ଅହମଦାବାଦ-ଲଣ୍ଡନ ଏୟାର୍ ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହେବାପରେ ବିମାନ ସୁରକ୍ଷାକୁ ନେଇ ଉଠିଛି ଅନେକ ପ୍ରଶ୍ନ। ଦୀର୍ଘ ଯାତ୍ରା ଲାଗି ଅତ୍ୟନ୍ତ ନିର୍ଭରଯୋଗ୍ୟ ପ୍ରମାଣିତ ବୋଇଂ ୭୮୭ -୮ ଡ୍ରିମ୍ଲାଇନର୍ କିଭଳି ଦୁର୍ଘଟଣାଗ୍ରସ୍ତ ହେଲା, ତାହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି। କାରଣ ୧୯୮୫ ଜୁନ୍ ୨୩ରେ ଘଟିଥିବା କନିଷ୍କ ବିମାନ ବୋମା ବିସ୍ଫୋରଣ ଘଟଣା ପରେ ଏହା ଭାରତୀୟ ବେସାମରିକ ବିମାନ ଚଳାଚଳ ଇତିହାସରେ ସବୁଠାରୁ ବଡ଼ ବିମାନ ଦୁର୍ଘଟଣା। ଏୟାର୍ ଇଣ୍ଡିଆ, ଜେଟ୍ ଏୟାର୍ୱେଜ୍ ଓ ଇଣ୍ଡିଗୋ ଭଳି ବ୍ୟାବସାୟିକ ବିମାନ ଚଳାଚଳ ସଂସ୍ଥାରେ ମୁଖ୍ୟ ପାଇଲଟ୍ ଭାବେ କାର୍ଯ୍ୟକରି ବିମାନ ଉଡ଼ାଇବାରେ ଦୀର୍ଘ ୩୦ ବର୍ଷରୁ ଅଧିକ ଅଭିଜ୍ଞତା ଥିବା ତଥା ୧୯ ହଜାର ଘଣ୍ଟାରୁ ଅଧିକ ବିମାନ ଚଳାଇଥିବା ଦକ୍ଷ ପାଇଲଟ୍ ମୋହନ ଶ୍ୟାମଙ୍କ ସହ ଅହମଦାବାଦ ବିମାନ ଦୁର୍ଘଟଣାର ବିଭିନ୍ନ ଦିଗକୁ ନେଇ ଆଲୋଚନା କରିଛନ୍ତି ଆମ ବରିଷ୍ଠ ପ୍ରତିନିଧି ବିଭୂତି ପତି। ସଂପ୍ରତି ଇଣ୍ଡିଗୋ ବିମାନ ଚଳାଚଳ ସଂସ୍ଥାରେ ବରିଷ୍ଠ ବିମାନ ଚାଳନା ପ୍ରଶିକ୍ଷକ ଭାବେ କାର୍ଯ୍ୟରତ ଶ୍ରୀ ଶ୍ୟାମ ଦୁର୍ଘଟଣାର କାରଣ ସଂପର୍କରେ ବିଶ୍ଳେଷଣ କରିଛନ୍ତି।
ଜଣେ ଦକ୍ଷ ପାଇଲଟ୍ ଓ ଉଡ଼ାଣ ବିଶେଷଜ୍ଞ ଭାବେ ଏହି ବିମାନ ଦୁର୍ଘଟଣାର କାରଣ ସଂପର୍କରେ ଆପଣଙ୍କର ପ୍ରାଥମିକ ବିଶ୍ଳେଷଣ କ’ଣ ରହିବ?
