ରେଳ ମନ୍ତ୍ରାଳୟର ଏହି ନିଷ୍ପତ୍ତି ବନ୍ଦ କରିଦେଇପାରେ ଅନେକଙ୍କ ରୋଜଗାର!

ଆଠଗଡର ସୁରେନ୍ଦ୍ର ଭାଇନା | ସକାଳୁ ଉଠିଲେ ଭାଇନା ଚାଲିଆସନ୍ତି ଷ୍ଟେସନକୁ | କାନ୍ଧରେ ଥାଏ ଦହିବରା ଓ ଆଳୁଦମ ଭାର | ଟ୍ରେନର ବଗିରେ ବୁଲିବୁଲି ଭାଇନା ପରସି ଦିଅନ୍ତି ସୁଆଦିଆ ଦହିବରା | ସକାଳ ୭ଟାରୁ ନିଜ ଜୀବନ ଜୀବିକାର ଏହି ଅଧ୍ୟାୟ ଆରମ୍ଭ କରୁଥିବା ସୁର ଭାଇନା ଘରକୁ ଫେରନ୍ତି ଠିକ ରାତି ୮ଟାରେ | କେମିତି ପରଦିନ ସକାଳେ ପୁଣି ପେସାକୁ ବଞ୍ଚେଇହେବ ସେହି ପ୍ରୟାସରେ ସବୁବେଳେ ଲାଗିପଡିଥାନ୍ତି |

ଠିକ ସେମିତି ବାରଙ୍ଗ ଷ୍ଟେସନରୁ ନିତି ଗୋପାଳ ଭାଇନା ଟ୍ରେନରେ ଚଢ଼ନ୍ତି | ମୁଣ୍ଡ ଉପରେ ଥାଏ କାକୁଡି ଟୋକେଇ | ତାଳଚେର-ପୁରୀ ପାସେଞ୍ଜରରେ ଗୋପାଳ ଭାଇନା କାକୁଡି ସହ ଲୁଣ-ଲଙ୍କା ଗୁଣ୍ଡ ବିଞ୍ଚି ଟ୍ରେନ ଯାତ୍ରୀଙ୍କ ହାତକୁ ବଢ଼େଇଦିଅନ୍ତି | ଟ୍ରେନର ଗହଳିରେ ବି ବାରିହୋଇପଡ଼େ ଗୋପାଳ ଭାଇର ଡାକ ‘କାକୁଡି ନେବ କାକୁଡି, ପେଟ ପାଇଁ ଥଣ୍ଡା, ଗୋପାଳ ଭାଇର ଫଣ୍ଡା ‘ | କାକୁଡିର ଚୋପା ଛଡାଇ ୧୦ ଟଙ୍କାରେ ବିକ୍ରି କରନ୍ତି | ତେବେ ଏବେ ବୋଧେ ସୁର ଭାଇନା ଓ ଗୋପାଳ ଭାଇନା ନିଜ ଜୀବିକା ହରାଇବାକୁ ଯାଉଛନ୍ତି | କେବଳ ଏହି ଦୁଇ ବ୍ୟକ୍ତି ନୁହନ୍ତି ବରଂ ଟ୍ରେନର ବୁଲା ବିକାଳୀଙ୍କ ରୋଜଗାର ଉପରେ ବଡ ପ୍ରଭାବ ପଡ଼ିବାକୁ ଯାଉଛି |

ରେଳ ମନ୍ତ୍ରାଳୟ ଏବେ ଏଭଳି ନିଷ୍ପତ୍ତି ନେଇଛି ଯେ ଏହି ବୁଲା ବିକାଳୀଙ୍କ ଉପରେ ଧରପଗଡ଼ କରାଯିବ | କାରଣ ରେଳ ମନ୍ତ୍ରାଳୟ ପକ୍ଷରୁ ବିଚାର କରାଯାଉଛି ଯେ ଟ୍ରେନରେ ଅଣପଂଜିକୃତ ଟ୍ରେନ ବିକାଳୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ | ବିକାଳୀଙ୍କ ରୂପରେ କିଛି ଅସାମାଜିକ ବ୍ୟକ୍ତି ଯାତ୍ରୀଙ୍କ ଜିନିଷପତ୍ର ଚୋରି କରୁଥିବାର ରେଳ ମନ୍ତ୍ରାଳୟ ଜାଣିବାକୁ ପାଇଛି | ଖୋର୍ଦ୍ଧା, ୱାଲଟିୟର ଓ ସମ୍ବଲପୁର ଡିଭିଜନ ଅନ୍ତର୍ଗତ ସମସ୍ତ ଟ୍ରେନରେ ବିକାଳୀଙ୍କ ଉପରେ ଚଢ଼ାଉ କରିବାକୁ ନିର୍ଦ୍ଦେଶ ଦିଆଯାଇଛି |

ବି.ଦ୍ର: ଚରିତ୍ରଙ୍କ ନାମ ସମ୍ପୂର୍ଣ୍ଣ କାଳ୍ପନିକ |

ସମ୍ବନ୍ଧିତ ଖବର