ଉତ୍ତର ହିମାଳୟ ଅଞ୍ଚଳରେ ଆକସ୍ମିକ ବାଦଲଫଟା ବର୍ଷା ହୋଇ ବ୍ୟାପକ ଧନଜୀବନ ନଷ୍ଟ ହୋଇଛି। ଉତ୍ତରାଖଣ୍ଡ, ଜାମ୍ମୁ-କାଶ୍ମୀରରେ ବର୍ଷା ଜନିତ ଭୂସ୍ଖଳନ ‌ଯୋଗୁଁ ବିଶେଷ କ୍ଷତି ହୋଇଛି। ବ୍ୟାସ ନଦୀରେ ବନ୍ୟା ଆସି ହିମାଚଳ ପ୍ରଦେଶର ରାଜପଥ ଏବଂ ଘରଦ୍ବାର ଗ୍ରାସ କରିଛି। ହିମବାହରୁ ପ୍ରବାହିତ ନଦୀଗୁଡ଼ିକ ପଞ୍ଜାବରେ ଚାଷ ଜମିକୁ ଜଳାର୍ଣ୍ଣବ କରିଛି। ପଡ଼ୋଶୀ ପାକିସ୍ତାନ ଏବଂ ଚୀନରେ ମଧ୍ୟ ସ୍ଥିତି ଭିନ୍ନ ନୁହେଁ। ହିମାଳୟ ପର୍ବତମାଳା ଅଞ୍ଚଳରେ ପ୍ରବଳ ବର୍ଷା, ଭୂସ୍ଖଳନ, ଆକସ୍ମିକ ବନ୍ୟା ଭଳି ଚରମ ପାଣିପାଗ ଘଟଣା ବଢ଼ିଚାଲିଛି।

Advertisment

ଅସମୟ ବୃଷ୍ଟିପାତ, ବାଦଲଫଟା ବର୍ଷା, ହିମବାହ ତରଳି ଆକସ୍ମିକ ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ସ୍ବତଃ ସୃଷ୍ଟି ହେଉଥିବା ପ୍ରାକୃତିକ ଘଟଣା ନୁହେଁ, ବାସ୍ତବରେ ଏସବୁ ହେଉଛି ପରିବେଶରେ ମନୁଷ୍ୟକୃତ କ୍ରିୟାର ପ୍ରାକୃତିକ ପ୍ରତିକ୍ରିୟା।

“ତୃତୀୟ ମେରୁ” ଭାବରେ ପରିଚିତ ହିମାଳୟ ଅସୁରକ୍ଷିତ ହୋଇପଡୁଛି। ପ୍ରାୟ ୧୩୦ କୋଟିରୁ ଅଧିକ ଲୋକଙ୍କୁ ଜୀବିକା ଦେଉଥିବା ଏସିଆ ମହାଦେଶର ୧୦ଟି ପ୍ରମୁଖ ନଦୀର ମୁଖ୍ୟଉତ୍ସ ହେଉଛି ହିମାଳୟର ହିମବାହ। ମାତ୍ର ଜଳବାୟୁ ପରିବର୍ତ୍ତନ ହେତୁ ଏ ସବୁ ନଦୀରେ ଭୂସ୍ଖଳନ ଓ ଆକସ୍ମିକ ବନ୍ୟା ଆଶଙ୍କା ବୃଦ୍ଧି ପାଇଛି। ଏହି ଅଞ୍ଚଳରେ ତାପମାତ୍ରା ବିଶ୍ୱର ହାରାହାରି ତାପମାତ୍ରକୁ ଅତିକ୍ରମ କରିଛି। ହିମବାହ ତରଳିବା ଯୋଗୁଁ ହଠାତ୍‌ ବନ୍ୟା ଆସି ବ୍ୟାପକ କ୍ଷୟକ୍ଷତି କରୁଛି।
ଅନିୟନ୍ତ୍ରିତ ସହରୀକରଣ ଏହି ସଙ୍କଟକୁ ଆହୁରି ଜଟିଳ କରିଦେଇଛି। ପରିବେଶ ଦୃଷ୍ଟିରୁ ସମ୍ବେଦନଶୀଳ ହିମାଳୟ ଅଞ୍ଚଳରେ ଅତ୍ୟଧିକ ପର୍ଯ୍ୟଟନ ଚାପ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ତୀର୍ଥଯାତ୍ରୀ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ବ୍ୟାପକ ଅନିୟନ୍ତ୍ରିତ ନିର୍ମାଣ ଏହି ସ୍ପର୍ଶକାତର ଅଞ୍ଚଳର ପାରିବେଶିକ ସ୍ଥିତିକୁ ନିମ୍ନଗାମୀ କରାଉଛି। ପୁଣି ରାସ୍ତାଘାଟ, ଜଳବିଦ୍ୟୁତ ପ୍ରକଳ୍ପ ଓ ଖନନ ଯୋଗୁଁ ଜଙ୍ଗଲ ନଷ୍ଟ ହେବା ଫଳରେ ମୃତ୍ତିକା କ୍ଷୟ ହେଉଛି। ଫଳସ୍ବରୂପ ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ବାରମ୍ବାର ହେଉଛି।

ନିକଟରେ ହୋଇଥିବା ଏକ ଅଧ୍ୟୟନ ଦର୍ଶାଇଛି ଯେ ଭାରତ, ବ୍ରାଜିଲ ଓ ଅନ୍ୟ ଗ୍ରୀଷ୍ମମଣ୍ଡଳୀୟ ଦେଶରେ ୨୮,୦୦୦ ଉତ୍ତାପ ଜନିତ ମୃତ୍ୟୁ ହୋଇଛି। ଏହି ଅଞ୍ଚଳରେ ବୃଦ୍ଧି ପାଉଥିବା ଜଙ୍ଗଲ କ୍ଷୟକୁ ଏଥିପାଇଁ ସିଧାସଳଖ ଦାୟୀ କରାଯାଇଛି। ଅସମୟ ବୃଷ୍ଟିପାତ, ବାଦଲଫଟା ବର୍ଷା, ହିମବାହ ତରଳି ଆକସ୍ମିକ ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ବାସ୍ତବରେ ମନୁଷ୍ୟକୃତ କାର୍ଯ୍ୟକଳାପର ପ୍ରଭାବ। ବୁଝିବାକୁ ହେବ ଯେ ଏସବୁ ସ୍ବତଃ ସୃଷ୍ଟି ହେଉଥିବା ପ୍ରାକୃତିକ ବିପର୍ଯ୍ୟୟ ନୁହେଁ, ପରିବେଶରେ ମନୁଷ୍ୟକୃତ କ୍ରିୟାର ପ୍ରାକୃତିକ ପ୍ରତିକ୍ରିୟା। ଅସଲ କଥା ହେଲା, ଆମର ଅଦୂରଦର୍ଶୀ ସୁବିଧାବାଦୀ କାର୍ଯ୍ୟକଳାପ ଯୋଗୁଁ ଏସବୁ ବିପର୍ଯ୍ୟୟ ସଂଘଟିତ ହେଉଛି। ଏବେ ଠାରୁ ନ ଚେତିଲେ, ଆଗକୁ ପରିସ୍ଥିତି ଭୟାବହ ହେବାର ଆଶଙ୍କାକୁ ଟାଳି ହେବନାହିଁ।