ଶାଢ଼ି ପିନ୍ଧାଇବା ଯାହାଙ୍କ ପେସା, ନିଅନ୍ତି ୨ ଲକ୍ଷ ଟଙ୍କା ପାଉଣା!

ଶାଢ଼ି ପିନ୍ଧିବା ଓ ପିନ୍ଧାଇବା ଅନେକ ମହିଳାଙ୍କ ଏକ ମନପସନ୍ଦ କାର୍ଯ୍ୟ। ଶାଢ଼ି ପରିଧାନ କାହା ପାଇଁ ସଉକ ତ ଆଉ କାହା ପାଇଁ ବାଧ୍ୟବାଧକତା। କିନ୍ତୁ ଏହା ଯେ ଏକ ପେସା ହୋଇପାରିବ ତାହା ହୁଏତ ଖୁବ୍ କମ୍ ଲୋକ ଭାବିଥିବେ। ବେଙ୍ଗାଲୁରୁରେ ଜନ୍ମିତା ଡଲି ଜୈନ ହେଉଛନ୍ତି ସେଭଳି ଜଣେ ପେସାଦାର ଶାଢ଼ି ପିନ୍ଧାଳି। ଦିନ ଥିଲା ସେ ଶାଢ଼ି ପିନ୍ଧିବାକୁ ନାପସନ୍ଦ କରୁଥିଲେ। କିନ୍ତୁ ସେ ଯେଉଁ ଘରେ ବିବାହ କଲେ ସେଠାରେ ବୋହୂମାନେ କେବଳ ଶାଢ଼ି ପିନ୍ଧିବା ବାଧ୍ୟତାମୂଳକ ଥିଲା। ଆରମ୍ଭରେ ଡଲି ପ୍ରତି ଦିନ ଶାଢ଼ି ପିନ୍ଧିବାକୁ ୪୫ ମିନିଟ୍ ନେଉଥିଲେ। କ୍ରମେ ସେ ଶାଢ଼ିର ପ୍ରେମରେ ପଡ଼ିଯାଇଥିଲେ ଏବଂ ଶାଢ଼ି ପିନ୍ଧିବା ଓ ପିନ୍ଧାଇବା କଳାରେ ଦକ୍ଷ ପାଲଟିଥିଲେ।

ଆଜି ସେ ଜଣେ ସେଲିବ୍ରିଟି ଶାଢ଼ି କଳାକାର ଭାବେ କୋଲକାତାରେ ଅବସ୍ଥାପିତ। ସେ ମାତ୍ର ୧୮ ସେକେଣ୍ଡ୍‌ରେ ଜଣଙ୍କୁ ଶାଢ଼ି ପିନ୍ଧାଇପାରନ୍ତି ଏବଂ ତାଙ୍କୁ ୩୨୫ ପ୍ରକାର ଶୈଳୀରେ ଶାଢ଼ି ଓ ପଣତ ଖୋସିବା ଜଣା। ଗୋଟିଏ ଶାଢ଼ି ପିନ୍ଧାଇବା ପାଇଁ ସେ ୩୫ ହଜାର ଟଙ୍କାରୁ ଆରମ୍ଭ କରି ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଉଣା ନିଅନ୍ତି। ସେ ଦୀପିକା ପାଦୁକୋଣ, ଆଲିଆ ଭଟ୍ଟ, ସୋନମ କପୁର, ପ୍ରିୟଙ୍କା ଚୋପ୍ରା, କ୍ୟାଟ୍ରିନା କୈଫ, ନୟନତାରା ପ୍ରମୁଖଙ୍କୁ ସେମାନଙ୍କ ବିବାହ ଉତ୍ସବରେ ଶାଢ଼ି ପିନ୍ଧାଇଥିଲେ। କେବଳ ଏତିକି ନୁହେଁ ଗତ ମାସ ‘ନୀତା ମୁକେଶ ଅମ୍ବାନି କଲ୍‌ଚରାଲ୍‌ ସେଣ୍ଟର୍‌’ର ଉଦ୍‌ଘାଟନ ଉତ୍ସବରେ ଯୋଗ ଦେଇଥିବା ହଲିଉଡ୍‌ ତାରକା ଜିଜି ହଦିଦଙ୍କୁ ମଧ୍ୟ ସେ ହିଁ ଶାଢ଼ି ପିନ୍ଧାଇଥିଲେ। ଆଜି ସେ ସବୁ ସେଲିବ୍ରିଟିଙ୍କ ପସନ୍ଦର ଶାଢ଼ି ପିନ୍ଧାଳି ହୋଇପାରିଛନ୍ତି। ନିଜ ବିଚକ୍ଷଣତା ଓ ଅଧ୍ୟବସାୟ ବଳରେ ପ୍ରତିଷ୍ଠା ହାସଲ କରିବାର ସ୍ବପ୍ନ ଦେଖୁଥିବା ଗୃହଣୀଙ୍କୁ ଡଲିଙ୍କ ସଫଳତା ନିଶ୍ଚିତ ଭାବେ ଅନୁପ୍ରାଣିତ କରିବ।

ସମ୍ବନ୍ଧିତ ଖବର