ବିଜ୍ଞାନକୁ ସରଳ କରି ବୁଝାଇବାର କଳା ପାଇଁ ଚର୍ଚ୍ଚାରେ ଶଶିକୁମାର; ପାଇବେ ରାଷ୍ଟ୍ରପତି ପୁରସ୍କାର

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଜଣେ ଶିକ୍ଷକଙ୍କ ନିଷ୍ଠା ଏବେ ସମସ୍ତଙ୍କ ହୃଦୟ ଜିତିଛି । ପାଠପଢ଼ା ଓ ଛାତ୍ର-ଛାତ୍ରୀମାନଙ୍କୁ ମଣିଷ କରି ଗଢ଼ି ତୋଳିବା ପାଇଁ ଶଶିକୁମାରଙ୍କର ଯେଉଁ ନିଷ୍ଠା ରହିଛି, ତାହାକୁ ଦେଖି ଆସନ୍ତା ସେପ୍ଟେମ୍ବର ୫ ଗୁରୁଦିବସରେ ସେ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିବାକୁ ଯାଉଛନ୍ତି । ପ୍ରତିଦିନ ସେ ନିଜର ଦୁଇ ଚକିଆ ଯାନରେ ୬୦କିଲୋମିଟର ଯିବା ଆସିବା କରିବା ସହ ୟେଲେକ୍ୟାଥାନାହଲିରେ ଥିବା ସରକାରୀ ସ୍କୁଲରେ ପଢ଼ାଇଥାନ୍ତି ।

ଛାତ୍ର-ଛାତ୍ରୀମାନେ ତାଙ୍କୁ ଶଶି ସାର୍‌ ବୋଲି ଡ଼ାକୁଥିବା ବେଳେ କିଭଳି ସହଜ ଉପାୟରେ ପିଲାମାନେ ବିଜ୍ଞାନ ବୁଝି ପାରିବେ ସେ ନେଇ ଚେଷ୍ଟା ଜାରି ରଖିଛନ୍ତି ଶଶିକୁମାର । ତୁମାକୁରୁରେ ରହୁଥିବା ଶଶିକୁମାର ବିଜ୍ଞାନରେ ସ୍ନାତକତ୍ତୋର କରିବା ସହ ଏମ୍‌ଫିଲ୍‌ ଓ  ବିଏଡ୍‌ ପଢ଼ି ମୋରାର୍‌ଜୀ ଦେଶାଇ ରେସିଡେନ୍‌ସିଆଲ ସ୍କୁଲ ଓ ଅନ୍ୟ ସରକାରୀ ସ୍କୁଲରେ ପଢ଼ାଇବା ଆରମ୍ଭ କରିଥିଲେ । ଏବେ ସେ ସହାୟକ ଶିକ୍ଷକ ଭାବେ ୟେଲେକ୍ୟାଥାନାହଲି ଗାଁରେ ଥିବା ସ୍କୁଲରେ ପଢ଼ାଉଛନ୍ତି । ତେବେ ସ୍କୁଲରେ ପିଲାମାନଙ୍କୁ ବିଜ୍ଞାନକୁ ବୁଝିବା ପାଇଁ ସହଜ ବାଟ ବାହାର କରିବା ସହ ବିଜ୍ଞାନ ପ୍ରୟୋଗଶାଳା ସ୍ଥାପନ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ ଶିଶୁକୁମାର । ପିଲାମାନଙ୍କୁ ପାଠର ନୋଟ୍‌ ଦେବା ପରିବର୍ତ୍ତେ ପିଲାମାନେ ବିଜ୍ଞାନ ପ୍ରୟୋଗଶାଳାରୁ କ’ଣ ବୁଝିଲେ, ତାହାକୁ ଆଧାର କରି ନୋଟ୍‌ ତିଆରି କରିବାକୁ ଛାତ୍ର-ଛାତ୍ରୀମାନଙ୍କୁ କହିଥାନ୍ତି ଶଶିକୁମାର ।

Image result for classroom
Google for Education

ସ୍କୁଲ ସରିବା ପରେ ୧୦ମ ଶ୍ରେଣୀ ଛାତ୍ର-ଛାତ୍ରୀଙ୍କୁ ଅତିରିକ୍ତ ପାଠ ପଢ଼ାଇବା ସହ ସେମାନଙ୍କୁ ନେଇ ସୁରକ୍ଷିତ ଭାବେ ଘରେ ଛାଡ଼ିଥାନ୍ତି । ପାଠ ପଢ଼ା ସହ ପରିବେଶକୁ ସୁରକ୍ଷିତ କେମିତି ରଖାଯିବ, ସେ ନେଇ ମଧ୍ୟ ଶଶିକୁମାର ଛାତ୍ର-ଛାତ୍ରୀମାନଙ୍କୁ ଶିଖାଇଥାନ୍ତି ।

ସମ୍ବନ୍ଧିତ ଖବର