ଭାରତ ଯୁଦ୍ଧରେ ଅର୍ଜୁନଙ୍କ କିନ୍ନର ପୁତ୍ର କିଏ

ମହାଭାରତ ଗୋଟାଏ ରହସ୍ୟମୟ କାବ୍ୟ। ଏଥିରେ ବର୍ଣ୍ଣିତ ଜଣା ଅଜଣା ଅନେକ ପାତ୍ର ପରସ୍ପର ସହ ବିଭିନ୍ନ ସୂତ୍ରରେ ସମ୍ପର୍କିତ। ସେମିତି ଏକ ପାତ୍ର ହେଉଛନ୍ତି ଅରାବଣ। କେତେକ ତାଙ୍କୁ ଇରାବଣ ମଧ୍ୟ କହନ୍ତି। ପାତ୍ରଜଣକ ହେୟ ହେଲେ ମଧ୍ୟ ମହାଭାରତରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ।
ଭାରତ ଯୁଦ୍ଧର ମହାନ୍‌ ଯୋଦ୍ଧା ଅର୍ଜୁନ ଏବଂ ନାଗକୁମାରୀ ଉଲୁପୀଙ୍କ ପୁତ୍ର ହେଉଛନ୍ତି ଅରାବଣ। ପିତାଙ୍କ ପରି ସେ ମଧ୍ୟ ଥିଲେ ଜଣେ ଅସାମାନ୍ୟ ଯୋଦ୍ଧା।

ପିତା ଏବଂ ଅନ୍ୟାନ୍ୟ ପାଣ୍ଡବମାନଙ୍କ ସହ ସେ ଭାରତ ଯୁଦ୍ଧରେ ଅଂଶ ଗ୍ରହଣ କରିଥିଲେ। ସାହସର ସହ ଯୁଦ୍ଧ କରି ମହାନ୍‌ କାରଣ ପାଇଁ ସେ ଆତ୍ମବଳି ଦେଇଥିଲେ।

ଯୁଦ୍ଧରେ ବିଜୟୀ ହେବା ପାଇଁ ଚାହୁଁଥିବା ପକ୍ଷ ନିଜର ସବୁଠୁ ବଳି ଯୋଦ୍ଧାଙ୍କୁ କାଳିଙ୍କ ନିକଟରେ ବଳି ଦେବାକୁ ହୁଏ। ଏଥିପାଇଁ ପାଣ୍ଡବମାନଙ୍କ ତରଫରୁ ଅରାବଣ ସ୍ୱେଚ୍ଛାରେ ନିଜକୁ ବଳି ଦେଇଥିଲେ।

ପୂର୍ବରୁ ଯୁଦ୍ଧକ୍ଷେତ୍ରରେ ବୀରୋଚିତ ମରଣ ପାଇଁ ଶ୍ରୀକୃଷ୍ଣଙ୍କୁ ବର ମାଗିଥିଲେ ଅରାବଣ। କୁହାଯାଏ, ସମୁଦାୟ ୧୮ ଦିନର ଯୁଦ୍ଧ ଦେଖିବାକୁ ମଧ୍ୟ ଶ୍ରୀକୃଷ୍ଣ ତାଙ୍କୁ ବର ଦେଇଥିଲେ।

ଅବିବାହିତମାନଙ୍କର ଶବ ସାମଧି ଦିଆଯାଉଥିବାରୁ ବଳି ପଡ଼ିବା ପୂର୍ବରୁ ଅରାବଣ ବିବାହ କରିବାକୁ ଚାହିଁଥିଲେ। ଫଳତଃ, ମୃତ୍ୟୁ ପରେ ତାଙ୍କର ଶବ ଦାହ କରାଯିବ।

କିନ୍ତୁ ତାଙ୍କୁ ବିଭା ହୋଇ ବୈଧବ୍ୟ ଯନ୍ତ୍ରଣା ସହିବାକୁ କେହି ରାଜି ହୋଇ ନ ଥିଲେ। ଶେଷରେ କୃଷ୍ଣ ମୋହିନୀ ରୂପ ଧାରଣ କରି ତାଙ୍କୁ ବିବାହ କରିଥିଲେ ଏବଂ ତାଙ୍କ ସହ ରାତ୍ରୀ ଯାପନ କରିଥିଲେ। ଅରାବଣ ବଳି ପଡ଼ିବା ପରେ କୃଷ୍ଣ ବିଧବା ହୋଇ ଶୋକାତୂରା ହୋଇଥିଲେ। କିନ୍ତୁ, ପରେ ଯୁଦ୍ଧ କ୍ଷେତ୍ରକୁ ଯିବା ପାଇଁ ନିଜର ପୂର୍ବ ରୂପକୁ ଫେରି ଆସିଥିଲେ।

ସମ୍ବନ୍ଧିତ ଖବର