ରୋଜଗାର ପାଇଁ ବାହାର ରାଜ୍ୟକୁ ପଳାଉଥିବା ଯୁବକଙ୍କୁ ଚାକିରି ଦେଉଛନ୍ତି ଏହି ଯୁବତୀ

ରୁଦ୍ରପ୍ରୟାଗ: କୁହାଯାଏ ସ୍ବପ୍ନ ଦେଖିବା ସହ ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ଯଦି କେହି ସାହସ ଦେଖାଏ ତେବେ ସେ ସଫଳତାର ଶିଖର ଛୁଇଁଥାଏ | ଏହି ଉକ୍ତିକୁ କାମରେ ସତ କରି ଦେଖାଇଛନ୍ତି ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗ ଜିଲ୍ଲାର କବିଲଠା ଗ୍ରାମର ରୋଶନି | ଏହି ଯୁବତୀ ଏବେ ପାହାଡିଆ ଅଂଚଳରେ ଛତୁ ଚାଷ କରି ସ୍ଥାନୀୟ ଅଞ୍ଚଳର ମହିଳା ଓ ଯୁବକଙ୍କୁ ରୋଜଗାରର ନୂଆ ଆଶା ଦେଖାଇଛନ୍ତି | ନିଜ ଅଂଚଳରେ ଥିବା ଯୁବକମାନେ ୪ରୁ ୫ ହଜାର ଟଙ୍କା ପାଇଁ ନିଜ ରାଜ୍ୟ ଛାଡି ଅନ୍ୟ ରାଜ୍ୟକୁ ରୋଜଗାର ପାଇଁ ଯାଉଥିଲେ | ଯାହାକୁ ଦେଖି ରୋଶନିଙ୍କ ମନ ବହୁତ କଷ୍ଟ ହୋଇଥିଲା | ନିଜ ଅଂଚଳର ଯୁବକଙ୍କ ପାଇଁ କିଛି କରିବାକୁ ରୋଶନି ଛତୁ ଚାଷ ଆରମ୍ଭ କରିଦେଇଥିଲେ |

Photo-BetterIndia

ରୋଶନିଙ୍କ କହିବା ମୁତାବକ ୨୦୧୩ ମସିହାରେ ଯେତେବେଳେ କେଦାରନାଥରେ ପାହାଡଫଟା ବର୍ଷା ହୋଇଥିଲା ତାଙ୍କ ଗ୍ରାମ ମଧ୍ୟ ପ୍ରଭାବିତ ହୋଇଥିଲା | ଏହା ପରେ ଗ୍ରାମ କ୍ଷତିଗ୍ରସ୍ତ ହୋଇଥିବାରୁ ଅଂଚଳର ଯୁବକମାନେ ପଡୋଶୀ ରାଜ୍ୟକୁ ମାସକୁ ମାତ୍ର ୪ରୁ ୫ ହଜାର ଟଙ୍କା ରୋଜଗାର ପାଇଁ ପଳାଇଯାଉଥିଲେ | ଯଦି ଗାଁର ସମସ୍ତ ଲୋକ ଅନ୍ୟସ୍ଥାନକୁ ପଳାଇବେ କିଭଳି ଗାଁ ବଂଚିପାରିବ ସେ ନେଇ ରୋଶନିଙ୍କ ମୁଣ୍ଡରେ ଚିନ୍ତା ପଶିଥିଲା | ଏହାପରେ ରୋଶନି ଗାଁରେ ରହି କିଛି କରିବା ପାଇଁ ସଂକଳ୍ପ ନେଇଥିଲେ | ରୋଶନି କିଛି ସ୍ବେଛାସେବୀ ସଂଗଠନ ସହ ଯୋଗାଯୋଗ କରିଥିଲେ | ସେମାନେ ରୋଶନିଙ୍କୁ ଛତୁ ଚାଷ କରିବାକୁ ପରାମର୍ଶ ଦେଇଥିଲେ |

ଏହାପରେ ରୋଶନି ଛତୁ ଚାଷର ତାଲିମ ନେବା ସହ ପ୍ରଥମ ପୁଞ୍ଜିନିବେଶ ଭାବରେ ୩ ହଜାର ଟଙ୍କା ମାଙ୍କ ପାଖରୁ ଆଣି ଛତୁ ମଞ୍ଜି କିଣିଥିଲେ | ଅତି ଯତ୍ନ ସହକାରେ ସେ ମଞ୍ଜି ଲଗାଇଥିଲେ | ରୋଶନିଙ୍କ ପରିଶ୍ରମ ତାଙ୍କୁ ଫଳ ଦେଇଥିଲା | ପ୍ରଥମ ପର୍ଯ୍ୟାୟରେ ଦୁଇ କିଲୋ ଛତୁ ପାଇଥିଲେ | ଛତୁ ସିନା ଉତ୍ପାଦନ ହୋଇଥିଲା କିନ୍ତୁ ଏହାକୁ କିଭଳି ବିକ୍ରି କରିବେ ସେ ନେଇ ମୁଣ୍ଡକୁ ଚିନ୍ତା ଆସିଥିଲା |

Photo-BetterIndia

ଛୋଟ ଗାଁର ଛତୁ କିଭଳି ଲୋକଙ୍କ ପାଖରେ ପହଂଚିବ ସେଥିପାଇଁ ସେ ନିଜେ ଛତୁ ନେଇ ରୁଦ୍ରପ୍ରୟାଗରେ ଷ୍ଟଲ ଲଗାଇ ବିକ୍ରି କରିଥିଲେ | ଛତୁ ପ୍ରତି ଖାଉଟିଙ୍କ ଆଗ୍ରହ ଦେଖି ରୋଶନ ଅଧିକ ଛତୁ ଚାଷ କରିବାକୁ ମନ ବଳାଇଥିଲେ | ଏଥିପାଇଁ ଗାଁର କିଛି ଉଦ୍ୟମୀ ଯୁବକ ଓ ମହିଳାଙ୍କୁ ନିଜ ସହ ସାମିଲ କରିଥିଲେ | ସେମାନଙ୍କୁ ରୋଶନି ଛତୁ ଚାଷ ବାବଦରେ ତାଲିମ ଦେବା ସହ ସ୍ୱାବଲମ୍ବୀ ହେବାର ମନ୍ତ୍ର ଦେଇଥିଲେ | ରୋଶନି ଏବେ ବର୍ଷକୁ ଛତୁ ଚାଷରୁ ଅଢେଇ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି | ମାତ୍ର ୨୩ ବର୍ଷ ବୟସରେ ରୋଶନି ଯାହା କରିଛନ୍ତି ତାହା ସମସ୍ତଙ୍କ ପାଇଁ ନିଶ୍ଚିତ ଭାବେ ପ୍ରେରଣା |

ସମ୍ବନ୍ଧିତ ଖବର