ପ୍ରାୟତଃ ବଲିଉଡ୍‌ରୁ ସବୁ ନୂଆ ଟ୍ରେଣ୍ଡ୍‌ ଆରମ୍ଭ ହୋଇଥାଏ। ଆଜି ଆମେ ଦେଖୁଛୁ ଯେ ୫୦ ଦଶକରୁ ୯୦ଦଶକରେ ଫ୍ୟାଶନ୍‌ ପୁଣି ଫେରିଛି। ଭିଣ୍ଟେଜ୍ ଷ୍ଟାଇଲ୍‌କୁ ଅଧିକାଂଶ ସମୟରେ ଯୁବପିଢ଼ି ଆପଣାଇ ଥାଆନ୍ତି, କାରଣ ସେମାନେ ଭିଡ଼ରୁ ସବୁବେଳେ ଅଲଗା ରହିବାକୁ ଚାହିଁଥା’ନ୍ତି। ବଲିଉଡ଼୍‌ର କଳାକାର ଯେଉଁ ସବୁ ଫ୍ୟାଶନ୍‌ ଅନୁକରଣ କରିଥାନ୍ତି ତାହାକୁ ଅନ୍ୟମାନେ ଅନୁସରଣ କରନ୍ତି। ବିଭିନ୍ନ ପ୍ରକାର ପ୍ରିଣ୍ଟ୍‌, ପୋଷାକ, ଜୋତା, ହ୍ୟାଣ୍ଡ୍‌ବ୍ୟାଗ୍‌, ଚଷମା, ପରଫ୍ୟୁମ୍‌ ଇତ୍ୟାଦି ଟ୍ରେଣ୍ଡ୍‌ରେ ଥିବା ଫ୍ୟାଶନ୍‌ ଅନୁଯାୟୀ ବଜାରରେ ଉପଲବ୍ଧ ହୋଇଥାଏ। ପୁରୁଣା ଯୁଗରେ ନାୟିକାମାନେ ଯେଉଁ ପ୍ରିଣ୍ଟ୍‌ର ଶାଢ଼ି, ଡିଜାଇନ୍‌ର ପ୍ୟାଣ୍ଟ୍‌ ପିନ୍ଧୁଥିଲେ ତାହା ଏବେ ନୂଆ ଟ୍ରେଣ୍ଡ୍‌ ଭାବେ ଉଭା ହୋଇଛି। ସେହି ସବୁ ଡିଜାଇନ୍‌ ଭିତରେ ରହିଛି...

