ଗରିବଙ୍କ ପାଇଁ ଭଗବାନ ପାଲଟିଛନ୍ତି କର୍ଣ୍ଣାଟକର ଏହି ଡାକ୍ତର, ମାଗଣାରେ ଦିନକୁ କରୁଛନ୍ତି ୧୫୦ ରୋଗୀଙ୍କ ଚିକିତ୍ସା

ବେଲଗାବି : ଆଜିକାଲି କେହି ବି ନିଜର ଲାଭ ନ ରଖି କାମ କରିବାକୁ ପସନ୍ଦ କରୁ ନାହାନ୍ତି । କୌଣସି କାମ କରିବା ପୂର୍ବରୁ ସେହି କାମରେ ତାଙ୍କର ଲାଭ କେତେ ତାହା ଭଲ ଭାବରେ ଲୋକେ ଦେଖୁଥିବା ବେଳେ କର୍ଣ୍ଣାଟକର ବେଲଗାବିରେ ଜଣେ ଡାକ୍ତର କରୁଥିବା କାମ ଏବେ ଚର୍ଚ୍ଚାରେ ରହିଛି । ଦେଶରେ ଗରିବ ଲୋକମାନେ କୌଣସି ସୁବିଧା ପାଇବା ପାଇଁ କେତେ ସଂଘର୍ଷ କରନ୍ତି, ତାହା ବୁଝିବା ସହ ସେମାନଙ୍କ ପାଇଁ ଭଗବାନ ପାଲଟିଛନ୍ତି ଡାକ୍ତର ଅନ୍ନପ୍ପା ଏନ୍‌ ବାଲି । ଛୋଟ ବେଳେ ତାଙ୍କୁ ଓ ତାଙ୍କ ପରିବାରକୁ ଯେଉଁ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା ସେ ସମସ୍ୟାର ସାମ୍ନା ଯେମିତି ଅନ୍ୟ କେହି ନ କରନ୍ତୁ, ସେ ନେଇ ସେ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇବା ଆରମ୍ଭ କରିଛନ୍ତି ।

ଡାକ୍ତର ବାଲିଙ୍କ କହିବା ଅନୁଯାୟୀ, ଛୋଟବେଳେ ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ସେ ଏକ ବୋର୍ଡିଂ ସ୍କୁଲରେ ମାଗଣାରେ ପଢ଼ିଥିଲେ । ଏହା ପରେ କିଛି ଲୋକଙ୍କ ସହାୟତା ପାଇଁ ସେ ହୁବ୍ଦଲ୍ଲୀରେ ଥିବା କେଏମ୍‌ସିରେ ନିଜର ଡାକ୍ତରୀ ପାଠ୍ୟକ୍ରମ ଶେଷ କରିଥିଲେ । ପାଠ ପଢ଼ା ପରେ ୧୯୬୭ରେ ସେ ସରକାରୀ ସ୍ୱାସ୍ଥ୍ୟ ବିଭାଗରେ ସ୍ୱାସ୍ଥ୍ୟ ଅଧିକାରୀ ଭାବେ କାମ କରିବା ଆରମ୍ଭ କରିଥିଲେ । କିଛି ବର୍ଷ ଡାକ୍ତର ହୋଇ ରୋଗୀଙ୍କ ଚିକିତ୍ସା କରିବା ପରେ ଜିଲ୍ଲା ସର୍ଜନ ହୋଇ ୧୯୯୮ରେ ଅବସର ଗ୍ରହଣ କରିଥିଲେ । ଅବସର ପରେ ତାଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହୋଇଯାଇଥିବାରୁ ସେ ଗରିବ ଲୋକଙ୍କୁ ମାଗଣା ଚିକିତ୍ସା ଦେବା କଥା ଚିନ୍ତା କରିଥିଲେ । କିନ୍ତୁ ଯଦି ସମସ୍ତଙ୍କୁ ମାଗଣା ଚିକିତ୍ସା ଦିଆଯାଏ, ତେବେ କେହି ଏହାର ମହତ୍ତ୍ୱ ବୁଝି ପାରିବେ ନାହିଁ ବୋଲି ଭାବି ସେ ଦରକାର ଥିବା ରୋଗୀଙ୍କୁ ମାଗଣା ଚିକିତ୍ସା ଦେବା ଆରମ୍ଭ କରିଥିଲେ । ପ୍ରାୟ ୭୫ରୁ ୧୫୦ଜଣ ରୋଗୀ ପ୍ରତିଦିନ ତାଙ୍କ କ୍ଲିନିକ୍‌କୁ ଆସୁଥିବା ବେଳେ ସେମାନଙ୍କ ମଧ୍ୟରୁ ୫୦ପ୍ରତିଶତ ରୋଗୀଙ୍କୁ ମାଗଣରେ ଚିକିତ୍ସା ଦିଆଯାଇଥାଏ । ଅନ୍ୟମାନେ ମାତ୍ର ୧୦ଟଙ୍କା ଦେଇ ନିଜର ଚିକିତ୍ସା କରାଇଥାନ୍ତି । ପ୍ରତିଦିନ ସକାଳ ୧୦ଟାରୁ ମଧ୍ୟାହ୍ନ ୧ଟା ୩୦ମିନିଟ୍‌ ଓ ଅପରାହ୍ନ ୪ଟାରୁ ସଂନ୍ଧ୍ୟା ୭ଟା ୩୦ମିନିଟ୍‌ ପର୍ଯ୍ୟନ୍ତ ସେ ରୋଗୀଙ୍କ ଚିକିତ୍ସା କରିଥାନ୍ତି । ସକାଳ ୯ଟାରୁ ଲୋକେ ଧାଡ଼ି ଲଗାଇ ଠିଆ ହେଉଥିବା ଜଣା ପଡ଼ିଛି ।

Image result for this-rs-10-doctor-in-karnatakas-belagavi-brings-healthcare-to-the-poor
New Indian Express

ମୋର ସାହାଯ୍ୟ ଦରକାର ଥିବା ସମୟରେ ଭଗବାନ ମୋତେ ଲୋକଙ୍କ ଜରିଆରେ ସାହାଯ୍ୟ କରିଥିଲେ । ମୁଁ ଏବେ ପାଇଥିବା ସାହାଯ୍ୟକୁ ଫେରାଉଛି ବୋଲି ଡାକ୍ତର ବାଲି କହିଛନ୍ତି ।

ସମ୍ବନ୍ଧିତ ଖବର