ବର୍ତ୍ତମାନ ସବୁଆଡ଼େ କୃତ୍ରିମ ବୁଦ୍ଧିମତ୍ତାର ବହୁଳ ବ୍ୟବହାର ହେଉଛି। କିନ୍ତୁ ତୃଣମୂଳସ୍ତରରେ ପରିବେଶ ସୁରକ୍ଷା ସକାଶେ କୃତ୍ରିମ ବୁଦ୍ଧିମତ୍ତାର ବ୍ୟବହାର ବେଳେ ଦୁଇଥର ଚିନ୍ତା କରିବା ଆବଶ୍ୟକ। ଯଦି ଏହା କରାନଯାଏ ତେବେ ତୃଣମୂଳରେ ଏହା ସମସ୍ତଙ୍କ ପାଇଁ ଘାତକ ପାଲଟିବ।
ଆପଣ ଯଦି ପରିବେଶ ପ୍ରତି ଯତ୍ନଶୀଳ, ତେବେ ‘କୃତ୍ରିମ ବୁଦ୍ଧିମତ୍ତା’ର ବ୍ୟବହାର ପୂର୍ବରୁ ଦୁଇଥର ଚିନ୍ତା କରନ୍ତୁ। ଏକ ଗତାନୁଗତିକ ସର୍ଚ୍ଚ ଇଞ୍ଜିନ୍ ଯେତିକି ଶକ୍ତି ବ୍ୟବହାର କରିଥାଏ, ଏକ ସୃଜନକାରୀ କୃତ୍ରିମ ବୁଦ୍ଧିମତ୍ତାର (ରିଜେନେରେଟିଭ୍ ଏ.ଆଇ.) ସର୍ଚ୍ଚ ଇଞ୍ଜିନ୍‌ ତା’ର ପ୍ରାୟ ୩୦ ଗୁଣ ଅଧିକ ଶକ୍ତି ବ୍ୟବହାର କରେ ବୋଲି ଗବେଷିକା ସାଶା ଲୁସିଓନି ସତର୍କ କରାଇ ଦେଇଛନ୍ତି। ସେ ବର୍ତ୍ତମାନ ଖୁବ୍ ଚାହିଦାରେ ଥିବା କୃତ୍ରିମ ବୁଦ୍ଧିମତ୍ତା ପ୍ରଯୁକ୍ତିବିଦ୍ୟାର ପାରିବେଶିକ ପ୍ରଭାବ ସଂପର୍କରେ ଜନସଚେତନତା ସୃଷ୍ଟିକୁ ନିଜ ଜୀବନର ଲକ୍ଷ୍ୟ କରିଛନ୍ତି। ଆମର ତୃଣମୂଳ ସାମାଜିକ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତାର ବ୍ୟବହାର ପରିବେଶ ପାଇଁ ବିପଦକୁ ସୁନିଶ୍ଚିତ କରିବ ବୋଲି ସାଶା ଲୁସିଓନି କହିଛନ୍ତି।
କାନାଡାରେ ବାସ କରୁଥିବା ପ୍ରସିଦ୍ଧ କମ୍ପ୍ୟୁଟର ବିଜ୍ଞାନୀ ସାଶା ଲୁସିଓନି ହେଉଛନ୍ତି ରୁଷ ଦେଶର ମୂଳ ଅଧିବାସୀ। ସାଶା ଲୁସିଓନି ଚାଟ୍ ଜିପିଟି ବା ମିଡ୍ ଜର୍ଣ୍ଣି ପରି ପ୍ରୋଗ୍ରାମଗୁଡ଼ିକ ଯୋଗୁଁ ହେଉଥିବା ଉତ୍ସର୍ଜନର ପରିମାଣ ଆକଳନ କରିବା କ୍ଷେତ୍ରରେ ବହୁ ବର୍ଷ ହେଲା କାର୍ଯ୍ୟ କରିଆସୁଛନ୍ତି।

Advertisment

