କ୍ୟାବ୍‌ ଚାଳକଙ୍କ ଏହି କାମ ପାଇଁ ସୋସିଆଲ ମିଡିଆରେ ପୋଷ୍ଟ ଲେଖି ଭୁରି ଭୁରି ପ୍ରଶଂସା କଲେ ଯାତ୍ରୀ

ବେଙ୍ଗାଲୁରୁ : କ୍ୟାବ୍‌ ଚାଳକଙ୍କ କଥା ଉଠିଲେ ପୂର୍ବରୁ ଘଟିଥିବା ସବୁ ଅପ୍ରୀତିକର ଘଟଣା ଆଖି ଆଗକୁ ଆସି ଯାଇଥାଏ । କିଭଳି ମହିଳାମାନେ କ୍ୟାବ୍‌ରେ ଅସଦାଚରଣର ଶିକାର ହୋଇଛନ୍ତି, ତାହାର ବିଭିନ୍ନ ଚିତ୍ର ଆମେ ବିଗତ ଅତୀତରେ ଦେଖିଥିଲେ ମଧ୍ୟ ଏବେ ଜଣେ ବେଙ୍ଗାଲୁରୁ ଚାଳକଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଓଲା କ୍ୟାବ୍‌ ଚାଳକଙ୍କୁ ନେଇ ଜଣେ ଯାତ୍ରୀ ନିଜ ଫେସ୍‌ବୁକ୍‌ ପେଜ୍‌ରେ ଲେଖିବା ପରେ ତାଙ୍କ କାମକୁ ନେଇ ଲୋକେ ପ୍ରଶଂସା କରିବାରେ ଲାଗି ପଡ଼ିଛନ୍ତି । ସୟୁଜ୍‌ ରବିନ୍ଦ୍ରନ୍‌ ନାମକ ଜଣେ ଯାତ୍ରୀ କ୍ୟାବ୍‌ରେ ନିଜର ଅନେକ ଗୁରୁତ୍ୱପୂର୍ଣ୍ଣ ଜିନିଷ  ଓ ୨.୫ ଲକ୍ଷ ଟଙ୍କା ଛାଡ଼ି ଆସିଥିବା ବେଳେ କ୍ୟାବ୍‌ ଚାଳକ ତାଙ୍କୁ ଆଣି ସବୁ ଜିନିଷ ଫେରାଇଥିଲେ । ଚାଳକଙ୍କ ଏଭଳି କାମ ସୟୁଜ୍‌ଙ୍କୁ ଖୁସି କରାଇବା ସହ ସେ ଫେସ୍‌ବୁକ୍‌ରେ ପୂରା ଘଟଣା ସେୟାର କରିଥିଲେ ।

indiatimes.com

ପୋଷ୍ଟରେ ଲେଖାଯାଇଛି କି, ଏକ ବିବାହରେ ଯୋଗ ଦେଇ ଘରକୁ ଫେରିବା ପାଇଁ ମୁଁ  କେଆର୍‌ ପୁରମ୍‌ ରେଳ ଷ୍ଟେସନରୁ ଭୋର୍‌ ୩ଟା ୩୦ମିନିଟ୍‌ରେ ଓଲା କ୍ୟାବ୍‌ ବୁକ୍‌ କରିଥିଲି । ଅଧା ବାଟରେ କାର୍‌ର ଚକା ପଙ୍କ୍‌ଚର ହେବାରୁ ଚାଳକ ଖତିବ୍‌ ଉର୍‌ ରେହମାନ୍‌ ମୋତେ ଆଉ ଏକ କ୍ୟାବ୍‌ ବୁକ୍‌ କରି ଘରକୁ ଯିବା ପାଇଁ କହିଥିଲେ । ମୁଁ ଦ୍ୱିତୀୟ କ୍ୟାବ୍‌ ବୁକ୍‌ କରି ଘରକୁ ବାହାରିଥିଲି । ଘରେ ପହଞ୍ଚିବାର କିଛି ବାଟ ପୂର୍ବରୁ ଖତିବ୍‌ ମୋତେ କଲ୍‌ କରି ବ୍ୟାଗ୍‌ ଛାଡ଼ି ଆସିଥିବା କଥା ଜଣାଇଥିଲେ । ଏହା ସହ ମୁଁ ଯିବା ପର୍ଯ୍ୟନ୍ତ ସେ ଅପେକ୍ଷା କରିବେ ବୋଲି ମଧ୍ୟ କହିଥିଲେ । ମୁଁ ଘରେ ପହଞ୍ଚି ମୋ କାର୍‌ ନେଇ ଖତିବ୍‌ଙ୍କ ପାଖରେ ପହଞ୍ଚିଥିଲି । ଯାହା ପରେ ସେ ମୋତେ ବ୍ୟାଗ୍‌ ଫେରାଇଥିଲେ । ତାଙ୍କର ଏଭଳି କାମ ପାଇଁ ମୁଁ ତାଙ୍କୁ କିଛି ଟଙ୍କା ଯାଚିଥିଲେ ମଧ୍ୟ ସେ ନେବା ପାଇଁ ମନା କରି ଦେଇଥିଲେ । ତାଙ୍କର ଏଭଳି କାମ ପାଇଁ ତାଙ୍କୁ ସମ୍ମାନିତ କରାଯିବ ଦରକାର ବୋଲି ଲେଖିଛନ୍ତି ସୟୁଜ୍‌ ।

ସମ୍ବନ୍ଧିତ ଖବର