ବୟସ କମ ହେଲେ ସ୍ୱପ୍ନ ବଡ଼ : ଭବିଷ୍ୟତରେ ରେସ୍ତୋରାଁ ଖୋଲିବାର ଇଚ୍ଛା ନେଇ ରାସ୍ତା କଡ଼ରେ ରଙ୍ଗୀନ ପଥର ଓ ଚିତ୍ର ବିକ୍ରି କରୁଛନ୍ତି ଏହି ବାଳକ

ନୂଆଦିଲ୍ଲୀ : ପାଠ ପଢ଼ିବା ଆରମ୍ଭ କରିବା ପରେ ସବୁ ପିଲାମାନଙ୍କର କିଛି ନା କିଛି ବନିବାର ସ୍ୱପ୍ନ ମନକୁ ଆସିଥାଏ । ଯାହାକୁ ସଫଳ କରିବା ପାଇଁ ସେମାନେ ଲାଗି ପଡ଼ିଥାନ୍ତି । ପାଠ ପଢ଼ା ସାରି ନିଜ ନିଜର ସ୍ୱପ୍ନର ପଥରେ ଆଗେଇ ଚାଲିବା ସହ ସ୍ୱପ୍ନକୁ ସାକାର କରନ୍ତି । କିନ୍ତୁ ନିଜ ସ୍ୱପ୍ନକୁ ପୂରା କରିବା ପାଇଁ ଜଣେ ବାଳକ ଯେଉଁ କାମ କରିବା ଆରମ୍ଭ କରିଛନ୍ତି, ତାହା ଏବେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି । ପିଲାମାନେ ଚାକିରି କରିବା ପର୍ଯ୍ୟନ୍ତ ଘରୁ ଟଙ୍କା ନେଇ ନିଜର ଗୁଜୁରାଣ ମେଣ୍ଟାଉଥିବା ବେଳେ ଏହି ବାଳକଜଣଙ୍କ ନିଜ ସ୍ୱପ୍ନ ପୂରା କରିବା ପାଇଁ ନିଜେ ସବୁ ଆୟୋଜନ କରିଛି । ବୟସ କମ ହୋଇଥିଲେ ମଧ୍ୟ ସ୍ୱପ୍ନ ବଡ଼ ହୋଇଥିବାରୁ ତାକୁ ପୂରା କରିବା ପାଇଁ ଏବେଠାରୁ ପାଠ ପଢ଼ା ସହ ରଙ୍ଗୀନ ପଥର ଓ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କି ବିକିବା ଆରମ୍ଭ କରିଛି ।

ବାଳକଟିର ପରିଚୟ ମିଳି ପାରି ନଥିଲେ ମଧ୍ୟ ତାଙ୍କ ଭିଡିଓ ଏବେ ଟୁଇଟ୍‌ରରେ ଲୋକପ୍ରିୟ ହେବାରେ ଲାଗିଛି । ଭବିଷ୍ୟତରେ ନିଜ ରେସ୍ତୋରାଁର ବ୍ୟବସାୟ ଆରମ୍ଭ କରିବାର ସ୍ୱପ୍ନ ରଖିଥିବାରୁ ଏବେଠାରୁ ଟଙ୍କା ସଞ୍ଚ କରିବା ଆରମ୍ଭ କରିଛନ୍ତି ବୋଲି ସେ ଭିଡିଓରେ କହୁଥିବା ଦେଖାଯାଇଛି ।

ଭିଡିଓରେ, ମୁଁ ୮ମାସ ହେଲାଣି ଏହି କାମ କରି ଟଙ୍କା ସଞ୍ଚୟ କରି ଆସୁଛି । ୧୮ ବା ୧୯ବର୍ଷ ବୟସରେ ଚାକିରି ହେବା ପର୍ଯ୍ୟନ୍ତ ମୁଁ ଏହି କାମ କରି ଟଙ୍କା ସଞ୍ଚୟ କରିବି । ପରେ ମୁଁ ସେହି ଟଙ୍କାକୁ ନେଇ ଏକ ଛେଟେ ରେସ୍ତୋରାଁ ଖୋଲିବି । ଯାହାକୁ ମୁଁ ଧିରେ ଧିରେ ବିସ୍ତାର କରିବି । ମୋ ବୟସର ପିଲାମାନେ ଭିଡିଓ ଗେମ୍‌ ଖେଳିବାକୁ ପସନ୍ଦ କରୁଛନ୍ତି । ସେମାନଙ୍କୁ ଲାଗୁଛି ସେହି ଭିଡିଓ ଗେମ୍‌ ତାଙ୍କୁ ଆଗକୁ ନେବ । କିନ୍ତୁ ସେମାନେ ଜାଣି ନାହାନ୍ତି, ସେହି ଭିଡିଓ ଗେମ୍‌ ତାଙ୍କୁ ଭବିଷ୍ୟତରେ ଟଙ୍କା ଦେବ ନାହିଁ ବୋଲି ବାଳକଜଣଙ୍କ କହୁଥିବା ଦେଖାଯାଇଛି ।

ସମ୍ବନ୍ଧିତ ଖବର