ଟ୍ରାଫିକ୍‌ ପୁଲିସ୍‌ର ନିଷ୍ଠୁରତା ତ ଦେଖିଛନ୍ତି, ମହାନତା ବି ଦେଖିଛନ୍ତି କି? ଦୀର୍ଘ ୨ ବର୍ଷ ହେବ ବୁଲା କୁକୁରଙ୍କ ଯତ୍ନ ନେଇ ଚର୍ଚ୍ଚାରେ ଆର୍‌ ଅରୁନାନ୍‌

ଚେନ୍ନାଇ: ଗତ କିଛି ଦିନ ହେବ ଟ୍ରାଫିକ୍‌ ପୁଲିସ୍‌ର ନିଷ୍ଠୁରତା ଆପଣ ଦେଖି ଆସୁଛନ୍ତି। ହେଲେ ଟ୍ରାଫିକ୍‌ ପୁଲିସ୍‌ ମହାନତା କେବେ ଦେଖିଛନ୍ତି? ଚେନ୍ନାଇରେ ଦେଖିବାକୁ ମିଳିଛି ଏପରି କିଛି ନିଆରା ଦୃଶ୍ୟ। ଟ୍ରାଫିକ୍‌ ପୁଲିସ୍‌ ଆର୍‌ ଅରୁନାନ୍‌ ଏକ ରାସ୍ତାରେ ବୁଲୁଥିବା କୁକୁରକୁ ଖାଇବାକୁ ଦେଇ ଚର୍ଚ୍ଚା ପାଲଟିଛନ୍ତି। କୁକୁରକୁ ତ ଅନେକ ଲୋକ ଖାଇବାକୁ ଦିଅନ୍ତି, ମାତ୍ର ଅରୁନାନ୍‌ ବର୍ଷ ବର୍ଷ ଧରି ଦୈନିକ ଏହି କାର୍ଯ୍ୟ କରି ଆସୁଛନ୍ତି। ତାଙ୍କର ଏକ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି।

ଗତ ୨ ବର୍ଷ ଭିତରେ ସେ ୩୨ଟି କୁକୁରଙ୍କ ଯତ୍ନ ନେଇ ସାରିଲେଣି। ଆଉ ୮ ମାସ ପରେ ସେ ତାଙ୍କ ଚାକିରି ଜୀବନରୁ ଅବସର ନେବେ। ଅରୁନାନ୍‌ ରାସ୍ତାରେ ବୁଲୁଥିବା କୁକୁରମାନଙ୍କୁ ଉଦ୍ଧାର କରି ତାଙ୍କର ଯତ୍ନ ନିଅନ୍ତି। ସୁନ୍ଦର ସୁନ୍ଦର କୁକୁର ଛୁଆମାନଙ୍କୁ ପୋଷିବା ପାଇଁ ଲୋକଙ୍କୁ କୁହନ୍ତି। କେହି କେହି ତାଙ୍କଠାରୁ କୁକୁର ଛୁଆ କିଣି କରି ଘରକୁ ବି ନିଅନ୍ତି।

ସେ କହିଛନ୍ତି ଯେ ପିଲାଦିନରୁ ତାଙ୍କର କୁକୁର ପାଳିବା ଓ ଗଛ ଲଗାଇବା ସଉକ ଥିଲା। ପରିସ୍ଥିତି ନଥିବା କାରଣରୁ ତାହା ସେ କରିପାରିନାହାନ୍ତି। ଗତ କିଛି ବର୍ଷ ହେବ ସେଥିରୁ ଗୋଟାଏ କାମ କରି ଖୁବ୍‌ ସନ୍ତୋଷ ଲାଭ କରୁଛନ୍ତି।

ସମ୍ବନ୍ଧିତ ଖବର