‘‘ଇଣ୍ଟରନେଟ୍‌ରେ ସୂଚନା ଖୋଜିବା ବେଳେ ସୃଜନକାରୀ କୃତ୍ରିମ ବୁଦ୍ଧିମତ୍ତା ପ୍ରୋଗ୍ରାମ ବ୍ୟବହାର କରାଯିବା ମୋତେ ବିଶେଷ ଭାବେ ନିରାଶ କରିଥାଏ’’ ବୋଲି ଏହି ଗବେଷକ ଜଣକ କ୍ଷୋଭ ପ୍ରକାଶ କରିଛନ୍ତି। ସେ ମାଣ୍ଟ୍ରିଲ୍‌ଠାରେ ଅନୁଷ୍ଠିତ ସମାଜର ତୃଣମୂଳ ସ୍ତରରେ ପରିବେଶ ସୁରକ୍ଷା ପାଇଁ କୃତ୍ରିମ ବୁଦ୍ଧିମତ୍ତା ପ୍ରୟୋଗ ସମ୍ମିଳନୀ ଅବସରରେ ଉପରୋକ୍ତ ମତ ଦେଇଛନ୍ତି। କୃତ୍ରିମ ବୁଦ୍ଧିମତ୍ତା ପ୍ରୋଗ୍ରାମଗୁଡ଼ିକ ଯେଉଁ କମ୍ପ୍ୟୁଟର ଭାଷା ଉପରେ ଅଧାରିତ, ସେଗୁଡ଼ିକ ବିପୁଳ ଗଣନ କ୍ଷମତା ଆବଶ୍ୟକ କରିଥାନ୍ତି, ଯଦ୍ବାରା ଲକ୍ଷ ଲକ୍ଷ ତଥ୍ୟ କ୍ଷେତ୍ରରୁ ତଥ୍ୟ ସଂଗ୍ରହ କରାଯାଇପାରିବ। ଏକଥା କରିବା ସକାଶେ ଅତ୍ୟନ୍ତ ଶକ୍ତିଶାଳୀ ସର୍ଭର୍‌ମାନ ଆବଶ୍ୟକ ହୋଇଥାଏ। ଏହା ସଙ୍ଗେ ସଙ୍ଗେ ପ୍ରତ୍ୟେକ ବ୍ୟବହାରକାରୀଙ୍କ ଚାହିଦା ଅନୁଯାୟୀ ତଥ୍ୟ ଯୋଗାଇବା ବାବଦକୁ ଖର୍ଚ୍ଚ ହେଉଥିବା ଶକ୍ତି ସଂପର୍କରେ ମଧ୍ୟ ବିବେଚନା କରାଯିବା ଆବଶ୍ୟକ। ଗୋଟିଏ ସର୍ଚ୍ଚ ଇଞ୍ଜିନ୍‌ କେବଳ ସର୍ଭର୍‌ରେ ଗଚ୍ଛିତ ହୋଇ ରହିଥିବା ସୂଚନାକୁ ସେଠାରୁ ବାହାର କରିଥାଏ। ଅନ୍ୟପକ୍ଷରେ କୃତ୍ରିମ ବୁଦ୍ଧିମତ୍ତା କାର୍ଯ୍ୟକ୍ରମ ‘‘ନୂଆ ସୂଚନା’’ ସୃଷ୍ଟି କରେ, ଯାହା ଫଳରେ ସମଗ୍ର ପ୍ରକ୍ରିୟାଟି ଅଧିକ ଶକ୍ତି ସାପେକ୍ଷ ହୋଇଥାଏ ବୋଲି ଲୁସିଓନି କହିଛନ୍ତି। ଆନ୍ତର୍ଜାତିକ ଶକ୍ତି ସଂସ୍ଥାନ ଅନୁଯାୟୀ ୨୦୨୨ ମସିହାରେ କୃତ୍ରିମ ବୁଦ୍ଧିମତ୍ତା ଓ କିପ୍ଟୋ କରେନ୍‌ସି କ୍ଷେତ୍ର ମୋଟ ୪୬୦ ଟେରାୱାଟ୍ ଆୱାର୍‌ ବିଦ୍ୟୁତ୍ ଶକ୍ତି ବ୍ୟବହାର କରିଥିଲେ, ଯାହାକି ବୈଶ୍ବିକ ବିଦ୍ୟୁତ୍ ଉତ୍ପାଦନର ୨%।

