ଡେପୁଟି କଲେକ୍ଟରଙ୍କ ଘରେ ଚିଠି ଛାଡ଼ିଗଲା ଚୋର, ଲେଖି ଯାଇଥିଲା ଏଭଳି କଥା…

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଭିନ୍ନଭିନ୍ନ ପ୍ଲାଟଫର୍ମରେ ଚୋର ଲେଖି ଯାଇଥିବା ଏକ ଚିଠି ଭାଇରାଲ ହେଉଛି। ଏହି ଚିଠିକୁ ଚୋର ମଧ୍ୟପ୍ରଦେଶର ଦେବାସରେ ଏସଡିଏମ (ଡେପୁଟି କଲେକ୍ଟର)ଙ୍କ ଘରକୁ ଚୋରି କରିବାକୁ ଆସି ଛାଡ଼ି ଯାଇଛି। ଏହି ଘଟଣାକୁ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀ ନିଜର ଭିନ୍ନଭିନ୍ନ ମତ ଦେଇଛନ୍ତି।

ଚୋର ଚିଠିକୁ ଟୁଇଟର ବ୍ୟବହାରକାରୀ @Supriya23bh ଅକ୍ଟୋବର ୧୦ ତାରିଖ‌ରେ ସେୟାର କରିଛନ୍ତି। ‌ସେ କ୍ୟାପସନରେ ‌ଲେଖିଛନ୍ତି, ଅଦ୍ଭୁତ…. ମଧ୍ୟପ୍ରଦେଶର ଦେବାସ‌ରେ ଡେପୁଟି କଲେକ୍ଟର ତ୍ରିଲୋଚନ ଗୌଡ଼ଙ୍କ ବଙ୍ଗଳାରେ ହୋଇଛି ଚୋରି… ଚୋର ଏହି ଚିଠି ଛାଡ଼ି ଦେଇଯାଇଛି।

ଏହି ଚୋର ଖାତେଗ୍ରାମ ଏସଡିଏମ ତ୍ରିଲୋଚନ ଗୌଡ଼ଙ୍କ ସିଭିଲ ଲାଇନସ୍ଥିତ ସରକାରୀ ବଙ୍ଗଳାକୁ ଚୋରି କରିବାକୁ ଯାଇଥିଲା। ଏସଡିଏମ ଗତ ୧୫ଦିନ ହେବ ତାଙ୍କ ଘରେ ନଥିଲେ। ସେ ଦେବାସସ୍ଥିତ ଘରେ ପହଞ୍ଚିବା ପରେ ଘରର ସାମଗ୍ରୀ ଏଣେତେଣେ ବିଛାଡ଼ି ହୋଇ ପଡ଼ିଥିବା ସେ ଦେଖିବାକୁ ପାଇଥିଲେ। ଘରୁ ସୁନା ଓ ରୁପା ଅଳଙ୍କାର ବି ଚୋରି ହୋଇଯାଇଥିଲା।

ଏହାପରେ ସେ ଏହି ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘରୁ ଏକ ଚିଠି ଜବତ କରିଥିଲା। ଏହି ଚିଠିରେ ହିନ୍ଦୀ ଭାଷାରେ ଲେଖା ହୋଇଛି, ‘ଯବ ପୈସେ ନେହିଁ ଥେ ତୋ ଲକ ନେହି କରନା ଥା କଲେକ୍ଟର।’ ପୁଲିସ ଏହି ଚୋରି ଘଟଣାର ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

 

 

ସମ୍ବନ୍ଧିତ ଖବର