ଭଲ ପାଇବାକୁ ଜାହିର କରିବା ପାଇଁ ପ୍ରତ୍ୟେକ ଭିନ୍ନ ଭିନ୍ନ ଉପାୟ ଆପଣେଇଥାନ୍ତି । ପତ୍ନୀ, ଗାର୍ଲଫ୍ରେଣ୍ଡ, ମା’ କିମ୍ବା ପରିବାରର ନାମ ତ ଅନେକ ଲୋକ ଟାଟୁ କରାଇଥାନ୍ତି । କିନ୍ତୁ ଜଣେ ବ୍ୟକ୍ତି ଏମିତି ବି ଅଛନ୍ତି, ଯିଏ ଦେଶକୁ ବହୁତ ଭଲ ପାଆନ୍ତି ଓ ଦେଶ ପ୍ରତି ଭକ୍ତିକୁ ଜଣାଇବା ପାଇଁ ନିଜ ପିଠିରେ ସହିଦଙ୍କ ନାମ ଟାଟୁ କରିଛନ୍ତି । ୩୦ ବର୍ଷୀୟ ଅଭିଷେକ ଗୌତମ ନାମକ ଏହି ବ୍ୟକ୍ତି ପିଠିରେ କାରଗିଲରେ ସହିଦ ହୋଇଥିବା ୫୭୭ ଯବାନଙ୍କ ନାମ ସହିତ ୫୮୫ ଟାଟୁ କରିଛନ୍ତି । ଏଥିପାଇଁ ସେ ଏକ ସପ୍ତାହ ପର୍ଯ୍ୟନ୍ତ ୬-୬ ଘଣ୍ଟା ଛୁଂଚିରେ ଫୋଡି ହୋଇ ଅସହନୀୟ ଯନ୍ତ୍ରଣାକୁ ସହ୍ୟ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ବ୍ୟକ୍ତିଙ୍କ ନାଁ ହେଉଛି ଅଭିଷେକ ଏବଂ ସେ ୟୁପିର ହାପୁଡରେ ରହନ୍ତି । ତାଙ୍କର ବୀର ଯବାନଙ୍କ ପାଇଁ ଏତେ ମାତ୍ରାରେ ଭଲ ପାଇବା ରହିଛି ଯେ ସେ ବାଇକ ଚଳାଇ ବହୁ ଦୂର ଯାଇ ଯବାନଙ୍କ ପରିବାରକୁ ମଧ୍ୟ ଭେଟନ୍ତି । ଅଭିଷେକ କହିଛନ୍ତି ଯେ ଆଗରୁ ସେ ସହିଦଙ୍କ ଘର ଖୋଜି ଖୋଜି ଯାଉଥିଲେ ମାତ୍ର ଏବେ ତାଙ୍କୁ ପ୍ରତି ଯବାନଙ୍କ ଘରୁ ନିମନ୍ତ୍ରଣ ଆସୁଛି । ଅଭିଷେକଙ୍କୁ ଏବେ ସ୍କୁଲ କଲେଜ ମଧ୍ୟ ଡକାଯାଉଛି, ଯେଉଁଠି ତାଙ୍କ ଭାଷଣରୁ ଛାତ୍ରଛାତ୍ରୀ ଦେଶଭକ୍ତିର ବାର୍ତ୍ତା ପାଉଛନ୍ତି ।