Advertisment

ଫ୍ଲେୟାର୍ଡ ଜିନ୍ସ୍‌
କେବେ ହାଇ ୱେଷ୍ଟ୍‌ ଜିନ୍ସ୍‌ ତ ପୁଣି କେବେ ସ୍କିନି ଜିନ୍ସ୍ ଫ୍ୟାଶନ୍‌ରେ ଥାଏ। ଆଉ ଏବର ଲ୍ୟାଟେଷ୍ଟ୍‌ ଟ୍ରେଣ୍ଡ୍‌ ସାଜିଛି ‘ଫ୍ଲେୟାର୍ଡ ଜିନ୍ସ୍‌’। ତେବେ ଫ୍ୟାଶନ୍‌ର ଏହି ଲାଟେଷ୍ଟ୍‌ ଟ୍ରେଣ୍ଡ୍‌ ନୂଆ ନୁହେଁ। ଦୀର୍ଘ ବର୍ଷ ତଳେ ଏହି ଫ୍ଲେୟାର୍ଡ ଜିନ୍ସ୍‌କୁ ‘ବେଲ୍ ବଟମ୍‌’ ଜିନ୍ସ୍‌ କୁହାଯାଉଥିଲା। ଏବେ ପୁଣି ଫେରିଥିବା ଏହି ଫ୍ୟାଶନ୍‌ ଟ୍ରେଣ୍ଡ୍‌ ବଲିଉଡ୍‌ର ଟପ୍‌ ଅଭିନେତ୍ରୀମାନଙ୍କୁ ପିନ୍ଧୁଥିବାର ଦେଖିବାକୁ ମିଳୁଛି। ଆଲିଆ ଭଟ୍ଟଙ୍କଠାରୁ ଆରମ୍ଭ କରି ଦୀପିକା, ଟ୍ବିଙ୍କ୍‌ଲ ଖାନ୍ନା ସମସ୍ତେ ଏହି ଷ୍ଟାଇଲ୍‌ରେ ନଜର ଆସିଛନ୍ତି। ଆଉ ଏହାକୁ ଦେଖି ବଜାରରେ ମଧ୍ୟ ଏହାର ଚାହିଦା ଖୁବ୍‌ ଜୋରରେ ବଢ଼ିବାରେ ଲାଗିଛି। ଅନ୍‌ଲାଇନ୍‌ରେ ମଧ୍ୟ ଏପରି ପ୍ୟାଣ୍ଟ୍‌ ଓ ଜିନ୍ସ୍‌ ମଧ୍ୟ ମିଳୁଛି ଯାହାର ଦାମ୍‌ ୧୦୦୦ଟଙ୍କାରୁ ଆରମ୍ଭ ହୋଇଛି। ଏହା ସହିତ ଓଭରସାଇଜ୍‌ ଟପ୍‌, ସ୍ବେଟର, ସ୍ରଗ୍‌ ମଧ୍ୟ ଖୁବ୍‌ ଚାହିଦାରେ ରହିଛି।

publive-image

ଏଥିନିକ୍‌ ଆଉଟ୍‌ଫିଟ୍‌
ପାରମ୍ପରିକ ପୋଷାକ ପ୍ରାୟ ସମସ୍ତଙ୍କୁ ମାନିଥାଏ ଏବଂ ଷ୍ଟାଇଲିସ୍‌ ଲୁକ୍‌ ପ୍ରଦାନ କରିଥାଏ। ସବୁବେଳେ ବିଭିନ୍ନ ପ୍ରଦେଶର ହ୍ୟାଣ୍ଡଲୁମ୍‌ ଶାଢ଼ିର ଚାହିଦା ଅଧିକ ଥାଏ। ଏଥିସହିତ ପାଟ, ମଠା, ଟସର, ବନାରସୀ ବ୍ଲୀସ୍‌, କାଞ୍ଜିଭରମ୍‌, ଟିସୁ ସିଲ୍‌କ, ଟାଏ ଆଣ୍ଡ୍‌ ଡାଏ ଓ ବିଭିନ୍ନ ପ୍ରକାର ହସ୍ତତନ୍ତ ଶାଢ଼ି ମଧ୍ୟ ସବୁ ଋତୁରେ ‌ଟ୍ରେଣ୍ଡରେ ଥାଏ। ଆଧୁନିକ ଫ୍ୟାସନ୍‌ ଡିଜାଇନର୍‌ମାନେ ବିଭିନ୍ନ ଉଜ୍ଜଳ ନିୟନ୍‌ ରଙ୍ଗର ଶାଢ଼ୀର ପରୀକ୍ଷାନିରିକ୍ଷା ଜାରିରଖି ‌କେତେବେଳେ ବିନା ବଡରରେ ତ କେତେବେଳେ ମୋତି, ମାଳି କ‌ାମ ଥିବା ପାର୍ଟି ଶାଢ଼ି ଡିଜାଇନ୍‌ କରୁଛନ୍ତି। ଏହାସହ ଏବେ ଏମ୍ପାୟର୍‌ କଟ୍‌ର ଅନାରକଲିକୁ ସବୁ ବର୍ଗର ‌ମହିଳା ଖୁବ୍‌ ପସନ୍ଦ କରୁଛନ୍ତି। ଏମ୍ବ୍ରୋଡୋରି, ଜରି କାମ, ମାଳି ଓ ମୋତି ଲଗା ଅନାରକଲିର ଚାହିଦା ବହୁତ ଅଧିକ ରହିଛି।