ଦୁର୍ଘଟଣାଗ୍ରସ୍ତ ବୋଇଂ ବିମାନଟି ମାତ୍ର ୬୭୨ ଫୁଟ୍ ଉଚ୍ଚତାରୁ ଖସିପଡ଼ିଲା। ଅତି ଅଳ୍ପ ଉଚ୍ଚତାରେ ହିଁ ବିମାନଟି ବିପଦର ସଂକେତ ଦେଖାଇଲା। ପ୍ରାଥମିକ ସୂଚନା ଅନୁସାରେ, ସ୍ବାଭାବିକ ଭାବେ ଉଡ଼ାଣ ଆରମ୍ଭ କରିଥିବା ସତ୍ତ୍ବେ ବିମାନଟି ଉପରକୁ ଉଠି ଉଡ଼ିବାକୁ ବିଶେଷ ବଳ ‘ଲିଫ୍ଟ’ (ଉପରକୁ ଉଠିବା ପାଇଁ ବାୟୁଗତ ଶକ୍ତି, ଯାହା ବିମାନକୁ ଉଡ଼ିବାଯୋଗ୍ୟ କରିଥାଏ) ଜୁଟାଇ ପାରି ନଥିଲା। ରନୱେରୁ ଉପରକୁ ଉଠିଯିବା ପରେ ବିମାନଟି ‘ଥ୍ରଷ୍ଟ’ର ଶିକାର ହୋଇଥିଲା। ଭିଡିଓରୁ ଦେଖିବାକୁ ମିଳୁଛି, ବିମାନର ଅବତରଣ ପାଇଁ ଉଦ୍ଦିଷ୍ଟ ଯନ୍ତ୍ରାଂଶଗୁଡ଼ିକ ଉପରକୁ ଉଡ଼ାଣବେଳେ ମଧ୍ୟ ତଳମୁହାଁ ହୋଇରହିଥିଲେ। ଅର୍ଥାତ ‘ଲ୍ୟାଣ୍ଡିଙ୍ଗ ଗିୟର୍ ଡାଉନ୍’ ଅବସ୍ଥାରେ ଥିଲା। ସେହିସମୟରେ ବିମାନଟି ହାସଲ କରିଥିବା ସର୍ବାଧିକ ବେଗ ମାତ୍ର ୧୭୪ ନଟ୍ ଥିଲା, ଯାହାକି ଏକ ନିରାପଦ ଅବରୋହଣ ପାଇଁ ଆବଶ୍ୟକ ଗତିଠାରୁ ଢେର୍ କମ୍। ଏହା ସୂଚାଇ ଦେଉଛି ଯେ ଜେନେରାଲ୍ ଇଲେକ୍ଟ୍ରିକ୍ ଦ୍ବାରା ଯୋଗାଇ ଦିଆଯାଇଥିବା ଇଞ୍ଜିନଗୁଡ଼ିକ ଯଥେଷ୍ଟ ଶକ୍ତି ଉତ୍ପାଦନ କରିବାକୁ ସକ୍ଷମ ନଥିଲେ। ତେଣୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହେଲା। କିନ୍ତୁ ମନେରଖନ୍ତୁ, ଏସବୁ କେବଳ ପ୍ରାଥମିକ ଭିଡିଓ ଫୁଟେଜ୍କୁ ବିଶ୍ଳେଷଣ କରି ମୁଁ ଆପଣଙ୍କୁ କହୁଛି। ପରବର୍ତ୍ତୀ ସମୟରେ ‘ବ୍ଲାକବକ୍ସ’ର ତଥ୍ୟ ଆଧାରରେ ଏହି ଅନୁଧ୍ୟାନ ବଦଳିଯାଇପାରେ। କିନ୍ତୁ ଏହା ନିଶ୍ଚିତ ଯେ ଅବତରଣ ଉପକରଣଗୁଡ଼ିକୁ ପ୍ରତ୍ୟାହାର କରିବା