କିନ୍ନର ବୋଲି ଜାଣି ପରିବାର ଲୋକେ ହାତ ଛାଡ଼ିବା ପରେ ସହାୟତାର ହାତ ବଢ଼ାଇଲେ ସରକାର, ପୂରଣ ହେବ ଆଦାମ୍‌ଙ୍କ ପାଇଲଟ ହେବା ସ୍ୱପ୍ନ

ଥିରୁବନନ୍ତପୁରମ୍‌ : ଛୋଟ ବେଳୁ ନିଜ ଲିଙ୍ଗକୁ ନେଇ ସନ୍ଦେହରେ ଥିଲେ ମଧ୍ୟ କେବେ ବି ସେ ନିଜ ସ୍ୱପ୍ନକୁ ନେଇ ସନ୍ଦେହ କରି ନ ଥିଲେ । ବଡ଼ ହୋଇ ସେ ଜଣେ ପାଇଲଟ୍‌ ହେବେ ବୋଲି ଇଚ୍ଛା ରଖିଥିବା ବେଳେ ତାକୁ ପୂରା କରିବା ପାଇଁ ସେ ଅନେକ ସଂଘର୍ଷ କରିଥିଲେ । ଯାହା ଆଜି ସଫଳ ହୋଇଛି । ଆଜି ଆମେ ଏଠାରେ କେରଳର ଆଦାମ୍‌ ହେରିଙ୍କ ବିଷୟରେ କହୁଛୁ । ଛୋଟ ବେଳେ ସେ ନିଜ ଲିଙ୍ଗକୁ ନେଇ ସନ୍ଦେହରେ ଥିବା ବେଳେ ଧିରେ ଧିରେ ତାଙ୍କ ସନ୍ଦେହ ଦୂର ହୋଇଥିଲା । ପୁରୁଷ ହୋଇ ମଧ୍ୟ ତାଙ୍କ ଭିତରେ ଜଣେ ମହିଳାର ସବୁ ହାବଭାବ ଥିବା ଜାଣି ପାରିଥିଲେ ଆଦାମ୍‌ । ନିଜକୁ ସେ କିନ୍ନର ଭାବେ ଗ୍ରହଣ କରି ନେଇଥିଲେ ମଧ୍ୟ ତାଙ୍କ ପରିବାର ଲୋକେ ଏହାକୁ ଗ୍ରହଣ କରି ପାରି ନ ଥିଲେ । ଯାହା ଦ୍ୱାରା ତାଙ୍କୁ ନିଜ ସ୍ୱପ୍ନକୁ ପୂରା କରିବା ପାଇଁ ଅନେକ କଷ୍ଟ କରିବାକୁ ପଡ଼ିଥିଲା ।

