ଓଡ଼ିଶାର ‘ପଞ୍ଚ ମହାପୁରୁଷ’ଙ୍କ ମଧ୍ୟରୁ ଯଶୋବନ୍ତ ଦାସ ଜଣେ। ଅନ୍ୟ ଚାରିଜଣ ହେଉଛନ୍ତି- ଅଚ୍ୟୁତ, ଅନନ୍ତ, ଜଗନ୍ନାଥ ଓ ବଳରାମ। ଏମାନେ ‘ପଞ୍ଚସଖା’ ଭାବରେ ମଧ୍ୟ କଥିତ ହୋଇଥାନ୍ତି। ୧୪୮୬ ଖ୍ରୀଷ୍ଟାବ୍ଦ ବୈଶାଖ ଶୁକ୍ଳ ଦଶମୀରେ ଯଶୋବନ୍ତ ଦାସଙ୍କର ଜନ୍ମ। ତାଙ୍କର ମହାପ୍ରୟାଣ ଘଟିଥିଲା ୧୫୬୬ ଖ୍ରୀଷ୍ଟାବ୍ଦ ମାର୍ଗଶିର ଶୁକ୍ଳ ଷଷ୍ଠୀ ବା ଓଢ଼ଣଷଷ୍ଠୀ ଦିନ। ସେ ଶ୍ରୀଚୈତନ୍ୟଙ୍କର ଶିଷ୍ୟ ବା ଅନୁଗାମୀ ହୋଇଥିଲେ ମଧ୍ୟ, ନିର୍ଦ୍ଦିଷ୍ଟ କୌଣସି ମାର୍ଗ ବା ସଂପ୍ରଦାୟ ମଧ୍ୟରେ ଆବଦ୍ଧ ରହି ନଥିଲେ। ସେ ନିଜକୁ ଶ୍ରୀଜଗନ୍ନାଥଙ୍କ ଦାସ ବା ଶିଷ୍ୟ ବୋଲି ହିଁ ମନେ କରୁଥିଲେ।
ଯଶୋବନ୍ତଙ୍କର ମୂଳ ସାଙ୍ଗିଆ ଥିଲା ମଲ୍ଲ। ମଲ୍ଲମାନେ କ୍ଷତ୍ରିୟ, ମହାନାୟକ। ତାଙ୍କର ପିତା ଥିଲେ ଜଣେ ଶରୀରସାଧକ, ଯୋଦ୍ଧା। କୁଜଙ୍ଗ ରାଜାଙ୍କ ସେନାରେ ସେ ନିଯୁକ୍ତ ଥିଲେ। ଈଶ୍ୱର ଦାସଙ୍କ ‘ଶ୍ରୀଚୈତନ୍ୟ ଭାଗବତ’ରେ ଯଶୋବନ୍ତ ‘ବାଳକକାଳୁଁ ଧନୁର୍ଦ୍ଧର’ ବୋଲି ବର୍ଣ୍ଣିତ ଅଛି। ରାଜାଙ୍କ ସେନାରୁ ପିତାଙ୍କର ସେବା ନିବୃତ୍ତି ପରେ, ତାଙ୍କ ପରିବାରକୁ ଦାରିଦ୍ରୢ ମଧ୍ୟରେ କାଳାତିପାତ କରିବାକୁ ପଡ଼ିଲା। ଫଳରେ ପାର୍ଥିବ ଜୀବନ ପ୍ରତି ସେ ଉଦାସୀନ ହୋଇପଡ଼ିଲେ। କ୍ରମେ ଯମ, ନିୟମ ଆଦି ସାଧନା ପ୍ରତି ତାଙ୍କର ମନ ବଳିଲା ଏବଂ ହୃଦୟରେ ଶ୍ରୀଜଗନ୍ନାଥଙ୍କ ପ୍ରତି ବ୍ୟାକୁଳତା ଜାତ ହେଲା। ଏକନିଷ୍ଠ ସାଧନା କରି ସେ ସିଦ୍ଧିଲାଭ କଲେ। ଫଳରେ ଅଢଙ୍ଗଗଡ଼ର ରାଜା ରଘୁରାମ ଏବଂ ରାଣୀ ତିଳୋତ୍ତମା ତାଙ୍କ ପ୍ରତି ଆକୃଷ୍ଟ ହେଲେ ଏବଂ ତାଙ୍କୁ ରାଜଦରବାରରେ ସମ୍ମାନାସ୍ପଦ ଆସନ ଦେଲେ। ରାଜା ମଧ୍ୟ ତାଙ୍କୁ ଗୁରୁ କରି, ନିଜର ଭଗ୍ନୀ ଅଞ୍ଜନାଙ୍କୁ ତାଙ୍କ ସହ ବିବାହ ଦେଲେ। ତାଙ୍କର ଦାରିଦ୍ରୢ ଦୂର ହେଲା।
କିନ୍ତୁ, ‘ବାଳୁତକାଳୁ ଧନୁର୍ଦ୍ଧର’ ଥିବା ଯଶୋବନ୍ତ କିପରି ହରିଭକ୍ତି ପ୍ରତି ଆକର୍ଷିତ ହେଲେ, ସେ ସଂପର୍କରେ ଗୋଟିଏ ରୋଚକ କିଂବଦନ୍ତି ଅଛି। ତାହା ହେଉଛି- ଦୁଃଖ ଓ ଦାରିଦ୍ରୢ ଭିତରେ ପରିବାର ପୋଷଣ କରିବା ବେଳେ, ଥରେ ଲୋଭରେ ପଡ଼ି ସେ ଅନ୍ୟ ଜଣେ ଚାଷୀଙ୍କ କ୍ଷେତରୁ ଧାନ ଚୋରି କରିବାକୁ ଗଲେ। କିନ୍ତୁ କ୍ଷେତରେ ପଶି ଦାଆରେ ଧାନକେଣ୍ଡାଗୁଡ଼ିକୁ ମଚ୍ ମଚ୍ କରି କାଟିବାବେଳେ, ସେହି ଶବ୍ଦ ହରିଧ୍ୱନି ରୂପେ ତାଙ୍କ କାନରେ ପ୍ରତିଧ୍ୱନିତ ହେଲା। ତାହା ଶୁଣି, ତାଙ୍କ ଭିତରେ ଚେତା ପଶିଲା ଏବଂ ସେ ‘ଚୋରି’ କରିବାରୁ ନିବୃତ୍ତ ହୋଇ ‘ହରି’ଙ୍କ ପ୍ରତି ଆକର୍ଷିତ ହେଲେ।