ନାଁ ଲେଖାଇବାକୁ ପିଲାଙ୍କ ଜାତକ ଯାଞ୍ଚ କରେ ସାବରମତୀର ଏହି ବିଦ୍ୟାଳୟ

ଅହମଦାବାଦ: ଜାତକ ଯାଞ୍ଚ କରିବା ପରେ ଯାଇ ଛାତ୍ରଛାତ୍ରୀମାନଙ୍କୁ ନାଁ ଲେଖାଇବାକୁ ଅନୁମତି ଦେଇଥାଏ ଗୁଜରାଟର ଅହମଦାବାଦ ଅନ୍ତର୍ଗତ ସାବରମତୀର ହେମଚନ୍ଦ୍ରଆଚାର୍ଯ୍ୟ ସଂସ୍କୃତ ପାଠଶାଳା।

ସ୍କୁଲର ଅନ୍ୟତମ ପ୍ରଶାସକ ଅକିଲ ଉତ୍ତମ ଶାହାଙ୍କ କହିବା ଅନୁସାରେ, ଏପରି ପନ୍ଥା ଅନୁସରଣ କରିବାର ଉଦ୍ଦେଶ୍ୟ ହେଉଛି ନାଳନ୍ଦା ଓ ତକ୍ଷଶୀଳା ଭଳି ପ୍ରାଚୀନ-ଶୈଳୀ ବିଦ୍ୟାଳୟ ବ୍ୟବସ୍ଥା ଫେରାଇ ଆଣିବା। ସେଠାରେ ବିଦ୍ୟାର୍ଥୀମାନଙ୍କୁ ଧର୍ମଗ୍ରନ୍ଥ ପଠନ, ଜ୍ୟୋତିର୍ବିଦ୍ୟା, ଆୟୁର୍ବେଦ, ଭାଷା, ବ୍ୟାକରଣ, ଗଣିତ, ବୈଦିକ ଗଣିତ, ଯୋଗ, ଖେଳକୁଦ, ସଙ୍ଗୀତ, କଳା, ଅଶ୍ୱାରୋହଣ, ଆଇନ ଓ ବାସ୍ତୁ ଆଦି ବିଷୟରେ ଶିକ୍ଷା ଦିଆଯାଉଥିଲା।

ଆମ ବିଦ୍ୟାଳୟରେ ନାମ ଲେଖାଇବକୁ ଆଗ୍ରହୀ ପିଲାମାନେ ଫର୍ମ ପୂରଣ କରିବା ପରେ ତାଙ୍କର ଜାତକ ଯାଞ୍ଚ କରାଯାଏ। ୧୫ ଦିନ ପରୀକ୍ଷା କରାଯିବା ପରେ ସେମାନଙ୍କୁ ନାଁ ଲେଖାଇବାକୁ ଅନୁମତି ମିଳେ। ନାଁ ଲେଖା ବାବଦରେ ସେମାନଙ୍କ ଠାରୁ ୩୦୦୦ ଟଙ୍କା ନିଆଯାଏ।

Image Source: Zee News

ଏହି ବିଦ୍ୟାଳୟ ରାଜ୍ୟ ଶିକ୍ଷା ବିଭାଗ ସହ ଅନୁବନ୍ଧିତ ହୋଇନାହିଁ କିଂବା ବିଦ୍ୟାର୍ଥୀମାନଙ୍କୁ ସାର୍ଟିଫିକେଟ୍‌ ଦିଏ ନାହିଁ। ‘ଜାତୀୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ’ (ଏନ୍‌ଆଇଓଏସ୍‌) ଜରିଆରେ ଛାତ୍ରଛାତ୍ରୀମାନେ ୧୦ମ ପରୀକ୍ଷା ଦିଅନ୍ତି। ଏବେ ସେଠାରେ ୧୦ମ ପରୀକ୍ଷା ଦେବା ପାଇଁ ୩୫ ଜଣ ପିଲା ପ୍ରସ୍ତୁତି ଚଳାଇଛନ୍ତି।

ଏବର୍ଷ ଉକ୍ତ ବିଦ୍ୟାଳୟରେ ୧୦୦ ଜଣ ବିଦ୍ୟାର୍ଥୀ ଅଛନ୍ତି। ସେମାନେ ଭାରତର ଭିନ୍ନ ଭିନ୍ନ ୧୬ଟି ରାଜ୍ୟରୁ ଆସିଛନ୍ତି ଏବଂ କେତେକ ଭାରତ ବାହାରୁ ମଧ୍ୟ ଆସିଛନ୍ତି। ଏହି ବିଦ୍ୟାଳୟରେ ନାଁ ଲେଖାଇବା ବୟସ ହେଉଛି ୭ ରୁ ୧୨ ବର୍ଷ। ଏଠାକାର ପାଠ୍ୟକ୍ରମର ଅବଧି ହେଉଛି ୧୦ ରୁ ୧୨ ବର୍ଷ।

ବିଦ୍ୟାର୍ଥୀମାନେ ଭୋର୍‌ ୫ଟାରୁ ଉଠି ପାଠ୍ୟକ୍ରମରେ ସାମିଲ କରାଯାଇଥିବା ଦୈନିକ କାର୍ଯ୍ୟକଳାପ ସମେତ ନିଜେ ରୋଷେଇବାସ କରନ୍ତି।
ସେମାନଙ୍କୁ ପ୍ରତିମାସରେ ଗୋଟିଏ ଦିନ ଛୁଟି ଏବଂ ୧ ମାସ ପାଇଁ ଗ୍ରୀଷ୍ମଛୁଟି ମିଳିଥାଏ। ସେତେବେଳେ ସେମାନେ ପିତାମାତାଙ୍କୁ ଭେଟିବାକୁ ଯାଆନ୍ତି।

ସମ୍ବନ୍ଧିତ ଖବର