ନୂଆଦିଲ୍ଲୀ: ଜାପାନର ଏକ ମାର୍କେଟିଂ ଫାର୍ମ ନିଜ କର୍ମଚାରୀମାନଙ୍କୁ ଧୂମପାନରୁ ଦୂରେଇ ରଖିବା ପାଇଁ ଏକ ଅଭିନବ ପଦକ୍ଷେପ ଆପଣେଇଛି। କର୍ମଚାରୀମାନଙ୍କୁ ଲାଳାୟିତ କରି ଧୂମପାନରୁ ନିବୃତ କରିବା ଉଦେଶ୍ୟରେ କମ୍ପାନି ପକ୍ଷରୁ ଘୋଷଣା କରାଯାଇଛି ଯେ ଧୂମପାନ କରୁ ନଥିବା କର୍ମଚାରୀମାନଙ୍କୁ କମ୍ପାନି ଅଧିକ ଛୁଟି ପ୍ରଦାନ କରିବ। ଜାଣିବାକୁ ମିଳିଛି ଯେ ଧୂମପାନ କରୁ ନ ଥିବା କର୍ମଚାରୀମାନଙ୍କୁ କମ୍ପାନି ଅଧିକ ୬ ଦିନ ଛୁଟି ପ୍ରଦାନ କରିବ।
ଜଣେ କର୍ମଚାରୀ ଅଭିଯୋଗ କରିଥିଲେ ଯେ ଧୂମପାନ କରୁଥିବା କର୍ମଚାରୀଙ୍କ ଅପେକ୍ଷା ଧୂମପାନ ନ କରୁଥିବା କର୍ମଚାରୀ ଅଧିକ କାମ କରିପାରୁଛନ୍ତି। ଏହି ଅଭିଯୋଗକୁ କେନ୍ଦ୍ର କରି କମ୍ପାନିର ସିଇଓ ଏପରି ଏକ ନିଷ୍ପତ୍ତି ନେଇଛନ୍ତି।
ରିପୋର୍ଟରୁ ଜଣାପଡ଼ିଛି ଯେ ଧୂମପାନ ଅଭ୍ୟାସ ରଖିଥିବା କର୍ମଚାରୀମାନେ ମଝିରେ ମଝିରେ ହାତରେ ସିଗାରେଟ ଧରି ଅତି କମ୍ରେ ୧୫ ମିନିଟ୍ ବ୍ରେକ୍ ନେଇଥାନ୍ତି। ସିଇଓ ଆଶା ରଖିଛନ୍ତି ଯେ ତାଙ୍କର ଏପରି ନିଷ୍ପତ୍ତିରେ କମ୍ପାନିର କର୍ମଚାରୀମାନେ କିଛି ପରିମାଣରେ ଧୂମପାନରୁ ନିବୃତ ରହିବେ।
ପିଆଲା ଆଇଏନ୍ସି ନାମକ ଏହି କମ୍ପାନି ଏବେ ଏହି କାରଣରୁ ଚର୍ଚ୍ଚାରେ ରହିଛି ।
ଉଲ୍ଲେଖଯୋଗ୍ୟ, ଗତ କିଛି ମାସ ତଳେ ଜାପାନରେ ଧୂମପାନ ବିରୋଧୀ ଅଭିଯାନ ଦେଖିବାକୁ ମିଳିଛି।