ପୂର୍ବରୁ ବିମାନଟି ତଳକୁ ଖସିବା ଆରମ୍ଭ କରିଥିଲା। ଏହା କେବଳ ସେତେବେଳେ ହିଁ ଘଟେ ଯେତେବେଳେ ‘ଲିଫ୍ଟ’ ଭୁଶୁଡ଼ି ପଡ଼େ ଅଥବା ‘ଥ୍ରଷ୍ଟ’ ଅଦୃଶ୍ୟ ହୋଇଯାଏ। ଏ ଦୁଇଟିଯାକ ପରିସ୍ଥିତିରେ ବିମାନଟି କେବେହେଲେ ଆକାଶରେ ରହିପାରିବ ନାହିଁ ଏବଂ ଦୁର୍ଘଟଣା ନିଶ୍ଚିତ ହୋଇଯାଏ।
ବିମାନଟି ଉପରକୁ ଉଠିବା ସକାଶେ ବିଶେଷ ବଳ ‘ଲିଫ୍ଟ’ (ଉପରକୁ ଯିବା ପାଇଁ ବାୟୁଗତ ଶକ୍ତି ଯାହା ବିମାନକୁ ଉଡ଼ିବାଯୋଗ୍ୟ କରିଥାଏ) ଜୁଟାଇ ପାରି ନ ଥିଲା। ସେହିପରି ବିମାନଟି ଅଧିକରୁ ଅଧିକ ଉପରକୁ ଉଠିବାର ଆବଶ୍ୟକତା ବଳ ‘ଥ୍ରଷ୍ଟ’ ମଧ୍ୟ ଜୁଟାଇପାରିନଥିଲା। ଯେତେବେଳେ ଲିଫ୍ଟ ଭୁଶୁଡ଼ି ପଡ଼େ ଅଥବା ଥ୍ରଷ୍ଟ ଅଦୃଶ୍ୟ ହୋଇଯାଏ। ଏ ଦୁଇଟିଯାକ ପରିସ୍ଥିତିରେ ବିମାନଟି କେବେହେଲେ ଆକାଶରେ ରହିପାରିବ ନାହିଁ ଏବଂ ଦୁର୍ଘଟଣା ଅବଶମ୍ଭାବୀ।
ଏହା ଏକ ‘ହଲ୍ ଲସ୍’ ଶ୍ରେଣୀୟ ଦୁର୍ଘଟଣା ବୋଲି କୁହାଯାଉଛି। ଏଣୁ ଦୁର୍ଘଟଣା ଅନୁସନ୍ଧାନକାରୀ ବିଶେଷଜ୍ଞ ଦଳର ପ୍ରାଥମିକତା କ’ଣ ରହିବ? ତଦନ୍ତରେ କକ୍ପିଟ୍ ଭଏସ୍ ରେକର୍ଡର୍ ଏବଂ ଡିଜିଟାଲ୍ ଫ୍ଲାଇଟ୍ ଡାଟାର ଭୂମିକା କ’ଣ?
ଯଦିଓ ବୋଇଂ ୭୮୭ରେ ଛୋଟ ଛୋଟ ଯାନ୍ତ୍ରିକ ତ୍ରୁଟି ନଜରକୁ ଆସିଥାଏ, କିନ୍ତୁ ଏଭଳି ଭୟଙ୍କର ଦୁର୍ଘଟଣା ପ୍ରାୟତଃ ଦେଖିବାକୁ ମିଳି ନଥାଏ। ଏହା ‘ହଲ୍ ଲସ୍’ ସ୍ତରର ଦୁର୍ଘଟଣା। ଅର୍ଥାତ ଯେତେବେଳେ ଦୁର୍ଘଟଣା ହେତୁ କୌଣସି ବିମାନର ମରାମତି ସମ୍ଭବ ହୁଏନାହିଁ ବା ବିମାନର ସମ୍ପୂର୍ଣ୍ଣ କ୍ଷତି ହୋଇଥାଏ ତାକୁ ‘ହଲ୍ ଲସ୍’ ଶ୍ରେଣୀଭୁକ୍ତ କରାଯାଏ। ଅହମଦାବାଦ ଦୁର୍ଘଟଣାରେ ବୋଇଂ ୭୮୭ ବିମାନର ‘ହଲ୍ ଲସ୍’ ହୋଇଛି, ତେଣୁ ଅନୁସନ୍ଧାନକାରୀ ସେ ଦୃଷ୍ଟିରୁ ଅନୁଧ୍ୟାନ କରିବେ। ଏହି ଗୁରୁତର ବିମାନ ଦୁର୍ଘଟଣାର ତଦନ୍ତ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସର୍ବୋଚ୍ଚ ଅନୁସନ୍ଧାନ ସଂସ୍ଥା ‘ଭାରତୀୟ ବିମାନ ଦୁର୍ଘଟଣା ଅନୁସନ୍ଧାନ ବ୍ୟୁରୋ’ କରିବ। କାରଣ ଅନୁସନ୍ଧାନର ଅଧିକାର କ୍ଷେତ୍ର ଭାରତରେ ଅବସ୍ଥିତ। ଅବଶ୍ୟ ଆମେରିକୀୟ ବିମାନ ନିର୍ମାତା ବୋଇଂ ବର୍ତ୍ତମାନ ବିଶେଷ ଅନୁସନ୍ଧାନ ଲାଗି ନିଜର ବିଶେଷଜ୍ଞ ଦଳ ପଠାଇଛି। ଅନୁସନ୍ଧାନ କ୍ଷେତ୍ରରେ କକ୍ପିଟ୍ ଭଏସ୍ ରେକର୍ଡର୍ରୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିବ। କାରଣ କକ୍ପିଟ୍ ଭିତରେ ପାଇଲଟ୍ କିପରି ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ, ସେଥିରୁ ତାହା ମିଳିବ। ସେହିପରି ଦୁର୍ଘଟଣା ସମୟରେ ବିମାନ ଭିତରେ କ’ଣ ଘଟିଥିଲା ତାହା ଫ୍ଲାଇଟ୍ ରେକର୍ଡର୍ କହିବ। ଏଗୁଡ଼ିକ ହେଉଛି ପ୍ରମୁଖ ପ୍ରମାଣ। ତେବେ ଏହି ବିମାନର ଦୁର୍ଘଟଣାରୁ ଭାଗ୍ୟ ଓ ଭଗବାନଙ୍କ ଆଶୀର୍ବାଦରୁ ବଞ୍ଚିଯାଇଥିବା ଏକମାତ୍ର ଜୀବିତ ବ୍ୟକ୍ତି ଦୁର୍ଘଟଣାର ରହସ୍ୟ ଉନ୍ମୋଚନ କରିବାରେ ସାହାଯ୍ୟ କରିପାରିବେ ବୋଲି ମୁଁ ଭାବୁଛି।
ବିମାନ ଉଡ଼ାଣ ପାଇଁ ସମସ୍ତ ସତର୍କତା ଅବଲମ୍ବନ କରାଯାଇଥିଲା କି?
