୬୬ ଜଣ ଭୋଟର୍‌ ଥିବା ଉତ୍ତର ପ୍ରଦେଶର ଏଇ ପରିବାର ସବୁ ପ୍ରାର୍ଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ

ଆହ୍ଲାବାଦ: ଉତ୍ତର ପ୍ରଦେଶର ଆହ୍ଲାବାଦ ଅନ୍ତର୍ଗତ ବାରାଇଚା ଗ୍ରାମର ରାମ ନରେଶ ଭୁର୍ତିଆଙ୍କ ପରିବାରେ ୮୨ ଜଣ ସଦସ୍ୟ ଏବଂ ସେଥିରୁ ୬୬ ଜଣ ହେଉଛନ୍ତି ଭୋଟର୍‌ ହୋଇଥିବାରୁ ତାଙ୍କ ଦୁଆରେ ସବୁ ପ୍ରାର୍ଥୀଙ୍କର ଗହଳି। ଗୋଟିଏ ଘରୁ ୬୬ଟି ଭୋଟ୍‌ ପାଇବା କ’ଣ କମ୍‌ ବଡ଼ କଥା!

ପରିବାରର ଲୋକେ ଚାଷବାସ କରନ୍ତି। ଏବେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ମୁମ୍ବାଇରେ ଘରୋଇ କମ୍ପାନିରେ କାମ କରୁଛନ୍ତି। ସେ ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ।
ପରିବାରର ମୁରବୀ ହେଲେ ୯୮ ବର୍ଷିୟ ରାମ ନରେଶ। ସେ ସଗର୍ବ କହନ୍ତି, ସାରା ପରିବାର ପାଇଁ ରହିଛି ଗୋଟାଏ ରୋଷଶାଳ। ସେଥିରେ ପ୍ରାୟ ୨୦ କିଲୋ ପନିପରିବା, ୧୫ କିଲୋ ଚାଉଳ ଓ ୧୦ କିଲୋ ଅଟାରେ ଖାଦ୍ୟ ପ୍ରସ୍ତୁତ ହୁଏ। ପରିବାରର ମହିଳାମାନେ ରୋଷେଇବାସ କଥା ବୁଝନ୍ତି।

ସେ କହନ୍ତି: ମୁଁ ଖୁସି ଯେ ପରିବାରର ଜଣେ ବି ସଦସ୍ୟ କେବେ ଭିନ୍ନ ହୋଇ ଚଳିବାକୁ କହି ନାହାନ୍ତି। ମୋର ଇଚ୍ଛା ଲୋକେ ଆମର ଉଦାହରଣ ନେଇ ସମଗ୍ର ଦେଶକୁ ଏକତ୍ର ରଖନ୍ତୁ।

ପରିବାରେ ଅଛନ୍ତି ୮ ଜଣ ପ୍ରଥମ କରି ଭୋଟ୍‌ ଦେଉଥିବା ସଦସ୍ୟ। ସେମାନେ ମୋ ଅଣନାତି-ନାତୁଣୀ।

ବୁଥ୍‌ କମ୍‌ ଗହଳି ରହୁଥିବାରୁ ସାଧାରଣତଃ ଆମ ପରିବାର ଲୋକେ ମଧ୍ୟାହ୍ନ ଭୋଜନ ପରେ ଭୋଟ୍‌ ଦେବାକୁ ଯାଆନ୍ତି। ଆମେ ସମସ୍ତେ ଗୋଟିଏ ଭୋଟ୍‌ ଗ୍ରହଣ କେନ୍ଦ୍ରରେ ପଞ୍ଜିକରଣ କରିଛୁ। ଆମେ ଭୋଟ୍‌ ଦେବାକୁ ଗଲେ ପୋଲିଙ୍ଗ୍‌ କର୍ମଚାରୀମାନେ ଆମକୁ ସ୍ୱାଗତ କରନ୍ତି।

ପରିବାରର ବୟସ୍କମାନେ ଦ୍ୱିଚକିଆ ଯାନ ଚଢ଼ି ଓ ଅନ୍ୟମାନେ ଚାଲି ଚାଲି ଭୋଟ୍‌ ଦେବାକୁ ଯାଆନ୍ତି।

ଆମେ ମାଟି କାନ୍ଥ ଓ ଚାଳଛପର ଘରେ ବାସ କରୁଛୁ। ପକା ଘରଟିଏ ତୋଳିବାକୁ ଯୋଜନା କରିଛୁ ଯେ ଉପରେ ହାଇ ଟେନ୍‌ସନ୍‌ ବିଜୁଳି ତାର ଟଣା ହୋଇଥିବାରୁ ସମସ୍ୟା ଦେଖା ଦେଇଛି।

ନିର୍ବାଚନ ସମୟରେ ଆସୁଥିବା ପ୍ରାର୍ଥୀମାନଙ୍କୁ ଏହି ତାର ହଟାଇବାକୁ ଆମେ ଅନୁରୋଧ କରୁ, କିନ୍ତୁ ନିର୍ବାଚନ ସରିଗଲେ କୌଣସି ଲୋକ ଆସନ୍ତି ନାହିଁ। ଅନେକ ଥର ଆମେ ବିଜୁଳି ବିଭାଗକୁ ଦରଖାସ୍ତ କରିଛୁ, ତାଙ୍କ ଠାରୁ ବି କୌଣସି ଜବାବ ମିଳୁନାହିଁ ବୋଲି ପରିବାରର ତୃତୀୟ ପିଢ଼ିର ସଦସ୍ୟ ଶଙ୍କର କହନ୍ତି।

ସମ୍ବନ୍ଧିତ ଖବର