର ସେବା କରୁଛନ୍ତି। ତାଙ୍କ ପାଇଁ ଏ କାମ ଏତେ ମହତ୍ୱପୂର୍ଣ୍ଣ ଥିଲା ଯେ ସେ ବାହା ମଧ୍ୟ ହୋଇ ନାହାନ୍ତି। ବୟସ ତାଙ୍କ ଇଚ୍ଛାଶକ୍ତି ଆଗରେ ହାର୍‌ ମାନି ଯାଇଛି। ତାଙ୍କର ଏହି କାମ ବିଷୟରେ ପଚାରିବାରୁ ସେ କହିଛନ୍ତି ଯେ ଏତେ ବୟସରେ ମଧ୍ୟ ମୋତେ ହାଲିଆ ଲାଗିନି। କାହା ଉପରେ ନିର୍ଭରଶୀଳ ହେବାକୁ ମୁଁ ପସନ୍ଦ କରେନି। ଯେ ପର୍ଯ୍ୟନ୍ତ ବଞ୍ଚିଛି ସେ ପର୍ଯ୍ୟନ୍ତ କାମ କରୁଥିବି। ଆଜିକାଲି ବୟସ୍କଙ୍କୁ କେହି ରଖିବାକୁ ପସନ୍ଦ କରୁ ନାହାନ୍ତି। ସେଥିପାଇଁ ମୁଁ କାହାର ବୋଝ ହେବାକୁ ଚାହେଁନି। ମୋ କାମ ମୋ ପାଇଁ ସବୁକିଛି। ସେଥିପାଇଁ ପଇସାକୁ ଗୁରୁତ୍ୱ ଦିଏନି।

ପ୍ରେରଣାର ଉତ୍ସକାଞ୍ଚନ ବିଶ୍ୱାଳ

କାଞ୍ଚନ ବିଶ୍ୱାଳ। ବୟସ ଆସି ୫୦ ଛୁଇଁଲାଣି। ନିଜ ଗୋଡ଼ରେ ଛିଡ଼ା ହୋଇ ଅନ୍ୟମାନଙ୍କ ଲାଗି ଏବେ ପାଲଟିଛନ୍ତି ପ୍ରେରଣାର ଉତ୍ସ। ୩୦ ବର୍ଷ ତଳେ ବାଙ୍କୀରୁ ଆସି ଭୁବନେଶ୍ୱରର ଏଜି ଛକଠାରେ ଏକ ପାନ ଦୋକାନ କରିଥିଲେ। ସେବେଠାରୁ ଏହି ଦୋକାନରୁ ନିଜର ଭରଣପୋଷଣ କରୁଛନ୍ତି। ପରିବାର ବୋଲି ତାଙ୍କର କେହି ନାହିଁ। ଜନ୍ମରୁ ସେ ଦିବ୍ୟାଙ୍ଗ। ଏଥିସହ ଅବିବାହିତା। ଗୋଟିଏ ଖଣ୍ଡିଆ ସାଇକେଲ ଓ ଛୋଟ ଠେଲା ପାନ ଦୋକାନ ତାଙ୍କର ସାହାଭରସା। ଓଳିଏ ଖାଇଲେ ଦୁଇ ଓଳି ଉପାସ ରହିବାକୁ ପଡ଼ୁଛି। ତଥାପି ସେ ହାରିଯାଇ ନାହାନ୍ତି। କାହା ଆଗରେ ହାତ ପତାଉ ନାହାନ୍ତି। ନିଜ ମନବଳକୁ ଦୃଢ଼ ରଖି ସବୁ ସଂଗ୍ରାମକୁ ଲଢ଼ିବା ଜାରି ରଖିଛନ୍ତି। ଏମିିତିକି ତାଙ୍କୁ ବହୁତ ଲୋକଙ୍କଠାରୁ ଛି ଛାକର ଶୁଣିବାକୁ ପଡ଼ିଛି। କିନ୍ତୁ କାହାରିକୁ ଖାତିର ନ କରି ସବୁ ଅପମାନକୁ ପଛରେ ଛାଡ଼ି ମୁଣ୍ଡ ଉଠାଇ ନିଜ ଗୋଡ଼ରେ ଠିଆ ହୋଇପାରିଛନ୍ତି। ନିଜ ସମ୍ପର୍କରେ ସେ କହନ୍ତି, ସବୁ କିଛି ହରାଇବା ପରେ ପାନ ଦୋକାନ କରିଛି। ସେଥିରୁ ଦିନକୁ ପ୍ରାୟ ୧୦୦ରୁ ୧୫୦ଟଙ୍କା ରୋଜଗାର ହେଉଛି। ଦିବ୍ୟାଙ୍ଗ ଭତ୍ତା ମଧ୍ୟ ପାଉଛି। ଗୋଡ଼ ସିନା କାମ କରୁନି, କିନ୍ତୁ ହାତ ଥିବା ଯାଏଁ ସଂଘର୍ଷ କରିବି। କାହାକୁ ହାତ ପତେଇ ସାହାଯ୍ୟ ମାଗିବା ଅପେକ୍ଷା ନିଜେ କାମ କରି ପେଟ ପୋଷିବା ବହୁତ ଭଲ।

ସମ୍ବନ୍ଧିତ ଖବର