ସୂଚନା ମୁତାବକ, ଦ୍ୱାଦଶ ପାଠ୍ୟକ୍ରମ ଶେଷ କରିବା ପରେ ସେ ନିଜ ସ୍ୱପ୍ନ ପୂରା କରିବା ପାଇଁ ଦକ୍ଷିଣ ଆଫ୍ରିକା ଚାଲି ଯାଇଥିଲେ । ସେଠାରେ ସେ ଏକ ବିମାନ ଏକାଡେମିରେ ପାଇଲଟ୍‌ ବନିବା ପାଇଁ ପଢ଼ିବା ଆରମ୍ଭ କରିଥିଲେ । ପ୍ରଥମେ ପରିବାର ଲୋକେ ଋଣ କରି ପଢ଼ିବା ପାଇଁ ଟଙ୍କା ଦେଉଥିବା ବେଳେ ଆଦାମ୍‌ ଜଣେ କିନ୍ନର ବୋଲି ଜାଣି ଟଙ୍କା ପଠାଇବା ବନ୍ଦ କରି ଦେଇଥିଲେ । ପରିବାର ପକ୍ଷରୁ ଆର୍ଥିକ ସହାୟତା ନ ମିଳିବାରୁ ରାସ୍ତାରେ ଶୋଇବା ସହ ଅଜବ ଅଜବ କାମ କରି ଟଙ୍କା ରୋଜଗାର କରିବାକୁ ଲାଗିଥିଲେ ଆଦାମ୍‌ । ବହୁ କଷ୍ଟରେ ସେ ନିଜର ପାଠ୍ୟକ୍ରମ ପୂରା କରି ଘରୋଇ ବିମାନ ଉଡ଼ାଣ ପାଇଁ ଲାଇସେନ୍ସ ପ୍ରାପ୍ତ କରିଥିଲେ । ୨୦୧୭ରେ ସେ ଘରକୁ ଫେରିବା ପରେ ତାଙ୍କ ପରିବାର ଲୋକେ କିନ୍ନର ହୋଇଥିବା କଥା କାହାକୁ ନ ଜଣାଇବା ପାଇଁ ଚାପ ପକାଇବା ଆରମ୍ଭ କରିଥିଲେ । ଏମିତି କି ଆଦାମ୍‌କୁ ଘରେ ବନ୍ଦୀ କରି ରଖାଯିବା ସହ ମାନସିକ ନିର୍ଯ୍ୟାତନା ମଧ୍ୟ ଦିଆଯାଇଥିଲା ।

Image result for this-kerala-transman-pilot-first-in-india-gets-state-government-backing-to-fly
The Logical Indian

କିନ୍ତୁ ଗତ ବର୍ଷ ସେ ନିଜ ଘରୁ ଲୁଚି ପଳାଇ ଆସିବାରେ ସଫଳ ହୋଇଥିଲେ । ଘରୁ ଆସି ଚାକିରି ଖୋଜିଥିଲେ ମଧ୍ୟ ତାଙ୍କୁ ସହଜରେ ଚାକିରି ମିଳି ନଥିଲା । ଘରୋଇ ବିମାନ ଉଡ଼ାଣ ପାଇଁ ଲାଇସେନ୍ସ ପାଇଥିଲେ ମଧ୍ୟ ତାଙ୍କୁ ଚାକିରି ମିଳିବା ପାଇଁ ସମୟ ଲାଗିଥିଲା । ପରିସ୍ଥିତିକୁ ଦେଖି ସେ ବ୍ୟାବସାୟିକ ବିମାନ ଉଡ଼ାଣ ପାଇଁ ଲାଇସେନ୍ସ କରିବେ ବୋଲି ମନସ୍ଥ କରିଥିଲେ । ତାଙ୍କର ଏଭଳି ସ୍ୱପ୍ନ ପୂରା କରିବା ପାଇଁ ଆର୍ଥିକ ସହାୟତା ଦରକାର ଥିବା ବେଳେ ଗୁରୁବାର କେରଳ ସରକାର ୨୩ଲକ୍ଷ ଟଙ୍କାର ସହାୟତା ରାଶି ଦେଇଥିବା ଜଣା ପଡ଼ିଛି । ଖୁବ୍‌ ଶୀଘ୍ର ସେ ନିଜର ୩ବର୍ଷିଆ ପାଠ୍ୟକ୍ରମ ଆରମ୍ଭ କରିବା ସହ ବ୍ୟବସାୟିକ ବିମାନ ଉଡ଼ାଇବେ ବୋଲି ଜଣାପଡ଼ିଛି ।

ସରକାରଙ୍କ ପକ୍ଷରୁ ସାହାଯ୍ୟ ପାଇ ଆଦାମ୍‌ କହିଛନ୍ତି, ମୁଁ କେରଳ ସରକାରଙ୍କୁ ଧନ୍ୟବାଦ୍‌ ଜଣାଇବି । ତାଙ୍କ ପାଇଁ ମୋ ସ୍ୱପ୍ନ ଆଜି ସତ ହେବାକୁ ଯାଉଛି ।

ସମ୍ବନ୍ଧିତ ଖବର