ଏହା ଏକ ସ୍ପର୍ଶକାତର ପ୍ରଶ୍ନ। ଏ ସଂପର୍କରେ ସବିଶେଷ ଅନୁଧ୍ୟାନ ନକରି ମତାମତ ଦେଇ ହେବନାହିଁ। ଇମିଗ୍ରେସନ୍, କଷ୍ଟମ୍ସ୍ ଓ ସିକ୍ୟୁରିଟିଠାରୁ ଆରମ୍ଭ କରି ବିଭିନ୍ନ ଯନ୍ତ୍ରାଂଶ ଯାଞ୍ଚ କରୁଥିବା ଇଂଜିନିୟର୍, ଉଡ଼ାଣ ବିଶେଷଜ୍ଞ, ବିମାନ ପରିଚାଳିକା ଓ ପରିଚାଳକ, ରିଫୁଏଲିଙ୍ଗ୍ କର୍ମଚାରୀଙ୍କ ପର୍ଯ୍ୟନ୍ତ ବିମାନ ଚଳାଚଳ ପ୍ରକ୍ରିୟା ସହ ଜଡ଼ିତ ସମସ୍ତଙ୍କ ବୟାନ ରେକର୍ଡ କରିବା ପରେ ନିରାପଦ ଉଡ଼ାଣ ସଂପର୍କରେ ପ୍ରକୃତ ତଥ୍ୟ ପାଇହେବ। ଏଥିପାଇଁ ଏକାଧିକ ସ୍ତରର ଯାଞ୍ଚ କରିବାର ଆବଶ୍ୟକତା ରହିଛି। ଏହାସହିତ ଜାହାଜରେ କୌଣସି ବିପଜ୍ଜନକ ସାମଗ୍ରୀ ଥିଲା କି ନାହିଁ, କୌଣସି ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲ୍ ତ୍ରୁଟି କିମ୍ବା ପାଇଲଟ୍ କ୍ଳାନ୍ତି ଭଳି ସମସ୍ୟା ଥିଲା କି ନାହିଁ ତାହା ମଧ୍ୟ ଯାଞ୍ଚ କରିବାକୁ ପଡ଼ିବ। କୌଣସି ଅନ୍ତର୍ଘାତୀ କାର୍ଯ୍ୟକଳାପ ହୋଇଥିଲା କି ନାହିଁ, ତାହା ବି ତଦାରଖ କରାଯିବ। ଏଭଳି ବିମାନ ଦୁର୍ଘଟଣାରେ ଅନୁସନ୍ଧାନକାରୀମାନେ ଜେମ୍ସ୍ ରିଜନ୍ ବିକଶିତ କରିଥିବା ‘ସ୍ୱିସ୍ ଚିଜ୍ ମଡେଲ୍’ ପଦ୍ଧତିରେ ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ଦେଖିବେ। ଏବେ ଜଟିଳ ପରିସ୍ଥିତିରେ ଘଟୁଥିବା ଦୁର୍ଘଟଣାକୁ ଏହି ମଡେଲ୍ର ଅନୁସରଣରେ ବିଶ୍ଲେଷଣ କରାଯାଉଛି। ଆପଣଙ୍କୁ ଏହା କହିରଖିବା ଠିକ୍ ହେବ କି ବିମାନର ଯେଉଁସବୁ ଯନ୍ତ୍ରାଂଶ ପ୍ରତ୍ୟେକ ସମ୍ଭାବ୍ୟ ବିପଦର ମୁକାବିଲା କରି ସୁରକ୍ଷିତ ଉଡ଼ାଣ ନିଶ୍ଚିତ କରେ, ସେସବୁର ବିଫଳତା କିମ୍ବା ଅପାରଗତାକୁ ତନ୍ନ ତନ୍ନ କରି ଅନୁଧ୍ୟାନ କରାଯିବ।
ଜଳବାୟୁ ପରିବର୍ତ୍ତନ ବିମାନ ଦୁର୍ଘଟଣାରେ କେତେ ମାତ୍ରାରେ ଦାୟୀ ବୋଲି ଆପଣ ଭାବୁଛନ୍ତି?