ଆନିମଲ୍‌ ପ୍ରିଣ୍ଟ୍‌ ପୋଷାକ
ଆନିମଲ୍‌ ପ୍ରିଣ୍ଟ୍‌ ଭିତରେ ବିଶେଷକରି ଜେବ୍ରା, ଚିତା ବାଘ ଛିଟା, ହରିଣ ଆଦି ଦେହର ଚିହ୍ନ ରହିଥାଏ। ସବୁପ୍ରକାର ପ୍ରିଣ୍ଟ୍‌ ସମସ୍ତଙ୍କୁ ସୁଟ୍‌ କରି ନଥାଏ। ତେଣୁ ଦେହର ରଙ୍ଗ ଅନୁସାରେ ଆନିମଲ୍‌ ପ୍ରିଣ୍ଟ୍‌ ଚୟନ କରିବାକୁ ପଡ଼ିଥାଏ। ଯେପରି ଶ୍ୟାମଳୀମାନଙ୍କ ପାଇଁ ନାଲି, ହଳଦିଆ, ସବୁଜ ରଙ୍ଗ ମାନୁଥିବାବେଳେ ଗୋରାମାନଙ୍କ ପାଇଁ ଧଳା, ପାଉଁଶିଆ, ନୀଳ ଆଦି ରଙ୍ଗ ଶୋଭାପାଏ। ପୋଷାକ ସହିତ ତାଳମେଳ ଖାଉଥିବା ଭଳି ଜୋତା, ଚଷମା, ହାଣ୍ଡ୍‌ବ୍ୟାଗ୍‌ ମଧ୍ୟ ଅାମେ ଧରିପାରିବା। ଏହା ସହିତ କାଓ ପ୍ରିଣ୍ଟ୍‌କୁ ମଧ୍ୟ ମହିଳାମାନେ ‌ବେଶ୍‌ ପସନ୍ଦ କରିଛନ୍ତି। ଶାଢ଼ି, ସାଲ୍‌ୱାର୍‌, ଜୋତାରେ ଥିବା କାଓପ୍ରିଣ୍ଟ୍‌ ବଜାରରେ ବେଶ୍‌ ଆଦର ଲାଭ କରିଛି। ତାକୁ ମ୍ୟାଚିଂ କରି ଝିଅମାନେ ନେଲ୍‌ ଆର୍ଟ ମଧ୍ୟ କରୁଛନ୍ତି।

ଆକ୍ସେସୋରିଜ୍‌
ଅଶୀ ଦଶକର ଆରାମଦାୟକ ବମ୍ ବ୍ୟାଗ୍, ଭେଗାନ୍‌ ଲେଦର ବ୍ୟାଗ୍‌, ଆନିମଲ୍‌ ପ୍ରିଣ୍ଟ୍‌ ବ୍ୟାଗ୍‌ ଏବେ ପୁଣି ଟ୍ରେଣ୍ଡକୁ ଫେରିଛି। ପୁରୁଣା ୫୦ଦଶକରେ ରେଶମରେ ତିଆରି ପୋଷାକ ବିଶେଷ କରି ରେଶମର ସ୍କାର୍ଫ ବହୁତ ଲୋକପ୍ରିୟ ଥିଲା। ଏବେ ସେହିସବୁକୁ ହେୟାର୍‌ ବ୍ୟାଣ୍ଡ୍‌ ଭାବେ ବ୍ୟବହୃତ କରାଯାଉଛି। ନିୟନ୍‌ ରଙ୍ଗର ଚୁଡ଼ି, ବେଲ୍ଟ୍‌, ବିଭିନ୍ନ ରଙ୍ଗର ମୋତି ମାଳିକୁ ବ୍ୟବହାର କରି ନେକ୍‌ଲେସ୍‌ ଆଦିକୁ ଏବେ ଯୁବପିଢ଼ି ବେଶି ବ୍ୟବହାର କରୁଥିବାର ନଜର ଆସୁଛନ୍ତି।