କୃତ୍ରିମ ବୁଦ୍ଧିମତ୍ତାର ଜଳବାୟୁ ଉପରେ ପ୍ରଭାବ ସଂପର୍କରେ ଜଣେ ଆଗଧାଡ଼ିର ଗବେଷିକା ଲୁସିଓନି ସାଶା ୨୦୨୦ ମସିହାରେ ପ୍ରୋଗ୍ରାମ ବିକଶିତ କରୁଥିବା ଡେଭେଲପର୍‌ମାନଙ୍କ ପାଇଁ ଏପରି ଏକ ସାଧନ ପ୍ରସ୍ତୁତ କରିବାରେ ଅଂଶଗ୍ରହଣ କରିଥିଲେ ଯାହା ଫଳରେ କମ୍ପ୍ୟୁଟରରେ କେବଳ ଗୋଟିଏ ‘କୋଡ୍’ (ବା ନିର୍ଦ୍ଦେଶାବଳୀ) ଚଳାଇବା ସକାଶେ କେତେ ଶକ୍ତି ଖର୍ଚ୍ଚ ହେବ ତାହା ଆକଳନ କରିପାରିବ। ଏହି ଆପ୍‌ର ନାମ ‘‘କୋଡ୍ କାର୍ବନ୍’’ ଏବଂ ଏହା ୧୦ ଲକ୍ଷରୁ ଅଧିକ ଥର ଡାଉନ୍‌ଲୋଡ୍‌ ହୋଇସାରିଛି। ହଗିଙ୍ଗ୍ ଫେସ୍ ନାମକ ଏକ ଷ୍ଟାର୍ଟଆପ୍‌ର ଜଳବାୟୁ ରଣକୌଶଳ ନିର୍ଦ୍ଧାରଣ କରୁଥିବା ବିଭାଗର ମୁଖ୍ୟ ଦାୟିତ୍ବରେ ଥିବା ଲୁସିଓନି ବିଭିନ୍ନ ପ୍ରୋଗ୍ରାମ ସକାଶେ ପ୍ରମାଣୀକରଣର ଏକ ବ୍ୟବସ୍ଥା ପ୍ରସ୍ତୁତ କରୁଚନ୍ତି। ହଗିଙ୍ଗ୍ ଫେସ୍ ହେଉଛି ମୁକ୍ତ ଭାବେ ବ୍ୟବହାର କରାଯାଇ ପାରୁଥିବା କୃତ୍ରିମ ବୁଦ୍ଧିମତ୍ତା ମଡେଲ୍‌ ସକାଶେ ଏକ ମଞ୍ଚ। ବିଭିନ୍ନ ବୈଦ୍ୟୁତିକ ଉପକରଣର ଶକ୍ତି ଖର୍ଚ୍ଚ ଆଧାରରେ ଯେପରି ଯୁକ୍ତରାଷ୍ଟ୍ର ଆମେରିକାର ପାରିବେଶିକ ସୁରକ୍ଷା ସଂସ୍ଥାନ (ୟୁ.ଏସ୍.ଇ.ପି.ଏ.) ସେଗୁଡ଼ିକର ବର୍ଗୀକରଣ କରିଥାଏ, ସେହିପରି କାର୍ବନ୍ କୋଡ୍‌ରୁ ଗୋଟିଏ କୃତ୍ରିମ ବୁଦ୍ଧିମତ୍ତା ଉତ୍ପାଦର ଶକ୍ତି ବ୍ୟବହାର ସଂପର୍କରେ ଜାଣିହେବ।

ଯଦିଓ ଗୁଗୁଲ୍ ଏବଂ ମାଇକ୍ରୋସଫ୍‌ଟ ଏହି ପ୍ରତିଶ୍ରୁତି ଦେଇଛନ୍ତି ଯେ ଏହି ଦଶନ୍ଧିର ଶେଷ ବେଳକୁ ସେମାନେ ଅଙ୍ଗାର ଉତ୍ସର୍ଜନରେ ନିରପେକ୍ଷତା ହାସଲ କରିବେ। ମାତ୍ର ଆଶ୍ଚର୍ଯ୍ୟର ବିଷୟ ଯେ ଆମେରିକାର ଏହି ବଡ଼ କଂପାନିମାନଙ୍କ ସବୁଜ ଗୃହ ବାଷ୍ପର ଉତ୍ସର୍ଜନ ୨୦୨୩ ମସିହାରେ ଅନେକ ଗୁଣ ବଢ଼ିଯାଇଥିଲା। ଗୁଗୁଲ୍ କ୍ଷେତ୍ରରେ ଅଙ୍ଗାର ଉତ୍ସର୍ଜନ ୨୦୧୯ ତୁଳନାରେ ୪୮% ବୃଦ୍ଧି ପାଇଥିବା ବେଳେ ମାଇକ୍ରୋସଫ୍‌ଟ କ୍ଷେତ୍ରରେ ଏହା ୨୦୨୦ ତୁଳନାରେ ୨୯% ବୃଦ୍ଧି ପାଇଥିଲା।

