କେଏଫ୍‌ସିର ଏହି ମହିଳା ଡେଲିଭରି ଏଜେଣ୍ଟ୍‌ଙ୍କୁ ଜାଣନ୍ତୁ; ରାତିରେ ବରାଦ ପହଞ୍ଚାଇ ପାଲଟିଲେ ଚର୍ଚ୍ଚିତ

ଇସ୍‌ଲାମ୍‌ବାଦ୍‌: ପୁଅ ଓ ଝିଅ ଭିତରେ ଆଜିକାଲି ଆଉ କିଛି ଫରକ ନାହିଁ ବୋଲି ଯେତେ କହିଲେ ବି କେଉଁଠି ନା କେଉଁଠି ସେ ଫରକ ଦିଶି ଯାଇଥାଏ। ମାତ୍ର ଯୁଗ ବଦଳୁଛି। ଧୀରେ ଧୀରେ ପୁଅ ଓ ଝିଅ ମଧ୍ୟରେ ଥିବା ପାର୍ଥକ୍ୟ ବି କମିବାରେ ଲାଗିଛି। ପାକିସ୍ତାନର ଜଣେ ଝିଅ ବିଳମ୍ବିତ ରାତିରେ କେଏଫ୍‌ସିର ଡେଲିଭରି ଏଜେଣ୍ଟ୍‌ ଭାବେ ଲୋକଙ୍କ ପାଖରେ ସେମାନଙ୍କ ବରାଦ ପହଞ୍ଚାଇବା ଏହାର ଏକ ଜ୍ବଳନ୍ତ ଉଦାହରଣ।

ଏହି ପାକିସ୍ତାନୀ ଯୁବତୀଙ୍କ ନାମ ମିରାବ। ତାଙ୍କ ବିଷୟରେ ଫିଜା ଲିଜାଜ୍‌ ନାମକ ଜଣେ ଗ୍ରାହକ ତାଙ୍କ ଲିଙ୍କ୍‌ଡିନ୍‌ ଆକାଉଣ୍ଟ୍‌ରେ ପୋଷ୍ଟ୍‌ କରିବା ପରେ କଥାଟି ଚାରିଆଡ଼େ ଚର୍ଚ୍ଚା ପାଲଟିଛି। ସେ ତାଙ୍କ ପ୍ରୋଫାଇଲ୍‌ରେ ‌ଲେଖିଛନ୍ତି ଯେ କେଏଫ୍‌ସିରୁ ବରାଦ ଦେବା ବେଳେ ଅପର ପକ୍ଷରୁ ଜଣେ ମହିଳାଙ୍କ କଣ୍ଠସ୍ବର ଶୁଣି ସେ ପ୍ରଥମେ ଚକିତ ହୋଇଗଲେ। ତା’ପରେ ମିରାବ ବରାଦ ନେଇ ଦୁଆରେ ପହଞ୍ଚିବା ପରେ ମହିଳା ଗ୍ରାହକ ଓ ତାଙ୍କ ଜଣ ବନ୍ଧୁ ଉକ୍ତ ଡେଲିଭରି ଏଜେଣ୍ଟ୍‌ଙ୍କ ସହ ୧୦ ମିନିଟ୍‌ କାଳ କଥା ହେବା ପରେ ତାଙ୍କ ବିଷୟରେ ଜାଣିବାକୁ ପାଇଥିଲେ।

ତାପରେ ସେ ମିରାବଙ୍କ ବିଷୟରେ ନିଜ ଆକାଉଣ୍ଟ୍‌ରେ ସେୟାର୍‌ କରିଥିଲେ। ମହିଳା ଗ୍ରାହକଙ୍କ ଉକ୍ତ ପୋଷ୍ଟ୍‌ରେ ଏବେ ସୁଦ୍ଧା ୫୨ ହଜାର ଲାଇକ୍‌ ମିଳି ସାରିଲାଣି। କେବଳ ସେତିକି ନୁହେଁ, ଅନେକ କମେଣ୍ଟ୍‌ ବି ମିଳିଛି। ମିରାବଙ୍କୁ ତାଙ୍କ ସାହସ ପାଇଁ ବିଭିନ୍ନ ମହଲରୁ ପ୍ରଶଂସା ମିଳିଛି।

ସମ୍ବନ୍ଧିତ ଖବର