ବିଗତ କେଇବର୍ଷ ହେଲା ବ୍ୟାବସାୟିକ ବିମାନ ଚଳାଚଳ କ୍ଷେତ୍ରରେ ଦୁର୍ଘଟଣାର ସଂଖ୍ୟା ବହୁଗୁଣ ବୃଦ୍ଧି ପାଇଛି। ଗତବର୍ଷ ମେ ୨୧ ତାରିଖରେ ସିଙ୍ଗାପୁର ଏୟାର୍ ଲାଇନ୍ସର ଏକ ବୋଇଂ ୭୭୭-୩୦୦ ଇଆର୍ ବିମାନ ମ୍ୟାମାର ଉପର ଦେଇ ଯାଉଥିବା ବେଳେ ବାୟୁମଣ୍ଡଳୀୟ ଘୂର୍ଣ୍ଣିରେ ପଡ଼ି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ୧୦୪ ଜଣ ବ୍ୟକ୍ତି ଆଘାତପ୍ରାପ୍ତ ହୋଇଥିଲେ। ଏପରି ଘଟଣା ବିମାନ ଚଳାଚଳ ବିଶେଷଜ୍ଞଙ୍କୁ ଆଶ୍ଚର୍ଯ୍ୟ କରୁଛି। ସଂପ୍ରତି ଏପରି ଘଟଣାମାନ ବାରମ୍ବାର ଘଟୁଛି କାହିଁକି? ମାନବକୃତ ଜଳବାୟୁ ପରିବର୍ତ୍ତନର କାରଣ ମଧ୍ୟରୁ ବହୁଳ ବ୍ୟାବସାୟିକ ବିମାନ ଚଳାଚଳ ଅନ୍ୟତମ। ଆଜିର ଦିନରେ ଘଟୁଥିବା ଦୁର୍ଘଟଣାର ୩.୫% ପାଇଁ ଏହା ଦାୟୀ। ବାୟୁମଣ୍ଡଳ ଅଶାନ୍ତ ରହିବା ଯୋଗୁଁ ଆକାଶମାର୍ଗରେ ଝଡ଼ ବଢୁଛି, ଫଳରେ ‘ଫ୍ଲାଇଟ୍ ଟର୍ବୁଲାନ୍ସ’ ବଢ଼ିଚାଲିଛି। ବିମାନ ଚଳାଚଳ ପାଇଁ ଏହା ବିପଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରୁଛି। ବିଶେଷକରି ଉତ୍ତର ଗୋଲାର୍ଦ୍ଧରେ ଆକାଶ ମାର୍ଗରେ ଥିବାବେଳେ ବଡ଼ଧରଣର ଦୁର୍ଘଟଣାମାନ ଘଟିବା ଯଥେଷ୍ଟ ବୃଦ୍ଧି ପାଇଛି। ପୃଥିବୀର ଉତ୍ତର ଗୋଲାର୍ଦ୍ଧର ଉପର ବାୟୁମଣ୍ଡଳରେ ପଶ୍ଚିମରୁ ପୂର୍ବକୁ ପ୍ରବାହିତ ହେଉଥିବା ବାୟୁ (ଏହାକୁ ଜେଟ୍ ଷ୍ଟ୍ରିମ୍ ବୋଲି କୁହାଯାଏ)ର ବେଗ ବୃଦ୍ଧି ପାଇବାରେ ଲାଗିଛି। ଅଙ୍ଗାରକ ଉତ୍ସର୍ଜନ ଯୋଗୁଁ ପବନ ୧ ଡିଗ୍ରି ସେଣ୍ଟିଗ୍ରେଡ୍ରୁ ଅଧିକ ଉତ୍ତପ୍ତ ହେଲେ ବାୟୁମଣ୍ଡଳରେ ‘ଜେଟ୍ ଷ୍ଟ୍ରିମ୍’ ବେଗ ୨% ବୃଦ୍ଧି ପାଇଥାଏ। ବେଗରେ ଏପରି ଅଭିବୃଦ୍ଧି ଯୋଗୁଁ ବଡ଼ଧରଣର ଓ ତୀବ୍ରତର ଝଡ଼ମାନ ସୃଷ୍ଟି କରିଥାଏ। ଏହା ପାଇଲଟ୍ ଓ ବିମାନ ଚଳାଚଳ ନିୟନ୍ତ୍ରକମାନଙ୍କ ସକାଶେ ଅତ୍ୟନ୍ତ ଆହ୍ବାନମୂଳକ ପରିସ୍ଥିତି ସୃଷ୍ଟି କଲାଣି। ତେଣୁ ଜଳବାୟୁ ପରିବର୍ତ୍ତନ ପ୍ରଭାବିତ କାରଣ ହେତୁ ଦୁର୍ଘଟଣା ବୃଦ୍ଧି ହେବାର ଆଶଙ୍କା ଅଧିକ ହେଉଛି। ଏଭଳି କାରଣରୁ ବିମାନ ଚଳାଚଳରେ ବିଳମ୍ବ ଏବେ ସାଧାରଣ ଘଟଣା ପାଲଟିଗଲାଣି।