ମହାଭାରତ କାବ୍ୟ ଅନୁସାରେ, ବିଶ୍ୱମିତ୍ର ଋଷିଙ୍କ ପୁତ୍ର ମହର୍ଷି ସୁଶ୍ରୁତ ହିଁ ଅସ୍ତ୍ରୋପଚାରର ଜନକ। ତାଙ୍କ ରଚିତ ‘ସୁଶ୍ରୁତ ସଂହିତା’ରେ ସେ ପ୍ଲାଷ୍ଟିକ୍ ସର୍ଜରିର ମୂଳତତ୍ତ୍ୱଗୁଡ଼ିକର ଟିକିନିଖି ବର୍ଣ୍ଣନା କରିଛନ୍ତି। କେବଳ ସେତିକି ନୁହେଁ ନିଜର ଅଳ୍ପ କେତେକ ଶିଷ୍ୟଙ୍କ ସହାୟତାରେ ସେ ସିଜରିଆନ୍, କୃତ୍ରିମ ଅଙ୍ଗ ପ୍ରତିରୋପଣ, ମୋତିଆବିନ୍ଦୁ, ପରିସ୍ରାନଳୀ ପଥୁରି ଏବଂ ହାଡ଼ଭଙ୍ଗା ଆଦିର ସଫଳ ଚିକିତ୍ସା କରୁଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
କାଟିବା, ଫୋଡ଼ିବା, ରାମ୍ପିବା, ଖପାଇବା ଏବଂ ସିଲାଇ କରିବା ଆଦି ଅସ୍ତ୍ରୋପଚାର କୌଶଳକୁ ସେ ଆଠଟି ବିଶେଷ ସୋପାନରେ ଉଲ୍ଲେଖ କରିଛନ୍ତି।
ଅସ୍ତ୍ରୋପଚାର ସମୟରେ ସେ ନିଜ ଶିଷ୍ୟମାନଙ୍କ ମଧ୍ୟରୁ ଅନ୍ୟୂନ ଜଣକୁ ଉପସ୍ଥିତ ରହି ସବୁ କିଛି ଲକ୍ଷ୍ୟ କରି ପରେ ତାକୁ ଭୁର୍ଜ ପତ୍ରରେ ଉଲ୍ଲେଖ କରିବାକୁ କହୁଥିଲେ।
ସୁଶ୍ରୁତଙ୍କ ଅସ୍ତ୍ରୋପଚାର ପଦ୍ଧତି ଏଡ଼େ ଜନପ୍ରିୟ ହେଲା ଯେ ଅହର୍ନିଶ ଲୋକେ ତାଙ୍କ ପାଖରେ ଚିକିତ୍ସା ହେବା ପାଇଁ ଗହଳି ଜମାଇଲେ। ଦରିଆପାରିରୁ ମଧ୍ୟ ଲୋକେ ଆସୁଥିଲେ। ଚିକିତ୍ସା ପାଇଁ ସେ କାହାରିକୁ ମନା କରୁ ନ ଥିଲେ।
ସୁଶ୍ରୁତ କାଶୀର ରାଜା ଦିବୋଦାସଙ୍କ ଠାରୁ ଔଷଧ ଏବଂ ରୋଗ ଉପସମ କରିବାର ପଦ୍ଧତି ଶିଖିଥିଲେ ବୋଲି ସୁଶ୍ରୁତ ସଂହିତାରେ ବର୍ଣ୍ଣିତ। ଦିବୋଦାସ ଆୟୁର୍ବେଦୀୟ ଔଷଧର ଦେବତା ଧନନ୍ତ୍ୱରୀଙ୍କ ଅବତାର ବୋଲି କୁହାଯାଏ।
ପୂର୍ବ-ତନ୍ତ୍ର ଓ ଉତ୍ତର-ତନ୍ତ୍ର ଏଇ ଦୁଇ ଭାଗରେ ବିଭକ୍ତ ସୁଶ୍ରୁତ ସଂହିତାକୁ ଡାକ୍ତରମାନଙ୍କର ଭାଷାକୋଷ ବୋଲି ବିଚାର କରାଯାଏ। ଏଥିରୁ ସେମାନେ ଶଲ୍ୟ ଓ ସାକଲ୍ୟର ବିଶେଷ ତଥ୍ୟ ପାଆନ୍ତି।
ପୂର୍ବତନ୍ତ୍ରରେ ରହିଛି ୧୨୦ଟି ପରିଚ୍ଛଦ ଏବଂ ତାହା ପାଞ୍ଚ ଭାଗରେ ବିଭକ୍ତ ଯଥା:- ସୂତ୍ର ସ୍ଥାନ, ଶରୀର ସ୍ଥାନ, ନିଦାନ ସ୍ଥାନ, ଚିକିତ୍ସା ସ୍ଥାନ ଏବଂ କଳ୍ପ ସ୍ଥାନ। ଉତ୍ତରତନ୍ତ୍ରରେ ରହିଛି ଚାରିଟି ସ୍ୱତନ୍ତ୍ର କଥା:- ସାକଲ୍ୟ, କାୟାଚିକିତ୍ସା, କୌମାରଭଫେଫେଫ୍ରିତ୍ୟ ଏବଂ ଭୂତବିଦ୍ୟା।
ଉତ୍ତରତନ୍ତ୍ରରେ ରହିଛି ହିକ୍କା, ଜ୍ୱର, କୃମିରୋଗ, ପାଣ୍ଡୁ, ନାଳରକ୍ତଝାଡ଼ା, କଫ, କାମଳ ଆଦି ରୋଗର ଉପଚାର କଥା। ସାକଲ୍ୟତନ୍ତ୍ରରେ ରହିଛି ଆଖି, କାନ, ନାକ ଓ ମୁଣ୍ଡ ଚିକିତ୍ସା କଥା।
ଏହାଛଡ଼ା ଏଥିରେ ଥିବା ସମୁଦାୟ ୧୮୪ଟି ପରିଚ୍ଛଦରେ ୧, ୨୨୦ ପ୍ରକାର ଅସୁସ୍ଥତା ଏବଂ ପଶୁ, ଗଛବୃଚ୍ଛ ଓ ଖନିଜଲବଣରୁ ପ୍ରସ୍ତୁତ ଶହ ଶହ ଔଷଧ କଥା ବର୍ଣ୍ଣିତ ହୋଇଛି।
କେବଳ ସେତିକି ନୁହେଁ ସୁଶ୍ରୁତ ହିଁ ପ୍ରଥମେ ଗଞ୍ଜାଇ ଅର୍କ ମିଶ୍ରିତ ସୁରାକୁ ନିଶ୍ଚେତକ ଭାବେ ବ୍ୟବହାର କରିଥିଲେ।