ଲୁସିଓନି ପ୍ରତ୍ୟେକ ପ୍ରଯୁକ୍ତିବିଦ୍ୟା କଂପାନି ସଂପୂର୍ଣ୍ଣ ସ୍ବଚ୍ଛତା ଅବଲମ୍ବନ କରିବା ସକାଶେ ଆହ୍ବାନ ଦେଇଛନ୍ତି। ଏପରି ସଂକଟର ସମାଧାନ ସରକାରଙ୍କ ଦ୍ବାରା କରାଯିବା ଉଚିତ। ମାତ୍ର ବାସ୍ତବତା ହେଲା ଯେ ବର୍ତ୍ତମାନ ସକାଶେ ସରକାର ଆଖିବୁଜି ପ୍ରଯୁକ୍ତିବିଦ୍ୟା କଂପାନିଗୁଡ଼ିକର ସମର୍ଥନ କରୁଛନ୍ତି। ସରକାରମାନେ ଏକଥା ଜାଣିନାହାନ୍ତି ଯେ ତଥ୍ୟସମୂହ କ’ଣ ଏବଂ କେଉଁ ଯୁକ୍ତି ବଳରେ କମ୍ପ୍ୟୁଟର ପ୍ରୋଗ୍ରାମ ଚାଲୁଛି।
‘‘ଲୋକମାନଙ୍କୁ ଏକଥା ମଧ୍ୟ ବୁଝାଯିବା ଆବଶ୍ୟକ ଯେ ସୃଜନଶୀଳ କୃତ୍ରିମ ବୁଦ୍ଧିମତ୍ତା କ’ଣ, ଏହା କ’ଣ କରିପାରିବ ବା କରିପାରିବ ନାହିଁ ଏବଂ ଏ ବାବଦକୁ କେତେ ମୂଲ୍ୟ ଦେବାକୁ ପଡ଼େ’’ ବୋଲି ଲୁସିଓନି କହନ୍ତି। ତାଙ୍କର ସଦ୍ୟତମ ଅଧ୍ୟୟନରେ ଏହି ଗବେଷକ ଏକଥା ପ୍ରଦର୍ଶିତ କରିଛନ୍ତି ଯେ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ କରି ଏକ ଉଚ୍ଚକୋଟିର ଚିତ୍ର ପ୍ରସ୍ତୁତ ସକାଶେ ଯେତେ ଶକ୍ତି ଖର୍ଚ୍ଚ ହୁଏ, ସେଥିରେ ଗୋଟିଏ ଅତ୍ୟାଧୂନିକ ମୋବାଇଲ୍ ଫୋନ୍‌ର ବ୍ୟାଟେରିକୁ ସଂପୂର୍ଣ୍ଣ ରୂପେ ଚାର୍ଜ କରାଯାଇପାରିବ।

ବିବଦମାନ ‘ଚାଟ୍ ବଟ୍’କୁ ବିଭିନ୍ନ ଉପକରଣ ସହ ସଂଯୁକ୍ତ କରି ହେଉ ଅଥବା ଅନ୍‌ଲାଇନ୍‌ରେ ତଥ୍ୟ ଖୋଜିବା ଦ୍ବାରା ହେଉ, ଯେତେବେଳେ ଅଧିକରୁ ଅଧିକ ସଂଖ୍ୟକ କଂପାନିମାନେ ପ୍ରଯୁକ୍ତିବିଦ୍ୟାକୁ ଆମମାନଙ୍କ ଜୀବନ ସହିତ ସମନ୍ବିତ କରିବାର ପ୍ରୟାସ କରୁଛନ୍ତି ସେତେବେଳେ କିନ୍ତୁ ଲୁସିଓନି ଶକ୍ତି ବ୍ୟବହାରରେ ସଂଯମ ଆଚରଣର ପକ୍ଷ ସମର୍ଥନ କରୁଛନ୍ତି। ସେ ଜୋର୍ ଦେଇ କହିଛନ୍ତି ଯେ ସେ କୃତ୍ରିମ ବୁଦ୍ଧିମତ୍ତାର ବିରୋଧ କରୁନାହାନ୍ତି, ବରଂ ସଠିକ୍ ସାଧନାର ବ୍ୟବହାର ତଥା ସମାଜର ପ୍ରତ୍ୟେକ ବର୍ଗର ତୃଣମୂଳସ୍ତରରେ ସେଗୁଡ଼ିକର ନ୍ୟାୟସଂଗତ ବ୍ୟବହାର ଉପରେ ଗୁରୁତ୍ବ ଦେଉଛନ୍ତି। 
ମୋ:  ୯୯୧୦୭୪୦୮୩୯